About Me

Kendrapara, Odisha, India

2018-01-31

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨୨


"ଯେସନେ ନିର୍ଘାତ ଖସି ପଡ଼ଇ ଆକାଶୁଁ, ତେହ୍ନେ ପୃଥିବୀ କମ୍ପିଲା ବଳଦେବ ଆସୁଁ । ରଥ ଧ୍ୱଜ ପରେ ଥାଇ ହନୁ ଯେ ଡାକିଲେ, "ସମ୍ଭାଳ ହୋ ପାର୍ଥ, କୋପେ ରାମ ବିଜେ କଲେ ।"ଗୋବିନ୍ଦ ଦେଖିଲେ ନନ୍ଦୀଘୋଷ ପରେ ଥାଇ, ହଳ ମୂଷଳ ବୁଲାଇ ରାମ ଛନ୍ତି ଧାଇଁ ।" ଭୀମସେନ ହଳାୟୁଧଙ୍କର ଭୟଙ୍କର ରୂପ ଦେଖି ପଚାରିଲେ, "ଇଏ କାହିଁକି ଏତେ କ୍ରୋଧରେ ଆମ ଉପରକୁ କ୍ଷେପି ଆସୁଛନ୍ତି ?"ମୂଳରୁ ବଳରାମଙ୍କ ଉପରେ  ଭୀମଙ୍କର ରାଗ. "ଗଦା ବୁଲାଇଣ କୋପେ କାଳଦଣ୍ଡପାଣି, ଗର୍ଜେ ଭୀମ ଯେହ୍ନେ ସିଂହ ପରାକ୍ରମ ଜାଣି ।"ଭୀମଙ୍କ କୋପ ଦେଖି ସବ୍ୟସାଚୀ ମଧ୍ୟ କ୍ରୁଦ୍ଧ ହୋଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ । “ହ୍ୱିଡିମ୍ବା ତନୟ ଘଟୋତ୍କଚ ମହାବଳୀ, ଧାମଇ ଅସୁର ବେଗେ ଶାଳ ଶିଳା ତୋଳି ।” ରଥ ଉପରୁ ଡେଇଁ ପଡିଲେ ବନମାଳୀ ଭୀମସେନକୁ କୋଳ କରି ତାର କ୍ରୋଧ ଶାନ୍ତ କରାଇଲେ । ସମସ୍ତଙ୍କୁ କହିଲେ,"ମୋହର ଶପଥ ତୁମ୍ଭେ ସମରେ ନ ବଢ, ଯାନ ବାହନ ତେଜିଣ ସର୍ବେ ଶସ୍ତ୍ର ଛାଡ । କୋଟିଏ ସିଂହର ଅଟେ ଯାର ପରାକ୍ରମ, ତାହାଙ୍କର ତୁଲେ ଆମ୍ଭ କିସ ଯେ ସଂଗ୍ରାମ ?ବାସୁଦେବଙ୍କର ବାଣୀକୁ କିଏ ବା ଅମାନ୍ୟ କରିବ ! ସମସ୍ତେ ରଥ ଛାଡିଲେ, ଶସ୍ତ୍ର ଛାଡିଲେ । ବିନମ୍ରତାର ସହିତ ବଳରାମଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ କଲେ । ସ୍ୱୟଂ ହରି ପାଦେ ତାଙ୍କ ହୋଇ ନିଉଛାଳି, ବିନୟ ହୋଇ ପୁଚ୍ଛିଲେ ଦେବ ବନମାଳୀ । "ପ୍ରଭୁ, ପାଣ୍ଡବମାନଙ୍କର ଅଥବା ମୋର କେଉଁ ଅପରାଧ ଦେଖି ଆପଣ ଏତେ କ୍ରୋଧାନ୍ୱିତ, ମୁଁ ଜାଣି ପାରୁନାହିଁ । ଦୟା କରି କୋପ ଶାନ୍ତ କରନ୍ତୁ ଓ ମୋର କିଛି ଦୋଷ ଥିଲେ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ।"ବୋଲନ୍ତି ଯେ କାମପାଳ ଶୁଣ ଚକ୍ରଧର, କୌରବଙ୍କ ସଙ୍ଗେ କିମ୍ପା କଲୁ ତୁ ସମର ? ମୋର ପାଦ ଛୁଇଁ ପ୍ରତିଜ୍ଞା କରିଥିଲୁ, ସେ କଥା କଣ ଭୁଲିଗଲୁ ? ଆଜି ମୁଁ ତୋର ଏହି କପଟତା ଓ ମିଥ୍ୟାଚାରର ପ୍ରତିଶୋଧ ନେବି । ପାଣ୍ଡବମାନଙ୍କୁ ଆଜି ମୁଁ ନିଜେ ବଧ କରିବି । ଦେଖିବି,ସେମାନଙ୍କୁ ମୋ ହସ୍ତରୁ କିଏ ରକ୍ଷା କରିବ !" ବୃକୋଦର ନିଜର ତାତ୍ସଲ୍ୟ ଜଡିତ ସ୍ମିତହାସ୍ୟ ପ୍ରକାଶ ପାଇଯିବା ଭୟରେ  ମୁହଁ ବୁଲାଇନେଲେ । ଶ୍ରୀକୃଷ୍ଣ ବଲରାମଙ୍କୁ  ସ୍ତୁତି ବାକ୍ୟରେ ତୋଷ କରି କହିଲେ, "ଭ୍ରାତା, ଆପଣଙ୍କୁ କେହି ଭୁଲ ସମ୍ବାଦ ଦେଇଛି । ଏପରି କିଛି ଘଟି ନାହିଁ " ବଳରାମ କହିଲେ, “ଭୀଷ୍ମଙ୍କ ଅସ୍ତ୍ର ନାଶିଲୁ ତୁହି ମଧୁହାରୀ, ଅସ୍ତ୍ର ପ୍ରତି ଅସ୍ତ୍ର କଲୁ  ପାଣ୍ଡବେ ଆବୋରି !" ଶ୍ରୀକୃଷ୍ଣ କାନରେ ହାତ ଦେଇ କହିଲେ, ଏହା ଆଦୌ ସତ୍ୟ ନୁହେଁ । ମୁଁ ଅସ୍ତ୍ର ଧରିବା କଥା କିଏ ଦେଖିଛି କହୁ । ଚାଲନ୍ତୁ, ଦ୍ରୋଣ କର୍ଣ୍ଣ ଆଦିଙ୍କୁ ପଚାରି ବୁଝିବା । ଯଦି ମୁଁ ଦୋଷ କରିଥାଏଁ, ତେବେ ଆପଣ ନିଜେ ମୋତେ ହତ୍ୟା କରନ୍ତୁ । ବିଚରା ପାଣ୍ଡବମାନଙ୍କ ଉପରେ କ୍ରୋଧ କରନ୍ତୁ ନାହିଁ । ବଳରାମ କୃଷ୍ଣଙ୍କର ଦୃଢ଼ତାପୂର୍ଣ ଉକ୍ତିରେ ପ୍ରଭାବିତ ହୋଇ କୌରବ ସେନାପତିମାନଙ୍କୁ ପଚାରିବାକୁ ଗଲେ ।" ଆହେ ଦ୍ରୋଣ ଭୀଷ୍ମ ସଙ୍ଗେ ଯୁଝିଲେ କି ହରି ?ଦ୍ରୋଣ ବୋଇଲେ ନ ଦେଖି କହିବି କିପରି ? “ କର୍ଣ୍ଣ କହିଲେ,"ମୁଁ କୃଷ୍ଣଙ୍କ ହସ୍ତରେ ଅସ୍ତ୍ର ଦେଖି ନାହିଁ । "କୃପ, ଅଶ୍ଵତ୍ଥାମା, ଶଲ୍ୟ,ଭୂରିଶ୍ରବା ସମସ୍ତେ ନାସ୍ତି କରିବାରୁ ବଳରାମ ଦୁର୍ଯ୍ୟୋଧନକୁ ପଚାରିଲେ । "ବଳରାମଙ୍କୁ କହଇ ଶ୍ରୀ ମାନଗୋବିନ୍ଦ, ମୁହିଁ ଦେଖିନାହିଁ ହରି କରିବାର ଦ୍ଵନ୍ଦ । ଏ ମହାଭାରତ ଯୁଦ୍ଧେ ମିଥ୍ୟା କେ କହିବ, ଜ୍ଞାନ ଥାଉଁ ନର୍କକୁ ବା କେ ବାଞ୍ଛା କରିବ ? ନା, ଭୀଷ୍ମଙ୍କର ଏହି ଷଡ ଦିବସର ଯୁଦ୍ଧରେ ନାରାୟଣ ଅସ୍ତ୍ର ଧାରଣ କରିବାର ମୁଁ କେବେ ହେଲେ ଦେଖିନାହିଁ । "ଏଥର ଭୀଷ୍ମଙ୍କ ପାଳି ବଳଦେବଙ୍କ ପ୍ରଶ୍ନିଳ ଦୃଷ୍ଟି ପଡିଲା ସ୍ୱୟଂ ଭୀଷ୍ମଙ୍କ ଉପରେ । ଭୀଷ୍ମ କହିଲେ,"ଅମୋଘ ଶକତି ମୁହିଁ ଆକର୍ଷି ବିନ୍ଧିଲି, କୃଷ୍ଣ ଯୁଦ୍ଧ କରିବାର ନେତ୍ରେ ନ ଦେଖିଲି । କିନ୍ତୁ, ମୁଁ ବିନ୍ଧିଥିବା ଶକ୍ତି କେବଳ ସୁଦର୍ଶନ ଚକ୍ର ଭିନ୍ନ ଆଉ କୌଣସି ଅସ୍ତ୍ର ଦ୍ୱାରା ବ୍ୟର୍ଥ କରାଯାଇ ନ ପାରେ. ତେଣୁ..." ରଙ୍ଗାଧରରେ କ୍ଷୀଣ ହାସ୍ୟରେଖାଟିଏ ଉକୁଟି ଉଠି ମିଳାଇଗଲା. କୃଷ୍ଣ କହିଲେ,"ଅର୍ଜୁନ କି ମୋର ଅସ୍ତ୍ର ପ୍ରୟୋଗ ନ କରେ ? ନିଜେ ଦେଖିଛ ସୁଭଦ୍ରା ହରଣ କାଳରେ !"

ମୈୟା ମୋରି ମେଁ ନହିଁ ମାଖନ ଖାୟୋ
"ବନ୍ଧନ ଖୋଲିଦିଅ ମା, ବନ୍ଧନ ଖୋଲି ଦିଅ ମା, ମୁଁ ତ ଖାଇନାହିଁ ସର ଲବଣୀ, ଦେଖା ମା କରୁଛି ଆଁ Ι" ବିଚାରୀ ଯଶୋଦା ! ନାଟୁଆ ନଟବରଙ୍କ ମୁହଁକୁ ଚାହିଁ ଦେଲେ ତାଙ୍କ ସାରା ହୃଦୟ ମମତାରେ ପୂରି ଉଠୁଥିଲା Ι କିନ୍ତୁ ଶାସନ ତ କରିବାକୁ ପଡିବ ! ବାନ୍ଧି ରଖିବାକୁ ଚେଷ୍ଟା କରୁଥାନ୍ତି Ι ସାରା ଜଗତକୁ ଯିଏ ବାନ୍ଧି ରଖିଛି, ତାକୁ ସେ କେତେ ସମୟ ବାନ୍ଧି ରଖି ପାରିବେ ? ତହିଁରେ  କଳା ବଦନରେ ସେ ଯେଉଁ ମିଛ କାନ୍ଦଣାର ଅଭିନୟ, ମା ହୋଇ କେତେ ସହିବେ ଯଶୋଦା ? ଭୁଲି ଯାଉଥିଲେ ସବୁ କିଛି Ι ବନ୍ଧନ  ଖୋଲି ଦେଉଥିଲେ Ι  କୋଳକୁ ଆଣି ଲୁହ ପୋଛି ଦେଉଥିଲେ, ଆଉ କହୁଥିଲେ,"ୟେ ଗୋପ ଗୋପାଳୁଣୀ ସବୁଯାକ ମିଛୁଆ, ମୋ କାହ୍ନୁ କେବେ ମିଛ କହିବ ନାହିଁ Ι” ମିଛ ସତ କହି ଭୁଲାଇବା କିମିଆ କାଳିଆ କାହ୍ଣୁଙ୍କ ଛଡା କିଏ ବେଶୀ ଜାଣେ ? କୁରୁକ୍ଷେତ୍ରର ମହା ମହା ରଥୀଙ୍କ ସମ୍ମୁଖରେ ଆଉ ଥରେ ତାଙ୍କର ସେ ଲୀଳା ପ୍ରଦର୍ଶିତ ହେଲା Ι. କାଦମ୍ବରୀ ରସ ପାନରେ ସର୍ବଦା ଭୋଳ ହୋଇ ରହୁଥିବା କାମପାଳ କୃଷ୍ଣଙ୍କ ଉପରେ ମିଥ୍ୟାରେ ଦୋଷାରୋପ କରିଥିବା ଦୋଷରେ  ଭୀଷ୍ମଙ୍କ କେଶ ଧରି ହଳ  ଉତ୍ତୋଳନ କଲେ Ι "ରୋଷେ ବୁଲାଇ ପିଟନ୍ତେ ନେଇ ବଜ୍ର ହଳ, ଧାଇଁ ଯାଇ ଗୋବିନ୍ଦ ଯେ କଲେ ତାଙ୍କୁ କୋଳ Ι ଆପଣେ ଶ୍ରୀକରେ ହରି ଛଡ଼ାଇଲେ ବାଳ, ଏ ଛାରକୁ କୋପ କର କିମ୍ପା କାମପାଳ ?" ବଳଭଦ୍ରଙ୍କର ଏକ ଦୁର୍ବଳତା ଥିଲା Ι କୃଷ୍ଣଙ୍କ ମୁଖକୁ ଚାହିଁଦେଲେ ତାଙ୍କର କ୍ରୋଧ ଅଧା କମିଯାଉଥିଲା Ι ଆଉ ଯଦି ପଦ୍ମଲୋଚନରେ ଟୋପାଏ ଦି ଟୋପା ଢଳଢଳ ହେଲା ତ ଆଉ କିଛି କହିବାର ନାହିଁ Ι ସଙ୍ଗେ ସଙ୍ଗେ ପାଷାଣ ଭଳି କ୍ରୋଧ ତରଳି ପାଣି ହୋଇ ଯିବ Ι ଭୀଷ୍ମଙ୍କୁ ଛାଡି ଦେଇ ସେ ଦୁର୍ଯ୍ୟୋଧନଙ୍କୁ ସନ୍ଧି ପ୍ରସ୍ତାବଟିଏ ଦେଲେ Ι କହିଲେ, "ତୁ ପଞ୍ଚ କଟକେ ଲକ୍ଷ ଯୋଜନେ ନୃପତି, କାହିଁପାଇଁ ସମରରେ ବଳାଉଛୁ ମତି ? ଆସ ଦୁଇଜଣଙ୍କୁ ମୁଁ ମିଳାଇଣ ଦେବି, ପଡ଼ା ଦୁଇଖଣ୍ଡ ଦେଇ ପାଣ୍ଡବେ ତୋଷିବି Ι" ଦୁର୍ଯ୍ୟୋଧନ ବଳରାମଙ୍କୁ କହିଲେ,"ମୁଁ ଆପଣଙ୍କୁ ଏଠି ମଧ୍ୟସ୍ଥତା କରିବାକୁ ଡାକି ନ ଥିଲି Ι ଆପଣଙ୍କୁ ନ୍ୟାୟ କରିବାକୁ ଡାକିଥିଲି Ι ତାହା ତ କିଛି ହୋଇପାରିଲା ନାହିଁ Ι ମୋ ଉପରେ ଭରସା କରି ବହୁ ରାଜା ଆସି ଯୁଦ୍ଧରେ ପ୍ରାଣ ଦେଇ ସାରିଲେଣି Ι ଏତେବେଳେ ସନ୍ଧି ପାଇଁ କହୁଛନ୍ତି ! ଏଡ଼େ ହୀନବୀର୍ଯ୍ୟ ବୋଲି ମଣିଲେ କି ମୋତେ ! ଯୁଦ୍ଧ ମୁଁ କରିବି ପ୍ରାଣ ଥିବା ପରିଯନ୍ତେ Ι" ବଳରାମ କୃଷ୍ଣଙ୍କ ପାଖକୁ ଗଲେ Ι କହିଲେ, "ତୋର କଳା କୌଶଳ ମୋତେ ଭଲ ଜଣା Ι ତୁ ଏଇମିତି କାମ ସବୁ କରିବୁ Ι ଦୁର୍ଯ୍ୟୋଧନ ମୋତେ ଡାକୁଥିବ Ι ମୁଁ ଆସି ଏଠି ତୋ ସହିତ ଓ ପାଣ୍ଡବମାନଙ୍କ ସହିତ କଳି କରିବି Ι ତା ଅପେକ୍ଷା ମୁଁ ଯୁଦ୍ଧ ଶେଷ ଯାଏଁ ତୀର୍ଥଯାତ୍ରାରେ ପ୍ରୟାଗକୁ ଯାଉଛି Ι” ଏତିକି କହି ବଲରାମ ପ୍ରସ୍ଥାନ କଲେ Ι
ଅପମାନିତ ଭୀଷ୍ମ ସପ୍ତମ ଦିନ ପ୍ରତିଶୋଧପରାୟଣ ହୋଇ ଘୋର ଯୁଦ୍ଧ କଲେ Ι ଗଙ୍ଗାପୁତ୍ରଙ୍କ ତୂଣୀରରୁ ସେଦିନ ବହୁ ଶକ୍ତିଶାଳୀ ଅସ୍ତ୍ରମାନ ବାହାରି ଶତ୍ରୁ ସୈନ୍ୟଙ୍କୁ ନାଶ କଲା Ι ଧନଞ୍ଜୟଙ୍କ ଗାଣ୍ଡୀବ ମଧ୍ୟ ଉପଯୁକ୍ତ ପ୍ରତିଅସ୍ତ୍ର ପ୍ରୟୋଗ କରୁଥାଏ କିନ୍ତୁ ବୃଦ୍ଧ ପିତାମହଙ୍କ ଶକ୍ତି ନିକଟରେ ଅର୍ଜୁନ ସେଦିନ ନ୍ୟୁନ ଦେଖାଗଲେ Ι ସେଦିନ ମଧ୍ୟ ଏକ ବିଜୟ କର୍ଣ୍ଣ କୁଠାର ପ୍ରୟୋଗ କରି ଭୀଷ୍ମ ଦଶ ସହସ୍ର ସୈନ୍ୟ ନିହତ କଲେ ଓ କୌରବ ବାହିନୀ ଜୟ ଶଙ୍ଖ ବଜାଇ ବାହୁଡ଼ିଲେ Ι ଭୀଷ୍ମଙ୍କ ଜୟଘୋଷରେ କୌରବ ଶିବିର ନିନାଦିତ ହେଲା ଓ ପାଣ୍ଡବ ପକ୍ଷ ନୈରାଶ୍ୟ ମଧ୍ୟରେ ରାତ୍ରି ଯାପନ କଲେ Ι

କ୍ରମଶଃ...

2018-01-30

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୨୧


ଯୁଦ୍ଧର ପଞ୍ଚମ ଦିବସରେ ଭୀଷ୍ମ ଅର୍ଜୁନ, ଦ୍ରୋଣ ଶ୍ୱେତ, ସହଦେବ(ଜରାସନ୍ଧର ପୁତ୍ର)ଅଳଂଭୁଷ, ଏବଂ ଶିଖଣ୍ଡୀ ଅଶ୍ୱତ୍ଥାମା ପରଷ୍ପର ଯୁଦ୍ଧରେ ବ୍ୟାପୃତ ହେଲେ । ଶ୍ୱେତ ଭିନ୍ନ ଆଉ ଯେଉଁ ଯୋଦ୍ଧା ସେଦିନ ନିଜର ପରାକ୍ରମ ଦେଖାଇଲା, ସେ ହେଉଛି ଘଟୋତ୍କଚ । ଆସୁରିକ ଶକ୍ତିଧର ଘଟୋତ୍କଚକୁ ଯିଏ ଯେଉଁ ଅସ୍ତ୍ର ପ୍ରୟୋଗ କଲେ ମଧ୍ୟ ତାର ଶରୀରରେ ଭେଦ କରୁ ନ ଥାଏ । ଅସଂଖ୍ୟ କୁରୁ ସୈନ୍ୟଙ୍କୁ ସେ ଅଳ୍ପ ସମୟ ମଧ୍ୟରେ  ନିହତ କରିବା ଦେଖି ଦୁଃଶାସନ ତାକୁ ଗଦାଯୁଦ୍ଧ ପାଇଁ ଆହ୍ୱାନ କଲା । ଘଟୋତ୍କଚ ସେ ଆମନ୍ତ୍ରଣ ସ୍ଵୀକାର କଲା ଓ ତାର ଗୋଟିଏ ପ୍ରହାରରେ ଦୁଃଶାସନ ମୂର୍ଚ୍ଛିତ ହୋଇ ପଡିଲା । "କ୍ଷଣକେ ଚେତା ପାଇଲା ଧୃତରାଷ୍ଟ୍ର ବଳା, ସାଷ୍ଟାମ ହୋଇଣ ସେହି ତହୁଁ ପଳାଇଲା ।" ଘଟୋତ୍କଚ କହିଲା, "ପିତାଙ୍କ ପ୍ରତିଜ୍ଞା ଯୋଗୁଁ ତୁ ଆଜି ମୋ ହସ୍ତରୁ ବର୍ତ୍ତିଗଲୁ. ନ ହେଲେ ଏକ୍ଷଣି ତୋର ଇହଲୀଳା ସମ୍ବରଣ କରାଇ ଦେଇ ଥାନ୍ତି ".ଏତକ କହି ସେ ଦୁଃଶାସନ ସାଙ୍ଗରେ ଥିବା ସୈନ୍ୟମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା । ଏଣେ ଶ୍ୱେତ ଓ ଗୁରୁ ଦ୍ରୋଣଙ୍କ ମଧ୍ୟରେ ସମର ପ୍ରବଳରୁ ପ୍ରବଳତର ହେବାରେ ଲାଗିଥାଏ । ଦ୍ରୋଣଙ୍କର ସମସ୍ତ ଶରର ପ୍ରତିଶର ପ୍ରୟୋଗ କରି ଶ୍ୱେତ ନିଜର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରୁଥାଏ ସେ ସମୟରେ ଅତିକ୍ରାନ୍ତ ହେବାରେ ଲାଗିଥାଏ, କିନ୍ତୁ ଦ୍ରୋଣ ଶ୍ଵେତକୁ ପରାସ୍ତ କିମ୍ବା ନିହତ କରିବାର କିଛି ଲକ୍ଷଣ ଦେଖିବାକୁ ମିଳୁ ନଥାଏ । ଶେଷରେ ସକଳ ଅସ୍ତ୍ର ଶସ୍ତ୍ରରେ ପ୍ରବୀଣ ମହାନ୍ ଗୁରୁ ଦ୍ରୋଣାଚାର୍ଯ୍ୟ ଏକ ସାମାନ୍ୟ ଅଳ୍ପବୟସ୍କ ଯୋଦ୍ଧା ଉପରକୁ ପ୍ରୟୋଗ କଲେ ବ୍ରହ୍ମାସ୍ତ୍ର । ସମଗ୍ର ସମର ଭୂମି ଚମକି ଉଠିଲା । ଦେବତାମାନେ ସ୍ଵର୍ଗରେ ଥାଇ ଏ ଦୃଶ୍ୟ ଦେଖି ଦ୍ରୋଣଙ୍କୁ ଧିକ୍କାର କରିବାରେ ଲାଗିଲେ । ନନ୍ଦୀଘୋଷ ରଥ ଉପରୁ ନନ୍ଦସୁତ ସାତ୍ୟକିକୁ   ସାବଧାନ କରାଇ ଦେଲେ. “ସାବଧାନ ସାତ୍ୟକି, ଦ୍ରୋଣ ବ୍ରହ୍ମାସ୍ତ୍ର ପ୍ରୟୋଗ କରୁଛନ୍ତି ।" ସାତ୍ୟକି କ୍ଷିପ୍ର ବେଗରେ ରଥକୁ ଉପରକୁ ଉଠାଇ ନେବାରୁ ଶ୍ୱେତ କହିଲା, "ଆପଣ ୟେ କଣ କଲେ ? ପୃଷ୍ଠଭଙ୍ଗ ଦେଇ ପଳାୟନ କରିବାର ଅପମାନ ନେଇ ବଞ୍ଚିବା ଅପେକ୍ଷା ମୃତ୍ୟୁ ଶତଗୁଣେ ଶ୍ରେୟସ୍କର. ଆପଣ ରଥକୁ ତଳକୁ ନିଅନ୍ତୁ ।" ଅଗତ୍ୟା ସାତ୍ୟକି ରଥକୁ ଦ୍ରୋଣଙ୍କ ସମ୍ମୁଖକୁ ନେଇ ରଖିଲେ ଓ ନିଜର ପ୍ରାଣ ରକ୍ଷା ପାଇଁ ରଥରୁ ଡେଇଁ ପଳାୟନ କଲେ । ଦ୍ରୋଣଙ୍କର ବ୍ରହ୍ମାସ୍ତ୍ର  ସାହସୀ, ପରାକ୍ରମୀ, ନୀତିବନ୍ତ ଯୋଦ୍ଧା ବିରାଟକୁମର ଶ୍ୱେତ ଉପରେ ପଡି ତାର ସମସ୍ତ ଶରୀରକୁ ଭଷ୍ମ କରିଦେଲା । ହାହାକାର ପଡିଗଲା ପାଣ୍ଡବ ସୈନ୍ୟଦଳରେ । ସମୟ ହୋଇ ଯାଇଥିଲା । ଯୁଦ୍ଧ ବନ୍ଦ କରି ଉଭୟ ପକ୍ଷ ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ । ନିର୍ଲଜ୍ଜ ବିଜୟର ଧ୍ୱଜା ଉଡାଇ କୌରବମାନେ ଯାଉଥିବା ବେଳେ, ପାଣ୍ଡବ ପକ୍ଷରେ ଶୋକର ଲହରୀ ଖେଳିଯାଉଥିଲା । ବିରାଟରାଜ ପୁତ୍ର ଶୋକରେ ମୂର୍ଛିତ ହୋଇ ଟଳି ପଡିଲେ  ତାଙ୍କୁ ଚେତା କରାଇ ସାନ୍ତ୍ୱନା ଦେଲେ ସ୍ୱୟଂ ବାସୁଦେବ. ସମରରେ ନିହତ ହେବା ପୂର୍ବରୁ ସେ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛି, ତାହା ତାକୁ ଇହ ଲୋକରେ ଅମର କରି ରଖିବ ଏବଂ ମୃତ୍ୟୁ ପରେ ସେ କେମିତି ଦେବଙ୍କ ଦ୍ୱାରା ପ୍ରେରିତ ପୁଷ୍ପକ ଯାନରେ ଅମର ବିଳାସିନୀମାନଙ୍କ ଗହଣରେ ସ୍ୱର୍ଗକୁ ଯାତ୍ରା କରୁଛି ଦେଖ ବୋଲି କହିଲେ । "ତୋହର ପୁତ୍ର ଶ୍ୱେତ ଯେ ପଡିଲାକ ରଣେ, ଦେଖ ତାକୁ ଦେବେ ନ୍ୟନ୍ତି ପୁଷ୍ପକ ବିମାନେ । ଦେଖ ବୋଲି ବିରାଟକୁ ଦେଖାନ୍ତେ ଶ୍ରୀବତ୍ସ, ଆକାଶେ ଚାହିଁ ଦେଖିଲେ ବିରାଟ ପ୍ରତ୍ୟକ୍ଷ । ଦେଖିଣ ସାନନ୍ଦ ହେଲେ ବିରାଟ ନୃପତି, ଛାଡିଲା ଶୋକ ଅବସ୍ଥା ମନୁ ଗଲା ଭ୍ରାନ୍ତି ।" ଭୀଷ୍ମଙ୍କର ସେନାପତି ହେବାର ଷଷ୍ଠ ଦିନ । ବିରାଟ, ଶଙ୍ଖ, ଉତ୍ତର, ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ ତଥା ଜରାସନ୍ଧ ପୁତ୍ର ସହଦେବ ସେଦିନ ପାଣ୍ଡବ ପକ୍ଷରୁ ପ୍ରତିଶୋଧ ମନୋବୃତ୍ତି ଧରି ଭୀଷଣ ସଂଗ୍ରାମ କଲେ । ବୀର ବୃକୋଦର  ବାଉନ ବାଉନ ଭାର ଗଦାରେ ଶତ୍ରୁ ସୈନ୍ୟ,ସେନାପତିମାନଙ୍କୁ ନିପାତ କରି ଚାଲିଥାନ୍ତି । କୌରବ ପକ୍ଷରୁ ଭୀଷ୍ମଙ୍କ ସହ, ଦ୍ରୋଣ, କୃପ, କର୍ଣ୍ଣ,ଭୁରିଶ୍ରବା,ତଥା ଦୁର୍ଯ୍ୟୋଧନ ଓ ଅନ୍ୟ ଭ୍ରାତାମାନେ ଅମିତ ବିକ୍ରମରେ ଲଢ଼ୁଥାନ୍ତି । ଘଟୋତ୍କଚ ବାଛିନେଇଥାଏ ତାର ରାକ୍ଷସ ପ୍ରତିପକ୍ଷ ଅଳଂଭୁଷକୁ । ଭୀଷ୍ମ ଓ ଅର୍ଜୁନ ଭୟଙ୍କର ଯୁଦ୍ଧରେ ବ୍ୟାପୃତ ହୋଇଥାନ୍ତି । ଶରମାନଙ୍କର ଗମନାଗମନରେ ପ୍ରବଳ ଶବ୍ଦ ହେଉଥାଏ । ନାନା ପ୍ରକାର ଅସ୍ତ୍ର ସବୁ ସୂର୍ଯ୍ୟଙ୍କର ପ୍ରଖର ତାପରେ ଝଲସି ଉଠୁଥାନ୍ତି । ଶବ ଉପରେ ଶବ ଲଦି ହୋଇ ପଡୁଥାନ୍ତି । ରକ୍ତପାତ ହୋଇ କେବଳ ଯେ ଧରଣୀ ସିକ୍ତ ହେଉଥାଏ ତା ନୁହେଁ, ରକ୍ତର ସ୍ରୋତସ୍ୱତୀ ବହିଯାଉଥାଏ । ସେଦିନ ସମରରେ ଅତିଷ୍ଠ ହୋଇ ଭୀଷ୍ମ ମଧ୍ୟ ଏକ ଅମୋଘ ଶକ୍ତି ପ୍ରୟୋଗ କରିବା ପାଇଁ ତୂଣୀରରୁ କାଢ଼ିଲେ । ସେ ଶକ୍ତି ଅସାଧାରଣ ଥିଲା  ସେ ଶକ୍ତିର ତେଜ ଦେଖି ଉଭୟ ପାଣ୍ଡବ ଓ କୌରବ ସୈନ୍ୟ ପଛକୁ ହଟିଗଲେ । ତୂଣୀରରୁ ବାହାରିବା ବେଳେ ସେ ଶକ୍ତିର ତେଜ ଯାହା ଥିଲା, ଧନୁରେ ଯୋଖିଲା ବେଳେ ତାର ଶତଗୁଣ ଓ ପ୍ରୟୋଗ କଲାବେଳେ ସହସ୍ର ଗୁଣ ବର୍ଦ୍ଧିତ ହୋଇଗଲା ।' ଗୋବିନ୍ଦ ବୋଇଲେ ବାବୁ ଶୁଣ ଫାଲଗୁନି, ସଂସାର ଦହନ ଶର ବିନ୍ଧେ ଭୀଷ୍ମ ଘେନି । ଏହିକ୍ଷଣି ଏ ସଂସାର ହୋଇବ ଦହିଯ୍ୟ, କୋଟିଏ କିରଣ ଅଟେ ଏହି ଶକ୍ତି ତେଜ । ଏଥିପାଇଁ ପ୍ରତିଶସ୍ତ୍ର ଅଛି କି ହୋ ପାର୍ଥ ? ସମସ୍ୟା ନ ଦେଇ ପାର୍ଥ ଧରେ ମୌନବ୍ରତ ।" ଅର୍ଥାତ୍ ସେହି ଶକ୍ତିର ପ୍ରତି ଶସ୍ତ୍ର ଧନଞ୍ଜୟଙ୍କ ନିକଟରେ ନ ଥିଲା । ଚକ୍ରଧାରୀ ଦେଖିଲେ, ପ୍ରବଳ ବେଗରେ ସେହି ମହାଶକ୍ତିଶାଳୀ ଅସ୍ତ୍ର ନନ୍ଦୀଘୋଷ ଆଡ଼କୁ ମାଡି ଆସୁଛି । ଗତ୍ୟନ୍ତର ନ ଥିଲା  ଧ୍ୟାନରେ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ ନାରାୟଣ । ଅନ୍ତରୀକ୍ଷରେ ଆସି ଅନ୍ୟମାନଙ୍କ ଅଲକ୍ଷରେ ସୁଦର୍ଶନ ଚକ୍ର ସେହି ଶକ୍ତିକୁ ଛେଦନ କରି ଚାଲିଗଲା । ପାର୍ଥକୁ ଗୋଚର ଏହା ନୋହିଲା ଯୁକତେ, ହନୁମାନ ଦେଖିଲା ସେ ନନ୍ଦିଘୋଷ ରଥେ । ଶକତି ନାଶିଣ ଚକ୍ର ହେଲା ଅନ୍ତର୍ଦ୍ଧାନ, ଦେଖିଣ ଭୀଷ୍ମ ଛାଡିଲେ ହସ୍ତୁ ଧନୁର୍ବାଣ ।" ଭୀଷ୍ମ ନିଜ ରଥକୁ ପଛକୁ ଫେରାଇ ଦୁର୍ଯ୍ୟୋଧନକୁ ଭେଟିଲେ ଓ କହିଲେ,"ବତ୍ସ ଦୁର୍ଯ୍ୟୋଧନ, ତୁମେ ପାଣ୍ଡବମାନଙ୍କ ଶରଣ ପଶ । ଯଦି ଶରଣ ପଶିବାକୁ ଖରାପ ଲାଗୁଛି, ତେବେ ସେମାନଙ୍କୁ ରାଜ୍ୟ ଦେଇ ଦେଇ ଅରଣ୍ୟକୁ ଚାଲିଯାଅ ଭାଇମାନଙ୍କୁ ନେଇ ।"ଦୁର୍ଯ୍ୟୋଧନ ପିତାମହଙ୍କର ଏପରି କହିବାର ଅର୍ଥ ବୁଝି ନ ପାରି 'କଣ ହେଲା' ବୋଲି ପଚାରିବାରୁ ଭୀଷ୍ମ କହିଲେ,"ମୁଁ ଯେଉଁ ଶକ୍ତି ପ୍ରେରଣ କରିଥିଲି ସେ ଶକ୍ତି ନିବାରଣ କରିବାର ଶକ୍ତି ଅର୍ଜୁନ ନିକଟରେ ନ ଥିଲା । "ପ୍ରଥମେ ଦହନ୍ତା ସେହି ନନ୍ଦିଘୋଷ ରଥ, ଚାରିଅଶ୍ୱ ସହିତରେ କୃଷ୍ଣ ଆଉ ପାର୍ଥ । ଦ୍ଵିତୀୟେ ଦହନ୍ତା ସେହି ପାଣ୍ଡବ ସଇନି, ଯୁଧିଷ୍ଠି ଆଦି କି ଆଜି ଯାନ୍ତେ ପ୍ରାଣ ଘେନି ? ଅର୍ଜୁନର ବଳେ ତାହା ନୋହେ ନିବାରଣ, ଚକ୍ର ଧରି କୃଷ୍ଣ ତାହା ଛେଦିଲେ ଆପଣ ।" ଯେଉଁଠି ସ୍ୱୟଂ ଶ୍ରୀକୃଷ୍ଣ ଯୁଦ୍ଧରେ ଅଂଶ ଗ୍ରହଣ କଲେଣି ସେଠି ଆଉ ଜୟଲାଭ କରିବା ଆଶା ବୃଥା । ଏହା ଶୁଣି ଦୁର୍ଯ୍ୟୋଧନ ସଙ୍ଗେ ସଙ୍ଗେ ବଳରାମଙ୍କୁ ସ୍ମରଣ କଲେ । ବଳରାମଙ୍କ ଆସନ କମ୍ପିଲା  ସେ ଜାଣିପାରିଲେ ଯେ ତାଙ୍କର ପ୍ରିୟ ଶିଷ୍ୟ ଦୁର୍ଯ୍ୟୋଧନ ସ୍ମରଣ କରୁଛି । ସେ ଆସି କୁରୁକ୍ଷେତ୍ରରେ ଉପସ୍ଥିତ ହେଲେ । ଦୁର୍ଯ୍ୟୋଧନ ଭ୍ରାତାମାନଙ୍କ ସହିତ ତାଙ୍କୁ ପ୍ରଣିପାତ କରି ଅଭିଯୋଗ କଲେ ଯେ ଶ୍ରୀପତି ତାଙ୍କ ସମ୍ମୁଖରେ କରିଥିବା ପ୍ରତିଜ୍ଞାରୂ ଓହରି ଯାଇ ଅସ୍ତ୍ର ଧାରଣ କରିଛନ୍ତି । ଏହା ଶୁଣି କାମପାଳ ଭୟଙ୍କର ଭାବରେ ରାଗିଗଲେ ।” କୋପେ ଗର୍ଜନ କରନ୍ତି ଦେବ କାମପାଳ, ବାମେ ବଜ୍ର, ଦକ୍ଷ କରେ ସୌନନ୍ଦ ମୂଷଳ । ମହା ପ୍ରତାପେ ଡାକନ୍ତି ସ୍ୱାମୀ ବଳଦେବ, ଆରେ ଆରେ କୃଷ୍ଣ ଆରେ ଆରେ ରେ ପାଣ୍ଡବ !"


କ୍ରମଶଃ...

2018-01-29

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୨୦


ଚତୁର୍ଥ ଦିନ ଯୁଦ୍ଧରେ ବିରାଟରାଜପୁତ୍ର ଶଙ୍ଖ, ଶ୍ୱେତ, ଉତ୍ତର ଓ ଅଭିମନ୍ୟୁ ଚାରିଜଣ ମିଶି କୌରବ   ସୈନ୍ୟମାନଙ୍କୁ ମନ୍ଥିଦେଲେ । ପ୍ରଥମେ ଅଭିମନ୍ୟୁ ଦ୍ରୋଣଙ୍କ ସହ ଲଢ଼ିବାକୁ ଆଗେଇ ଆସୁଥିଲା, କିନ୍ତୁ ଦ୍ରୋଣ ତାକୁ ବାଳୁତ ପିଲା ବୋଲି କହି ଅନ୍ୟ ଦିଗକୁ ରଥ ନେବାକୁ ସାରଥୀକୁ କହିଲେ । ସେପଟରୁ ଆସୁଥିଲା ଶ୍ୱେତ । ସେ ଦ୍ରୋଣଙ୍କ ସହ ସମକକ୍ଷ ଯୋଦ୍ଧା ଭାବରେ ଯୁଦ୍ଧ କରିବାକୁ ଲାଗିଲା । ଗୁରୁ ଦ୍ରୋଣ ଯାହା ଯାହା ଶର ପ୍ରୟୋଗ କରୁଥାନ୍ତି, ସେ ସବୁର ଉପଯୁକ୍ତ ପ୍ରତିଶସ୍ତ୍ର କରୁଥାଏ ଶ୍ୱେତ । କ୍ରମେ କ୍ରମେ ଗୁରୁ ଦ୍ରୋଣଙ୍କର ଅଭିମାନ ଏବଂ ଅପମାନକୁ କ୍ରୋଧକୁ ରୂପାନ୍ତରିତ ହେବାରେ ଲାଗିଲା । ଦ୍ରୋଣଙ୍କର ଆଉ ହିତାହିତ ଜ୍ଞାନ ରହିଲା ନାହିଁ । ସେ ସାଧାରଣ ଅସ୍ତ୍ରରେ ଜିଣି ନ ପାରିବାରୁ ଶକ୍ତିଶାଳୀ ଅସ୍ତ୍ରମାନ ପ୍ରୟୋଗ କରିବାକୁ ଲାଗିଲେ । “ଦ୍ରୋଣ ସନ୍ଧାନ କରନ୍ତି ଶର ବ୍ରହ୍ମାନଳ, ସାତ୍ୟକି ବୋଇଲା, ଶ୍ୱେତ, ସମ୍ଭାଳ, ସମ୍ଭାଳ." ଶ୍ୱେତ ବୋଲେ ତୁହି ସାହା ହୋଇଥିବୁ ରଥେ, ଦେଖିବା କୌରବେ ଆଜି ବର୍ତ୍ତିବେ କେମନ୍ତେ." ମରୁତାସ୍ତ୍ର ପ୍ରୟୋଗ କଲା ଶ୍ୱେତ । ଯେଉଁ ଭୟଙ୍କର ଅଗ୍ନିଶିଖା ପାଣ୍ଡବମାନଙ୍କ ଆଡକୁ ମାଡି ଆସୁଥିଲା, ତାହା ଵିପରୀତମୁଖୀ ହୋଇ କୌରବ ସୈନ୍ୟମାନଙ୍କୁ ଦହନ କରିବାରେ ଲାଗିଲା । ଦ୍ରୋଣଙ୍କର ରଥ ଓ ସାରଥୀ ଦଗ୍ଧୀଭୂତ ହେଲାରୁ ସେ ଅନ୍ୟ ଏକ  ରଥ ଆରୋହଣ କରି ପଛକୁ ଘୁଞ୍ଚିଲେ । ହାହାକାର ପଡିଗଲା କୌରବ ସୈନ୍ୟଦଳରେ । ସମସ୍ତେ ପଛକୁ ବୁଲି ପଳାୟନ କରିବାରେ ଲାଗିଲେ । ଭୀଷ୍ମ ଏକା ପଡିଗଲେ । ଭୀମସେନ ତାଙ୍କ ରଥ ଓ ସାରଥୀକୁ ଗୋଟିଏ ଗଦା ପ୍ରହାରରେ ଭୂମିଗତ କରି ଦେଲେ । ଭୀଷ୍ମ ରଥରୁ ଡେଇଁ ହାତୀଟିଏ ଚଢି ଶର ବିନ୍ଧୁ ବିନ୍ଧୁ ପଛକୁ ପଛକୁ ଗତି କରି ନିଜ ସୈନ୍ୟମାନଙ୍କ ସହିତ ମିଶିଲେ । କୌରବ ସୈନ୍ୟ ପଳାୟନ କରୁଥାନ୍ତି । ପଛଆଡ଼ୁ ଗୋଡ଼ାଇ ଗୋଡ଼ାଇ ସେମାନଙ୍କୁ ଅସ୍ତ୍ରାଘାତ କରୁଥାନ୍ତି ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ ଓ ଅନ୍ୟ ଯୁବା ଯୋଦ୍ଧା ଚତୁଷ୍ଟୟ । ସେଦିନ ପ୍ରକୃତରେ ପାଣ୍ଡବମାନଙ୍କର ବିଜୟ ଦିବସ ଥିଲା । କୌରବ ସୈନ୍ୟଙ୍କର ଏତାଦୃଶ ପୃଷ୍ଠଭଙ୍ଗ ଦେଇ ପଳାୟନ ଦେଖି ମର୍ମାହତ ହେଲେ କୁରୁପତି ଦୁର୍ଯ୍ୟୋଧନ । ଶିବିରକୁ ଫେରି ସେ ନୈରାଶ୍ୟର ସହ ବିଳାପ କରିବାକୁ ଲାଗିଲେ. କହିଲେ,”ଏତେ ସବୁ ଯୋଦ୍ଧା ଥାଇ କି ଲାଭ ? ଏକମାତ୍ର ବିରାଟନନ୍ଦନ ଶ୍ୱେତ ଯଦି ଆମ୍ଭପକ୍ଷର ମହା ମହା ରଥୀମାନଙ୍କୁ ପରାସ୍ତ କରି ପାରିଲା, ତେବେ ମୁ ଆଉ ମୋର ବିରାଟ ସୈନ୍ୟବଳକୁ ନେଇ ଗର୍ବ କରିବି କାହିଁକି ? ମୁ ଆଉ ମୋର  ଭ୍ରାତାମାନେ  ମିଶି ଯୁଦ୍ଧ କରିବୁଁ । ଅନ୍ୟ ସବୁ ରାଜାମାନଙ୍କୁ ବାହୁଡ଼ାଇ ଦିଅ । ଆମ ପକ୍ଷରେ ଥିବା ମହାନ ବୀରମାନଙ୍କୁ ଆଉ ଲଢ଼ିବାକୁ ମୁଁ କହିବି ନାହିଁ । ଯୁଧିଷ୍ଠିର ପ୍ରଥମେ ଭଲ ପ୍ରସ୍ତାବଟିଏ ଦେଇଥିଲା । ମୁଁ ଏବେ ଭାବୁଛି, ତାହାହିଁ କରିବି । ଭୀଷ୍ମ, ଭୂରିଶ୍ରବା, ଦ୍ରୋଣ ଆଦି ରଥୀ ଯାନ୍ତୁ, ରାଜାମାନେ ସୈନ୍ୟ ଘେନି ସକଳେ ଫେରନ୍ତୁ. ସଂସାରରେ ଅପଖ୍ୟାତି ନୋହୁ ମୋର ନାମେ, ଅଠାନବେ ଭ୍ରାତା ଘେନି ପଶିବି ସଂଗ୍ରାମେ." ଭୀଷ୍ମ ଦ୍ରୋଣ ଆଦିଙ୍କୁ ନାନା ପ୍ରକାର ଧିକ୍କାର ବାଣୀ ଶୁଣାଇ ଦୁର୍ଯ୍ୟୋଧନ ତାଙ୍କୁ ଉତ୍ତେଜିତ କରିବାର ପ୍ରୟାସ  କରୁଥିଲେ ଏବଂ ସେ ଚେଷ୍ଟା ସଫଳ ମଧ୍ୟ ହେଲା. "ଦ୍ରୋଣ ବୋଇଲେ ଶୁଣ ରେ ମାନଗୋବିନ୍ଦ, କାହାରି ବୋଲ ନ ମାନି ଆରମ୍ଭିଲୁ ଦ୍ଵନ୍ଦ.ଏତେବେଳଯାଏଁ ତୋର ଝିଙ୍ଗାସ ଶୁଣିଲି. ଆମ୍ଭର ସମର ରାୟେ, ଦେଖିବୁ ତୁ କାଲି.ଶେତକୁମାରକୁ ଯେବେ ନ ପାରିବି ମାରି. ସଂଗ୍ରାମେ ଶସ୍ତ୍ର ଛାଡ଼ିବି ସତ୍ୟ ଯେ ମୋହରି." ।

କ୍ରମଶଃ....


2018-01-28

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୯


ବିଶ୍ୱାବସୁ ନାମରେ ରାଜାଙ୍କର ମାର୍କଣ୍ଡ ନାମରେ ପୁତ୍ର ଥିଲା। ଥରେ ପିତୃପକ୍ଷ ଶ୍ରାଦ୍ଧ ପାଇଁ ଗଣ୍ଡାଟିଏ ମାରି ଆଣିବା ପାଇଁ ପିତା ପୁତ୍ରକୁ ଆଦେଶ ଦେଲେ। ମାର୍କଣ୍ଡ ସେ କାର୍ଯ୍ୟ ଅନ୍ୟ ଦ୍ୱାରା କରାଇ ପାରିଥାନ୍ତା। କିନ୍ତୁ ପିତୃକାର୍ଯ୍ୟ ପାଇଁ ନିଜେ ଗଣ୍ଡାଟାଏ ମାରି ଆଣିବା ଉଚିତ ହେବ ବୋଲି ଭାବି ବୁଲି ବୁଲି ଗଣ୍ଡା ଖୋଜି ଖୋଜି ପାର୍ଶ୍ଵବର୍ତ୍ତୀ ଅରଣ୍ୟରୁ ପାଇଲା ନାହିଁ। ସେଠାରେ କୃପାଜଳ ନାମକ ଋଷିଙ୍କ ଆଶ୍ରମ ଥାଏ ପରବର୍ତ୍ତୀ ସମୟରେ ନଳ ପରେ ସୁଦାମ ପରେ ଅଚ୍ୟୁତ ବୋଲି ମହାପୁରୁଷ ତାଙ୍କ ଜୀବନୀ ବୋଲି ଉଲେଖ କରିଛନ୍ତି । ସେ ଗଣ୍ଡାଟିଏ ପାଳି ଥାନ୍ତି ମାର୍କଣ୍ଡ ସେହି ଗଣ୍ଡାଟିକୁ ମାରି ଆଣିବା ଉଦ୍ଦେଶ୍ୟରେ ତାର ବେକରେ ଖଡ୍ଗର ଆଘାତ କରିବା ଅବସ୍ଥାରେ ଋଷି ସ୍ନାନ ସାରି ଫେରିଲେ । ଅର୍ଦ୍ଧ କର୍ତ୍ତିତ ମସ୍ତକ ସହ ନିଜର ପାଳିତ ଗଣ୍ଡାଟିକୁ ଦେଖି ତାଙ୍କ ମନରେ ଭୀଷଣ କ୍ରୋଧ ଜାତ ହେଲା । ସେ ମାର୍କଣ୍ଡକୁ ଅଭିଶାପ ଦେଲେ ଯେ, ତାର  ମଧ୍ୟ ଏହିପରି ମସ୍ତକ ଛେଦନ ହେବ ଓ ସେ ମସ୍ତକ ତଳେ ନ ପଡି ବେକ ଉପରେ ଥିବା ସମସ୍ତେ ଦେଖିବେ। ମାର୍କଣ୍ଡ ଋଷିଙ୍କ ଚରଣ ତଳେ ପଡି କ୍ଷମା ଭିକ୍ଷା କଲା ଓ ମୁକ୍ତିର ମାର୍ଗ ପଚାରିବାରୁ କୃପାଜଳ କହିଲେ, "ଦ୍ୱାପର ଯୁଗରେ ଭୀଷ୍ମ ତୋର ମୁଣ୍ଡ କାଟିବେ, ସେଇଠି ତୁ କବନ୍ଧ ହୋଇ ନାଚିବୁ ଓ ମରି ମୁକ୍ତି ପାଇଁ ଆସିବୁ." ଅର୍ଜୁନ ପୁନର୍ବାର ନିଜର ଅସାଵଧାନତାରୁ ଏତେଗୁଡିଏ ଯୋଦ୍ଧାଙ୍କୁ ହରାଇଲେ ବୋଲି ଦୁଃଖ କରିବାରୁ, ଶ୍ରୀକୃଷ୍ଣ କହିଲେ, ଆଜି କୌରବ ପକ୍ଷର ମଧ୍ୟ ଯଥେଷ୍ଟ ସୈନ୍ୟ ମାରିଛନ୍ତି ଆମର ଯୁବା ଷଡ଼ରଥୀ, ବୀର ଭୀମସେନ, ନକୁଳ ଓ ସହଦେବ। ତେଣୁ ବିଶେଷ ଚିନ୍ତା କରିବାର ନାହିଁ "ଦେଖ ହୋ ଅର୍ଜୁନ ବୋଲି ଶ୍ରୀକୃଷ୍ଣ  ବୋଇଲେ, ମରିଥିବା କୁରୁସୈନ୍ୟ ଦେଖାଇଣ ଦେଲେ" ତେଣେ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନଙ୍କର ପ୍ରଶଂସା କହିଲେ ନ ସରେ। "ଭୀଷ୍ମେ ପ୍ରଶଂସା କରଇ ରାଜା କୁରୁନାଥ, ଧନ୍ୟ ଧନ୍ୟ ପିତାମହ ଶାନ୍ତନୁଙ୍କ ସୁତ। ଏକାଦିନକେ ମାରୁଛ ଦଶ ସସ୍ର ରଥୀ, ଦଶ ଦିନ ଯୁଦ୍ଧ କଲେ ପାଣ୍ଡବେ କି ବର୍ତ୍ତି ?" ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରିଲେ," ଭୀଷ୍ମଙ୍କର ଜୟ ଜୟକାର ଏତେ ଶୁଭୁଛି, କଣ ହୋଇଛି ସଞ୍ଜୟ ?" ସଞ୍ଜୟ କହିଲେ, “ଦଶ ସହସ୍ର ଯୋଦ୍ଧା ମାରି ଆସିଛନ୍ତି ଭୀଷ୍ମ.” ଧୃତରାଷ୍ଟ୍ର ସନ୍ତୋଷ ପ୍ରକାଶ କଲେ। ସଞ୍ଜୟ କହିଲେ, "ଅନ୍ୟପକ୍ଷ ବିଷୟରେ ମଧ୍ୟ ଶୁଣି ଥାଆନ୍ତୁ ମହାରାଜ,ପାଣ୍ଡବ ପକ୍ଷର ଯୁବ ସେନାପତିଗଣ ମଧ୍ୟ ଅନୁରୂପ ସଂଖ୍ୟାର କୁରୁସୈନ୍ୟ ନିଧନ କରିଛନ୍ତି” ଧୃତରାଷ୍ଟ୍ରଙ୍କ ମୁଖରେ ଦେଖାଦେଇଥିବା କ୍ଷୀଣ ହାସ୍ୟରେଖା ଟିକକ ମିଳେଇଗଲା । 
ଚତୁର୍ଥ ଦିନ ବିରାଟ ନନ୍ଦନ ଶ୍ୱେତକୁ  ଦ୍ଵିତୀୟ ସେନାପତି ପଦରେ ଶାଢ଼ୀ ବାନ୍ଧିଲେ ଯୁଧିଷ୍ଠିର, ଅବଶ୍ୟ ତାର ଅନୁରୋଧରେ ଅର୍ଜୁନଙ୍କୁ ଶ୍ୱେତର ସାମର୍ଥ୍ୟ ଉପରେ ବିଶ୍ୱାସ ନ ଥାଏ । ସେ କହିଲେ,"ୟା ଭାଇ ଉତ୍ତରର ବୀରତ୍ୱ  ମୁଁ ଦେଖିଛି, ୟାକୁ ସେନାପତି କଲେ ଅକାରଣେ ନିଜେ ମରିବ ଓ ଆମର ଗୁଡାଏ ସୈନ୍ୟ ମରିବେ" ଶ୍ରୀକୃଷ୍ଣ ପୂର୍ବ ଦିନର ଯୁଦ୍ଧରେ ଶ୍ୱେତର ବୀରତ୍ୱ ଶୁଣିଥିଲେ ସେ ଶ୍ଵେତକୁ ତାର ଯୋଜନା ସମ୍ପର୍କରେ ପଚାରିଲେ ଶ୍ୱେତ କହିଲା, ଆପଣ ମୋତେ ଜଣେ ଯୋଗ୍ୟ ସାରଥୀ ଦିଅନ୍ତୁ, ଆଜି ପାଣ୍ଡବମାନଙ୍କର ବିଜୟର ଦାୟିତ୍ୱ ମୋର." ଶ୍ରୀକୃଷ୍ଣ ସାତ୍ୟକିକୁ ସାରଥୀ ହେବା ପାଇଁ ଅନୁରୋଧ କଲେ ସାତ୍ୟକି କହିଲେ, ମୁଁ ସାରଥୀ ହେବି ସତ, ବିନା ବିଜୟରେ ମୋ ରଥ ଲେଉଟିବ ନାହିଁ." ଶ୍ୱେତ ସେଥିରେ ସମ୍ମତ ହେଲା ଓ ସେଦିନର ଯୁଦ୍ଧରେ ଶ୍ୱେତ କୁମାର ମଘ ଦେଶର ରାଜା ବୀରବାହୁ, ଅରବିନ୍ଦ ଦେଶର ରାଜା ମାନଭଙ୍ଗ, ଓ ଅନ୍ୟ ଦଶଜଣ ରାଜାଙ୍କୁ ପରାସ୍ତ ଓ ନିହତ କଲା. ଉଭୟ ପକ୍ଷର ଯୋଦ୍ଧାମାନେ ଶ୍ୱେତ କୁମାରର ବୀରତ୍ୱକୁ ଧନ୍ୟ ଧନ୍ୟ କଲେ ।


କ୍ରମଶଃ....

2018-01-27

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୮



ତୃତୀୟ ଦିନ ଯୁଦ୍ଧରେ ବିରାଟରାଜଙ୍କର ତିନି ପୁତ୍ର, ଶଙ୍ଖ, ଶ୍ୱେତ ଓ ଉତ୍ତର ,ପାଞ୍ଚାଳରାଜ ଦ୍ରୁପଦଙ୍କର ଦୁଇ ପୁତ୍ର ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ ତଥା ସୁଭଦ୍ରା ନନ୍ଦନ ଅଭିମନ୍ୟୁ ,ଏହି ଷଡ଼ରଥୀ ପାଣ୍ଡବ ପକ୍ଷର ଉପ ସେନାପତି ଭାବେ କୁରୁ ସୈନ୍ୟ ସଂହାରର ଦାୟିତ୍ୱ ବହନ କଲେ. ଭୀଷ୍ମ ଅର୍ଜୁନ, ଅଶ୍ୱତ୍ଥାମା ଶିଖଣ୍ଡୀ, ଦ୍ରୋଣଙ୍କ ସହିତ ଶ୍ୱେତ, ଶଙ୍ଖ ସହିତ ଶଲ୍ୟ, ଧୃଷ୍ଟଦ୍ୟୁମ୍ନ ସହିତ କୃତବର୍ମା ,ଭୂରିଶ୍ରବା ଦ୍ରୁପଦ ଓ ବିରାଟଙ୍କ ସହିତ କୃପାଚାର୍ଯ୍ୟ ଯୁଦ୍ଧ କରିବାରେ ଲାଗିଗଲେ. ଭୀମସେନଙ୍କ ସମ୍ମୁଖକୁ ଯିଏ ଆସିଲା ସିଏ ହିଁ ତାଙ୍କର ପ୍ରତିପକ୍ଷ ସଂଗ୍ରାମୀ ବିବେଚିତ ହେଉଥିଲା। ପ୍ରଥମେ ଦୁଃଶୀଳା ସ୍ୱାମୀ, ଦୁର୍ଯ୍ୟୋଧନଙ୍କର ଭଗ୍ନୀପତି ଜୟଦ୍ରଥ ତାଙ୍କ ସମ୍ମୁଖକୁ ଆସିଗଲେ । ଭୀମ ତାଙ୍କୁ ଦ୍ରୌପଦୀ ହରଣ ସମୟରେ ଯେଉଁ ଅପମାନ ଦେଇଥିଲେ, ମନେ ପକାଇ ଦେଲେ. କହିଲେ, "ମୁଁ ତୋତେ ସାତବେଣ୍ଟି କରିଥିଲି, ଗୋଡତଳେ ଗଳାଇ ଛାଡ଼ିଥିଲି, ସେ ସବୁ କଣ ଭୁଲି ଗଲୁଣି? ଆଜି ଦୁଃଶୀଳା ବିଧବା ହେବ. ଜୟଦ୍ରଥ କହିଲେ, "ତୋ ଅପମାନର ପ୍ରତିଶୋଧ ନେବାପାଇଁ ମୁଁ ମହାଦେବ ମହେଶ୍ଵରଙ୍କ ତପସ୍ୟା କରି ବର ପାଇଛି, ଅର୍ଜୁନ ବ୍ୟତୀତ ତୁମ ଚାରିଜଣଙ୍କୁ ପରାସ୍ତ କରିପାରିବି । ଭୀମସେନ କହିଲେ, "ଆରେ ମୂର୍ଖ, ଅର୍ଜୁନକୁ ବି ହରାଇବା ବର ମାଗିଲୁ ନାହିଁ କାହିଁକି ?" ଜୟଦ୍ରଥ କହିଲେ, "ଈଶ୍ୱର କହିଲେ, ଯିଏ ମୋତେ ହରାଇ ଦେଇଛି, ତାକୁ ହରାଇବା ବର ମୁ ତୁମକୁ ଦେବି କେମିତି?" ବୃକୋଦର କହିଲେ, "ଏତକ କଥା ତୋ ଶାଳକକୁ ବୁଝାଇ ପାରିଲୁ ନାହିଁ ଯେ, ଇଶ୍ୱର ଯାହାଠାରୁ ପରାସ୍ତ ହୋଇଛନ୍ତି ତାଙ୍କ ସହ ଯୁଦ୍ଧ କରି ଜିତିବା ଅସମ୍ଭବ ବୋଲି ?" ଜୟଦ୍ରଥ କହିଲେ, "ମୁଁ ତୁମ୍ଭ ଚାରିଜଣଙ୍କର ଜୀବନ ନେଇ ସାରିଲା ପରେ ଅର୍ଜୁନ ଏକା ହୋଇଯିବ ଓ ଭୀଷ୍ମ ଦ୍ରୋଣ ତା ପ୍ରାଣ ନେଇଯିବେ। ତାହା ଛଡା ମୋ ମୃତ୍ୟୁ ଏତେ ସହଜ ନୁହେଁ." ଭୀମ କହିଲେ, "ଏବେ ଦେଖ, "ତୋ ମରଣ ମୁ କେମିତି ସହଜ କରି ଦେଉଛି," କହି ଗୋଟିଏ ଗଦା ପ୍ରହାରରେ ତାର ରଥଟିକୁ ଗୁଣ୍ଡା କରିଦେଲେ । ରଥ ସହିତ ଅଶ୍ୱ, ସାରଥୀ ସବୁ ମାଟିରେ ମିଶିଗଲେ। ଜୟଦ୍ରଥ ପଳାୟନ କଲେ."ଭୀମସେନ ଡାକ ଦିଏ, .। ଜୟଦ୍ରଥ ରହ, ହର ବର ଦେଇଛନ୍ତି ଯୁଝ ମୋର ସହ., ପଳାଇଣ . ଜୟଦ୍ରଥ ନ ଚାହେଁ ଲେଉଟି, ରାଜାମାନଙ୍କୁ ଗୋଡ଼ାଇ ବୃକୋଦର ପିଟି." ଦୁର୍ଦ୍ଦକ୍ଷ ଓ ବିକର୍ଣ୍ଣ ମାଲବନ୍ଧ [କୁସ୍ତି]ରେ ମାତିଥାନ୍ତି। ବିକର୍ଣ୍ଣ ଦୁର୍ଦ୍ଦକ୍ଷକୁ ଓଲଟାଇ ମାଡି ବସି ମୁଥ ଉପରେ ମୁଥ ପ୍ରହାର କରୁଥିବାର ଦେଖି ଶିଖଣ୍ଡୀ ଧାଇଁ ଆସି ତାଉପରେ ଗଦାଘାତ କଲାରୁ ସେ ଓଲଟି ପଡିଲା। ସେତେବେଳକୁ ଦୁର୍ଦ୍ଦକ୍ଷ ଉଠି ସାରିଥାଏ। ସେ ଗୋଟାଏ ଖଡ୍ଗ ଉଠାଇ ବିକର୍ଣ୍ଣକୁ ହାଣି ଦୁଇଗଡ କରିଦେଲା । ଅଭିମନ୍ୟୁ କୁ ଓ ଶ୍ୱେତ କନୌଜ ରାଜାଙ୍କୁ ଯୁଦ୍ଧରେ ନିହତ କଲେ। ଭୀଷ୍ମ ଅର୍ଜୁନଙ୍କ ଯୁଦ୍ଧ ଚାଲିଥାଏ। ଏହି ସମୟରେ କାଉଁରୀ ଦେଶର ରାଜା କାମଦେବ ଉଭୟଙ୍କ ମଧ୍ୟରେ ପଶି ଭୀଷ୍ମଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲା। ଭୀଷ୍ମ କହିଲେ,"ମୁଁ ଅର୍ଜୁନ ବ୍ୟତୀତ ଅନ୍ୟ କାହା ସହ ଯୁଦ୍ଧ କରିବି ନାହିଁ, ତୁମେ ମୋ ଆଗରୁ ଘୁଞ୍ଚିଯାଅ." କାମଦେବ କିନ୍ତୁ ବାରଂବାର ‘ଯୁଦ୍ଧକର, ଯୁଦ୍ଧକର’ କହିବାରୁ ଭୀଷ୍ମ ଶର ମାରି ତାର ଶିରଶ୍ଛେଦ କରିଦେଲେ। କିନ୍ତୁ ତାର ଶିର ତଳେ ପଡିଲା ନାହିଁ । "କନ୍ଧର ଉପରେ ତାର ରହିଅଛି ଶିର, ସେ ମୁଣ୍ଡ ବୁଲଇ ଯେହ୍ନେ ଚକ୍ର କୁରାଳର।"ଧନୁ ଧରି ବିନ୍ଧୁଥିଲେ ବୀର ଧନଞୟେ, କବନ୍ଧ ନାଚନ୍ତେ ପାର୍ଥ ତହିଁକି ଅନାଏ। ଏତିକି ଛିଦ୍ର ପାଇଁ ଭୀଷ୍ମ ମହାରଥୀ, ଦଶ ସସ୍ର ଯୋଦ୍ଧା ମାରି ପଶ୍ଚିମ ମୂରତି।" ଅର୍ଜୁନ ପଚାରିଲେ, "ପିତାମହ ପୃଷ୍ଠଗତି କରି ଲେଉଟିଲେ କାହିଁକି ?" କୃଷ୍ଣ କହିଲେ, "ତୁମେ ସେ କବନ୍ଧର ନୃତ୍ୟ ଆଡକୁ ଦୃଷ୍ଟି ଦେବା ସମୟରେ ଭୀଷ୍ମ ତୁମର ଦଶ ସହସ୍ର ଯୋଦ୍ଧା ମାରିଦେଲେ. ତେଣୁ ସେ ଜୟ ଶଙ୍ଖ ବଜାଇ ବାହୁଡ଼ି ଯାଉଛନ୍ତି."।


କ୍ରମଶଃ....

2018-01-26

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୭


ଅଳମ୍ବୁଷର ପୁତ୍ର ଅଳାୟୁଧ ଓ ଦନ୍ତବକ୍ର ଭୀମ ଓ ଦୁର୍ଦ୍ଦକ୍ଷଙ୍କ ଗଦା ପ୍ରହାରରେ ଜୀବନ ଦେଲେ । ଏହି ସମୟରେ କୁଳବୃଦ୍ଧ ଭୂରିଶ୍ରବା ଓ ଦୁର୍ଦ୍ଦକ୍ଷ ପରସ୍ପର ସମ୍ମୁଖକୁ ଆସିଗଲେ । ଭୂରିଶ୍ରବାଙ୍କ ଅଚାନକ ଶରାଘାତରେ ଦୁର୍ଦ୍ଦକ୍ଷର ପ୍ରତ୍ୟେକ ଲୋମ ମୂଳରୁ ରକ୍ତଶ୍ରାବ ହେଲା ଓ ସେ ଚେତା ହରାଇ ପଡିଗଲା । ଭୂରିଶ୍ରବା ଦୁର୍ଦ୍ଦକ୍ଷକୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ନିଜ ରଥ ଉପରକୁ ତୋଳି ନେଲେ । ଯୁଧିଷ୍ଠିର ଏହା ଦେଖି ଭାବିଲେ, ଦୁର୍ଦ୍ଦକ୍ଷକୁ ଭୂରିଶ୍ରବା ଧରି ନେଲେ ଓ ତାକୁ ଦଣ୍ଡ ଦେବେ ବା ଦୁର୍ଯ୍ୟୋଧନକୁ ସମର୍ପିଦେବେ । ସେ ଉଚ୍ଚ ସ୍ୱରରେ ବୃକୋଦରଙ୍କୁ ଡାକି ‘ଭୂରିଶ୍ରବାଙ୍କ ହସ୍ତରୁ ଦୁର୍ଦ୍ଦକ୍ଷକୁ ଉଦ୍ଧାର କର’ ବୋଲି ଆହ୍ୱାନ କଲେ । ଭୀମସେନ ଧାଇଁଯାଇ ଭୂରିଶ୍ରବାଙ୍କ ରଥ ଉପରେ ଏକ ଶକ୍ତିଶାଳୀ ଗଦା ପ୍ରହାର କଲେ । ରଥ ଭାଙ୍ଗିଗଲା । ଭୂରିଶ୍ରବା ରଥଉପରୁ ଡେଇଁପଡ଼ି ପ୍ରାଣ ବଞ୍ଚାଇ ନେଲେ ଓ ଅନ୍ୟ ଏକ ରଥ ଆରୋହଣ କରି ଆଡ ହୋଇଗଲେ । ଦୁର୍ଦ୍ଦକ୍ଷକୁ ସାଙ୍ଗରେ ଥିବା ଶିଖଣ୍ଡୀ ରଥରେ ବସାଇ, ଭୀମ ଯୁଧିଷ୍ଠିଙ୍କ ସନ୍ତୁଷ୍ଟି ପାଇଁ ତାଙ୍କ ନିକଟକୁ ପଠାଇ ଦେଲେ । ଏଣେ ଗଙ୍ଗାପୁତ୍ର ଓ କୁନ୍ତୀପୁତ୍ରଙ୍କ ମଧ୍ୟରେ ଭୀଷଣ ଶର ସଂଗ୍ରାମ ଚାଲିଥାଏ । ଭୀଷ୍ମଙ୍କର ସମସ୍ତ ଶରର ସାର୍ଥକ ପ୍ରତିଶର ନିକ୍ଷେପ କରୁଥାନ୍ତି ପାର୍ଥ । ଯୁଦ୍ଧ କରୁ କରୁ ସୂର୍ଯ୍ୟ ପଶ୍ଚିମ ଆକାଶରେ ପହଞ୍ଚିଲେ । ପାଣ୍ଡବ ସୈନ୍ୟମାନଙ୍କୁ ତୀବ୍ର ରଶ୍ମି ସମ୍ମୁଖରେ ସ୍ୱେଦାକ୍ତ ହୋଇ ଯୁଦ୍ଧ କରିବାରେ ଭୀଷଣ କଷ୍ଟ ଅନୁଭବ ହେଉଥାଏ । ଅର୍ଜୁନଙ୍କ ହସ୍ତର କ୍ଷିପ୍ରତା ଯୋଗୁଁ ଭୀଷ୍ମ ସମୟ ପାଉ ନ ଥାନ୍ତି । ଦଶ ସହସ୍ର ସୈନ୍ୟ ମାରିବାର ତାଙ୍କର ପ୍ରତିଜ୍ଞା ପୂରଣ କରି ପାରୁ ନ ଥାନ୍ତି । ଅର୍ଜୁନଙ୍କ ମସ୍ତକ ଓ ମୁଖମଣ୍ଡଳରୁ ଅବିରତ ସ୍ୱେଦ ନିର୍ଗତ ହୋଇ ତାଙ୍କ ଚକ୍ଷୁ କୋଣରେ ପ୍ରବେଶ କରିବାରୁ ସେ ମୁହୂର୍ତ୍ତକ ପାଇଁ ଦକ୍ଷିଣ ହସ୍ତ କନିଷ୍ଠ ଆଙ୍ଗୁଳି ସାହାଯ୍ୟରେ ନେତ୍ରକୋଣରୁ ଝାଳ ପୋଛିବା ଅବସରରେ ଭୀଷ୍ମ ଶର ସନ୍ଧାନ କରି ଦଶ ସହସ୍ର ସୈନ୍ୟଙ୍କୁ ନିପାତ କରିଦେଲେ । ଯୁଦ୍ଧ ଶେଷ ହେବାର ଘୋଷଣା କରାଗଲା ଶଙ୍ଖଧ୍ୱନି କରି ବିଜୟର ଶଙ୍ଖନାଦ କଲେ କୌରବ ସେନାପତି ଭୀଷ୍ମ । ଅର୍ଜୁନ ନିଜର ଉଭୟ ପାର୍ଶ୍ୱକୁ ଦେଖି ଧୈର୍ଯ୍ୟ ଧରି ପାରିଲେ ନାହିଁ । ପାହାଡ ଉଚ୍ଚରେ ମୃତାହତ ସୈନ୍ୟମାନଙ୍କର ରକ୍ତାକ୍ତ ଶବ, ଆହତ ଶରୀର ଓ ଶୋଣିତର ସ୍ରୋତ ଦେଖି ସେ ବ୍ୟଥିତ ହୋଇ କ୍ରନ୍ଦନ କରିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ, ମୋର ସମସ୍ତ ଅହଙ୍କାରକୁ ଧୂଳିସାତ୍ କରି, ମୋର ସବୁ ରଣ କୌଶଳକୁ ଉପହାସ କରି, ବୃଦ୍ଧ ପିତାମହ ମୋ ସମ୍ମୁଖରେ ପାଣ୍ଡବ ପକ୍ଷର ଦଶ ସହସ୍ର ସୈନ୍ୟଙ୍କୁ ନିମିଷକ ମଧ୍ୟରେ ସଂହାର କରି ବିଜୟ କେତନ ଉଡାଇ ଚାଲିଗଲେ । ଯେଉଁ ରାଜାମାନେ ପାଣ୍ଡବ ମାନଙ୍କ ସାମର୍ଥ୍ୟ ଉପରେ ଭରସା କରି , ରାଜସୂୟ ଯଜ୍ଞରେ ଆମ୍ଭର ପରାକ୍ରମ ଦେଖି, ଆମ୍ଭ ପକ୍ଷରେ ଯୋଗ ଦେଇଥିଲେ ସେମାନଙ୍କୁ ଆମ୍ଭେମାନେ ଏବେ କେମିତି ସାନ୍ତ୍ୱନା ଓ ପ୍ରବୋଧନା ଦେବୁଁ । ସେମାନଙ୍କୁ ପୁନର୍ବାର ଯୁଦ୍ଧପାଇଁ ପ୍ରୋତ୍ସାହିତ କରିବା ପାଇଁ ଆମ ପାଖରେ ଭାଷା ନାହିଁ, ମାଧବ ! ଏମିତି ଯଦି ସୈନ୍ୟ ସେନାପତିମାନଙ୍କୁ ପିତାମହ ସଂହାର କରି ଚାଲିବେ, ତେବେ ପାଣ୍ଡବମାନଙ୍କର ପରାଜୟ ନିଶ୍ଚିତ ବୋଲି ଜାଣନ୍ତୁ ।" ଶ୍ରୀକୃଷ୍ଣ ଅର୍ଜୁନଙ୍କ କନ୍ଧରେ ହସ୍ତ ରଖିଲେ ତାଙ୍କୁ ଆଶ୍ୱସ୍ତ କରିବା ପାଇଁ କହିଲେ, "ଯୁଦ୍ଧରେ ଜୟ ପରାଜୟ ଅଛି । ଏଠାରେ  ପ୍ରତିଦିନ ବହୁ ମୃତ୍ୟୁ ସଂଘଟିତ ହେବ । ସେଥିପାଇଁ ତୁମେ ଏଠାରେ ଅଶ୍ରୁ ବିସର୍ଜନ କରି ସମୟ ନଷ୍ଟ ନ କରି, ଆସନ୍ତା କାଲି ପାଇଁ ପ୍ରସ୍ତୁତିର ପର୍ଯ୍ୟାଲୋଚନା କରିବା ଉଚିତ । ଥରେ ଉପରକୁ ଦୃଷ୍ଟି ନିକ୍ଷେପ କର । ଏହି ଧର୍ମଯୁଦ୍ଧରେ ଯେଉଁମାନେ ପ୍ରାଣ ଦେଇଛନ୍ତି ସେମାନେ ସମସ୍ତେ କିପରି ସ୍ୱର୍ଗାଗାମୀ ହେଉଛନ୍ତି ତାହା ଦେଖିବା ଶକ୍ତି ମୁଁ ତୁମ୍ଭଙ୍କୁ ଦେଉଛି । ଅର୍ଜୁନ ଦେଖିଲେ, ପ୍ରକୃତରେ ସମସ୍ତ ମୃତାତ୍ମା ପୁଷ୍ପକ ବିମାନ ପରି ବିମାନ ଆରୋହଣ କରି ସ୍ୱର୍ଗକୁ  ଗମନ କରୁଛନ୍ତି । ଶୋକ ସମ୍ବରଣ କରି ଅର୍ଜୁନ କୃଷ୍ଣଙ୍କ ଚରଣତଳେ ପ୍ରଣାମ କଲେ ଓ ରଥ ଶିବିର ଅଭିମୁଖେ ନେବାକୁ ଅନୁରୋଧ କଲେ ।

କ୍ରମଶଃ....

2018-01-25

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୬


ପଦ୍ମନାଭ ଦ୍ୱୀପରେ ଶୁକ୍ର ନାମରେ ଜଣେ ରାଜା ଥିଲେ  । ତାଙ୍କର ରାଣୀଙ୍କ ନାମ ପଦ୍ମାବତୀ. ଚାରିପୁଅ, ପ୍ରତ୍ୟେକ ଧନୁର୍ଦ୍ଧର ଓ ଗୁଣବନ୍ତ । ରାଜା ଶୁକ୍ର ଏତେ ବୀର, ଧର୍ମପରାୟଣ, ଓ ନ୍ୟାୟପରାୟଣ ଥିଲେ ଯେ ସ୍ଵର୍ଗରେ ଇନ୍ଦ୍ର ଓ କୁବେର, କାଳେ ସେ ସେମାନଙ୍କର ସିଂହାସନ ଓ ଧନ ଅଧିକାର କରି ନେବେ ସେଥିପାଇଁ ଚକ୍ରାନ୍ତଟିଏ କଲେ । ଉଭୟ ଦରିଦ୍ର ବ୍ରାହ୍ମଣ ବେଶରେ ଶୁକ୍ରଙ୍କ ନିକଟରେ ପହଞ୍ଚି ଦାନ ମାଗିଲେ । ଶୁକ୍ର ସତ୍ୟ କଲା ଉତ୍ତାରେ ଦୁଇଜଣ ମଣିଷ ମାଂସ ଖାଇବାକୁ ମାଗିଲେ । ରାଜା ଶୁକ୍ର କହିଲେ, ତୁମେ ଦୁଇଜଣ କଦାପି ବ୍ରାହ୍ମଣ ନୁହେଁ । କେବଳ ରାକ୍ଷସମାନେ ମାଂସ ଖାଇବାକୁ ଇଚ୍ଛା କରନ୍ତି । ତଥାପି, ଯେତେବେଳେ ସତ୍ୟ କରିଛି, ମୋତେ ମାରି ମୋ ମାଂସ ଖାଇବା ପାଇଁ ମୁଁ ତୁମକୁ ଅନୁମତି ଦେଉଛି । " ବିପ୍ର ଦୁଇଜଣ କହିଲେ, ତୁମେ ବୃଦ୍ଧ ହୋଇଗଲାଣି, ତୁମର ମାଂସ ଖାଇବାରେ ଆମ୍ଭର କୌଣସି ଆଗ୍ରହ ନାହିଁ । ତୁମ ଚାରି ପୁତ୍ରଙ୍କର ମାଂସ ଖାଇବାକୁ ଆମ୍ଭଙ୍କୁ ଅନୁମତି ଦିଅ । ଦୁଇ ଜଣଙ୍କର ମାଂସ ଆମ୍ଭେ ଭୋଜନ କରିବୁଁ ଓ ଦୁଇଜଣଙ୍କର ମାଂସ ଆମ୍ଭ ପତ୍ନୀ ମାନଙ୍କ ପାଇଁ ନେବୁଁ । ରାଜା ଶୁକ୍ର କହିଲେ, "ମୋର ପୁତ୍ରମାନେ ବଡ ଆଜ୍ଞାକାରୀ । ଆପଣ ଯାଆନ୍ତୁ, ସେମାନେ ସ୍ୱେଚ୍ଛାରେ ଆପଣଙ୍କ ଭକ୍ଷ ହୋଇଯିବେ । ଉଭୟ ପୁତ୍ରମାନଙ୍କ ପାଖକୁ ଗଲେ । ପୁତ୍ରମାନଙ୍କୁ ତାଙ୍କର ପିତାଙ୍କ ଆଜ୍ଞା କହି ମାରିବାକୁ ଉଦ୍ୟତ ହୁଅନ୍ତେ, "କୁମର ବୋଇଲେ ରହ ରହ ବିପ୍ରବର, ଏମନ୍ତ ପିତା କି କାହିଁ ଦେଖିଛ ପୃଥ୍ୱୀର ?” ପିତାମାନେ ପୁତ୍ରଟିଏ ପାଇବା ପାଇଁ କେତେ ଦାନ ଧର୍ମ କରନ୍ତି । ପୁତ୍ରର ମଙ୍ଗଳ ମନାସି କେତେ ଦେବତାଙ୍କୁ ପୂଜା ଅର୍ଚ୍ଚନା କରନ୍ତି । ଆଉ ୟେ କି ପିତା, ପୁତ୍ରମାନଙ୍କ ମରଣ କାମନା କରୁଛନ୍ତି । ଆମ୍ଭମାନଙ୍କୁ ଲାଗୁଛି, ସେ ଆମ୍ଭର ପିତା ନୁହନ୍ତି ।" ଏତିକି ଶୁଣିବା ପରେ ଇନ୍ଦ୍ର ଓ କୁବେର ଶୁକ୍ରଙ୍କ ନିକଟରେ ପହଞ୍ଚି ତାଙ୍କୁ ଉତ୍ତେଜିତ କଲାଭଳି, ଦୁଇଚାରିପଦ ମିଶାଇ ଏମିତି କହିଲେ ଯେ ଶୁକ୍ରଙ୍କର ଧାରଣା ହେଲା, ପ୍ରକୃତରେ ତାଙ୍କର ସ୍ତ୍ରୀ ଅସତୀ । ସେ ଖଡ୍ଗଟିଏ ନେଇ ଦୋଚାରୁଣୀ ପତ୍ନୀର ପ୍ରାଣନାଶ କରିବାକୁ ଯାନ୍ତେ, ରାଣୀ ପଦ୍ମାବତୀ ତାଙ୍କୁ ମନେ ପକାଇଦେଲେ ଯେ ସେ ସହଜରେ କାହାରି ପ୍ରାଣନାଶ କରନ୍ତି ନାହିଁ । ଘଟଣାଟି ଏହିପରି । ଥରେ ଶୁକ୍ର ରାଜ୍ୟ ଭ୍ରମଣ କରୁଥିବା ଅବସ୍ଥାରେ ଏକ ନାରୀର ଚିତ୍କାର ଶୁଣିଲେ । ସେ କାନ୍ଦି କାନ୍ଦି କହୁଥାଏ, “ରାଜା ଶୁକ୍ରଙ୍କ ରାଜ୍ୟରେ ପରସ୍ତ୍ରୀ ହରଣ କରିବାର ଦୁଃସାହସ କରୁଛୁ, ପରିଣାମ ଜାଣିଛୁ ଟି ?ହେ ରାଜା ଶୁକ୍ର, ଏହି ଅଧମ ଶୂଦ୍ର ମୋ ସତୀତ୍ଵ ହରଣର ଚେଷ୍ଟା କରୁଛି, ମୋତେ ରକ୍ଷା କର ।” ବହୁଦୂରରେ ଥାଇ ଭୋଜନ କରୁଥିବା ଅବସ୍ଥାରେ ଶୁକ୍ର ଏହା ଶୁଣିଲେ । ମଣିଷ ମାରିବାକୁ ସେ ଭଲ ଭାବୁ ନ ଥିଲେ । ଭୋଜନ ବେଳରେ ରାଜା ପେଷେ ଶର ଗୋଟି, ଯେ ବଳେ ହରୁଛି, ତାର ଅଣ୍ଡ ପକା କାଟି ।" ଅଣ୍ଡ ଥିଲେ ହରନ୍ତା ସେ ସିନା ପରନାରୀ, ତେଣୁ ଶର ଚାଲିଗଲା ଅଣ୍ଡ ଛେଦିକରି । ୟେ ଥିଲା ଅତୀତର କଥା । ରାଣୀଙ୍କ ଅନୁରୋଧରେ ଶୁକ୍ର ତାଙ୍କ ଜୀବନ ନେବା ପ୍ରୟାସରୁ ବିରତ ହେଲେ ସତ, କିନ୍ତୁ ଅଭିଶାପ ଦେଲେ ଯେ ସେ ତାରାକ୍ଷୀ ନାମରେ ପକ୍ଷିଣୀ ହେବ । ପଦ୍ମାବତୀ କିନ୍ତୁ ଏହି କଥାରେ କିଛି ସତ୍ୟତା ନାହିଁ ଓ ଏହା ବିପ୍ର ଦୁଇଜଣଙ୍କର ମାୟା ବୋଲି କହିବାରୁ ଶୁକ୍ର ତାଙ୍କୁ ମୁକ୍ତିର ମାର୍ଗ କହିଲେ । ସେ କହିଲେ ଯେ , ମହାଭାରତ ଯୁଦ୍ଧରେ ତାର ଗର୍ଭାବସ୍ଥାରେ ପେଟ ଚିରାହୋଇ ମୃତ୍ୟୁ ହେବ । ଚାରିପୁତ୍ର ଡିମ୍ବ ଅବସ୍ଥାରେ ଘଣ୍ଟ ତଳେ ରହି ପକ୍ଷୀ ଅବସ୍ଥା ପ୍ରାପ୍ତ ହେବେ ଓ ଭାରତ ଯୁଦ୍ଧରେ ଜନ୍ମ ହୋଇଥିବାରୁ ତାଙ୍କର ନାମ ଭରତିଆ ହେବ ।
"ଆଗରେ ଭୀମ, ଦୁର୍ଦ୍ଦକ୍ଷ, ପଛେ ଧର୍ମସୁତ, କୌରବ ସୈନ୍ୟ ମାଇଲେ ତିନି ଅଇବ୍ରତ ।” ଭୀମ ଓ ଦୁର୍ଦ୍ଦକ୍ଷ ମିଶି ଅସଂଖ୍ୟ କୁରୁ ସୈନ୍ୟ ହତ୍ୟା କଲେ । ସୈନ୍ୟମାନେ ପଛଘୁଞ୍ଚା ଦେଉଥିବାର ଦେଖି କର୍ଣ୍ଣ ଆସି ଦୁର୍ଦ୍ଦକ୍ଷର ବାଟ ଓଗାଳିଲେ । ଦୁର୍ଦ୍ଦକ୍ଷ କହିଲା," ଭ୍ରାତା କର୍ଣ୍ଣ, ଯୁଧିଷ୍ଠି ଦେବଙ୍କୁ ବହୁ କଷ୍ଟ ହେଲାଣି । ତାଙ୍କୁ ନେଇ ନିରାପଦ ସ୍ଥାନରେ ପହଞ୍ଚାଇ ଦେଇ ଆସିବାକୁ ହେବ । ଆପଣଙ୍କର ସିଏ ସାନୁଜ । ଆପଣ ଆମ ସମ୍ମୁଖରୁ ହଟିଯାନ୍ତୁ ।" କର୍ଣ୍ଣ କହିଲେ, ମୋର ମିତ୍ରର ଭ୍ରାତା ହୋଇ ନ ଥିଲେ ତୋର ଏଇ ବିଶ୍ୱାସଘାତକତା ପାଇଁ ମୁଁ କେତେବେଳୁ ତୋର ପ୍ରାଣନାଶ କରି ସାରନ୍ତିଣି ।" ଦୁର୍ଦ୍ଦକ୍ଷ କହିଲା, "ପ୍ରଥମେ ନିଜ ପ୍ରାଣ ରକ୍ଷା କରନ୍ତୁ " । କହିବା ସଙ୍ଗେ ସଙ୍ଗେ ସେ ଗଦା ପ୍ରହାର କରି କର୍ଣ୍ଣଙ୍କ ରଥକୁ ଧୂଳିସାତ୍ କରିଦେଲା । କର୍ଣ୍ଣ ବିରଥୀ ହୋଇ ଆଡ ହୋଇଗଲେ । ଅର୍ଜୁନ ଓ ଭୀଷ୍ମଙ୍କର ଶର ପ୍ରତିଶର ଚାଲିଥାଏ । “ଭୀଷ୍ମ ବିନ୍ଧୁଛନ୍ତି ଯେତେ ଶର ଅର୍ଜୁନଙ୍କୁ, ଦେବଙ୍କୁ ଦୁର୍ଲଭ ନର କି ଲେଖିବ ତାକୁ ।” ଧନଞ୍ଜୟ ମଧ୍ୟ ସମାନ ଗତିରେ ପ୍ରତିଶସ୍ତ୍ର କରି ଭୀଷ୍ମଙ୍କର ସମସ୍ତ କୌଶଳ ବ୍ୟର୍ଥ କରି ଦେଉଥାନ୍ତି ।"ନୟନ ଛଟକେ ସେହୁ କରଇ ସଂଗ୍ରାମ, ନିଃଶ୍ୱାସ ମାରିବାପାଇଁ ନାହିଁ ସେ ବିଶ୍ରାମ ।” ଦ୍ରୋଣଙ୍କ ସହ ଧୃଷ୍ଟଦ୍ୟୁମ୍ନ ଓ  ଶଲ୍ୟଙ୍କ ସହ ଶିଖଣ୍ଡୀ ଘନ ଘୋର ଯୁଦ୍ଧରେ ବ୍ୟାପୃତ ହୋଇଥାନ୍ତି । କ୍ରମେ ସୂର୍ଯ୍ୟ ଅସ୍ତାଚଳ ନିକଟବର୍ତ୍ତୀ ହେଲେ । ସୈନ୍ୟ ସେନାପତିମାନେ କ୍ଷୁଧା ତୃଷା ଓ କ୍ଳାନ୍ତି ଯୋଗୁଁ ଅଶକ୍ତ ହୋଇ ପଡିଲେ । କୁରୁପତି ନିର୍ଦ୍ଦେଶରେ ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟରେ ଶକୁନି ସମର ବିରତି ସୂଚକ ଶଙ୍ଖଧ୍ୱନି କଲେ । ସମସ୍ତ ଯୋଦ୍ଧା ଯୁଦ୍ଧ ତ୍ୟାଗ କରି ନିଜ ନିଜ ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ । କେହି କେହି କ୍ଷତ ବିକ୍ଷତ ସୈନ୍ୟଙ୍କର ସେବା ଶୁଶ୍ରୁଷା କଲେ । ଶିବିର ଅଭିମୁଖେ ଯିବା ସମୟରେ ଉଭୟ ପକ୍ଷ ବନ୍ଧୁଭଳି ଆଚରଣ ପ୍ରଦର୍ଶନ କରୁଥାନ୍ତି । ସେତେବେଳେ କିଏ କାହା ପକ୍ଷର ନ ଭାବି ପରସ୍ପରକୁ ସାହାଯ୍ୟ କରୁଥାନ୍ତି । କିଏ କାହା ସହ କେମିତି ଯୁଦ୍ଧ କଲା, କିଏ କେତେ ସୈନ୍ୟ ମାରିଲା, ଏ ସବୁ ମଧ୍ୟ ଆଲୋଚନା ଚାଲିଥାଏ । ଅଧିକାଂଶ ସୈନ୍ୟ ଅତ୍ୟନ୍ତ କ୍ଳାନ୍ତି ହେତୁ ଭୋଜନ ପର୍ଯ୍ୟନ୍ତ ଅପେକ୍ଷା ନ କରି ଭୂମି ଶଯ୍ୟାରେ ହିଁ ଶୋଇପଡୁଥାନ୍ତି । କିଛି ସଂରକ୍ଷିତ ସୈନ୍ୟ ଅସ୍ତ୍ର ଶସ୍ତ୍ରମାନ ସଜାଡି ରଖୁଥାନ୍ତି । ରଜନୀ ପ୍ରଭାତ ହେଲା । ଦ୍ଵିତୀୟ ଦିନର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ସମସ୍ତେ । ପୁନର୍ବାର ସେହି ରଣ ଭେରୀ,ତୁରୀ, ଶଙ୍ଖନାଦ, ହ୍ରେଷା ରବ ଓ ଗଜର ବ୍ରୁଂହଣରେ କୁରୁକ୍ଷେତ୍ର ପ୍ରକମ୍ପିତ ହେଲା । ପୁନଶ୍ଚ ସମ୍ମୁଖୀନ ହେଲେ ପିତାମହ ଭୀଷ୍ମ ଓ ଗାଣ୍ଡୀବଧାରୀ ସବ୍ୟସାଚୀ. ପୁଣି ଚାଲିଲା ସେଇ ସଂହାର ଲୀଳା । ବାରମ୍ବାର ଧରଣୀ ରକ୍ତପ୍ଲାଵିତ ହେଲା । ଭୂତଳରେ ପତିତ ଅସଂଖ୍ୟ ଶବ, ଗଜ,ଅଶ୍ୱ, ଭଗ୍ନ,ଖଣ୍ଡ ବିଖଣ୍ଡିତ ରଥ ବିକ୍ଷିପ୍ତ ଭାବରେ ପଡିଥାଏ । ତାହାରି ମଧ୍ୟରେ ମହା ମହା ବୀରମାନେ ନିଜ ନିଜର ସ୍ୱତନ୍ର ଅସ୍ତ୍ର ସାହାଯ୍ୟରେ ଶତ୍ରୁ ବିନାଶର ଉଦ୍ୟମ ଜାରି ରଖିଥାନ୍ତି । ଭୀଷ୍ମ କହିଲେ, "ରେ ଅର୍ଜୁନ, ଆଜି ପାଣ୍ଡବ ପକ୍ଷର ଦଶସହସ୍ର ଯୋଦ୍ଧା ମାରିବି । ପାରିବୁ ଯଦି ସେମାନଙ୍କୁ ରକ୍ଷା କର !" ଅର୍ଜୁନ କହିଲେ, "ପିତାମହ, ମୋର ମୋହଭଙ୍ଗ ହୋଇଛି । ଆଜି ଆପଣ ସମର ମଧ୍ୟରେ ମୋର ପ୍ରକୃତ ସ୍ୱରୂପ ଦେଖିବେ ।" ଅର୍ଜୁନ ବଚନ ଶୁଣି ଗଙ୍ଗାଙ୍କର ସୁତ, କହୁଁ କହୁଁ ଆକ୍ରମିଲେ ନନ୍ଦିଘୋଷ ରଥ ।" ଏଣେ ଭୀମସେନ ଧନୁ ଧରି ଯୁଦ୍ଧ ଆରମ୍ଭ କରୁଥାନ୍ତି ସତ, କ୍ରୋଧ ପ୍ରବଳ ହେଲେ ସେ ଆଉ ରଥ ଉପରେ ସମ୍ଭାଳି ହୋଇ ରହିପାରୁ ନ ଥାନ୍ତି । ଦୁଇ ହସ୍ତରେ ଦୁଇଟି ଗଦା ବୁଲାଇ ପ୍ରଚଣ୍ଡ ଆକ୍ରମଣରେ ଯୁଦ୍ଧ ପ୍ରାନ୍ତରରେ ଶତ୍ରୁ ସୈନ୍ୟମାନଙ୍କୁ ଶୁଆଇ ଚାଲିଥାନ୍ତି । ସୋମଦତ୍ତ, କୃପାଚାର୍ଯ୍ୟ ଆଦିଙ୍କୁ ପରାସ୍ତ କରି ସେ ଭେଟିଲେ ଦଳ ବଳ ସହ ଅଳମ୍ବୁଷ ନାମକ ରାକ୍ଷସକୁ. ତାଙ୍କ ସାଙ୍ଗରେ ଆସି ଯୋଗ ଦେଲା ଦୁର୍ଦ୍ଦକ୍ଷ. ଉଭୟ ମିଶି ସମଗ୍ର ଅସୁର ବାହିନୀକୁ ମନ୍ଥିଦେଲେ.

କ୍ରମଶଃ...

2018-01-24

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୫


ଭୀମସେନ ପାଦତଳେ ଦୁର୍ଦ୍ଦକ୍ଷ ପ୍ରଣାମ କଲା, ବୋଇଲା ମୋତେ ଶରଣ ରଖ ଦେବ ସ୍ୱାମୀ ।"ଭୀମସେନ ଦୁର୍ଦ୍ଦକ୍ଷକୁ କୋଳ କରି ଅନେକ ଆଶୀର୍ବାଦ କଲେ ଓ କହିଲେ, ତୋର ଆଜିର ଏହି ଉପକାରପାଇଁ ମୁଁ ତୋତେ ବଚନ ଦେଉଛି, ମୋ ଦେହରେ ଜୀବନ ଥିବାଯାଏଁ ତୋ ପ୍ରାଣକୁ କୌଣସି ସଙ୍କଟ ପଡିବ ନାହିଁ । ଅର୍ଜୁନ ତେଣେ ବ୍ୟସ୍ତ ହୋଇ ଶ୍ରୀକୃଷ୍ଣଙ୍କୁ କହିଲେ,"ମୋର ସନ୍ଦେହ ହେଉଛି, ଏତେ ସବୁ କୋଳାହଳ ଶାନ୍ତ ହୋଇଗଲା କାହିଁକି ?ସେମାନେ ଜ୍ୟୋଷ୍ଠ ଭ୍ରାତାଙ୍କୁ ଧରି ବନ୍ଦୀ କରି ନେଇ ନାହାନ୍ତି ତ ?"କିନ୍ତୁ ସମ୍ମୁଖରେ ଭୀଷ୍ମ ନନ୍ଦୀଘୋଷକୁ ଆଗକୁ ବଢିବାକୁ ଦେଉ ନ ଥାନ୍ତି. ଅର୍ଜୁନ କହିଲେ, "ପିତାମହ ,ଆପଣ ବାଲ୍ୟକାଳରୁ ଆମ୍ଭମାନଙ୍କର ଗୁରୁ ଭାବରେ ଅସ୍ତ୍ର, ଶସ୍ତ୍ର ସହ ନାନା ବିଦ୍ୟା ଶିକ୍ଷା ଦେଇଛନ୍ତି । ଆପଣଙ୍କ ସ୍କନ୍ଧରେ ବସାଇ ଆମକୁ ଶିଶୁ ଅବସ୍ଥାରୁ କେତେ ସ୍ନେହ ଆଦରରେ ବଢ଼ାଇଛନ୍ତି । ଆପଣଙ୍କ ଉପରକୁ ମୁଁ ଶର ସନ୍ଧାନ କରିବି କେମିତି?" ଆପଣଙ୍କ ଲାଳନ ପାଳନରେ ପୁଷ୍ଟ ଏ ଶରୀର ଉପରକୁ ଆପଣ ଶର ସନ୍ଧାନ କରିବେ କେମିତି ? ବରଂ ଆପଣ ଦୁର୍ଯ୍ୟୋଧନଙ୍କ ବୁଝାଇ ସନ୍ଧି କରାଇ ନିଅନ୍ତୁ ।" ଭୀଷ୍ମ କହିଲେ, "ମୂଳରୁ ସନ୍ଧିର ଯେଉଁ କ୍ଷୀଣ ଆଶା ଟିକକ ଥିଲା, ଦୁର୍ଦ୍ଦକ୍ଷ ପାଣ୍ଡବ ପକ୍ଷରେ ଯୋଗ ଦେବାପରେ ସେ ଆଶା ମଉଳି ଯାଇଛି । ଏବେ କେବଳ ଯୁଦ୍ଧ ପାର୍ଥ, ଯୁଦ୍ଧ କର ।" ଅର୍ଜୁନ କହିଲେ, "କେତେଖଣ୍ଡ ପଡ଼ା ଦେବାପାଇଁ ତାଙ୍କୁ ବୁଝାଇ ପାରିଲେ ନାହିଁ.ଏବେ ସିଏ ତ ମରିବେ, ଆପଣଙ୍କ ପ୍ରାଣ ମଧ୍ୟ ସଙ୍କଟରେ ।" ଭୀଷ୍ମ କହିଲେ, "କିଏ କିପରି ମରିବ ସେ ସବୁ ଆଗରୁ ସ୍ଥିରୀକୃତ ହୋଇସାରିଛି ।“ଭୀଷ୍ମ ବୋଇଲେ, ବାବୁରେ, ନୁହେଁ କାର କଲା, ଦେଇ ନ ଦେଇ ,ନ ଦେଖି ଦେଖି କିଏ ମଲା । ଦେଇ ମଲା ବଳୀ, ମଲା ନ ଦେଇ ରାବଣ । ଦେଖିମଲା କଂସ ,ଦଶରଥ ନ ଦେଖିଣ ।" ଏବେ ନ ଦେଇ ଦୁର୍ଯ୍ୟୋଧନ ମରିବାକୁ ଯାଉଛି । ମରିପାରେ, କିନ୍ତୁ ମୁଁ ଥିବାଯାଏଁ କୁରୁପତିର ପରାଜୟ ଅସମ୍ଭବ ।" ଏମାନଙ୍କ ବାକ୍ୟ ବିନିମୟ ମଧ୍ୟରେ ଭୀମକର୍ମା ବୃକୋଦର ଗଦାପ୍ରହାରରେ ଶତ୍ରୁପକ୍ଷର  ଶତ ଶତ ସୈନ୍ୟ, ଅଶ୍ୱ,ହସ୍ତୀ ନିହତ କରି ଯୁଧିଷ୍ଠିରଙ୍କୁ ନେଇ ଆସି ପହଞ୍ଚିଗଲେ. ଭୀମଙ୍କୁ ଦେଖି ଭୀଷ୍ମଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ. ଭୀଷ୍ମ ନିଜ ଧନୁରେ ଗୁଣ ଚଢାଇ ଅର୍ଜୁନଙ୍କୁ ଆହ୍ୱାନ କଲେ. ଅର୍ଜୁନଙ୍କର ପ୍ରଥମ ପାଞ୍ଚଟି ଶର ଭୀଷ୍ମଙ୍କର ଚରଣ ସ୍ପର୍ଶ କଲେ । ଭୀଷ୍ମ ମଧ୍ୟ ପ୍ରଥମ ଶର ମାଧ୍ୟମରେ ଅର୍ଜୁନଙ୍କୁ ଚୁମ୍ବନ ଦେଲେ । କିନ୍ତୁ ତା ପରେ ଉଭୟ ନିଜ ନିଜର କ୍ଷତ୍ରୀ ବୃତ୍ତିର ପରିଚୟ ଦେବାରେ ହେଳା କଲେ ନାହିଁ । ଉଭୟଙ୍କ ଧନୁରୁ ନିର୍ଗତ ଅସଂଖ୍ୟ ଶର ଚତୁର୍ଦ୍ଧିଗକୁ ଅନ୍ଧକାରାଛନ୍ନ କରିଦେଲା । ଏହି ସମୟରେ ତାରାକ୍ଷୀ ନାମକ ଗର୍ଭବତୀ ପକ୍ଷୀଟିଏ ନନ୍ଦୀଘୋଷ ଉପରେ ବସି ଯୁଦ୍ଧ ଦେଖୁଥିଲା । ଭୀଷ୍ମଙ୍କର ଗୋଟାଏ ଶର ସେ ପକ୍ଷୀ ପେଟରେ ବାଜି ତାକୁ ଚିରି ଦୁଇଫାଳ କରିଦେଲା । ତା ପେଟରୁ ଚାରିଟି ଡିମ୍ବ ବାହାରି ତଳେ ପଡିଲା । ସେହି ସମୟରେ ଭୀମସେନଙ୍କ ଗଦା ଆଘାତରେ ଶ୍ୱେତମକର ନାମକ ହସ୍ତୀ ମରିପଡିଲା ଓ ତା ଗଳାରେ ଝୁଲୁଥିବା ଘଣ୍ଟିଟି ଛିଡି ସେ ଡିମ୍ବ ଉପରେ  ଏମିତି ଭାବରେ ଘୋଡେଇ ହୋଇ ପଡିଲା ଯେ ତା ତଳେ ଚାରିଟି ଭରତିଆ ପକ୍ଷୀ ଡିମ୍ବ ଅବସ୍ଥାରେ ନିରାପଦରେ ରହିଗଲେ.

କ୍ରମଶଃ....

2018-01-23

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୪


ରାବଣ ବିରୁଦ୍ଧରେ ବିଭୀଷଣ ଯେ ରାମଙ୍କୁ ସାହାଯ୍ୟ କରିଥିଲେ, ସେଥିରେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ନ ଥିଲା । ରାବଣର ଅନ୍ୟାୟ ବିରୁଦ୍ଧରେ, ତାଙ୍କର ଆରାଧ୍ୟ ପ୍ରଭୁ ରାମଚନ୍ଦ୍ରଙ୍କୁ ସମର୍ଥନ କରିବା ଦ୍ୱାରା ସେ  ଧର୍ମ ଓ ନ୍ୟାୟ ପ୍ରତି ନିଜର ଅନୁରକ୍ତି ହିଁ ପ୍ରଦର୍ଶନ କରିଥିଲେ । ଦୁର୍ଦ୍ଦର୍ଷ ମଧ୍ୟ ଯୁଧିଷ୍ଠିରଙ୍କୁ ସମର୍ଥନ କରି ଅମର ହୋଇଯିବ କିମ୍ବା ଯୁଦ୍ଧ ନ କରି ଶେଷରେ ଖଣ୍ଡେ ରାଜ୍ୟ ଦାବୀ କରିବ,ଏମନ୍ତ ନ ଥିଲା । ସେ ବୁଝିଥିଲା, ଦୁର୍ଯ୍ୟୋଧନ ଅନ୍ୟାୟରେ ପାଣ୍ଡବମାନଙ୍କୁ ତାଙ୍କର ନ୍ୟାୟ ଦାବୀରୁ ବଞ୍ଚିତ କରୁଛନ୍ତି । ସେଥିପାଇଁ ସେ ନିର୍ଭୟରେ ଏବଂ ବିନା କୌରବ ପ୍ରେମରେ ସଂଘର୍ଷ  କରୁଥିଲା । ଦୁର୍ଯ୍ୟୋଧନଙ୍କ ଏହା ଅସହ୍ୟ ବୋଧ ହେଲା । ଯୁଦ୍ଧର ଆରମ୍ଭରେ ହିଁ ଦୁର୍ଯ୍ୟୋଧନ ଆଉ ଏକ ଅନ୍ୟାୟ କରି ବସିଥିଲେ । ଶାନ୍ତି ପ୍ରସ୍ତାବ ନେଇ ଆସିଥିବା ଯୁଧିଷ୍ଠିରଙ୍କୁ ଆକ୍ରମଣ କରିବା ଯୁଦ୍ଧ ନିୟମର ପରିପନ୍ଥୀ ଥିଲା । ଦୁର୍ଦ୍ଧକ୍ଷ ନିକଟରେ ପହଞ୍ଚି ଦୁର୍ଯ୍ୟୋଧନ ତାକୁ କୁରୁକୁଳାଙ୍ଗାର, ବିଶ୍ୱାସଘାତକ କହି ତିରସ୍କାର କଲେ ଓ ଶୀଘ୍ର ମତ ପରିବର୍ତ୍ତନ ନ କଲେ, ପ୍ରଥମେ ତାହାରିଠାରୁ ଶତ୍ରୁ ବିନାଶ ଆରମ୍ଭ କରିବେ ବୋଲି ଧମକ ଦେଲେ । କିନ୍ତୁ ଦୁର୍ଦ୍ଦକ୍ଷ ସ୍ପଷ୍ଟ ଓ  ନିର୍ଭୀକ କଣ୍ଠରେ ଜ୍ୟୋଷ୍ଠଭ୍ରାତାଙ୍କର ଅନ୍ୟାୟକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା," ଭ୍ରାତ, କୌଣସି ସମୃଦ୍ଧି ଲାଭ ପାଇଁ ମୁଁ ପାଣ୍ଡବ ପକ୍ଷକୁ ଆସିନାହିଁ । ଆପଣଙ୍କ ଅନ୍ୟାୟର ମାତ୍ରା କିଛି କମ୍  କରିବା ପ୍ରୟାସରେ ମୁଁ ଆପଣଙ୍କୁ ଛାଡ଼ିଛି । ପାଣ୍ଡବମାନଙ୍କୁ ଅର୍ଦ୍ଧରାଜ୍ୟ ଦେଇ ସନ୍ଧି କରି ନିଅନ୍ତୁ ଭ୍ରାତ, ସେଇଥିରେ ଉଭୟ ପକ୍ଷର ମଙ୍ଗଳ ସାଧିତ ହେବ ।
” ଦୁର୍ଯ୍ୟୋଧନ ସର୍ବକନିଷ୍ଠ ଭ୍ରାତାର ଏ ଆସ୍ଫାଳନ ସହ୍ୟ କରିପାରିଲେ ନାହିଁ । "ଦୁର୍ଯ୍ୟୋଧନ ଆଦେଶରେ ଶତ ଶତ ରଥୀ, ଧର୍ମ ତେଜି ଦୁର୍ଦ୍ଦକ୍ଷକୁ ଶର ସେ ବିନ୍ଧନ୍ତି' । ଦୁର୍ଦ୍ଦକ୍ଷ ମଧ୍ୟ ସେ ସବୁ ଶର ନିବାରଣ ପାଇଁ ଏକା ଶତ ଶତ ଶର ସନ୍ଧାନ କରୁଥାଏ । ଯୁଧିଷ୍ଠିରଙ୍କୁ ଘେରି ଦୁର୍ଦ୍ଦକ୍ଷର କିଛି ସୈନ୍ୟ ତାଙ୍କୁ କୌରବମାନଙ୍କ ଆକ୍ରମଣରୁ ରକ୍ଷା କରୁଥାନ୍ତି । କ୍ରମେ କ୍ରମେ ଯୁଦ୍ଧ ଶବ୍ଦ ଉଚ୍ଚରୁ ଉଚ୍ଚତର ହୋଇ ପାଣ୍ଡବ ସେନାର ଶ୍ରୁତିଗୋଚର ହେଲା । ଶ୍ରୀକୃଷ୍ଣ କିଛି ନ ଜାଣିଲା ପରି ପଚାରିଲେ, "ପାର୍ଥ, ଏ କି ଶବ୍ଦ ଆସୁଛି କୌରବ ସେନାଙ୍କ ପକ୍ଷରୁ ? ହନୁମାନ କହିଲେ, “ଯୁଧିଷ୍ଠିର ଶାନ୍ତି ପ୍ରସ୍ତାବ ନେଇ ଯାଇଥିଲେ. କୁରୁସେନା ତାଙ୍କୁ ଘେରି ତାଙ୍କ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି ।” ଅର୍ଜୁନ ବ୍ୟସ୍ତ ହୋଇ ବାସୁଦେବଙ୍କୁ ବିନୟ ସହକାରେ ପ୍ରାର୍ଥନା କରିବାକୁ ଲାଗିଲେ । "ସଂସାର ତାରଣ ନାଥ, ତୁହି ଯେ ଅନାଦି, ତୋ ପରା ପ୍ରଭୁ ଥାଉଁ କି ଭ୍ରାତା ହେବେ ବନ୍ଦୀ ?" ଗୋବିନ୍ଦ କହିଲେ, "ସେମିତି କିଛି ଭୟ କରନାହିଁ । ସେମାନେ ତୁମର ଭ୍ରାତା । ସେଠାରେ ପିତାମହ, ଗୁରୁଦ୍ରୋଣ, ଭୂରିଶ୍ରବାଙ୍କ ଭଳି ବୟୋଜ୍ୟୋଷ୍ଠ ବ୍ୟକ୍ତିମାନେ ଅଛନ୍ତି । ଶଲ୍ୟଙ୍କ ପରି ମାତୁଳ ଓ କର୍ଣ୍ଣଙ୍କ ପରି ଭ୍ରାତା ଥାଉଁ ଥାଉଁ ବିପଦ ଆସିବାର ସମ୍ଭାବନା କାହିଁ ? "ଅର୍ଜୁନ ବୋଇଲେ ଦେବ ଶୁଣ ହୃଷୀକେଶ, ସକଳ ଜାଣି କିମ୍ପାଇଁ କର ଉପହାସ?" ଦୟା କରି ମୋ ରଥକୁ ଶୀଘ୍ର  ସେହି ସ୍ଥାନକୁ ବାହି ନିଅନ୍ତୁ ଯେମିତି, ସେମାନେ ଭ୍ରାତାଙ୍କ ବନ୍ଦୀ କରିବା ପୂର୍ବରୁ ଆମେ ପହଞ୍ଚି ଯିବା । "ଚାଲନ୍ତୁ ଆଜି ସମର କରିବି ଯେ ମୁହିଁ, ମାରିବି ଏ କୁରୁବଳ ଦୟା ଛାଡ଼ିଦେଇ ।" ଧନଞ୍ଜୟଙ୍କ ମୁଖରୁ ଏହା ଶୁଣି କୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ଧ୍ୱନି କଲେ ଓ ଅଶ୍ୱଚାଳନା କଲେ । କୁରୁ ସୈନ୍ୟସାଗର ମଧ୍ୟରେ ନନ୍ଦୀଘୋଷର ଅଶ୍ଵମାନେ ହଂସପନ୍ତି ପରି ଉଡି ଯାଉଥାନ୍ତି । ସମ୍ମୁଖରେ ଓଗାଳିଲେ ଭୀଷ୍ମ । "ଶ୍ରୀକୃଷ୍ଣ ବୋଇଲେ ତୁହୋ ବୃକୋଦର ଯାଅ, ଯୁଧିଷ୍ଠିର ଦେବଙ୍କୁ ତୁ ସାହାପକ୍ଷ ହୁଅ." ଶ୍ରୀକୃଷ୍ଣଙ୍କ ବଚନରେ ଚଳେ ବୀରମଣି, ବାଉନ ବାଉନ ଭାର ଗଦା ବେନି ପାଣି. ଚକ୍ର ପ୍ରାୟ ବୁଲାଉଛି ତାର ବେନି ଆଖି, ତ୍ରାସେ ଭାଜିଲେ ସମସ୍ତେ ଭୀମରୂପ ଦେଖି । କଲାକ ରଣ ଧନ୍ଦୋଳ ଭୀମ ବଳବନ୍ତା, ଛାମୁରେ କେ ରହିବାକୁ ନୋହିଲେ ଶକତା । କେହି ନ ରହିଲେ ଭୀମସେନଙ୍କ ଆଗର, ଦୁଇଭାଗ ହୋଇଗଲା ସେ କୁରୁ ସାଗର । ଯୁଧିଷ୍ଠିରଙ୍କୁ ଦୁର୍ଦ୍ଦକ୍ଷ ରଥରେ ଦେଖି ଭୀମ ଟିକିଏ ଆଶ୍ୱସ୍ତ ହେଲେ. ପ୍ରଣାମ କରି କହିଲେ," ମନା କରୁଥିଲି, ଆସିଲେ ।
ସନ୍ଧି ହେଲା? କାହାଠାରୁ କଣ ଆଶାକରୁଥିଲେ ଆପଣ ? ଭାଗ୍ୟବଳରୁ ଦୁର୍ଦ୍ଦକ୍ଷ ସାହା ହେଲା ବୋଲି, ନ ହେଲେ ଆପଣ ତ ଆମର ଭେଳା ବୁଡାଇ ସାରିଥିଲେ !"

କ୍ରମଶଃ....

2018-01-22

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୩


ଧୃତରାଷ୍ଟ୍ର ପ୍ରସ୍ଥାନ କଲାପରେ ଯୁଧିଷ୍ଠିର ପୁନର୍ବାର ଦୁର୍ଯ୍ୟୋଧନକୁ ବୁଝାଇବା ପ୍ରୟାସରେ କହିଲେ, “ବାବୁରେ ମାନଗୋବିନ୍ଦ, ମୋ କଥା ମାନି ପାଞ୍ଚଟି ପଡ଼ା ଦେଇଦେ । ତୋର ମୋର ସବୁଦିନେ ପ୍ରୀତି ଥିବ. ସୁଖରେ ରାଜୁତି କରିବା" । ଦୁର୍ଯ୍ୟୋଧନ ବୋଲେ ମୋତେ ନ ବୁଝା ଏ ମାନ, ବିନା ଯୁଦ୍ଧରେ ନ ଦେବି ଏକଗୋଟି ଗ୍ରାମ ।" ଯୁଧିଷ୍ଠିର କହିଲେ, "ଚାରିଖଣ୍ଡ  ଗ୍ରାମ ହେଲେ ଦେଇଦିଅ । ତୁମେ ହାରିଲେ ବି ମୋତେ କଷ୍ଟ ହେବ, ମୁଁ ହାରିଲେ ବି ନିଶ୍ଚୟ ତୁମକୁ ଭଲ ଲାଗିବ ନାହିଁ । "ମାନଗୋବିନ୍ଦ ବୋଇଲା ଶୁଣରେ ଯୁଧିଷ୍ଟି, ବିନା ସମରରେ ନ ଦେବି ଘର ଏକଗୋଟି ।" ଯୁଧିଷ୍ଠିର ସମସ୍ତଙ୍କୁ ଶୁଣାଇଲା ଭଳି ନିଜର ନ୍ୟୁନଭାବ ପ୍ରକାଶ କରି ତିନିଖଣ୍ଡି ପଡ଼ା ମାଗିଲେ । ବୋଇଲା ମାନଗୋବିନ୍ଦ ସମର ନୋହିଲେ, ଅର୍ଦ୍ଧ ଘର ନ ଦିଅଇ ଜାଣ ଧର୍ମବାଳେ ।" ଧର୍ମସୁତ ଦୁଇଟି ପଡ଼ା ମାଗିଲେ । ଦୁର୍ଯ୍ୟୋଧନ ଚଉଠେ ମଧ୍ୟ ଘର ବିନା ଯୁଦ୍ଧରେ ଦେବନାହିଁ ବୋଲି କହିଲେ । ଯୁଧିଷ୍ଠିର ଖଣ୍ଡିଏ ପଡ଼ା ମାଗିଲାରୁ କୁରୁପତି କୃଷ୍ଣଙ୍କ ସମ୍ମୁଖରେ କରିଥିବା ପ୍ରତିଜ୍ଞାର ପୁନରାବୃତ୍ତି କଲେ, "ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ ।" ଶୁଣି ଧର୍ମସୁତ କଲେ ବଚନ ପ୍ରକାଶ, ଯୁଦ୍ଧେ ମନ ବଳାଇଲୁ ହେବୁ ନିଶ୍ଚେଁ ନାଶ"। ଦୁର୍ଯ୍ୟୋଧନ କହିଲେ, "ମୋତେ ଜିଣି ପଞ୍ଚକଟକ ଭୋଗ କର, ମାଗୁଛ କାହିଁକି ?" ମୁଁ ଜିଣିଲେ ମୋର ସମ୍ପତ୍ତି ମୋର ହୋଇ ରହିବ । ନିଷ୍କଣ୍ଟକ ରାଜ୍ୟ ଭୋଗ କରିବି ।" ଯୁଧିଷ୍ଠିର କହିଲେ, "ଠିକ ଅଛି, ଆମେ ପାଞ୍ଚ ଭାଇ ଏକ ପକ୍ଷରେ ଓ ତୁମେ ଶହେ ଭାଇ ଅପର ପକ୍ଷରେ ରୁହ । ଏ ରାଜାମାନଙ୍କୁ ,ପିତାମହ, ଗୁରୁ, ଗୁରୁଜନ ପୁତ୍ର ପୌତ୍ର ବନ୍ଧୁ ବାନ୍ଧବ ସୈନ୍ୟ ସାମନ୍ତଙ୍କୁ ଛାଡିଦିଅ । ଅକାରଣେ ଏମାନଙ୍କ ଜୀବନ ନଷ୍ଟ କରିବା କାହିଁକି ? ଦୁର୍ଯ୍ୟୋଧନ କହିଲେ," ବିନା ସୈନ୍ୟସାମନ୍ତରେ କି ଯୁଦ୍ଧ  ହେବ.?ମୋର ବିଶାଳ ସୈନ୍ୟବାହିନୀ ଦେଖି ଭୟ ଲାଗୁଛି, ନୁହେଁ ?” ଯୁଧିଷ୍ଠିର ଉଚ୍ଚ ସ୍ୱରରେ ସମସ୍ତ କୁରୁ ସୈନ୍ୟ ସେନାପତିମାନଙ୍କୁ ସମ୍ବୋଧନ କରି କହିଲେ, "ସମସ୍ତେ ଶୁଣନ୍ତୁ. ପଣ୍ଡୁ ଧୃତରାଷ୍ଟ୍ରଙ୍କର ପୁତ୍ର ଭାବରେ ଆମ୍ଭେ ପାଣ୍ଡବମାନେ ମଧ୍ୟ କୌରବଙ୍କ ସହ  ଏ ପଞ୍ଚସ୍ଥଳୀରେ ଭାଗୀଦାର କିନ୍ତୁ ଦୁର୍ଯ୍ୟୋଧନ ଭାଗ ନ ଦେଇ ଯୁଦ୍ଧ କରିବା ପାଇଁ ଜିଦ୍ ଧରିଛି । ଏ ଯୁଦ୍ଧରେ ବ୍ରାହ୍ମଣ, କ୍ଷତ୍ରିୟ, ଦୋଷୀ, ନିର୍ଦ୍ଦୋଷ ଅନେକ ପ୍ରାଣ ହରାଇବେ । ବହୁ ସ୍ତ୍ରୀ ବିଧବା ହେବେ, ଅନେକ ପୁତ୍ର, କନ୍ୟା ସେମାନଙ୍କ ପିତାମାନଙ୍କୁ ହରାଇବେ । ଏ ସମସ୍ତ ଦୋଷ କାହାକୁ ଲାଗିବ , ଆପଣମାନେ କହନ୍ତୁ ।” ଆକାଶବାଣୀ ହେଲାପରି ଅସଂଖ୍ୟ ତୁଣ୍ଡରୁ ସ୍ଫୁରିଲା," ଆହେ ଧର୍ମରାଜ ଦୋଷ ନାହିଁ ଯେ ତୁମ୍ଭର, ଧର୍ମବଳରୁ ଜିଣିବ ତୁମ୍ଭେ ଏ ସମର." ତା ପରେ ଧର୍ମନନ୍ଦନ ଦୁଇ ହାତ ଉପରକୁ ଟେକି କହିଲେ, "କୁରୁ ଥାଟରେ ଥିବା ଯୋଦ୍ଧାମାନଙ୍କୁ ମୁଁ ଆହ୍ୱାନ କରୁଛି, ଯେଉଁମାନେ ନ୍ୟାୟ ସପକ୍ଷରେ ମୋତେ ସମର୍ଥନ କରିବାକୁ ଇଚ୍ଛା କରୁଛନ୍ତି ସେମାନେ ମୋ ସହିତ ଆସନ୍ତୁ । ମୋ ଦେହରେ ପ୍ରାଣ ଥିବାଯାଏଁ ମୁଁ ତାଙ୍କୁ ସଂରକ୍ଷଣ ଦେବି । କୁରୁଥାଟ ସମ୍ମୁଖରେ ଥିବା ଦୁର୍ଯ୍ୟୋଧନଙ୍କର ସର୍ବକନିଷ୍ଠ ଭ୍ରାତା ଦୁର୍ଦ୍ଦକ୍ଷ ନିଜ ଅଧୀନରେ ଥିବା  ସୈନ୍ୟସାମନ୍ତ ଓ ରଥ,ଗଜ ତଥା ଅଶ୍ଵାରୋହୀମାନଙ୍କୁ ନେଇ ଯୁଧିଷ୍ଠିରଙ୍କ ସମ୍ମୁଖରେ ନିଜର ଯୋଗଦାନର ଘୋଷଣା କରିଦେଲା । ତାର ମସ୍ତକରେ ହସ୍ତ ଦେଇ ଯୁଧିଷ୍ଠିର ଆଶୀର୍ବାଦ କଲେ । କହିଲେ, "ତୁ ହିଁ ଧୃତରାଷ୍ଟ୍ରଙ୍କର ବଂଶ ରକ୍ଷା କରିବୁ । "ଯେତେ ଦିନ ଯାଏଁ ମୋର ପିଣ୍ଡେ ଥିବ ପ୍ରାଣ, ଚିରଞ୍ଜୀବୀ ହେବୁ ମୋର ବଳ ମଧ୍ୟେ ଜାଣ ।" ଏହା ଦେଖି ଦୁର୍ଯ୍ୟୋଧନ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଦୁର୍ଦ୍ଦକ୍ଷ ସହ ଯୁଧିଷ୍ଠିରଙ୍କୁ  ବନ୍ଦୀ କରିବାକୁ ନିଜ ସୈନ୍ୟମାନଙ୍କୁ ଆଦେଶ ଦେଲେ. ସୈନ୍ୟମାନେ ଚତୁର୍ପାର୍ଶ୍ୱରୁ ଘେରି ଆସିବାର ଦେଖି ଯୁଧିଷ୍ଠିର ବ୍ୟସ୍ତ ହୋଇ ପଡିଲେ. “ଏହା ଦେଖି ଯୁଧିଷ୍ଠିର ମନେ ବିଚାରିଲେ , "ଆପଦ ପଡଇ ନିଶ୍ଚେଁ ମନା ନ ମାନିଲେ, ସାଧୁ ସାଧୁ ଆରେ ଭୀମା ବାରିଲୁ ଆସନ୍ତେ, ମୂର୍ଖ ଅବିବେକୀ ବୋଲି ଭାବିଲି ମୁଁ ଚିତ୍ତେ ।"ଦୁର୍ଦ୍ଦକ୍ଷ ଧୁରନ୍ଧର ଯୋଦ୍ଧା ଥିଲା । ସେ ଯୁଧିଷ୍ଠିରଙ୍କୁ କହିଲା, "ଆପଣ ଚିନ୍ତା କରନ୍ତୁ ନାହିଁ, ଏମାନଙ୍କୁ ବର୍ତ୍ତମାନ ମୁଁ କେମିତି ନିରସ୍ତ କରୁଛି ଦେଖନ୍ତୁ । ପ୍ରକୃତରେ ଦୁର୍ଦ୍ଦକ୍ଷ ଓ ତାର ସୈନ୍ୟମାନେ ସଶକ୍ତ ପ୍ରତିରୋଧ କଲେ. ଯୁଧିଷ୍ଠିର ମା ମଙ୍ଗଳାଙ୍କୁ ସ୍ମରଣ କରୁଥାନ୍ତି. କେବଳ ଧନୁର୍ବିଦ୍ୟାରେ ନୁହେଁ, ଗଦା ଯୁଦ୍ଧରେ ମଧ୍ୟ ପ୍ରବୀଣ ଥିଲା କନିଷ୍ଠ ଧାର୍ତ୍ତରାଷ୍ଟ୍ରୀ. ଅତିଶୟ କ୍ରୋଧାନ୍ୱିତ ହୋଇ ଦୁଃଶାସନ ଦୁର୍ଦ୍ଦକ୍ଷକୁ ଶିକ୍ଷା ଦେବାପାଇଁ ତା ଉପରେ ଗଦା ପ୍ରହାର କଲା । ବିଚକ୍ଷଣ କୌଶଳରେ ନିଜକୁ ବଞ୍ଚାଇ ଦୁର୍ଦ୍ଦକ୍ଷ ପ୍ରଚଣ୍ଡ ପ୍ରହାରରେ ଦୁଃଶାସନକୁ ଧରାଶାୟୀ କରିଦେଲା । ଦୁଃଶାର ନାସାରୁ ଶୋଣିତ ନିର୍ଗତ ହେବା ଦେଖି ଦୁର୍ଦ୍ଦକ୍ଷ ତାକୁ ଉଠାଇ ବସାଇଲା ଓ ବୁଝାଇଲା, "ଭାଇ, ଭୀମଙ୍କ ପ୍ରତିଜ୍ଞା ମନେ ଅଛି ତ ?ଜୀବନକୁ ଆଶା ଥିଲେ ଆପଣ ଏ ଯୁଦ୍ଧରୁ ଦୂରରେ ରହନ୍ତୁ." ଏତିକି କହି ତାକୁ ତା ରଥରେ ବସାଇ ସାରଥୀକୁ ରଥ ନେଇ ଫେରିଯିବାକୁ ନିର୍ଦ୍ଦେଶ ଦେଲା. ଦୁର୍ଯୋଧନ ଦୂରରୁ ଥାଇ ଏ ସବୁ ଲକ୍ଷ କରୁଥିଲେ. ସେ ନିଜର ସାରଥୀକୁ ଦୁର୍ଦ୍ଦକ୍ଷ ସମ୍ମୁଖକୁ ରଥ ନେବାକୁ ଆଦେଶ ଦେଲେ.

କ୍ରମଶଃ.....

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧୨


ଭୀଷ୍ମଙ୍କ ନିକଟରେ ଥିଲେ ଭୂରିଶ୍ରବା । ତାଙ୍କ ନିକଟରେ ଶଲ୍ୟ ଏବଂ ତାଙ୍କ ପାଖକୁ ଲାଗି ଦ୍ରୋଣାଚାର୍ଯ୍ୟ । ଯୁଧିଷ୍ଠିର ଭୂରିଶ୍ରବାଙ୍କ ପଦସ୍ପର୍ଶ କଲାରୁ ସେ କଲ୍ୟାଣ କଲେ । ଶଲ୍ୟଙ୍କୁ ପ୍ରଣାମ କରି ଯୁଧିଷ୍ଠିର କହିଲେ, "ଆପଣ ମା ମାଦ୍ରୀଙ୍କର ଭ୍ରାତା, ଆମ୍ଭର ମାତୁଳ । ଆପଣ ଆମ୍ଭ ପକ୍ଷକୁ ଚାଲନ୍ତୁ."ଶଲ୍ୟ କହିଲେ ," ଏତେବେଳେ ଆଉ ତାହା ସମ୍ଭବ ନୁହେଁ କିନ୍ତୁ ଭୟ କର ନାହିଁ । ମୋର ଏହି ମହାଭାରତ ଯୁଦ୍ଧରେ ମୃତ୍ୟୁ ନିଶ୍ଚିତ । ପିଲାବେଳେ ଖେଳରେ ଖେଳରେ ମୁଁ ଚିତ୍ରୋତ୍ପଳା ନଦୀ (ନେମାଳ ଠାରୁ ମାର୍ଶାଘାଇ ପର୍ଯ୍ୟନ୍ତ ଯେଉଁ ନଦୀ ) ଜଳରେ ଫିମ୍ପି ମାରି ନଦୀ ପାର କରିଦେଉଥିଲି । ଥରେ ଅନୁଷ୍ଟୁପ ନାମକ ଋଷି ସେଠାରେ ତପସ୍ୟା କରୁଥିଲେ । ମୋ ଫିମ୍ପି ତାଙ୍କ ଦେହରେ ଗଳିଯାଇ ପ୍ରଚୁର ରକ୍ତସ୍ରାବ ହେଲା । ନଦୀ ଜଳରେ ଲାଲ ରଙ୍ଗ ଦେଖି ମୋର ସନ୍ଦେହ ହେଲା ଓ ମୁଁ ଯାଇ ଋଷିଙ୍କୁ ଭେଟିଲି । ଋଷିଙ୍କର  ମୃତ୍ୟୁ ନିଶ୍ଚିତ ବୋଲି ଜାଣି ପାରିଲି । ତାଙ୍କୁ ବାରମ୍ବାର କ୍ଷମା ମାଗି ବ୍ରହ୍ମହତ୍ୟା ଦୋଷରୁ କିପରି ରକ୍ଷା ପାଇବି ବୋଲି ପ୍ରଶ୍ନ କଲାରୁ ସେ କହିଲେ, "ମହାଭାରତ ଯୁଦ୍ଧରେ ମୃତ୍ୟୁ ହେଲେ ତୋର ଏ ପାପ କ୍ଷୟ ଯିବ ।" ଏତିକି କହି ସେ ଶରୀର ତ୍ୟାଗ କଲେ । ଆଜି ପର୍ଯ୍ୟନ୍ତ ମୁଁ ସେହି ଲଗ୍ନକୁ ଅପେକ୍ଷା କରିଛି କେବେ ମୋର ମୃତ୍ୟୁ ହେବ ମୁଁ ମୋ ବ୍ରହ୍ମହତ୍ୟା ରୁ ମୁକ୍ତି ମିଳିବ ।” ଗୁରୁଦେବ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କ ପ୍ରଣାମର ପ୍ରତ୍ୟୁତ୍ତରରେ କହିଲେ," ମୁଁ କଲ୍ୟାଣ କରୁଛି, ତୁମେ ମୋର ଆୟୁ ଘେନି ବଞ୍ଚିଥାଅ, ଶତୃମାନଙ୍କ ଉପରେ ବିଜୟ ଲାଭ କର ।" ଯୁଧିଷ୍ଠିର କହିଲେ, "ଆପଣଙ୍କ ଆଶୀର୍ବାଦ ନିଷ୍ଫଳ ହେବା ମୋତେ ସ୍ପଷ୍ଟ ଦେଖାଯାଉଛି । "ତୁହି ରହିଲୁ ଆବୋରି କୌରବମାନଙ୍କୁ, ତୋତେ ନ ଜିଣିଲେ ରାଜ୍ୟ ପ୍ରାପ୍ତ କି ଆମ୍ଭଙ୍କୁ ? ଦ୍ରୋଣ କହିଲେ, “ଅବଶ୍ୟ ତାହା ସତ୍ୟ. ମୋ ହାତରେ ଧନୁଶର ଥିଲେ ମୋତେ ଜିଣିବା ବ୍ୟକ୍ତି ଏ ଯୁଦ୍ଧରେ କେହି ନାହିଁ ।" ଏ କଥାରୁ  ଯୁଧିଷ୍ଠିର କିଛି ଇସାରା ପାଇଲେ । ସେ ପଚାରିଲେ, "ସବୁବେଳେ ତ ଆପଣ ଧନୁଶର ଧରିଥାନ୍ତି,  କେତେବେଳେ ହାତରୁ ଛାଡ ହେବାର ତ ମୁଁ ଦେଖିନାହିଁ ? ଦ୍ରୋଣ କହିଲେ, “ସ୍ନାନ ଓ ଭୋଜନ ବେଳେ ମୋ ହାତରେ ଧନୁଶର ନ ଥାଏ । ପୁନଶ୍ଚ ଯଦି ମୁଁ କେବେ ମୋର ଏକମାତ୍ର ପୁତ୍ରର ମୃତ୍ୟୁ ସମ୍ବାଦ ଶୁଣିବି, ତେବେ ମୁଁ ଶସ୍ତ୍ର ତ୍ୟାଗ କରିଦେବି । ଦ୍ରୋଣଙ୍କର ମୃତ୍ୟୁ ରହସ୍ୟ ଉଣା ଅଧିକେ ଯୁଧିଷ୍ଠିର ଜାଣିଲେ । ତତ୍ପରେ ସେ   କର୍ଣ୍ଣଙ୍କୁ ଭେଟି ଅଗ୍ରଜ ବୋଲି ସମ୍ମାନ ଦେଲେ ଓ ସାଦର ଆମନ୍ତ୍ରଣ କରି କହିଲେ, "ଆପଣ ଆମ୍ଭ ପକ୍ଷର ନାୟକ ହୁଅନ୍ତୁ ଆମ୍ଭେ ପଞ୍ଚଭ୍ରାତା ଆପଣଙ୍କ ଆଦେଶ ମାନି ଚଳିବୁଁ ।" କର୍ଣ୍ଣ ସାନଭାଇକୁ କଲ୍ୟାଣ କଲେ ଓ କହିଲେ, "ଏବେ ଏ ସବୁ କଥାର କିଛି ଅର୍ଥ ନାହିଁ ଯୁଧିଷ୍ଠିର । ଦୁର୍ଯ୍ୟୋଧନକୁ ଏ ସମୟରେ ଛାଡ଼ିଯିବା ପ୍ରଶ୍ନ ଉଠୁନାହିଁ । ହୁଏ ତ ମରଣ ହେବ ଏହି କୁରୁକ୍ଷେତ୍ରେ । ମିତ୍ରଦ୍ରୋହ,କୃତଘ୍ନତା କର୍ଣ୍ଣ ପକ୍ଷେ ଅସମ୍ଭବ ପ୍ରାଣ ଥିବାଯାଏଁ । ଯାଅ ଧର୍ମସୁତ, ଅବଶ୍ୟ ପାଳିବି ମୁହିଁ ପ୍ରତିଜ୍ଞା ମୋ କରିଛି ଯା ଜନନୀଙ୍କ ପାଶେ, ଅର୍ଜୁନ ବ୍ୟତୀତ ତୁମ୍ଭେ ଚତୁଷ୍ଟୟ କର୍ଣ୍ଣ ହସ୍ତେ ନୋହିବ ନିହତ ।" ୟା ମଧ୍ୟରେ ଧୃତରାଷ୍ଟ୍ର ଆସି ପହଞ୍ଚି ସାରିଥିଲେ । ଯୁଧିଷ୍ଠିର ତାଙ୍କ ଚରଣ ସ୍ପର୍ଶ କରି ପଦରଜ ମସ୍ତକରେ ଲଗାଇଲେ । ସଞ୍ଜୟ ସୂଚନା ଦେଲେ, "ମହାରାଜ, ଯୁଧିଷ୍ଠିର ଆପଣଙ୍କୁ ପ୍ରଣାମ କରୁଛନ୍ତି ।" ଧୃତରାଷ୍ଟ୍ର ଚିରଞ୍ଜୀବୀ ହୁଅ ବୋଲି ଆଶୀର୍ବାଦ କଲେ । ଯୁଧିଷ୍ଠିର ତାଙ୍କ ନିକଟରେ ନିଜର ଦାବୀ ଉପସ୍ଥାପିତ କଲେ । କହିଲେ, "ପିତା, ଆପଣଙ୍କୁ କୌଣସି ଦିନ ମୁଁ ନିଜ ପିତାଙ୍କ ଠାରୁ ଭିନ୍ନ କରି ଦେଖିନାହିଁ । ଆପଣଙ୍କୁ ମୁଁ ମାତ୍ର କେତୋଟି ପଡ଼ା ମାଗୁଛି ଭାଇମାନଙ୍କୁ ନେଇ ରହିବା ପାଇଁ । ଏତେବଡ ଏକ ଯୁଦ୍ଧ ଓ ତାର ଭୟଙ୍କର ପରିଣତି ଚିନ୍ତା କରି ମୁଁ ଶେଷ ଥର ପାଇଁ ଆସିଛି ,ପାଞ୍ଚଟି ପଡ଼ା ଦେବା ପାଇଁ ଦୁର୍ଯ୍ୟୋଧନକୁ କହନ୍ତୁ ।” ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ କହିଲେ, "ଅନ୍ତତଃ ସେମାନଙ୍କୁ ଖଣ୍ଡିଏ ପଡ଼ା ଦେବାପାଇଁ ମୁଁ ତୁମକୁ ଅନୁରୋଧ କରୁଛି । ମୋ କଥା ମାନି ସେତିକି ଦେଇ ସନ୍ଧି କରିନିଅ । “ଏହା ଶୁଣି ବୋଲେ ରାଗେ ମାନଚକ୍ରବର୍ତ୍ତୀ , ବିନା   ଯୁଦ୍ଧେ ନ ଦେବି ମୁଁ ସୂଚୀମୁନେ କ୍ଷିତି ।" ଏହାଶୁଣି ଧୃତରାଷ୍ଟ୍ର ବିଷାଦିତ ହେଲେ. ସଞ୍ଜୟଙ୍କୁ ଘେନି ହସ୍ତିନାକୁ ଲେଉଟିଲେ “ ।

କ୍ରମଶଃ......

2018-01-20

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୧୧

ଅର୍ଜୁନ ପଚାରିଲେ, “ହେ ହୃଷୀକେଶ, ତ୍ୟାଗ ଓ ସନ୍ନ୍ୟାସ ମଧ୍ୟରେ ପାର୍ଥକ୍ୟ କଣ ? ଶ୍ରୀମଧୁସୂଦନ, କେଶୀ ନିସୂଦନ,ଦୀନବନ୍ଧୁ, ଦୈତ୍ୟାରି, ଜଗତ୍ପତି, ଜଗନ୍ନାଥ କହିଲେ,"ହେ ପାର୍ଥ, କାମ୍ୟ କର୍ମମାନଙ୍କର ତ୍ୟାଗକୁ ସନ୍ନ୍ୟାସ ଓ କର୍ମଫଳ ତ୍ୟାଗକୁ ତ୍ୟାଗ ବୋଲି କହନ୍ତି । କିନ୍ତୁ ଯଜ୍ଞ, ଦାନ, ତପସ୍ୟାଦି କର୍ମ ତ୍ୟାଗ କରିବା ଉଚିତ ନୁହେଁ । ଏ ସବୁ କର୍ମ ଜ୍ଞାନୀମାନଙ୍କର ଚିତ୍ତ ଶୁଦ୍ଧିରେ ସହାୟକ ହୋଇଥାଏ । ଏହିସବୁ କର୍ମ ମଧ୍ୟ କଲାବେଳେ ଆସକ୍ତିରୁ ଦୂରରେ ରହିବା ଓ କର୍ମଫଳ କାମନା ନ କରିବା ଉଚିତ । ଏ ପ୍ରକାର ତ୍ୟାଗ ସାତ୍ତ୍ଵିକ; କର୍ମ କରିବାକୁ କ୍ଳେଶ ମନେକରି, ପରିଶ୍ରମକୁ ଭୟ କରି ଯେଉଁମାନେ କର୍ମ ତ୍ୟାଗ କରନ୍ତି ସେମାନଙ୍କର ତ୍ୟାଗକୁ ରାଜସିକ ତ୍ୟାଗ ଓ ମୋହ ବଶତଃ ଯେଉଁ କର୍ମ ତ୍ୟାଗ କରାଯାଏ ତାକୁ ତାମସିକ ତ୍ୟାଗ କହନ୍ତି । କୌଣସି ଶରୀରଧାରୀ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ କର୍ମରହିତ ହେବା ଅସମ୍ଭବ । କିନ୍ତୁ ଉଚିତ କର୍ମ କରିବା ସଙ୍ଗେ ସଙ୍ଗେ ଯିଏ କର୍ମ ଫଳ ତ୍ୟାଗ କରିପାରେ, ସିଏ ହିଁ ପ୍ରକୃତ ତ୍ୟାଗୀ । ମୃତ୍ୟୁ ପରେ ପାପ, ପୂଣ୍ୟ ଓ ମିଶ୍ରିତ; ଏହିପରି ତିନି ପ୍ରକାର ଫଳ ମିଳିଥାଏ, କିନ୍ତୁ ତ୍ୟାଗୀମାନଙ୍କୁ ଏପରି କୌଣସି ଫଳ ଭୋଗ କରିବାକୁ ପଡେନାହିଁ । କୌଣସି କର୍ମ ସିଦ୍ଧିରେ ଅଧିଷ୍ଠାନ, କର୍ତ୍ତା, କରଣ, ଚେଷ୍ଟା ଓ ଦୈବ ;ଏହି ପାଞ୍ଚ ପ୍ରକାର କାରଣ ଥାଏ । ସମସ୍ତ କର୍ମ, ତାହା ନ୍ୟାୟ ହେଉ ବା ଅନ୍ୟାୟ ହେଉ, ତା ମୂଳରେ ଏହି ପାଞ୍ଚଟି ହେତୁ ଥାଏ । ହେ ଗାଣ୍ଡିବୀ," ଜ୍ଞାନ ମଧ୍ୟ ସତ୍ତ୍ଵ,ରଜ, ତମ ଅନୁସାରେ ତ୍ରିବିଧ ହୋଇଥାଏ । ସମସ୍ତଙ୍କଠାରେ ଏକ ଅବିଭକ୍ତ, ଅବିନାଶୀ ଓ ନିର୍ବିକାର ସତ୍ତା ଦେଖୁଥିବା ବ୍ୟକ୍ତିର ଜ୍ଞାନକୁ ସାତ୍ତ୍ଵିକ ଜ୍ଞାନ କୁହାଯାଏ । ରାଜସ ଜ୍ଞାନ ଥିବା ଲୋକେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ଠାରେ ଭିନ୍ନ ସତ୍ତା ଉପଲବ୍ଧି କରନ୍ତି । ଅଯୌକ୍ତିକ, ଅଯଥାର୍ଥ ଓ ତୁଚ୍ଛ ତାମସିକ ଜ୍ଞାନରେ ଲୋକେ ଗୋଟିଏ ଦେହ ବା ପ୍ରତିମାରେ ଗୋଟିଏ  ଆତ୍ମା ସମ୍ପୂର୍ଣ୍ଣ ଭାବରେ ଥାଏ ବୋଲି ଅନୁଭବ କରନ୍ତି । ସେହିପରି କର୍ମ, କର୍ତ୍ତା, ବୁଦ୍ଧି ଓ ଧୃତି ମଧ୍ୟ ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ ହୋଇପାରେ । ହେ ଅର୍ଜୁନ,"ସୁଖ ମଧ୍ୟ ତିନି ପ୍ରକାର । ଯାହା ପ୍ରଥମରୁ ବିଷ ଭଳି ଲାଗିଲେ ମଧ୍ୟ ପରିଣାମ ଅମୃତତୁଲ୍ୟ ହୋଇଥାଏ, ତାହା ସାତ୍ତ୍ଵିକ ସୁଖ ଅଟେ । ରାଜସିକ ସୁଖ ବିଷୟ ଏବଂ ଇନ୍ଦ୍ରିୟ ସଂଯୋଗରୁ ଜାତ ହୁଏ । ଏହା ଆରମ୍ଭରେ ସୁଖଦାୟକ ହେଲେ ମଧ୍ୟ ପରିଣାମରେ ଦୁଃଖଦାୟକ ହୋଇଥାଏ । ଯେଉଁ ସୁଖ ପ୍ରଥମରେ ଓ ଶେଷରେ ଆତ୍ମା ମୋହକାରୀ, ନିଦ୍ରା, ଆଳସ୍ୟ ଓ ପ୍ରମୋଦରୁ ଜାତ, ତାହା ତାମସିକ ସୁଖ ଅଟେ ।” ଶ୍ରୀହରି କହିଲେ, "ହେ ଧନଞ୍ଜୟ, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରମାନଙ୍କର କର୍ମ ବିଭକ୍ତିକରଣ ମଧ୍ୟ ସ୍ୱଭାବଜନିତ ଗୁଣଦ୍ୱାରା ନିର୍ଣୀତ ହୋଇଅଛି । ବ୍ରାହ୍ମଣମାନେ ଶମ, ଦମ, ତପସ୍ୟା, ଶୌଚ, କ୍ଷମା, ସରଳତା ଜ୍ଞାନ, ବିଜ୍ଞାନ ଓ ଆସ୍ତିକ୍ୟ(  ପରଲୋକରେ ବିଶ୍ୱାସ)କୁ କର୍ମ ଭାବରେ ଗ୍ରହଣ କରିଥାନ୍ତି । କ୍ଷତ୍ରିୟମାନେ ଶୌର୍ଯ୍ୟ, ତେଜ, ଧୃତି,କୌଶଳ, ଯୁଦ୍ଧରେ ପାରଙ୍ଗମତା,ଦାନ, ଈଶ୍ୱର ଭାବ ଆଦିରେ ଭୂଷିତ ଅଟନ୍ତି । କୃଷି, ପଶୁପାଳନ,ବାଣିଜ୍ୟାଦି କର୍ମ ବୈଶ୍ୟମାନଙ୍କର ଏବଂ ସେବା ( ପରିଚର୍ଯ୍ୟାତ୍ମକ କ୍ରିୟା) ଶୂଦ୍ରମାନଙ୍କର ସ୍ୱାଭାବିକ କର୍ମ ବୋଲି  ଧରାଯାଏ । ସ୍ୱାଭାବିକ କର୍ମ ତ୍ୟାଗ କରି ଭିନ୍ନ ଧର୍ମର କାର୍ଯ୍ୟ କରିବା ଅନୁଚିତ ।ପରମ ପୁରୁଷ, ପୀତବାସ ଫାଲ୍ଗୁନୀଙ୍କୁ କହିଲେ, "ନିଜ ନିଜ କର୍ମରେ ଲିପ୍ତ ରହିଲେ ମନୁଷ୍ୟ ସେହି କର୍ମରେ ସିଦ୍ଧିଲାଭ କରିଥାଏ । ଯେତେ ଭଲରୂପେ ପରଧର୍ମାନୁଗତ କର୍ମ କଲେ ବି, ଏବଂ, ସ୍ୱଧର୍ମଗତ କର୍ମ କଲାବେଳେ ଦୋଷ ତ୍ରୁଟି ରହିଯାଉଥିଲେ ମଧ୍ୟ, ସ୍ୱଧର୍ମ ପାଳନ ଶ୍ରେୟସ୍କର । ହେ ବିବତ୍ସ, ନିରାସକ୍ତ ଓ ନିଷ୍ପୃହ ବ୍ୟକ୍ତି ଶରୀରକୁ ନିଜ ଆୟତ୍ତରେ ରଖି ନିରନ୍ତର ଅଭ୍ୟାସ ଦ୍ୱାରା ସିଦ୍ଧି ପ୍ରାପ୍ତ ହୁଅନ୍ତି । ଶୁଦ୍ଧ ବୁଦ୍ଧିଯୁକ୍ତହୋଇ, ଇନ୍ଦ୍ରିୟ ତଥା ମନ ଓ ଧ୍ୟାନଯୋଗରେ ପ୍ରବୃତ୍ତହୋଇ, ବୈରାଗ୍ୟ ଆଚରଣ କରି  ବଚନ ସଂଯମ କରି, ରାଗ, ଦ୍ୱେଷ ପରିତ୍ୟାଗ କରି, ଏକାନ୍ତରେ ବାସ କରି, ଅଳ୍ପାହାରରେ ସନ୍ତୁଷ୍ଟ ହୋଇ, ଅହଂକାର, ବଳ, ଦର୍ପ, କାମ, କ୍ରୋଧ ଓ ଲୋଭ ତ୍ୟାଗ କରି, ମମତ୍ୱ ଶୂନ୍ୟ ଓ ପ୍ରଶାନ୍ତ ଚିତ୍ତ ହୋଇଗଲେ ବ୍ରହ୍ମତ୍ୱ  ପ୍ରାପ୍ତି ହୁଏ । ବ୍ରହ୍ମତ୍ୱ ପ୍ରାପ୍ତ ବ୍ୟକ୍ତିମାନେ  ସର୍ବଜୀବରେ  ସମଦର୍ଶିତା  ଲାଭ  କରନ୍ତି  ଓ ମୋର  ପରା  ଭକ୍ତ ହୋଇଯାନ୍ତି  । ହେ ଶ୍ଵେତବାହନ, ହେ ବିଜୟ, ମତ୍ ପରାୟଣ ହୁଅ । ମୋଠାରେ ଚିତ୍ତ ନିବେଶ କର । ମୋତେ ସର୍ବକର୍ମ ସମର୍ପଣ  କରିଦିଅ । ତୁମେ ଇଛା କରି ମଧ୍ୟ ଏ ଯୁଦ୍ଧରୁ ନିବୃତ୍ତ ହୋଇ ରହିପାରିବ ନାହିଁ କାରଣ ତୁମର ସହଜାତ କ୍ଷତ୍ରିୟ ପ୍ରବୃତ୍ତି ତୁମକୁ ଯୁଦ୍ଧ କରିବାପାଇଁ ବାଧ୍ୟ କରିବ । ଏବେ ମୋହ ତୁମକୁ  ଯୁଦ୍ଧରୁ ନିବର୍ତ୍ତାଉଛି, ପରେ  ସ୍ୱଭାବ ଜାତ ପ୍ରବୃତ୍ତି ତୁମକୁ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବ । ଈଶ୍ୱର ସମସ୍ତଙ୍କ ହୃଦୟରେ ଅବସ୍ଥାନ କରି ତାଙ୍କ ଇଛା ଅନୁସାରେ ଶରୀର ରୂପକ ଯନ୍ତ୍ରଟିକୁ ଘୁରାଉଥାନ୍ତି । ତୁମେ ମଧ୍ୟ ସେହି ଈଶ୍ୱରଙ୍କର ଅର୍ଥାତ ମୋର  ଶରଣାପନ୍ନ ହୁଅ । ମୋଠାରେ ମନୋନିବେଶ  କର । ମୋତେ ଭକ୍ତି କର, ପୂଜା କର, ନମସ୍କାର କର ଓ ମୋଠାରେ ହିଁ ଶରଣ ନିଅ । "ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣମ୍ ବ୍ରଜ, ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ” । ତୁମର ଶୋଚନା କରିବାର ଆବଶ୍ୟକତା ନାହିଁ । ଯାହା କିଛି ପାପର ଆଶଙ୍କା କରୁଛ, ସେ ସମସ୍ତ ପାପରୁ ମୁଁ ତୁମ୍ଭଙ୍କୁ ଉଦ୍ଧାର କରିବି । ହେ ଅର୍ଜୁନ, ଏହି ସବୁ ଗୂଢ ତତ୍ତ୍ୱ ତୁମର ହୃଦୟଙ୍ଗମ ହେଲା ତ ? ଏହି ଗୀତା ତତ୍ତ୍ୱ ଅଭକ୍ତ, ଅଶ୍ରଦ୍ଧ,ଅଧର୍ମୀ ଓ ମୋତେ ନିନ୍ଦା କରୁଥିବା ବ୍ୟକ୍ତିମାନଙ୍କୁ କହିବ ନାହିଁ । କିନ୍ତୁ ମୋର ଭକ୍ତମାନଙ୍କୁ ଗୀତା ତତ୍ତ୍ୱ କହୁଥିବା ବ୍ୟକ୍ତି ପରମପଦ ପ୍ରାପ୍ତ ହୁଏ । ଗୀତା ଅଧ୍ୟୟନ ଓ ଗୀତା ଶ୍ରବଣରେ ମଧ୍ୟ  ପୂଣ୍ୟ ଲାଭ ହୁଏ । ତୁମେ ଅତି ଗୂଢ ଏହି ଗୀତାର ମର୍ମ ଅତ୍ୟନ୍ତ ଧ୍ୟାନ ସହକାରେ ଶୁଣିଲ । ଏବେ ମୋତେ କୁହ, ତୁମର ଅଜ୍ଞାନତା ଦୂର ହୋଇ ମୋହ ନାଶ ହେଲା ତ ? ଅର୍ଜୁନ କହିଲେ,"ହେ ମହାବାହୁ, ହେ ସର୍ବଶକ୍ତିମାନ୍, ହେ ଜଗଦୀଶ୍ଵର , ମୋର ସମ୍ପୂର୍ଣ ଭାବରେ ମୋହରାଶି ଦୂରୀଭୂତ ହୋଇଛି । ଏବେ ମୁଁ ଆପଣଙ୍କ ଆଜ୍ଞା ପାଳନ କରି ଯୁଦ୍ଧ କରିବି ।"

ଏ ସମସ୍ତ ବିଷୟ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଶୁଣାଇ ସାରି କହିଲେ,"ହେ କୁରୁଶ୍ରେଷ୍ଠ, ଆପଣ ଏବେ ବି କଣ ଭାବୁଛନ୍ତି, ଆପଣଙ୍କ ପୁତ୍ରମାନେ  ବିଜୟ ଲାଭ କରିବେ ? ଧୃତରାଷ୍ଟ୍ର ଦୀର୍ଘନିଶ୍ୱାସ ତ୍ୟାଗ କଲେ । ଚିନ୍ତା କଲେ କିଛି ସମୟ । ମନେ ମନେ କିଛି ସ୍ଥିର କରି ସଞ୍ଜୟଙ୍କୁ ନେଇ କୁରୁକ୍ଷେତ୍ର ଅଭିମୁଖେ ଯାତ୍ରା କଲେ । ଦୁର୍ଯ୍ୟୋଧନକୁ ଶେଷ ଥର ପାଇଁ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ସେଇ ଏକା ଉଦ୍ଦେଶ୍ୟ ନେଇ କୁରୁକ୍ଷେତ୍ରରେ ରଥରୁ ଅବତରଣ କରି, କୁରୁସୈନ୍ୟଙ୍କ  ଅଭିମୁଖରେ ପଦବ୍ରଜରେ ଅଗ୍ରସର ହେଉଥିବା ଯୁଧିଷ୍ଠିରଙ୍କୁ ଦେଖି ଶକୁନି କୁରୁପତିଙ୍କ କର୍ଣରେ କହିଲେ, ଆମ୍ଭର ବିଶାଳ ସୈନ୍ୟଶକ୍ତି ଅବଲୋକନ କରି ଭୟଭୀତ ଯୁଧିଷ୍ଠିର ଆସୁଛି ସମର ପ୍ରତ୍ୟାହାର ପ୍ରସ୍ତାବ ନେଇ । ଦୁର୍ଯ୍ୟୋଧନ ଅତ୍ୟନ୍ତ ଉଲ୍ଲାସ ସହକାରେ କହିଲେ, "ଆସୁ, ମୋର ଭୁଜତଳେ ଗଳି, ଶରଣ ପଶିଲେ ରାଜ୍ୟ ଛାଡ଼ିଦେବି। “ଦନ୍ତେ ତିରଣ ଗଳାରେ କୁଠାରକୁ ଧରି, ନ ମାଗିଲେ ନ ଦିଅଇ ରାଜ୍ୟକୁ ମୋହରି ।" ଯୁଧିଷ୍ଠିର ନିକଟବର୍ତ୍ତୀ ହେବାରୁ ମାନଗୋବିନ୍ଦଙ୍କ ଆଜ୍ଞାରେ ସମସ୍ତ ଯୁଦ୍ଧ ବାଦ୍ୟ ବନ୍ଦ କରାଗଲା । ଉଭୟ ଥାଟର ସୈନ୍ୟମାନେ ସ୍ତବ୍ଧ ହୋଇ ଜାଣିବାପାଇଁ ଉତ୍ସୁକ ହୋଇ ଚାହିଁ ରହିଲେ ଯେ କଣ ଘଟିବାକୁ ଯାଉଛି । ଯୁଧିଷ୍ଠିର ପ୍ରଥମେ ଯାଇ ଭୀଷ୍ମଙ୍କ ଚରଣ ସ୍ପର୍ଶ କଲେ । ସ୍ୱତଃ ପିତାମହଙ୍କ କଣ୍ଠରୁ ଆଶୀର୍ବାଦର ବାଣୀ ସ୍ଫୁରିଲା । "ଭୀଷ୍ମ ବୋଇଲେକ ତୋର ବାଞ୍ଛା ସିଦ୍ଧ ହେଉ, ଆମ୍ଭ ଆୟୁ ଘେନି ବର୍ତ୍ତ, ଶତ୍ରୁ କ୍ଷୟ ଯାଉ." ଧର୍ମରାଜ ହସିଲେ. କହିଲେ ," ମୋର ଶତ୍ରୁ ଦୁର୍ଯ୍ୟୋଧନ ହସ୍ତିନାର ପତି, ତାକୁ ଆବୋରି ପ୍ରଥମେ ହେଲୁ ସେନାପତି ।” ମୃତ୍ୟୁ ଯାର ଇଛାଧୀନ, ସମରେ ଅଜେୟ ଯେହୁ ଜାହ୍ନବୀ କୁମର, ପର୍ଶୁରାମ ପରାଜିତ ଯାହାଙ୍କ ନିକଟୁ, ତାଙ୍କ ସଙ୍ଗେ ଲଢ଼ିବାରେ କି ସାମର୍ଥ୍ୟ ମୋର ?ପିତାମହ, ବୃଥା ହେବ ଆଶୀର୍ବାଦ ତବ ।" ଭୀଷ୍ମ କହିଲେ, "ମୋ ବାକ୍ୟ ବ୍ୟର୍ଥ ହେବ ନାହିଁ Ι କିନ୍ତୁ ମୁଁ ପ୍ରତିଜ୍ଞା କରିଛି, ଦିନରେ ଦଶ ସସ୍ର ଯୋଦ୍ଧାଙ୍କୁ ମାରିବି । “ଦଶଦିନ ଯାଏ ଆମ୍ଭେ ଥିବୁଁ ହୋ ନିରୋଧି, ସେ ପର୍ଯ୍ୟନ୍ତ ରକ୍ଷାକର ତୋହର ସମୃଦ୍ଧି ।”


କ୍ରମଶଃ...

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୧୦

ଶାସ୍ତ୍ର ବିଧି ଅନୁସରଣ ନ କରି,  ଶ୍ରଦ୍ଧାରେ ଯେଉଁମାନେ ଯଜ୍ଞାଦି  ଅନୁଷ୍ଠାନ କରନ୍ତି, ସେମାନଙ୍କ ବିଷୟରେ ଅର୍ଜୁନ ଜାଣିବାକୁ ଚାହିଁବାରୁ ପ୍ରଭୁ ପରଂବ୍ରହ୍ମ ନାରାୟଣ ବୁଝାଇଲେ, ଯେଉଁମାନଙ୍କର ସତ୍ତ୍ଵ ସ୍ୱଭାବ ଯେପରି ଥାଏ, ସେମାନଙ୍କର ଶ୍ରଦ୍ଧା ମଧ୍ୟ ସେହିପରି ସାତ୍ତ୍ୱିକୀ, ରାଜସୀ କିମ୍ବା  ତାମସୀ ହୋଇଥାଏ । ସାତ୍ତ୍ୱିକୀ ଶ୍ରଦ୍ଧା ଥିବା ଲୋକେ ଦେବତାମାନଙ୍କୁ, ରାଜସୀ ଶ୍ରଦ୍ଧାଵାନ ଲୋକେ ଯକ୍ଷ ଓ ରକ୍ଷମାନଙ୍କୁ ଏବଂ ତାମସିକ ବ୍ୟକ୍ତିମାନେ ଭୂତ, ପ୍ରେତ ଆଦିଙ୍କୁ ପୂଜା କରିଥାନ୍ତି । ଶରୀରକୁ କଷ୍ଟ ଦେଇ ଯେଉଁମାନେ କୄଛ୍ର ଅଶାସ୍ତ୍ରୀୟ ସାଧନା କରି ବିଶେଷ ଲାଭ ଆଶାରେ ତପସ୍ୟା କରନ୍ତି, ସେମାନେ ଅସୁର ବ୍ରତଧାରୀ  ବୋଲି କଥିତ ହୁଅନ୍ତି । ସାତ୍ତ୍ଵିକ ଲୋକଙ୍କର ଆହାର ଆୟୁଷ,ଶକ୍ତି, ପବିତ୍ରତା ସୁଖ ଓ କ୍ଷୁଧା ବର୍ଦ୍ଧନ କରେ. ରାଜସିକ ମନୁଷ୍ୟମାନେ ପିତା, ଖଟା,ଲବଣାକ୍ତ, ଅତି ଉଷ୍ଣ, କଠିନ ଓ ଶୁଷ୍କ ଆହାର ପସନ୍ଦ କରନ୍ତି । ତାମସିକ ବ୍ୟକ୍ତିମାନେ ପଚା, ଅଇଁଠା, ବାସୀ,ଅଭକ୍ଷ ଖାଦ୍ୟରେ ସନ୍ତୋଷ ଲାଭ କରନ୍ତି । ଏହି ତିନି ପ୍ରକାରର ଶ୍ରଦ୍ଧାଥିବା ଲୋକଙ୍କର ଯଜ୍ଞ ବିଧାନ ମଧ୍ୟ ବିଭିନ୍ନ. ସାତ୍ତ୍ୱିକୀମାନେ ଫଳରେ ଆଶା ନ ରଖି, ବିଧି ଅନୁସାରେ ମନ ଓ ଚିତ୍ତ ସ୍ଥିର କରି ଯଜ୍ଞ କରନ୍ତି । ରାଜସିକ ଶ୍ରଦ୍ଧା ବିଶିଷ୍ଟ ଲୋକେ ଫଳ ଆଶା କରି, ଦମ୍ଭ ଓ ଅହଂକାର ପ୍ରଦର୍ଶନ ପାଇଁ ଯଜ୍ଞ କରନ୍ତି । ତାମସିକ ବ୍ୟକ୍ତିମାନେ ବିଧିହୀନ ଯଜ୍ଞ କରନ୍ତି, ଯେଉଁଥିରେ ଅନ୍ନ ଦାନର ବ୍ୟବସ୍ଥା ନ ଥାଏ , ପୁରୋହିତକୁ ଦକ୍ଷିଣା ଦିଆଯାଏ ନାହିଁ କିମ୍ବା କର୍ତ୍ତାର ଶ୍ରଦ୍ଧା ନ ଥାଏ । ତିନି ପ୍ରକାର ତପସ୍ୟା ଅଛି, ଶାରୀରିକ ତପସ୍ୟା, ଏ ପ୍ରକାର ତପସ୍ୟାରେ ଦେବତା, ବ୍ରାହ୍ମଣ, ଗୁରୁ, ପଣ୍ଡିତବର୍ଗଙ୍କର ପୂଜା,ଶୌଚ,ସରଳତା ଓ ଅହିଂସା ଆଚରଣ କରାଯାଏ; ବାଙ୍ମୟ ତପ, ଯେଉଁଥିରେ ବ୍ୟକ୍ତି ଅନ୍ୟର ଉଦ୍ବେଗ ବୃଦ୍ଧି କଲା ପରି ବାକ୍ୟ କହେ ନାହିଁ, ସତ୍ୟ, ପ୍ରିୟ ଅଥଚ ହିତଜନକ ବାକ୍ୟ କହେ ଓ ଯଥାବିଧି ବେଦାଭ୍ୟାସ କରେ; ଓ ମାନସିକ ତପ ଯେଉଁଥିରେ ଚିତ୍ତ ଶୁଦ୍ଧି, ମନର ପ୍ରସନ୍ନତା, ଅକ୍ରୂରତା, ମୌନ ବା ବାକ୍ ସଂଯମ,କପଟଶୂନ୍ୟତା ଆଦି ଅନ୍ତର୍ଭୁକ୍ତ । ଯଜ୍ଞ ଭଳି ସାତ୍ତ୍ଵିକ, ରାଜସିକ ଓ ତାମସିକ ଲୋକେ ତିନି ପ୍ରକାରର ତପସ୍ୟା କରିଥାନ୍ତି । ପ୍ରଥମ ଶ୍ରେଣୀ ଆକାଂକ୍ଷା ରହିତ ଶ୍ରଦ୍ଧାଯୁକ୍ତ ତପ, ଦ୍ଵିତୀୟ ଶ୍ରେଣୀ ଆକାଂକ୍ଷିତ ଵସ୍ତୁଲାଭ ଆଶାରେ ଦମ୍ଭ ସହ ତପ ଓ ତାମସିକ ଲୋକେ ପରର ବିନାଶ ନିମନ୍ତେ ତପ କରିଥାନ୍ତି । ସେହିପରି ଦାନ ମଧ୍ୟ ଏହି ତିନି ଶ୍ରଦ୍ଧାଯୁକ୍ତ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ପ୍ରକାର ମାର୍ଗରେ କରନ୍ତି । ଦେଶକାଳ ପାତ୍ର ବିବେଚନାରେ ଅସମର୍ଥ ବ୍ୟକ୍ତିକୁ ଯେଉଁ ଦାନ ଦିଆଯାଏ ତାହା ସାତ୍ତ୍ଵିକ ଦାନ; ପ୍ରତ୍ୟୁପକାର ଆଶାରେ, ପରଲୋକରେ ସ୍ୱର୍ଗପ୍ରାପ୍ତି ପାଇଁ କଷ୍ଟ ସହି ଯେଉଁ ଦାନ ଦିଆଯାଏ ତାହା ରାଜସିକ ଦାନ ଏବଂ ଅପବିତ୍ର ସ୍ଥାନରେ, ଅଶୌଚ ଅବସ୍ଥାରେ, ଅନୁପଯୁକ୍ତ ପାତ୍ରରେ ଅବଜ୍ଞା ସହିତ ଯେଉଁ ଦାନ ଦିଆଯାଏ ତାହା ତାମସିକ ଦାନ ଅଟେ । ଓଁ ତତ୍ ସତ୍ ସକଳ ବେଦ ଯଜ୍ଞ ଓ ତପରେ ବ୍ୟବହୃତ ହୁଏ କାରଣ ଏ ତିନି ନାମ ପରମାତ୍ମା ବ୍ରହ୍ମଙ୍କର.

କ୍ରମଶଃ.....

2018-01-19

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୯



ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ନାମକୁ କଳଙ୍କିତ କରିଥିଲା, ବାଳିର ବଧ ପ୍ରକ୍ରିୟା Ι ରଘୁକୁଳ ରାମଚନ୍ଦ୍ର ସୁଗ୍ରୀବ ସହ ମୈତ୍ରୀ କଲାପରେ ବାଳିକୁ ମାରି ପାରିବେ କି ନା ସୁଗ୍ରୀବଙ୍କର ସନ୍ଦେହ ଥିଲା Ι ସେ କହିଲେ,"ବିନ୍ଧିବାକୁ ଇଚ୍ଛା ଯେବେ ବାଳିକି, ବଳ କଷ ଦୁନ୍ଦୁଭି ଅସ୍ଥି ଟେକି" Ι ରାମଚନ୍ଦ୍ର ବାମ ପାଦ ବୃଦ୍ଧାଙ୍ଗୁଷ୍ଠିରେ ଟେକି ଫିଙ୍ଗି ଦେଲେ Ι ସୁଗ୍ରୀବ ଭାବିଲେ, ବାଳି ୟାକୁ ଫିଙ୍ଗିଲା ବେଳେ ସମ୍ପୂର୍ଣ ଶରୀର ଥିଲା Ι ଏବେ ଶୁଷ୍କ ହୋଇ କେବଳ ଅସ୍ଥି ପଞ୍ଜର ହାଲୁକା ହୋଇ ଯାଇଥିବାରୁ ଫିଙ୍ଗିଦେଲେ Ι ଦ୍ଵିତୀୟ ପରୀକ୍ଷା ଥିଲା, ସପ୍ତ ଶାଳ ବିନ୍ଧିବା. ସେଥିରେ ମଧ୍ୟ ରାମ ଉତ୍ତୀର୍ଣ ହେଲେ Ι ଅର୍ଥାତ୍ ରାମଚନ୍ଦ୍ର ବାଳିଠାରୁ ଅଧିକ ଶକ୍ତିଶାଳୀ ଥିଲେ Ι ତଥାପି  ବୃକ୍ଷ ଅନ୍ତରାଳରୁ ଲୁଚି ରହି ବାଳିକୁ ତୀର ମାରୁଥିଲେ କାହିଁକି ?  ବାଳି ସେତେବେଳେ ପଚାରିଥିଲା,"କାହିଁକି ଏପରି କଲେ ? ରାବଣକୁ ମାରିବା ପାଇଁ ସୁଗ୍ରୀବକୁ ମିତ୍ର କରିବା କଣ ଆବଶ୍ୟକ ଥିଲା ? ତାକୁ କାଖରେ ଜାକି ମୁଁ ସପ୍ତସିନ୍ଧୁ ବୁଲି ବୁଲି ଧ୍ୟାନ କରିଥିଲି Ι ମୋତେ କହିଥିଲେ କ୍ଷଣକରେ ଆପଣଙ୍କ ସମସ୍ୟା ସମାଧାନ ହୋଇ ଯାଇ ଥାନ୍ତା Ι ଯାହା ହେଉ ସଂସାରରେ ଲୋକେ ଆପଣଙ୍କୁ ଏହି କାର୍ଯ୍ୟପାଇଁ ନିନ୍ଦା କରିବେ କି ନାହିଁ? ଜାନକୀବଲ୍ଲଭ ବାଳିର ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ Ι ପ୍ରଥମତଃ ପତ୍ନୀ ସୀତାଙ୍କୁ ଅପହରଣ କରିଥିବା ଦୁର୍ମତି ଦଶାନନକୁ ନିଜେ ନ ମାରି ଅନ୍ୟ ଜଣକ ହାତରେ ମରାଇବା କାପୁରୁଷତା ହୋଇଥାନ୍ତା Ι ଦ୍ଵିତୀୟ ପ୍ରଶ୍ନ ହେଲା, ଲୁଚିକରି ଶର ସନ୍ଧାନ କରିବା Ι  ସୂର୍ଯ୍ୟବଂଶୀ କ୍ଷତ୍ରୀୟ ଭାବରେ  ଦୁଷ୍ଟ ଲୋକଙ୍କୁ ବିନାଶ କରିବା ତାଙ୍କର କର୍ତ୍ତବ୍ୟ Ι ରାମ କହିଲେ, “ତୁମ୍ଭେ ଅତ୍ୟାଚାରୀ, ସୁଗ୍ରୀବଙ୍କୁ ରାଜ୍ୟରୁ ଅକାରଣରେ ବିତାଡିତ କରିଛ Ι ତୁମେ ଦୁରାଚାରୀ, ସୁଗ୍ରୀବଙ୍କୁ ଦୁର୍ବଳ ଦେଖି ତାଙ୍କୁ ବାରମ୍ବାର ଲାଞ୍ଛିତ ଓ ଅପମାନିତ କରି ନିର୍ବାସିତ କରିଛ Ι ତୁମେ ବଲାତ୍କାରୀ, ସୁଗ୍ରୀବଙ୍କ ପତ୍ନୀ ତାରାଙ୍କୁ ହରଣ କରି ନିଜ ସ୍ତ୍ରୀ ଭାବରେ ଉପଭୋଗ କରୁଛ Ι ବସ୍ତୁତଃ ତୁମେ ଜଣେ ଆତତାୟୀ ଭଳି ବ୍ୟବହାର ଦେଖାଇଛ ଓ ଏପରି ମନୁଷ୍ୟ ବା ପ୍ରାଣୀଙ୍କୁ ହତ୍ୟା କରିବାରେ କିଛି ପାପ ନାହିଁ, ପୁନଶ୍ଚ, ତୁମେ ଏକ ମର୍କଟ, ବଣ୍ୟ ଜନ୍ତୁ Ι କ୍ଷତ୍ରିୟମାନେ ବଣ୍ୟ ଜନ୍ତୁ ଶିକାର କଲାବେଳେ ଲୁଚିରହି ଶିକାର କରନ୍ତି Ι ସମ୍ମୁଖରେ ରହି କେହି କାହାକୁ ଶିକାର କରିବା ଜଣା ନାହିଁ Ι” ଯଦି ତୁମେ ମୋ ଉତ୍ତରରେ ସନ୍ତୁଷ୍ଟ ନୁହେଁ ତେବେ କୁହ, ମୁଁ ତୁମକୁ ଜୀବନ ଦାନ କରିପାରେଁ Ι” ବାଳି ପ୍ରଭୁ ଶ୍ରୀରାମଙ୍କର ବାଣୀ ଶୁଣି ସନ୍ତୁଷ୍ଟ ହେଲେ ଓ ତାଙ୍କର ଶେଷ ଇଛା ଜଣାଇଲେ ଯେ ପର ଜନ୍ମରେ ପ୍ରଭୁଙ୍କ ହସ୍ତରେ ତାଙ୍କ ମୁଖ ଦର୍ଶନ କରି ମୃତ୍ୟୁ ହେଉ Ι ପ୍ରକୃତରେ ବୃକ୍ଷ ଅନ୍ତରାଳରୁ ଶର ନିକ୍ଷେପର ମୂଖ୍ୟ କାରଣ ଅନ୍ୟ କିଛି ଥିଲା Ι ବାଳି ବରପ୍ରାପ୍ତ ହୋଇଥିଲେ ଯେ, ତାଙ୍କ ସମ୍ମୁଖରେ ରହି ଯିଏ ତାଙ୍କ ସହ ଯୁଦ୍ଧ କରିବ, ତାର ଅର୍ଦ୍ଧେକ ଶକ୍ତି ବାଳିଙ୍କ ଶରୀରରେ ପ୍ରବେଶ କରିବ. ତେଣୁ ତାଙ୍କୁ କେହି ହରାଇ ପାରୁ ନ ଥିଲେ. ପୁତ୍ରମାନେ କୁରୁକ୍ଷେତ୍ରରେ Ι ହସ୍ତିନାରେ ଅନ୍ଧ ଧୃତରାଷ୍ଟ୍ର ଅସ୍ଥିର ଭାବରେ ପଦଚାରଣ କରୁଥାନ୍ତି Ι ବାରମ୍ବାର ସଞ୍ଜୟଙ୍କୁ ମହର୍ଷି  ବ୍ୟାସ ଆସିଲେ କି ନାହିଁ, ପ୍ରଶ୍ନ କରୁଥାନ୍ତି. ବ୍ୟାସ ଆସି ପହଞ୍ଚିଲେ Ι ଧୃତରାଷ୍ଟ୍ର ପ୍ରଣାମ କରି ବସିବାକୁ ଅନୁରୋଧ କଲେ ଓ ସଞ୍ଜୟଙ୍କୁ ଆସନ ଦେବାକୁ କହିଲେ Ι ବ୍ୟାସ ଆସନ ଗ୍ରହଣ କରି ଏ ସମୟରେ ସ୍ମରଣ କରିବାର ଅଭିପ୍ରାୟ ପଚାରିଲେ Ι ଧୃତରାଷ୍ଟ୍ର କହିଲେ,"କୁରୁ କ୍ଷେତ୍ର ହସ୍ତିନା(ପୁରାତନ ଦିଲ୍ଲୀ)ରୁ ଅଶ୍ୱ ଦ୍ୱାରା ଅତିକ୍ରମ କରିବାକୁ ପ୍ରାୟ ଅର୍ଦ୍ଧ ଦିବସ ଲାଗିବ Ι କୌଣସି ଦୂତ ମୋତେ ସମ୍ବାଦ ପହଞ୍ଚାଇବା ଯାଏଁ ମୁଁ ଅପେକ୍ଷା କରି ପାରିବି ନାହିଁ Ι ମନ ମୋର ସ୍ଥିର ରହୁନାହିଁ ପିତା Ι ପ୍ରତି ମୁହୂର୍ତ୍ତ ମୋର ସେ ଯୁଦ୍ଧର ବିବରଣୀ ଜାଣିବାକୁ ଇଛା ହେଉଛି Ι କିଛି ଉପାୟ କରନ୍ତୁ Ι ବ୍ୟାସ କହିଲେ," ପୁତ୍ର, ଯାହା କିଛି ଘଟିବ, ସେ ସବୁ ଦେଖିପାରିବ ତ ? ଯଦି ସାହସ ଅଛି କୁହ, ମୁଁ ତୁମକୁ ଏମିତି ଦିବ୍ୟ ଦୃଷ୍ଟି ଦେଵି, ଯାହା ଦ୍ୱାରା ତୁମେ ଏଇଠି ଥାଇ କୁରୁକ୍ଷେତ୍ରରେ ଘଟୁଥିବା ସମସ୍ତ ଘଟଣା ଦେଖି ପାରିବ “Ι ଧୃତରାଷ୍ଟ୍ରଙ୍କର ସମସ୍ତ ଶରୀର ସେ ଦୃଶ୍ୟ କଳ୍ପନାରେ ଶିହରି ଉଠିଲା. ସେ କହିଲେ, "ନା ପିତା, ସେ ସାମର୍ଥ୍ୟ ମୋର ନାହିଁ Ι କେବେ କିଛି ଭଲ ଦୃଶ୍ୟ ଦେଖି ନାହିଁ Ι ଆଜି ଏ ବିଭତ୍ସ ଦୃଶ୍ୟ ଦେଖିବାରେ ମୋର ଆଗ୍ରହ ନାହିଁ Ι ଆପଣ ଏଇ ସଞ୍ଜୟକୁ ସେ ଦିବ୍ୟ ଦୃଷ୍ଟି ଦେଇ ଯାନ୍ତୁ . ସେ ମୋତେ କ୍ଷଣ ପ୍ରତିକ୍ଷଣ ସମର ସମ୍ବାଦ.ଦେଉଥିବ” Ι ମହର୍ଷି ବ୍ୟାସ ସଞ୍ଜୟଙ୍କୁ କିଛି ବିଶେଷ ଅନୁଷ୍ଠାନ ଦ୍ୱାରା ହସ୍ତିନାରେ ଥାଇ ସମ୍ପୂର୍ଣ୍ଣ କୁରୁକ୍ଷେତ୍ରର ଘଟଣାବଳୀ  ଦେଖି ବର୍ଣ୍ଣନା କରିବାର କ୍ଷମତା ଦେଇ ବିଦାୟ ନେଲେ Ι ଧୃତରାଷ୍ଟ୍ରଙ୍କ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଲେ, " କୁରୁପତି ଦୁର୍ଯ୍ୟୋଧନ ଗୁରୁ ଦ୍ରୋଣଙ୍କୁ ନିଜ ପକ୍ଷରେ ଥିବା ମହା ମହା ବୀରମାନଙ୍କର ଶକ୍ତି ସମ୍ପର୍କରେ ଉଲ୍ଲେଖ କରି, ପାଣ୍ଡବମାନଙ୍କ ପକ୍ଷରେ ଥିବା ବୀରମାନଙ୍କ ଶକ୍ତି ସମ୍ପର୍କରେ ମଧ୍ୟ  କହିଲେ Ι ପିତାମହ ନିଶ୍ଚୟ ଏହି ଯୁଦ୍ଧର ସେନାପତି ଭାବରେ କୌରବମାନଙ୍କୁ ଜୟଲକ୍ଷ୍ମୀ ଆଣିଦେବେ ବୋଲି କହିବାରୁ ଦେବବ୍ରତ ଆନନ୍ଦରେ ଶଙ୍ଖଧ୍ୱନି କଲେ Ι ଦ୍ରୋଣ କର୍ଣ୍ଣ,କୃପ, ଅଶ୍ୱତ୍ଥାମା ଆଦି ମଧ୍ୟ ସେମାନଙ୍କର ଶଙ୍ଖ ବାଦନ କରିବା ଦେଖି, ପାଣ୍ଡବମାନେ ମଧ୍ୟ ଅନୁରୂପ ଭାବରେ ନିଜ ନିଜ ଶଙ୍ଖ ଧାରଣ କଲେ Ι କୃଷ୍ଣ ଧରିଲେ, ପାଞ୍ଚଜନ୍ୟ, ଅର୍ଜୁନ ଦେବଦତ୍ତ, ଭୀମ ପୌଣ୍ଡ୍ରକ, ଯୁଧିଷ୍ଠିର ଅନନ୍ତବିଜୟ, ନକୁଳ ସୁଘୋଷ, ସହଦେବ ମଣିପୁଷ୍ପକ ଶଙ୍ଖ Ι ଅନ୍ୟ ରାଜାମାନେ ମଧ୍ୟ  ନିଜ ନିଜର ଶଙ୍ଖ ବଜାଇବାରୁ କୁରୁକ୍ଷେତ୍ର କମ୍ପମାନ ହେଲା Ι ଶଙ୍ଖଧ୍ୱନି ସହିତ ଭେରୀ ,ମୃଦଙ୍ଗ, ନାଗରା ଓ ଶିଙ୍ଘା ଆଦି ଯୁଦ୍ଧବାଦ୍ୟ ଯୋଦ୍ଧାମାନଙ୍କୁ ଉତ୍ତେଜିତ କଲା Ι ଏହି ସମୟରେ ମାଧ୍ୟମ ପାଣ୍ଡବ ପାର୍ଥ,  ସାରଥୀ ଶ୍ରୀକୃଷ୍ଣଙ୍କୁ  କହିଲେ,"ସେନୟୋରୁଭୟୋର୍ମଧ୍ୟେ ରଥମ୍  ସ୍ଥାପୟମେଚ୍ୟୁତ !  ହେ ମାଧବ , ଉଭୟ ସେନା ମଧ୍ୟରେ ଏପରି ସ୍ଥାନରେ  ମୋ ରଥ ରଖନ୍ତୁ, ଯେଉଁଠି ଥାଇ ମୁଁ ମୋ ସହିତ ଯୁଦ୍ଧ କରିବାକୁ ଆସିଥିବା ବୀରମାନଙ୍କୁ ଦେଖିପାରିବି  Ι” ଶ୍ରୀକୃଷ୍ଣ ରଥକୁ ଠିକ ସେହିପରି ସ୍ଥାନରେ ରଖିଲେ. ଅର୍ଜୁନ ଦେଖିଲେ, ସମ୍ମୁଖରେ ପିତାମହ ଦେବବ୍ରତ, ପିତୃବ୍ୟ, ଆଚାର୍ଯ୍ୟ, ମାତୁଳ, ଭ୍ରାତା ,ପୁତ୍ର, ପୌତ୍ର ଓ ବନ୍ଧୁମାନେ ତାଙ୍କ ସହ ଯୁଦ୍ଧ କରି ପ୍ରାଣ ନେବାକୁ କିମ୍ବା ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି Ι ସେମାନଙ୍କୁ ଦେଖି ଅର୍ଜୁନଙ୍କ ହସ୍ତରୁ ଗାଣ୍ଡୀବ ଖସି ପଡିଲା Ι ଲୋମ ଟାଙ୍କୁରି ଉଠିଲା, ଚର୍ମରେ ଜ୍ୱଳନ ଯନ୍ତ୍ରଣା ଅନୁଭୂତ ହେଲା  ଓ ଚିତ୍ତରେ ଅସ୍ଥିରତା ଓ ମତିଭ୍ରମ ଆଦି ଲକ୍ଷଣ ମାନ  ଦେଖାଗଲା Ι ସେ ଧନୁତ୍ୟାଗ କରି ବିଷର୍ଣ୍ଣ ବଦନରେ ରଥ ଉପରେ ବସିପଡ଼ିଲେ Ι ଥରଥର କଣ୍ଠରେ ସେ କହିଲେ, “ହେ ଅନନ୍ତ, ହେ ଅଚ୍ୟୁତ, ହେ କେଶବ, ମୋର ରାଜ୍ୟ ଆବଶ୍ୟକ ନାହିଁ. ଧନ ଲୋଡ଼ା ନାହିଁ. ଯୁଦ୍ଧରେ ବିଜୟ ଜନିତ ସୁଖ ମଧ୍ୟ ମୁଁ ଉପଭୋଗ କରିବାକୁ ଇଚ୍ଛା କରୁନାହିଁ Ι ହେ ଗୋପାଳ," ବିପକ୍ଷର ଏହି ସୈନ୍ୟ ବା ସେନାପତିମାନେ ମୋତେ ବରଂ ମାରିଦିଅନ୍ତୁ, ଦୁଃଖ ନାହିଁ. ତ୍ରିଭୁବନ ବିନିମୟରେ ମଧ୍ୟ ମୁଁ ଏମାନଙ୍କୁ ମାରି ପାରିବି ନାହିଁ Ι ଏହି   ଯୁଦ୍ଧର ପରିଣତି ସ୍ୱରୂପ ଯେଉଁ କୁଳକ୍ଷୟ ହେବ, ସେଥିରେ ବହୁ ନାରୀ ବୈଧବ୍ୟ ଯନ୍ତ୍ରଣା ଭୋଗ କରିବେ Ι ତନ୍ମଧ୍ୟରୁ କେତେକ ବ୍ୟଭିଚାରିଣୀ ହୋଇ  ବର୍ଣ୍ଣସଙ୍କର ସନ୍ତାନମାନଙ୍କୁ ଜନ୍ମ ଦେବେ ଓ ବଂଶର ଅଧୋଗତି କରାଇବେ ତଥା ବଂଶକୁ ନର୍କଗାମୀ କରାଇବେ Ι ଏ ସମସ୍ତ ପାପରେ ଭାଗୀ ହୋଇ ମୋତେ କେଉଁ ସୁଖ ପ୍ରାପ୍ତ ହେବ?  "


କ୍ରମଶଃ.......

2018-01-18

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୮



ମହାଭାରତ ଯୁଦ୍ଧ ପାଇଁ ରଥୀ  ମହାରଥୀ ସମସ୍ତେ ପ୍ରସ୍ତୁତ Ι ସନ୍ଦେହର ଆଉ କୌଣସି ସମ୍ଭାବନା ନାହିଁ Ι ଏବେ ୟେ ଏକ ମୁହୂର୍ତ୍ତ, ଯେତେବେଳେ ଆମେ ଯୁଦ୍ଧ ଆଲୋଚନାରୁ  ବିରାମ ନେଇ ଚିନ୍ତା କରିବା ପାଇଁ, ଯୁଧିଷ୍ଠିର ଆମକୁ ବାଧ୍ୟ କରିଛନ୍ତି Ι ସତରେ କଣ ଯୁଧିଷ୍ଠିରଙ୍କ କହିବା ଅନୁଯାୟୀ "ଝିମିଟି ଖେଳରୁ ମହାଭାରତ ସୃଷ୍ଟି ?" ଏଥିରେ ତାଙ୍କ ନିଜର ଭୂମିକା କଣ ଉଣା ଥିଲା ? ଦ୍ରୌପଦୀଙ୍କର ବସ୍ତ୍ରହରଣର ଉଦ୍ୟମ କରି ଦୁର୍ଯ୍ୟୋଧନ ଓ ଦୁଃଶାସନ କଣ ମହାଭାରତ ସମରକୁ ଆମନ୍ତ୍ରଣ କରିଛନ୍ତି ? ମାୟାମହଲରେ ଦୁର୍ଯ୍ୟୋଧନ ଉଦ୍ଦେଶ୍ୟରେ ପାଞ୍ଚାଳ ରାଜକୁମାରୀଙ୍କର ଉପହାସ ମୂଳକ ଅଟ୍ଟହାସ୍ୟ କଣ ଶେଷରେ ମହାଭାରତ ଯୁଦ୍ଧରେ ପରିଣତ ହୋଇ  ଥିଲା?  କଳିଙ୍ଗସେନ ପରେ ପରେ ବିନା ନିମନ୍ତ୍ରଣରେ ଯୁଦ୍ଧରେ ଯୋଗ ଦେବାକୁ ସୈନ୍ୟମାନଙ୍କୁ ନେଇ କିରାତସେନ ନାମକ ଶବର ରାଜା ଆସି ପହଞ୍ଚିଲା . ସେ ଦୁର୍ଯ୍ୟୋଧନ ନିକଟକୁ ଯାଇ କହିଲା,"ମୋତେ ସେନାପତି କର ଦୁର୍ଯ୍ୟୋଧନ, ଏକା ଶରେ ବଧ  କରିବି ମୁଁ ଶ୍ରୀକୃଷ୍ଣ ଅର୍ଜୁନ. “ ଦୁର୍ଯ୍ୟୋଧନ କହିଲେ, ତୁ କ୍ଷତ୍ରୀୟ ନୁହେଁ. ହାତରେ କାଠର ଧନୁଟାଏ ଓ ଶର ତିନୋଟି ଧରି ଏଡ଼େ ଦର୍ପରେ କଥା କହୁଛୁ କେମିତି ? କିରାତସେନ କହିଲା ଏହି ତିନୋଟି ଶରରେ ମୁଁ ତ୍ରିଲୋକକୁ ସାଧ୍ୟ  କରି ପାରିବି Ι ଦୁର୍ଯ୍ୟୋଧନ
କହିଲେ."ଅନିବାର ବିଷ, ଅବରଣୀୟ ମଧ୍ୟସ୍ଥ, ଶକ୍ତିହୀନ କ୍ଷତ୍ରିୟ ଯେ ଆଉ ଶଠ ମିତ୍ର, ଅସତୀ ଭାରିଯା ପୁଣି ବିବାଦୀ ଯେ ଭାଇ, ଏହି ଲୋକମାନଙ୍କୁ ଯେ ବିଶ୍ୱାସ ନ ଯାଇ." ଯୁକତେ ଅରଣ୍ୟବାସୀ ଅଟୁ ମୂଢ ଜାତି, ନୀଚ ଲୋକ ସଙ୍ଗେ ଆମ୍ଭେ ନ କରୁ ଯେ ପ୍ରୀତି Ι”ଦୁର୍ଯ୍ୟୋଧନଙ୍କର କଟୁ ବାକ୍ୟ ଶୁଣି  ଶବର ରାଜ କିରାତସେନ ପ୍ରତ୍ୟାବର୍ତ୍ତନ କଲା ବେଳେ  ପଥମଧ୍ୟରେ କୃଷ୍ନାର୍ଜୁନଙ୍କୁ ଭେଟି ପଚାରିବାରୁ ନିଜର ପରିଚୟ ଓ ଆସିବାର ଉଦ୍ଦେଶ୍ୟ କହିଲେ Ι କୃଷ୍ଣ ପଚାରିଲେ, 'ତୁମର କୃଷ୍ନାର୍ଜୁନଙ୍କୁ ମାରିବା ପାଇଁ ଏତେ ପ୍ରବଳ ଇଚ୍ଛା କାହିଁକି ? ତୁମକୁ ତ ଆମ୍ଭେ କେବେ ଦେଖିନାହୁଁ କି ଜାଣି ମଧ୍ୟ ନାହୁଁ Ι ହଠାତ୍  ଭାବରେ ଏ ଯୁଦ୍ଧରେ ଯୋଗଦେବାର ଇଚ୍ଛା, ପୁଣି ଆମ୍ଭଙ୍କୁ ମାରିବାର ପ୍ରୟାସ ନେଇ ଆସିବାର କାରଣ କଣ, ନିଜକୁ ଏତେ ସମର୍ଥ ଭାବିବାର କି ଯୋଗ୍ୟତା ତୁମର ଅଛି ? କିରାତସେନ କହିଲେ, ଆପଣଙ୍କର ଭାଗ୍ୟ ଭଲ, ଦୁର୍ଯ୍ୟୋଧନ ମୋତେ ସେନାପତି କରିବାକୁ ମନା କରିଦେଲେ, ନ ହେଲେ ମୋର ସାମର୍ଥ୍ୟ ସମସ୍ତେ ଦେଖିଥାନ୍ତେ Ι ବାସୁଦେବ ଚିନ୍ତା କଲେ, ୟେ ଶବର ଅଯଥାରେ ଏତେ ଦର୍ପ ଦେଖାଉନାହିଁ Ι ପରାଜୟ ଆସନ୍ନ ଦେଖିଲେ, ଦୁର୍ଯ୍ୟୋଧନ ୟାକୁ ସେନାପତି କରି ପାଣ୍ଡବ ପକ୍ଷର ସର୍ବନାଶ କରିବାକୁ ଚିନ୍ତା କରିପାରେ Ι ତେଣୁ ସେ ଶବରରାଜ କିରାତସେନଙ୍କୁ ପାଶକୁ ଡାକି "କହିଲେ, ତୋତେ ମାଗିବି କିଛି ଦଣ୍ଡଧାରୀ, ଦେବୁ ଯଦି କହ ଏବେ ମୋତେ ସତ୍ୟ କରି Ι" କିରାତସେନର ଦର୍ପ ଥିଲା, ଅଭିମାନ ଥିଲା, ଜାତିର ଗର୍ବ ନ ଥିଲା, ହେଲେ ଜଣେ ରାଜାର ଅହଂକାର ଥିଲା Ι ସେ ତତ୍କ୍ଷଣାତ୍ ଯାହା ବି ମାଗିଲେ ଦେବି ବୋଲି ସତ୍ୟ କରିଦେଲା Ι "ତଳ ହସ୍ତରେ ମାଗିଲେ ତାକୁ ଜଗନ୍ନାଥେ, ବୋଇଲେ ଶିରକମଳ ଦେବୁ ମୋର ହସ୍ତେ Ι କିରାତ ବୋଇଲା ଦେବ, ସତ୍ୟ ମୋର ବାଣୀ, ଆପଣା ଶ୍ରୀହସ୍ତେ ପ୍ରଭୁ ମୋତେ ପକା ହାଣି Ι" ସୁଦର୍ଶନ ଚକ୍ରରେ କିରାତସେନର ମୁଣ୍ଡ ତା ଶରୀରରୁ ଅଲଗା ହୋଇଯିବା ପୂର୍ବରୁ ସେ ହସିଲା Ι କହିଲା, "ତ୍ରେତୟା ଯୁଗରୁ ମୁଁ ଅପେକ୍ଷା କରିଛି ଶ୍ରୀମୁଖକୁ ଦେଖି ମରିବା ପାଇଁ Ι ସେତେବେଳେ ବୃକ୍ଷ ଆଢୁଆଳରେ ରହି ଶର ପେଷି ମୋତେ ମାରି ଦେଇଥିଲ Ι ମୁଁ ଏହି ଆକାଂକ୍ଷା ନେଇ ପୁନର୍ବାର ଜନ୍ମ ନେଇଥିଲି, ତୁମ ହସ୍ତରେ ସୁଦର୍ଶନ ଚକ୍ର ଥିବ, ଶ୍ରୀମୁଖ ଦେଖି ମୃତ୍ୟୁ ବରଣ କରିବି ବୋଲି Ι କିନ୍ତୁ ମୋ ପୁତ୍ର ଅଙ୍ଗଦ ମଧ୍ୟ ଆଉ ଥରେ ଜନ୍ମ ଗ୍ରହଣ କରିଛି ପ୍ରଭୁ Ι ତାର କେଉଁ ଅଭୀଷ୍ଟ ପୂରଣ କରିବାପାଇଁ ତାକୁ ବଚନ ଦେଇଛ ତୁମେ ଜାଣ, ସିଏ ଜାଣେ Ι ଶ୍ରୀକୃଷ୍ଣ ହସିଲେ. ସେଇ ରହସ୍ୟମୟ  ହସ Ι ଯେଉଁ ହସ ଜଗଜ୍ଜନ ମନ ହରିନିଏ, ସେହି ହସ କିରାତସେନର ପ୍ରାଣ ହରିନେଲା Ι ପୂର୍ବ ଜନ୍ମର ବାଳି ଆଉ ଥରେ “ରିପୁ ଭାବରେ ଶ୍ରୀକୃଷ୍ଣ କରେ ମଲା ରହିଲା ଅପୂର୍ବ ଧାମରେ” Ι 



କ୍ରମଶଃ........

2018-01-17

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୭


ସେ ସମୟରେ ନାନା ପ୍ରକାର ଶୁଭ ଲକ୍ଷଣମାନ ଦେଖା ଦେଲା । ଉତ୍ତର ଦିଗରେ ହସ୍ତୀଟାଏ ଛିଙ୍କିଲା । ଦଧିଭାଣ୍ଡ ଘେନି ଶ୍ରୀୟା ନାମକ ଗୋପାଳୁଣୀ ଡାକିଲା । ଯମୁନା ନଦୀରୁ ମତ୍ସ୍ୟମାନେ ଉପରକୁ ଡେଇଁ ପୁଣି ଜଳରେ ପଡିଲେ । ପଶ୍ଚିମରେ ଶଙ୍ଖଚିଲ ଦେଖାଦେଲା । ବୃକ୍ଷରେ ଭଦଭଦଳିଆ ପକ୍ଷୀ ଉଡିଆସି ବସିଲା । ଅନେକ ମଙ୍ଗଳ ବାଦ୍ୟ ଶୁଭେ ଘୋର ଧ୍ୱନି, ଚଳିଲା ସେ ନନ୍ଦିଘୋଷ ଅନୁକୁଳ  ହେଲା । ନନ୍ଦିଘୋଷ କୁରୁକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ତେଣେ କୌରବ ସୈନ୍ୟ ସମାବେଶ ହୋଇ  ସାରିଥାଏ । ସମୁଦ୍ର ଗର୍ଜନରୁ ବଳି ଶବ୍ଦରେ କୁରୁକ୍ଷେତ୍ର କମ୍ପମାନ ହେଉଥାଏ । ପୂର୍ଵ ଅର୍ଦ୍ଧକ୍ଷେତ୍ରରେ ପାଣ୍ଡବମାନଙ୍କର ଚାରି ଉଣା ତିରିଶି ସହସ୍ର ରାଜା ଓ ପଶ୍ଚିମରେ କୌରବଙ୍କ ପକ୍ଷରେ ସତୁରି ସହସ୍ର ନରପତି ସେମାନଙ୍କର ସୈନ୍ୟ ସାମନ୍ତ, ରଥ, ଗଜ, ଅଶ୍ୱ ସହ ଉପସ୍ଥିତ ହୋଇସାରିଥାନ୍ତି । ଏହି ସମୟରେ ରାଜା କଳିଙ୍ଗସେନ ଉଭୟ ପକ୍ଷଙ୍କ ମଧ୍ୟରେ ରଥ ଉପରେ ଦଣ୍ଡାୟମାନ ହୋଇ ଉଚ୍ଚସ୍ୱରରେ ଘୋଷଣା କଲେ,"ଦୁଇ ଦଳ ମଧ୍ୟଭାଗରେ ରହି କୁହନ୍ତି ନରପତି, ନ ଲକ୍ଷ କୁଞ୍ଜର ମୋର ନ କ୍ଷୌଣୀ ପଦାତି । ବର୍ତ୍ତମାନ କହ ମୋତେ ଦୁଇ ନର ଈଶ, ଯାର ବଳ ଉଣା ଥିବ ଯିବି ତାର ପାଶ ।" (ଯାହାର ବଳ ସୈନ୍ୟ କମ୍ ଥିବ ମୁଁ ତାଙ୍କ ସହ ରହି ଯୁଦ୍ଧ କରିବି ) କୌରବ ପକ୍ଷ ନୀରବ ରହିଲେ ।ଭୀମସେନଙ୍କୁ କଳିଙ୍ଗସେନଙ୍କର ଏ ଆସ୍ଫାଳନ ସହ୍ୟ ହେଲା ନାହିଁ । "ପାଣ୍ଡବ ସୁନ୍ଦର ଭୀମ ଶୁଣି କଲା କୋପ, ବୋଇଲା କେତେ ଆରମ୍ଭେ ଦେଖାଉଛୁ ଦର୍ପ । ରେ କାର ଶବ୍ଦ ଯହୁଁ କରିଲା ପାବନି, କୌରବ ପଟେ କଳିଙ୍ଗ ଗଲା ସୈନ୍ୟ ଘେନି."  । କୃଷ୍ଣ କହିଲେ, "ବୀର  ତୁମ୍ଭର ଏ ମୂର୍ଖତା କେବେ ଦୂର ହେବ ? କିଛି କ୍ଷଣ ମାତ୍ର ନୀରବ ରହିଥିଲେ, ଏତେଗୁଡିଏ ହସ୍ତୀ ଓ ସୈନ୍ୟଙ୍କ ସହ କଳିଙ୍ଗସେନ, ଯିଏ କି ନିଜେ ମଧ୍ୟ ଅତ୍ୟନ୍ତ ଶକ୍ତିଶାଳୀ, ଆମ୍ଭ ପକ୍ଷରେ ଯୋଗ ଦେଇଥାନ୍ତା । ତୁମେ ୟେ କଣ କଲ ? "ଯୁଧିଷ୍ଠିର କହିଲେ, "ତା କଥା ଧର ନାହିଁ କେଶବ । ପିଲା ଦିନରୁ ସେ ସେମିତିକା । ଯୁଦ୍ଧ ବିଦ୍ୟା ଶିକ୍ଷା ବେଳେ ଗଦା ଦୁଇଟା ଧରି ବୁଲାଇବ  କହିବ, “କେଉଁଠି ମୋର ଏ ଗଦାକୁ ପ୍ରହାରିବି ? ପର୍ବତରେ ପିଟିଲେ ତାହା ଗୁଣ୍ଡ ହୋଇଯିବ । ଭୂମିରେ ପ୍ରହାର କଲେ, ତାହା ରସାତଳକୁ ଯିବ । ଏ ପ୍ରହାର ମୁଁ ଧୃତରାଷ୍ଟ୍ରଙ୍କ ପୁଅଙ୍କ ଉପରେ କରିବି ।" ଏ କଥା ସେ ସ୍ୱୟଂ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କୁହେ । ତା ଠାରୁ ଆଉ  କଣ ଆଶା କରାଯାଇପାରେ ? ବିଷ ଦେଲେ, ସେଥିରେ ମଲା ନାହିଁ. ନଦୀରେ କୁମ୍ଭୀର ମୁହଁରେ ପଡିଲା ,ସିଏ ୟାକୁ ମାରି ଦେଇଥାନ୍ତା ହେଲେ, ଇଏ ତାକୁ ମାରି ତା ମୁଣ୍ଡ ଫଟାଇ ଉଠିଆସିଲା । ୟେ ଯଦି  ଖେଳରେ ସେ ଶହେ ଭାଇଙ୍କି ଗୋଡ଼ାଇ ଗୋଡ଼ାଇ କ୍ଷତ ବିକ୍ଷତ କରି ନ ଥାନ୍ତା, ଆଜି ଏ ଯୁଦ୍ଧ ହୋଇଥାନ୍ତା କାହିଁକି ?" “ଯୁଧିଷ୍ଠି ମୁହଁରୁ ନିଷ୍ଠୁର କଥା ଭୀମ ଶୁଣି, କ୍ରୋଧଭରେ ଉଠିଲା ଗଦାବର ଘେନି । ଛାର କଳିଙ୍ଗସେନ ଏତେ କିମ୍ପା ଭୟକରୁଛ ?" ସେ କଳିଙ୍ଗସେନ ଯେଉଁ ପଟରେ ଥିବ, ସେ ପଟ ମୋ ଭାଗରେ ରହିଲା. ଶ୍ରୀକୃଷ୍ଣ କହିଲେ, "ତୁମେ ତାର କଣ କରିପାରିବ ଭୀମସେନ ? ନ ଲକ୍ଷ କୁଞ୍ଜର, ନ କ୍ଷୌଣୀ ପଦାତି, ଏକଶତ ପୁତ୍ର ସହ ନିଜେ ସେ କଳିଙ୍ଗସେନ ଅଟେ ମହାମଲ୍ଲ । “ଏତେ ସୈନ୍ୟ ତାର ଏକା କି ଯୁଦ୍ଧ କରିବ ? " “ଭୀମ କହିଲେ, ଭୋ ନାଥ, ହୋଇଥିବୁ ସଖା, କଳିଙ୍ଗ ସୈନ୍ୟ ଆଦିଙ୍କୁ ଦଳିଦେବି ଏକା ଶର ବଧିବି ନାହିଁ ଖଡ଼୍ ରେ ଛେଦିବି ନାହିଁ , ମାଲଯୁଦ୍ଧେ ମାରିବି ନାହିଁ , ଗଦା ନ ପିଟିବି ।" ଏ ବାଉନଭାର ଗଦା ଧରି କେବଳ ବୁଲାଇବି ଓ ସେଇ ଗଦା ଘୂର୍ଣ୍ଣନ ଜନିତ ବାୟୁ ପ୍ରବାହରେ ତାର ସମସ୍ତ ସୈନ୍ୟ ଓ ହସ୍ତୀମାନଙ୍କୁ ଶୂନ୍ୟରେ ଉଡାଇ ଯୋଜନ ଯୋଜନ ଦୂରରେ ପକାଇବି ଯେଉଁଠି ସେମାନେ ମୃତ୍ୟୁ ବରଣ କରିବେ. ଏହା ମୋର ପ୍ରତିଜ୍ଞା । ଭୀମ ମୁଖରୁ ଏହା  ଶୁଣି, ସାଧୁ,ସାଧୁ କହି କୃଷ୍ଣ କଲେ ଶଙ୍ଖଧ୍ୱନି ।



କ୍ରମଶଃ......

2018-01-15

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୬



ଶ୍ରୀକୃଷ୍ଣ କହିଲେ," ଭଲ ହେଲା. ଏମିତିରେ ଆମର ଅଧା ବିପଦ କଟିଗଲା । " ପାର୍ଥଙ୍କୁ ଛାଡି ଅନ୍ୟ ଯେଉଁ ଉପସେନାପତିମାନଙ୍କୁ ଯୁଧିଷ୍ଠିର ଶାଢ଼ୀ ବାନ୍ଧି, ମୁକୁଟ ପିନ୍ଧାଇ ନିଯୁକ୍ତି ଦେଲେ ସେମାନେ ହେଲେ, ବିରାଟ, ଦ୍ରୁପଦ ଓ ଛଅ ଜଣ ରାଜପୁତ୍ର, ଅଭିମନ୍ୟୁ, ଦ୍ରୁପଦ ନନ୍ଦନ ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ, ବିରାଟ ରାଜକୁମାର ଶଙ୍ଖ, ଶ୍ୱେତ ଓ ଉତ୍ତର । ଶ୍ରୀକୃଷ୍ଣ ନିଜ ହସ୍ତରେ ଅର୍ଜୁନଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କଲେ. ନିଜେ ସାରଥୀ ରୂପରେ ସଜ୍ଜିତ ହୋଇ ନନ୍ଦୀଘୋଷକୁ ନାନା ଅଳଙ୍କାରରେ ମଣ୍ଡଣି କଲେ । ହନୁମାନଙ୍କୁ ଧ୍ୱଜରେ ଆରୂଢ ହେବାକୁ କହିବାରୁ ସେ ଟିକିଏ ଇତସ୍ତତଃ ହେଲେ । ସେ ଭାବିଲେ, ଲଙ୍କାକୁ ବନ୍ଧା ହୋଇଥିବା ସେତୁରେ ମୁଁ ଚଢିବା କ୍ଷଣି ସେ ବନ୍ଧ ପୂର୍ବରୁ ପଶ୍ଚିମକୁ ଢଳିଗଲା । ନିଜେ ପ୍ରଭୁ ମୋତେ କାୟା  ସଙ୍କୁଚିତ କରିବାକୁ ଆଦେଶ ଦେଇଥିଲେ, ଭୁଲିଗଲେଣି ବୋଧ ହୁଏ । ଏ ରଥ ମୋ ଭାରା କଣ ସମ୍ଭାଳି ପାରିବ ?  ହନୁମାନଙ୍କ ମନର ଭାବନା ଜାଣି ପାରିଲେ. ସେ ଦେବତାମାନଙ୍କୁ ସ୍ମରଣ କରି ନନ୍ଦୀଘୋଷର ସ୍ତମ୍ଭମାନଙ୍କରେ ଅବସ୍ଥାନ କରିବାକୁ ନିର୍ଦ୍ଦେଶ ଦେଲେ । ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣ ଓ ପୁଷ୍କର ନାମକ ଚାରିମେଘଙ୍କୁ ରଥର ଉପରିଭାଗରେ ରହି ହନୁମନ୍ତଙ୍କ ଭାରା ସମ୍ଭାଳିବାକୁ କହିଲେ । "ଦିଗପାଳମାନେ ରଥ ଆବୋରିଲେ ଯହୁଁ ,ବିଚାରିଲେ ହନୁ ଭାରା କି କରିବ ଆଉ," ବିଶ୍ଵରୂପ ଧରି ହନୁମାନ ନନ୍ଦିଘୋଷ ଆରୋହଣ  କରିଲେ, ସେ ରଥ ପାତାଳକୁ ଦବିଲା । ବାସୁଦେବଙ୍କୁ ରଥ ଟେକି ଧରିବାକୁ କହିଲାରୁ ସେ ହନୁମାନଙ୍କ ସହ ମେରୁ ତୁଲ୍ୟ ଭାରି ନନ୍ଦୀଘୋଷକୁ ଫୁଲ ଭଳି ଟେକି ଦେଲେ । ପ୍ରଭୁଙ୍କ ମାୟା !  ହନୁମାନ ସେ ମାୟା ବୁଝିବେ ବା କେମିତି ? ରଥରୁ ଓହ୍ଲାଇ ପ୍ରଭୁଙ୍କୁ କ୍ଷମା ମାଗିଲେ । ନିଜେ ଶାନ୍ତ ହୋଇ କଳେବରକୁ କ୍ଷୁଦ୍ର କରି ଧ୍ଵଜାରେ ଅବସ୍ଥାନ କଲେ ।   କାଳଜୟୀ ଯେଉଁ ଅଶ୍ୱ ଚତୁଷ୍ଟୟଙ୍କୁ ନନ୍ଦୀଘୋଷ ଟାଣିବାକୁ କେଶବ ସ୍ମରଣ କଲେ, ସେମାନେ ହେଲେ, ଶଙ୍ଖ ,ଶ୍ୱେତ, ଗୋକ୍ଷୀର ଓ କାମପାଳ । ସୁଦେବ ନାମକ  ବ୍ରାହ୍ମଣଙ୍କୁ ଡାକି କୌରବ ପକ୍ଷ ଅନୁକୂଳ ଲଗ୍ନ ସ୍ଥିର କଲେ । ଶୁଭ ଲଗ୍ନ ଓ ମୁହୂର୍ତ୍ତ ପାଣ୍ଡବମାନେ ମଧ୍ୟ ପୁରୋହିତ ଧୌମ୍ୟଙ୍କ ଉପଦେଶରେ ନିର୍ଦ୍ଧାରଣ କଲେ । ଭାନୁମତୀ ହସ୍ତରେ ଅର୍ଘ୍ୟଥାଳି ଧରି ମାନଗୋବିନ୍ଦଙ୍କୁ ବନ୍ଦାଇବାକୁ ଆସିଲେ । ତାଙ୍କ ଚକ୍ଷୁ ଅଶ୍ରୁ ପୂର୍ଣ୍ଣ ଥିଲା । ସେ ସେହି ଅଶ୍ରୁକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ । ଯୁଦ୍ଧର ପରିଣତି ବିଷୟରେ ସେ ନିଶ୍ଚିତ ଥିଲେ, କିନ୍ତୁ ସମୟ ତାଙ୍କୁ ବାଧ୍ୟ କରୁଥିଲା ,ହସ୍ତିନା ମହିଷୀର ଭୂମିକା ତାଙ୍କୁ ପ୍ରେରିତ କରୁଥିଲା, ସ୍ୱାମୀଙ୍କୁ ବିଜୟ ଟୀକା ଲଗାଇ ତାଙ୍କ ମନରେ ସାହସ ଭରିଦେବା ପାଇଁ । ତେଣୁ ସ୍ୱାମୀଙ୍କୁ କ୍ଷୀଣ ଏକ ହାସ୍ୟରେଖା ସହ ସେ ବନ୍ଦନା କରି ତାଙ୍କ ମସ୍ତକରେ ଦେବୀଙ୍କ ପୂଜାରୁ ଆସିଥିବା ପୁଷ୍ପ ବର୍ଷଣ କଲେ । ତେଣେ ପାଣ୍ଡବ ଶିବିରରେ ଅର୍ଘ୍ୟଥାଳି ଧରି ଦ୍ରୌପଦୀ ଆସିଲେ । ଯୁଧିଷ୍ଠିରଙ୍କୁ ବନ୍ଦାଇ ସାରି ଗଲେ କୃଷ୍ଣାର୍ଜୁନଙ୍କୁ ବନ୍ଦାଇବା ପାଇଁ  ।ତାଙ୍କ ନୟନ ଯୁଗଳ ମଧ୍ୟ ଲୋତକାପ୍ଳୁତ ଥିଲା । ଉନ୍ମୁକ୍ତ ଆଜାନୁଲମ୍ବିତ କେଶଗୁଚ୍ଛ ଦେଖି କୃଷ୍ଣ କହିଲେ, "ସଖି, ଶୁଭ ଅନୁକୂଳ ବେଳେ ଅନ୍ତତଃ ତୁମେ ଏ କେଶ ମୁକୁଳା କରି ଆସିବାର ନ ଥିଲା ।" କୃଷ୍ଣାଙ୍କର ଲୋତକ ଉଛୁଳି ଉଛୁଳି ବହିବାରେ ଲାଗିଲା ।"ପୁନଃ ପୁନଃ ନାରାୟଣ ପୁଚ୍ଛନ୍ତି ଶ୍ରଦ୍ଧାରେ, ପ୍ରତିଉତ୍ତର ନପାରନ୍ତି ଦେଇ ସେ କ୍ରୋଧରେ ।" ଅଧର ଦ୍ୱୟକୁ  ଚାପି ଧରି ସେ ନୀରବରେ ପଛକୁ ଘୁଞ୍ଚିଗଲେ, ସୁଭଦ୍ରାଙ୍କ ହସ୍ତରେ ଅର୍ଘ୍ୟଥାଳି ଦେଇ Ι ସୁଭଦ୍ରା ବନ୍ଦନା କରିବା ପରେ ପାଞ୍ଚାଳୀ କହିଲେ, " ମୁଁ ପ୍ରାର୍ଥନା କରୁଛି ,ମା ଦୁର୍ଗା ସମସ୍ତ ବିଘ୍ନ ବିନାଶ କରନ୍ତୁ । ଆପଣମାନଙ୍କର ଯାତ୍ରା ସଫଳ ହେଉ । କିନ୍ତୁ ଏ ମୁକ୍ତ କେଶ ଏଇମିତି ମୁକୁଳା ରହିବ କେଶବ "କେଶ ବାନ୍ଧିବାକୁ ପ୍ରଭୁ କିମ୍ପା କହ ମୋତେ,ଏ ପ୍ରାଣେ କି ଆଶା, ଦୁଃଶା ଥିବା ପରିଯନ୍ତେ ?"  ଯାଜ୍ଞସେନୀର ପ୍ରତିଜ୍ଞା ଯେ ପର୍ଯ୍ୟନ୍ତ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ବିଧି ବିଧାନ ଆଳରେ ମଧ୍ୟ ବେଣୀ ବନ୍ଧନ ହେବ ନାହିଁ । "


କ୍ରମଶଃ........

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୫



ରାଜା ଦ୍ରୁପଦ ଦ୍ରୋଣ ଶିଷ୍ୟ ଅର୍ଜୁନଙ୍କଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଅର୍ଜୁନ ତାଙ୍କୁ ରାଜଯୋଗ୍ୟ ବ୍ୟବହାର ଦେଖାଇ ଦ୍ରୋଣଙ୍କ ଆସିବାକୁ ଅପେକ୍ଷା କରିବାକୁ କହି ଗୁରୁଙ୍କୁ ସମ୍ବାଦ ଦେବାକୁ ଚାଲିଗଲେ । ଏହି ସମୟ ମଧ୍ୟରେ କୌରବ ଭ୍ରାତାମାନେ ପହଞ୍ଚି ତାଙ୍କୁ ଅସହ୍ୟ ଅପମାନ ଦେଲେ । ଅବଶ୍ୟ ଦ୍ରୋଣ ଆସି ତାଙ୍କୁ ମୁକ୍ତି ଦେଲେ । କୋପାବିଷ୍ଟ ହୋଇ ଦ୍ରୁପଦ ଶିବ ଆରାଧନା କଲେ । ଅନେକ ତପସ୍ୟା ପରେ ମହାଦେବ ପ୍ରସନ୍ନ ହେଲେ ଓ ତାଙ୍କୁ ଯଜ୍ଞ କରିବାକୁ ପରାମର୍ଶ ଦେଇ କହିଲେ ଯେ ତାଙ୍କର ସନ୍ତାନମାନଙ୍କ ଦ୍ୱାରା ହିଁ କୌରବମାନଙ୍କର ଓ ଦ୍ରୋଣଙ୍କର ବିନାଶ ହେବ । ଯଜ୍ଞ ହେଲା । ସପ୍ତମ ଦିନର ପୂର୍ଣ୍ଣଆହୂତି ପରେ ଯେଉଁ ଚରୁ ପ୍ରସ୍ତୁତ ହେଲା ତାକୁ ରାଣୀଙ୍କୁ ଦିଆଗଲା । ରାଣୀ ଗର୍ଭବତୀ ହେଲେ । କିନ୍ତୁ ସନ୍ତାନ ହେବା ପରେ "ପୁତ୍ରେକ ହୋଇଲା ବୋଲି ଶବଦ ଉଛୁଳି, ରାଜାଙ୍କୁ ଗୁପ୍ତେ ଭାବି ଆସି ମୁଦୁସୁଲୀ କହିଲେ । ସ୍ତିରୀ କି ପୁରୁଷ ବେନି ଅଙ୍ଗ ନ ଦେଖିଲୁଁ, ନପୁଂସକ ହେବ ତବ ସନ୍ତାନ ଜାଣିଲୁଁ ।" ବିଷାଦଗ୍ରସ୍ତ ହୋଇ ଦ୍ରୁପଦ ଯଜ୍ଞ କର୍ତ୍ତା ବ୍ୟାସଙ୍କୁ ସ୍ମରଣ କଲେ । କହିଲେ,"ସ୍ତିରୀ କି ପୁରୁଷ ନୁହେଁ ଏ ମୋର କୁମର, ଶିର ଛେଦି ପକାଇବି ସମ୍ମୁଖେ ତୁମ୍ଭର ।" ବ୍ୟାସ ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଲେ । ପୂର୍ବ ଜନ୍ମର ଆମ୍ବା ଭୀଷ୍ମଙ୍କୁ ନାଶ କରିବାକୁ ଜନ୍ମ ନେଇଛନ୍ତି ବୋଲି ଜଣାଇ ଦେଲେ ଏବଂ ଭୀଷ୍ମ ନାଶ ଗଲେ କୌରବମାନେ ମଧ୍ୟ ନିହତ ହେବେ ବୋଲି ତାଙ୍କୁ ସାନ୍ତ୍ୱନା ଦେଲେ । ଶିର ଖଣ୍ଡିବା ପାଇଁ ଉଦ୍ୟମରୁ ବର୍ତ୍ତିଥିବା ଯୋଗୁଁ ତାର ନାମ ରଖାଗଲା 'ଶିଖଣ୍ଡୀ' ରଖାଗଲା ।ଭୂରିଶ୍ରବାଙ୍କ ପ୍ରଶ୍ନ ଅନେକଙ୍କୁ ଯଥାର୍ଥ ପ୍ରତୀୟମାନ ହେଲା। ସଭା ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହେଲା Ι ଦୁର୍ଯ୍ୟୋଧନଙ୍କ ପାର୍ଶ୍ୱରେ ଥିବା ଦୁଃଶାସନ, ଦୂର୍ଯ୍ୟୋଧନଙ୍କୁ କହିଲେ ଯେ ଭୂରିଶ୍ରବାଙ୍କୁ ଭୀଷ୍ମଙ୍କର ପ୍ରତିଜ୍ଞା ହାସ୍ୟାସ୍ପଦ ଲାଗିଲା । ଦୁର୍ଯ୍ୟୋଧନ ସଭାମଧ୍ୟରେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, "ଯେଉଁ ରାଜାମାନେ କୌରବ ପକ୍ଷର ପରାଜୟ ନିଶ୍ଚିତ ବୋଲି ଭାବୁଛନ୍ତି ଏବଂ ସେନାପତି ଭୀଷ୍ମଙ୍କର ବୀରତ୍ୱ ଓ ପ୍ରତିଜ୍ଞା ଉପରେ ଯେଉଁମାନଙ୍କର ସନ୍ଦେହ ଅଛି, ସେମାନଙ୍କ ଉଦ୍ଦେଶ୍ୟରେ ମୁଁ କହୁଛି, ଏବେ ବି ସମୟ ଅଛି. ସେମାନେ ସ୍ଵଚ୍ଛନ୍ଦରେ ପାଣ୍ଡବମାନଙ୍କ ସହିତ ଯୋଗ ଦେଇ ପାରନ୍ତି. ଭୀଷ୍ମ ଟିକିଏ ଅପମାନିତ ବୋଧ କଲେ. କହିଲେ, "ମୁଁ ଯାହା ପ୍ରତିଜ୍ଞା କରିଛି ସେଥିରୁ ତିଳେ ହେଲେ ଟଳିବି ନାହିଁ. ପ୍ରତିଦିନ ଯୁଦ୍ଧରେ ଦଶ ସହସ୍ର ସୈନ୍ୟ ବିନାଶ ନ କଲେ ମୁଁ ଅନ୍ନ ଗ୍ରହଣ କରିବି ନାହିଁ ।" ୟା ପରେ ଉପ ସେନାପତିମାନଙ୍କୁ ବରଣ କରିବାର ବିଧି ପାଳିତ ହେଲା । ଦ୍ରୋଣ,କର୍ଣ୍ଣ,ଶଲ୍ୟ,କୃପ,ଭୂରିଶ୍ରବା ଓ ଜୟଦ୍ରଥ, ଏହିମାନଙ୍କୁ ମଧ୍ୟ ପର୍ଯ୍ୟାପ୍ତ ସୈନ୍ୟଙ୍କ ସହ ଜଣେ ଜଣେ ରଥୀ ଭାବରେ ବରଣ କରାଗଲା । ଭୀଷ୍ମଙ୍କୁ ମିଶାଇ ୟେ ସପ୍ତରଥୀଙ୍କୁ ରାଜା ଦୁର୍ଯ୍ୟୋଧନ ନିଜ ହସ୍ତରେ ମୁକୁଟ ପିନ୍ଧାଇଲେ । ଏଣେ ପାଣ୍ଡବମାନଙ୍କ ଶିବିରରେ ମଧ୍ୟ ଅନୁରୂପ ଆୟୋଜନ ଚାଲି ଥାଏ । ଯୁଧିଷ୍ଠିର ସହଦେଵଙ୍କୁ କୌରବପକ୍ଷର ଆୟୋଜନ ବିଷୟରେ ପ୍ରଶ୍ନ କଲାରୁ ସେ ସପ୍ତରଥୀଙ୍କ ବିଷୟରେ କହିଲେ । ଯୁଧିଷ୍ଠିର ପଚାରିଲେ, "ଅଶ୍ଵତ୍ଥାମାକୁ ଦୁର୍ଯ୍ୟୋଧନ ସେନାପତି କଲାନାହିଁ କାହିଁକି ?" ସହଦେବ କହିଲେ, ମହାମାନୀ ଦୁର୍ଯ୍ୟୋଧନ କେବଳ ଅଭିମାନୀ ନୁହନ୍ତି । ସେ ଅନେକ ଶାସ୍ତ୍ରରେ ନିପୁଣ । ସେ ଅମର ବର ପ୍ରାପ୍ତ ହୋଇଥିବା ଅଶ୍ୱତ୍ଥାମାକୁ ଜଣେ ଉପ ସେନାନାୟକ ଭାବରେ ମଧ୍ୟ ନିଯୁକ୍ତି ଦେଲେନାହିଁ । .ଏହା କରିଥିଲେ ସେ କ୍ଷତ୍ରୀୟ ଧର୍ମର ବିରୁଦ୍ଧାଚରଣ କରିଥାନ୍ତେ । ଜୀବନକୁ ଲୋଭ ଥିବା ବ୍ୟକ୍ତିକୁ ଜଣେ ରଥୀର ସମ୍ମାନ ଦେବାକୁ ସେ ଉଚିତ ବିବେଚନା କଲେ ନାହିଁ ।


କ୍ରମଶଃ............

2018-01-12

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୪


ଗଙ୍ଗ ଶାନ୍ତନୁଙ୍କୁ ତ୍ୟାଗ କରି ଯିବା ପରେ ଶାନ୍ତନୁ ଧୀବରକନ୍ୟା ସତ୍ୟବତୀ (ମସ୍ୟଗନ୍ଧା) । ଋଷି ପରାସରଙ୍କ ସହିତ ସତ୍ୟବତୀ ପ୍ରଥମେ ଶାରୀରିକ ସମ୍ପର୍କପରେ ବ୍ୟାସଦେବ ଜନ୍ମହେଲେ ପରେ କନ୍ୟା ସତ୍ୟବତୀ ତାଙ୍କର ସୁଗନ୍ଧ ଯୋଜନ ଯୋଜନ ପର୍ଯ୍ୟନ୍ତ ମୋହିତ ହେବାରୁ ତାଙ୍କ ନାମ ଯୋଜନଗନ୍ଧାଙ୍କ ରୂପରେ ନାମ ରଖାଗଲା ,  ତାହାଙ୍କୁ ବିବାହ କରିବାକୁ ଇଚ୍ଛା କଲେ ଶାନ୍ତନୁ, କିନ୍ତୁ ଶାନ୍ତନୁ ଙ୍କ ବିବାହିତା ପତ୍ନୀ ଗଙ୍ଗାଙ୍କ ଗର୍ଭଜାତ ପୁତ୍ର ଦେଵବ୍ରତ ପରେ ରାଜା ହେବେ ଓ ଧୀବରରାଜାକନ୍ୟାଙ୍କ ଗର୍ଭଜାତ ପୁତ୍ର ରାଜା ହେବେ ନାହିଁ, ଏହି ଆଶଙ୍କାରେ ଧୀବରରାଜ କନ୍ୟାଙ୍କୁ ଶାନ୍ତନୁଙ୍କୁ ବିବାହ କରିବାକୁ କୁଣ୍ଠିତ ହେଲେ ଏବଂ ସତ୍ୟ ରଖିଲେ ଯଦି ମୋର କନ୍ୟା ଗର୍ଭଜାତ ପୁତ୍ର ରାଜା ହେବ ତାହେଲେ ମୁଁ ମୋର କନ୍ୟାକୁ ଆପଣଙ୍କ ସହିତ ବିବାହ କରିବି । ଶାନ୍ତନୁ କିନ୍ତୁ ଏ ପ୍ରସ୍ତାବରେ ରାଜି ହେଲେ ନାହିଁ ଫେରିଆସିଲେ ରାଜପ୍ରାସାଦକୁ ,ଧୀରେ ଧୀରେ ଶାନ୍ତନୁ ସତ୍ୟବତୀକୁ ଝୁରି ଝୁରି ରୋଗଗ୍ରସ୍ତ ହୋଇପଡିଲେ । କେଉଁ କାରଣରୁ ପିତାଙ୍କର ଶରୀର ଧୀରେ ଧୀରେ ରୋଗଗ୍ରସ୍ତ ହେବାରେ ଲାଗିଛି ଜାଣିବା ପାଇଁ ଗୁପ୍ତଚର ଲଗାଇଲେ , ଗୁପ୍ତଚରଟି ସମ୍ପୁର୍ଣ୍ଣ ବିବରଣୀ ଦେଵବ୍ରତଙ୍କ ଆଗରେ ପ୍ରକାଶ କଲେ । ଦେବବ୍ରତ ଏହା ଶୁଣିପାରି ଧୀବରରାଜଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ ଯେ ଆପଣଙ୍କ କନ୍ୟାଙ୍କ ଗର୍ଭଜାତ ସନ୍ତାନ ରାଜା ହେବେ, ମୁଁ ରାଜା ହେବି ନାହିଁ ବୋଲି ପ୍ରତିଜ୍ଞା କରୁଅଛି ଧୀବରରାଜ କହିଲେ ତୁମେ ସିନା ରାଜା ହେବ ନାହିଁ, କିନ୍ତୁ ତୁମ ପୁତ୍ରପୌତ୍ରାଦିତ ରାଜଗାଦି ଦାବୀ କରିବେ ଏହା ଶୁଣି ଭୀଷ୍ମ ପ୍ରତିଜ୍ଞା କଲେ ଯେ ମୁଁ ଆପଣଙ୍କର ଏ ଆଶଙ୍କା ଦୁର କରିବା ନିମନ୍ତେ ଚିରକୁମାର— ବ୍ରତ ଅବଲମ୍ୱନ କରିବି ଏହି ପ୍ରତିଜ୍ଞା କରି ଧୀବରରାଜଙ୍କ ଠାରୁ ତାଙ୍କ କନ୍ୟାଙ୍କୁ ଜନନୀ ବୋଲି ସଂବୋଧନ କରି ଆଣି ଦେବବ୍ରତ ପିତାଙ୍କୁ ସମର୍ପଣ କଲେ ସେହି ପ୍ରତିଜ୍ଞା ଅନୁସାରେ ଭୀଷ୍ମ ଚିରକୌମାରବ୍ରତ ଧାରଣ କଲେ ଏଥିପାଇଁ ଅଟଳ ପ୍ରତିଜ୍ଞାକୁ ଭୀଷ୍ମପ୍ରତିଜ୍ଞା ବୋଲାଯାଏ ଭୀଷ୍ମ ଅପୁତ୍ରକ ଥିଲେ; ତାଙ୍କୁ କିଏ ପିଣ୍ଡ ଦେବ ବୋଲି କେହି ପଚାରିବାରୁ ସେ କହିଲେ ସଂସାରର ସମସ୍ତ ଲୋକେ ମୋ ପୁଅ ଓ ମତେ ପିଣ୍ଡ ଦେବେ ଏଥିପାଇଁ ମାଘ ଶୁକ୍ଳ ଅଷ୍ଟମୀଦିନ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥ ଭୀଷ୍ମଙ୍କ ପାଇଁ ଶ୍ରାଦ୍ଧ କରନ୍ତି ଶାନ୍ତନୁଙ୍କର ଦ୍ୱିତୀୟ ପତ୍ନୀ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇ ପୁତ୍ର ଜାତ ହେଲେ ଚିତ୍ରାଙ୍ଗଦ ଏକ ଗନ୍ଧର୍ବଦ୍ୱାରା କୁମାର ଅବସ୍ଥାରେ ହତ ହେଲେ ଓ ବୀଚିତ୍ରବୀର୍ଯ୍ୟ କାଶୀରାଜଙ୍କର ୩ କନ୍ୟାଙ୍କୁ ବିବାହ କଲେ; କିନ୍ତୁ ନିଃସନ୍ତାନ ହୋଇ ମରିବାରୁ ସତ୍ୟବତୀଙ୍କ ଆଦେଶକ୍ରମେ ପରାଶରଙ୍କ ଔରସ ସତ୍ୟବତୀଙ୍କ କାନୀନ ପୁତ୍ର ବେଦବ୍ୟାସ ଦୁଇ ଅନୁଜ ଭ୍ରାତା ବିଧବା ପତ୍ନୀଙ୍କ ବିଚିତ୍ରବୀର୍ଯ୍ୟଙ୍କର ଦୁଇ ବିଧବାଙ୍କ ଗର୍ଭରୁ ଦୁଇ ପୁତ୍ର ଜନ୍ମହେଲେ ଯେଉଁ ପତ୍ନୀଟି ଚକ୍ଷୁ ବନ୍ଧ କରିଦେଇଥିଲା ତାଙ୍କର ଅନ୍ଧ ପୁତ୍ର ଧୃତରାଷ୍ଟ୍ର ଓ ଅନ୍ୟ ପତ୍ନୀ ଟିର ପାଣ୍ଡୁ ଜନ୍ମଗ୍ରହଣ କଲେ ।
ପଦେ.....
ବ୍ରହ୍ମ ଶ୍ୟ ଉର୍ବଶି ଭାର୍ଯ୍ୟା ପୁତ୍ର ବଶିଷ୍ଠମେ ବଚ ।।
ବଶିଷ୍ଠ ଚାଣ୍ଡାଳି ଭାର୍ଯ୍ୟା ପୁତ୍ର ଶକ୍ତି ମହାମୁନି ।।
ଶକ୍ତି ଚ ପକ୍ଷୀ ମାଳୟା ପୁତ୍ର ପରାସର ମୁନି ।।
ପରାସର କୈଵତ ଭାର୍ଯ୍ୟା ପୁତ୍ର ବ୍ୟାସ ମହାମୁନି ।।
ବ୍ୟାସ ଶ୍ୟା ବଧୂ ଭାର୍ଯ୍ୟାୟା ପୁତ୍ର ଧୃତରାଷ୍ଟ୍ର ପଣ୍ଡୁବ।।
ତପ ବଳେ କୂଳ ଶ୍ରେଷ୍ଠ ଆକୁଳ କୁଳ ରାକ୍ଷତ ।।


କ୍ରମଶଃ.........

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୩


ପିତା ପଦ୍ମନାଭ ବରଯାତ୍ରୀଙ୍କୁ ପାଛୋଟି ଆଣିବାକୁ କିଛିଦୂର ସୈନ୍ୟ ସେନା ସହ ଯାତ୍ରା କଲେ, କିନ୍ତୁ ନିର୍ଦ୍ଧାରିତ ସମୟ ବିତିଗଲାପରେ ବି ବରପକ୍ଷର କାହାରି ଦର୍ଶନ ମିଳିଲା ନାହିଁ । ସମ୍ବାଦ ଜାଣିବା ପାଇଁ ସେ ନିଜର ପୁତ୍ରମାନଙ୍କୁ ହସ୍ତିନା ପଠାଇଥିଲେ ।ଯେଉଁ ସମ୍ବାଦ ଆସିଲା ତାହା ଯେ କୌଣସି କନ୍ୟାପିତା ପାଇଁ ଅତ୍ୟନ୍ତ ମର୍ମନ୍ତୁଦ ଥିଲା ! ଭୀଷ୍ମ ତାଙ୍କ ପିତାଙ୍କ ଦୀର୍ଘଜୀବନ କାମନାରେ ଦାରତ୍ୟାଗ କରିଛନ୍ତି ଓ କଦାପି ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ବୋଲି ଶୁଣି ସେ ଚେତନା ହରାଇ ଢଳି ପଡିଲେ । ପୁତ୍ରମାନଙ୍କ ଚେଷ୍ଟାରେ ତାଙ୍କର ଚେତା ଫେରି ଆସିଲା । ସେ ପଚାରିଲେ,"ପିତା ଶାନ୍ତନୁ କଣ ତାଙ୍କୁ ବିବାହ କରିବାକୁ ଆଦେଶ ଦେଲେ ନାହିଁ ?" ତାଙ୍କର ସମସ୍ତ ଅନୁରୋଧ ବ୍ୟର୍ଥ ହେଲା ପିତା," ପୁତ୍ର ଜୟନାଭ କହିଲେ । ପଦ୍ମନାଭ ରାଜ୍ୟକୁ ଫେରିଲେ । କନ୍ୟା ଅମ୍ବାଙ୍କୁ ସାଙ୍ଗରେ ନେଇ ହସ୍ତିନାରେ ପହଞ୍ଚିଲେ । ଦେବବ୍ରତଙ୍କୁ ଭେଟି କନ୍ୟାକୁ ତାଙ୍କୁ ଅର୍ପଣ କରି କହିଲେ, "ସ୍ଵୟମ୍ବର କରିଥିଲି । ରାଜାମାନେ ତୁମ୍ଭର ନାମ ଶୁଣି ସ୍ଵୟମ୍ବର ସଭା ପରିତ୍ୟାଗ କରି ପଳାୟନ କଲେ । ଶାକଲ୍ୟ ରାଜ୍ୟର ରାଜପୁତ୍ର ଶାଲ୍ଵ ଅନେକ ଆଶା କରିଥିଲେ ମୋର ଏହି ରୂପବତୀ ତଥା ସର୍ବଗୁଣସମ୍ପନ୍ନା ଦୁହିତାକୁ ବିବାହ କରିବାକୁ । ସେ ମଧ୍ୟ ବାହୁଡ଼ି ଗଲେ । ଏ କନ୍ୟା ମଧ୍ୟ ଅନ୍ୟ କାହାକୁ ବିବାହ କରିବାକୁ ପ୍ରସ୍ତୁତ ନୁହେଁ । ଆପଣ ବିବାହ କରନ୍ତୁ ଅଥବା ନ କରନ୍ତୁ, ସେ ଏଇଠି ରହି ଆପଣଙ୍କ ସେବା କରିବ" । ଏତିକି କହି ରାଜା ପଦ୍ମନାଭ ଅମ୍ବାଙ୍କୁ ସେଇଠି ଛାଡି ନିଜ ରାଜ୍ୟକୁ ପଳାଇ ଆସିଥିଲେ । ଉପସ୍ଥିତ ସମ୍ପର୍କୀୟମାନଙ୍କ ମଧ୍ୟରୁ ପରାଶର ଦେବବ୍ରତଙ୍କୁ କହିଲେ,"ବତ୍ସ, ପୁତ୍ର ଜନ୍ମ ହେଲେ ସମସ୍ୟା ଉପୁଜିବ । ତୁମ୍ଭେ ଏହି କନ୍ୟାକୁ ବିବାହ କର, ବରଂ ଚାହିଁଲେ ଶାରୀରିକ ସମ୍ପର୍କ ନ ରଖି ପାର । ଦେବବ୍ରତ କହିଲେ, "ତାହା କରିବା ଅର୍ଥ ସେ କନ୍ୟା ପ୍ରତି ଅନ୍ୟାୟ କରିବା. ଶାସ୍ତ୍ରମତେ ତାହା ଗର୍ହିତ କାର୍ଯ୍ୟ ଓ ପାପ ମଧ୍ୟ । ସେ ଅମ୍ବାଙ୍କୁ ବାହାରିଯିବାକୁ ନିର୍ଦ୍ଦେଶ ଦେଲେ । ସେ ନ ଯିବାରୁ ଦାସୀମାନଙ୍କୁ ଲଗାଇ ତାଙ୍କୁ ରାଜଭବନ ବାହାରେ ଛାଡି ଦେଇ ଆସିଲେ । ଅଲିଅଳୀ ରାଜକନ୍ୟା ଅମ୍ବା ବିତାଡ଼ିତା,ଅପମାନିତା, ଉପେକ୍ଷିତା ତଥା ଲାଞ୍ଛିତା ହୋଇ ତ୍ରିବେଣୀରେ ଝାସ ଦେବାକୁ ଗଲେ । ସେଠାରେ ସେ ପର୍ଶୁରାମଙ୍କୁ ଭେଟିଲେ । କ୍ରନ୍ଦନରତା ଅମ୍ବାଙ୍କୁ ଦେଖି ପର୍ଶୁରାମ କାରଣ ପଚାରିଲେ ଓ ତାଙ୍କର ଦୁଃଖ ନିବାରଣର ପ୍ରତିଶ୍ରୁତି ଦେଲେ । “ଅମ୍ବା ବୋଇଲା ତୁ ଦେବ ଅଟୁ ମହାକ୍ଷତ୍ରୀ, ବରିଣ ବିଭା ନୋହିଲା ଦେବବ୍ରତ ମହାରଥୀ,”। ସତ୍ୟ ରକ୍ଷା କରି ମୋତେ ସ୍ୱାମୀ ଦାନ ଦେବୁ, ଦେବବ୍ରତଙ୍କ ସଙ୍ଗେ ବିବାହ ମୋର କରାଇବୁ”ପର୍ଶୁରାମ ସତ୍ୟ କରି ସାରିଥିଲେ ଗତ୍ୟନ୍ତର ନ ଥିଲା । ସେ ନିଜର ଦୁଇ ପୁତ୍ର ନୀଳରାମ ଓ ରଘୁରାମଙ୍କୁ ଦେବବ୍ରତଙ୍କ ଉଦ୍ଦେଶ୍ୟରେ ବିବାହ କରିବାର ଆଦେଶ ଦେଇ ଅମ୍ବାଙ୍କୁ ତାଙ୍କ ନିକଟକୁ ପଠାଇଲେ ।ବଦୁଇ ଭାଇ ଦେବବ୍ରତଙ୍କୁ ଭେଟି ପର୍ଶୁରାମଙ୍କ ଆଦେଶ ଶୁଣାଇଲେ ।."ମହାକ୍ଷତ୍ରୀ ପର୍ଶୁରାମ ଆଜ୍ଞା ଘେନି ବାବୁ, ଏ ଅମ୍ବା କନ୍ୟାକୁ ତୁହି ବିବାହ କରିବୁ" । ଦେବବ୍ରତ କହିଲେ, "ମୋର ପ୍ରତିଜ୍ଞା ଅଟଳ, ମୁଁ ବିବାହ କରିବି ନାହିଁ ,ପର୍ଶୁରାମଙ୍କୁ ମୁଁ ଡ଼ରିନାହିଁ , ଯାଅ କହିଦେବ, ସେ ଏ କନ୍ୟାକୁ ଅନ୍ୟ ଯାହାକୁ ହେଲେ ବିବାହ କରାଇଦେବେ ।" ନିରାଶ ହୋଇ ଦୁଇ ଭାଇ ଫେରିଲେ ସାଙ୍ଗରେ ରାଜକନ୍ୟା ଅମ୍ବାଙ୍କୁ ନେଇ. "ଅମ୍ବା କନ୍ୟା କାନ୍ଦନ୍ତି ଯେ ଅତ୍ୟନ୍ତ ବ୍ୟାକୁଳେ, ପର୍ଶୁରାମ କୋପ କଲେ । କାଳାନଳ ରୂପ ହୋଇ କୋପେ ପର୍ଶୁରାମ, ଆଗେ ପ୍ରବେଶିଲେ ଯାଇ ଦେବବ୍ରତଙ୍କ ଆଶ୍ରମ । " କ୍ରୋଧ ଜର୍ଜରିତ ହୋଇ ପର୍ଶୁରାମ ଦେବବ୍ରତଙ୍କୁ ପ୍ରଶ୍ନ କଲେ,"କେଉଁ ସାହସରେ ତୁମ୍ଭେ ମୋର ଆଦେଶକୁ ଅମାନ୍ୟ କଲ ? ମୁଁ ଜାଣେ,ଏ କନ୍ୟାକୁ ତୁମ୍ଭେ ହିଁ ବରଣ କରିଥିଲ ଅତି ଆଗ୍ରହରେ. ଏବେ ତାକୁ ବିବାହ କର, ନଚେତ୍ ତୁମ୍ଭେ ପର୍ଶୁରାମର କ୍ରୋଧକୁ ଜାଣିଛ !" ପରାଶର ମଧ୍ୟ ଦେବବ୍ରତଙ୍କୁ ପର୍ଶୁରାମଙ୍କ ପରାକ୍ରମ ବିଷୟରେ କହି ବିଷୟଟିକୁ ଆଉ ଥରେ ଚିନ୍ତା କରିବାକୁ କହିଲେ. ଏକବିଂଶ ବାର ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିଥିବା ସେହି ମହାନ୍ ବୀରଙ୍କୁ ଭୃକ୍ଷେପ ମଧ୍ୟ କଲେ ନାହିଁ ଦେବବ୍ରତ. ପରାଶର କହିଲେ,"ଏହାର ସଙ୍ଗତେ ତୁହି ନ କର ବିବାଦ, କଟାକ୍ଷ ନେତ୍ରେ ଚାହିଁଲେ ହେବ ଶିରଚ୍ଛେଦ ।" ଦେବବ୍ରତ କହିଲେ, ଆହେ ପର୍ଶୁରାମ ତୋତେ ମୋହର କି ଭୀତି ?ମୋତେ କିସ ଦେଖାଇବ ତୁମ୍ଭର ଶକତି !" ଉଭୟ ସମ୍ପର୍କୀୟ ଥିଲେ । ଦେବବ୍ରତ କହିଲେ,"ତୁମେ ଅକାରଣେ ଆମର ସମ୍ପର୍କ ନଷ୍ଟ କରୁଛ । ମୋତେ ଭୟ ଦେଖାଅ ନାହିଁ Ι" ପର୍ଶୁରାମ କ୍ରୋଧରେ ପର୍ଶୁ ଧରି ଧାଇଁଗଲେ । ଦେବବ୍ରତ ମଧ୍ୟ ଧାଇଁଆସି ତାଙ୍କ ହସ୍ତରୁ ପର୍ଶୁ ଛଡାଇ ନେଇ ତାଙ୍କୁ ମାଡି ବସିଲେ । ଗୋଟିଏ ମୁଥରେ ପର୍ଶୁରାମଙ୍କ ନାସିକାରୁ ରକ୍ତ ନିର୍ଗତ ହେଲା ।ପର୍ଶୁରାମ ଅମ୍ବାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ପିତାଙ୍କ ରାଜ୍ୟକୁ ଫେରିଯିବାକୁ ଅନୁରୋଧ କଲେ । କେଉଁ ମୁହଁ ନେଇ ସେ ପିତୃଗୃହକୁ ଯାଇଥାନ୍ତେ ? କ୍ରନ୍ଦନ କରିବାପାଇଁ ମଧ୍ୟ ତାଙ୍କର ଆଖି ଯେପରି ଶୁଖି ଯାଇଥିଲା । ସେ ଭ୍ରାତାମାନଙ୍କ ପ୍ରବୋଧନାକୁ ପ୍ରତ୍ୟାଖ୍ୟାନ କରି ତ୍ରିବେଣୀକୁ ଗଲେ । ସ୍ନାନ କରି ମାଧବଙ୍କୁ ପୂଜା କଲେ । ମାଧବଙ୍କୁ ପ୍ରାର୍ଥନା କରି କହିଲେ, ସତ୍ୟରେ ଯଦି ତୁମେ ଜଗଜ୍ଜନ ଦୁଃଖହାରୀ ହୋଇଥିବ ତେବେ ଏ ଅବଳାର ଗୁହାରୀ ଶୁଣି ତାର ମର୍ଯ୍ୟାଦା ରଖିବ ଓ ମୋର ଏ ପ୍ରତିଶୋଧ ପ୍ରତିଜ୍ଞା ପୂରଣ ହେବାରେ ସାହାଯ୍ୟ କରିବ । ଯେଉଁ ଶକ୍ତି ଯୋଗୁଁ ଭୀଷ୍ମ ଏ ଅହଂକାର ପ୍ରଦର୍ଶନ କରିଛନ୍ତି, ମୋ ପର ଜନ୍ମରେ ମୋର ରୂପ ଦର୍ଶନ ମାତ୍ରେ ତାଙ୍କର ସମସ୍ତ ଶକ୍ତି ଲୁପ୍ତ ହେବ ଓ ସେ ଶସ୍ତ୍ର ଧାରଣ କରିବାରେ ଅସମର୍ଥ ହେବେ"। ଏତିକି କହି ଅମ୍ବା ପ୍ରୟାଗରେ ଝାସ ଦେଇ ଆତ୍ମ ବିସର୍ଜନ କଲେ ।

କ୍ରମଶଃ.......

2018-01-11

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨

ସେ କହିଲେ, "ହେ ଶାନ୍ତନୁ, ତୁମ୍ଭର ସତ୍ୟ ଭଗ୍ନ ହେଲା, ଏବେ ମୁଁ ଯାଉଛି." ଶିଶୁଟି କାନ୍ଦୁଥାଏ. ଶାନ୍ତନୁ ଥରେ ଗଙ୍ଗାଙ୍କୁ, ଥରେ ପୁତ୍ରକୁ ଚାହୁଁଥାନ୍ତି। ଗଙ୍ଗାଙ୍କୁ ଯିବାର ଦେଖି ସେ ସହ୍ୟ କରି ପାରିଲେ ନାହିଁ ପଛରେ ଗୋଡ଼ାଇ ତାଙ୍କୁ ଆଲିଙ୍ଗନ କରି କହିଲେ,"ଯିବା ଯଦି ନିଶ୍ଚିତ, ଯାଅ, କିନ୍ତୁ "ଏ ଯେ ଅତ୍ୟନ୍ତ ବାଳୁତ ଜାତ ପୁତ୍ର ତୋର, କେମନ୍ତେ ବର୍ତ୍ତିବ କହ ନ ପାଇଲେ କ୍ଷୀର.?" ଲେଉଟି ଚାହିଁ କହିଲେ, ‘ଜୀଇଲେ,ଜୀଉ ମରିଲେ ମରୁ’ କଣ ହେଲା." ଶାନ୍ତନୁ ଶ୍ରଦ୍ଧାରେ ତାଙ୍କୁ ଧରି ବୁଝାଇବାକୁ ଚେଷ୍ଟା କଲାରୁ ଗଙ୍ଗା କହିଲେ, "ସତ୍ୟଭଗ୍ନ ହେଲାପରେ ମୁଁ ତୁମର ପତ୍ନୀ ନୁହେଁ, ମୁଁ ତୁମର ପ୍ରଭୁଙ୍କର ପତ୍ନୀ । ମୋତେ ସ୍ପର୍ଶ କରି ତୁମ୍ଭେ ପାପ କରିଛ. ମୁଁ ତୁମ୍ଭଙ୍କୁ ଅଭିଶାପ ଦେଉଛି, "ଏ ପୁତ୍ର ଆତ୍ମାରୁ ଜାତ ହେବ ଯେଉଁ ପୁତ୍ରେ, ହେ ଶାନ୍ତନୁ, ତୁମ୍ଭ ମୃତ୍ୟୁ ହେବ ତାର ହସ୍ତେ." ଭୟରେ ଶାନ୍ତନୁ ଗଙ୍ଗାଙ୍କୁ ଛାଡିଦେଲେ ଓ ସେ ଜଗତ ପାବନୀ ଗଙ୍ଗା ଭାବରେ ଜଳଧାରା ହୋଇ ବହିଗଲେ. "ଜୀଉ ଅବା ମରୁ" ବୋଲି ତାଙ୍କର ବକ୍ରୋକ୍ତିରୁ ଦେବବ୍ରତଙ୍କୁ ଇଚ୍ଛାମୃତ୍ୟୁ ବରଦାନ ମିଳିଗଲା. ଭୀଷ୍ମ ଗଙ୍ଗାଙ୍କର ପୁତ୍ର ଥିଲେ. ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତାଙ୍କର ଶାସ୍ତ୍ର ଜ୍ଞାନ ଓ ଶସ୍ତ୍ରଜ୍ଞାନ ଉଭୟ ବୃଦ୍ଧି ପାଇବାରେ ଲାଗିଲା। ସେତେବେଳର ରାଜାମାନଙ୍କ ମଧ୍ୟରେ ଦେବବ୍ରତଙ୍କ ପରାକ୍ରମ ଆଲୋଚିତ ହେଉଥିଲା. ପଦ୍ମଦଳ ଦେଶର ରାଜା ପଦ୍ମନାଭଙ୍କର ତିନୋଟି କନ୍ୟା ଥିଲେ. ଅମ୍ବା ଅମ୍ବିକା ଏବଂ ଅମ୍ବାଳିକା. ଅମ୍ବାଙ୍କୁ ବିବାହ ଦେବା ପାଇଁ ପଦ୍ମନାଭ ସ୍ଵୟମ୍ବର କରିଥିଲେ. କିନ୍ତୁ ଶାନ୍ତନୁଙ୍କ ଅନୁରୋଧରେ ଦେବବ୍ରତ ଅମ୍ବାଙ୍କୁ ବିବାହ କରିବାକୁ ସମ୍ମତ ହୋଇ ରାଜା ପଦ୍ମନାଭଙ୍କୁ ସମ୍ବାଦ ପ୍ରେରଣ କଲେ. ସ୍ଵୟମ୍ବର ସଭାରେ ଦୂତ ଦେବବ୍ରତଙ୍କ ପ୍ରେରିତ ସମ୍ବାଦ ପାଠ କରିବା ପରେ ଉପସ୍ଥିତ ରାଜାଗଣ ଭୀଷ୍ମଙ୍କ ଭୟରେ କନ୍ୟା ଆଶା ପରିତ୍ୟାଗ କରି ନିଜ ଦେଶକୁ ଫେରିଗଲେ. ରାଜା ପଦ୍ମନାଭ ମଧ୍ୟ ଭୀଷ୍ମ ତାଙ୍କର ଜାମାତା ହେବେ ବୋଲି ଶୁଣି ଆନନ୍ଦରେ ସେହି ପ୍ରସ୍ତବାରେ ସମ୍ମତି ପ୍ରଦାନ କଲେ ଓ ବିବାହ ପ୍ରସ୍ତୁତିରେ ଲାଗି ପଡିଲେ. ଲଗ୍ନ ସ୍ଥିର ହେଲା. ବନ୍ଧୁବାନ୍ଧବ ଓ ପଡୋଶୀ ରାଜାଗଣ ଭୀଷ୍ମଙ୍କ ବିବାହରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇ ଆସି ପହଞ୍ଚିଲେ. ମଙ୍ଗଳ ବାଦ୍ୟଧ୍ୱନିରେ ରାଜଭବନ ଶବ୍ଦାୟିତ ହେଲା. ରାଜଧାନୀ ହସ୍ତିନା ବିବାହ ଉତ୍ସବ ପାଇଁ ସଜ୍ଜିତ ହୋଇ ଇନ୍ଦ୍ରଭୁବନ ପରି ପ୍ରତୀୟମାନ ହେଲା. ବର ବେଶରେ ଦେବବ୍ରତ ମଧ୍ୟ ଇନ୍ଦ୍ରଙ୍କ ପରି ଶୋଭମାନ ହେଲେ."ଶିରେ ଶୋହେ ରତ୍ନମଣି, ମୁକୁଟ ସୁଢଳ.ହୃଦରେ ଭୂଷଣ କଣ୍ଠତଟେ ରତ୍ନମାଳ. ବାହୁରେ ତାଡ଼ ତୋଡ଼ର କର୍ଣରେ କୁଣ୍ଡଳ, ମଥା ରେ ଅର୍ଦ୍ଧ ଚନ୍ଦ୍ର ର ଟୀକା ଲଗାଇ ବାହାରିଲେ କରି ଦଧି ମତ୍ସ୍ୟ ଅନୁକୂଳ."ପଦ୍ମଦଳ ଦେଶକୁ ଯିବା ପୂର୍ବରୁ ଭୀଷ୍ମ ପିତା ଶାନ୍ତନୁଙ୍କ ଆଶୀର୍ବାଦ ନେବାପାଇଁ ତାଙ୍କର କକ୍ଷରେ ପ୍ରବେଶ କଲେ. କିନ୍ତୁ ଏ କଣ ? ଶାନ୍ତନୁଙ୍କୁ ଅଶ୍ରୁ ବର୍ଷଣ କରୁଥିବାର ଦେଖି ଭୀଷ୍ମ ବିସ୍ମିତ ହେଲେ. "ପିତାର ବିମୁଖ ଦେଖି ଭୀଷ୍ମ ପଚାରନ୍ତି, ଆନନ୍ଦ ଅଶ୍ରୁଜଳ କି ବିଷାଦ ମୂରତି (ଏତେ ଖୁସି ମଧ୍ୟରେ ଆପଣ ଦୁଃଖିତ କଣ ପାଇଁ ) ?" ଶାନ୍ତନୁ କହିଲେ ! ପୁତ୍ରର ବିବାହରେ କେଉଁ ପିତା ଆନନ୍ଦିତ ନ ହୋଇ ରହି ପାରିବ ?" ବିଷାଦର କାରଣ କହିବାକୁ ଯାଇ ଶାନ୍ତନୁ ଅଟକି ଗଲେ. ସମ୍ଭବତଃ ସେ ଆଉ ଅଧିକ କିଛି କହିବାକୁ ଇଚ୍ଛା କରୁ ନ ଥିଲେ. କିନ୍ତୁ ନ କହିଲେ ମଧ୍ୟ ତୀର ଲକ୍ଷ ସ୍ଥଳରେ ବାଜି ସାରିଥିଲା. ପିତାଙ୍କର ଅଶ୍ରୁମୁଞ୍ଚନର ଅନ୍ୟ ଦିଗଟି ଜାଣିବାକୁ ସେ ଉଦ୍ବିଗ୍ନ ଥିଲେ. ବାରମ୍ବାର ପ୍ରଶ୍ନ କଲାପରେ ଶାନ୍ତନୁ ମୁହଁ ଖୋଲିଲେ. ଭୀଷ୍ମଙ୍କର ଜନ୍ମ ବୃତ୍ତାନ୍ତ ଶୁଣାଇବା ପରେ ସେ କେମିତି ଭୀଷ୍ମଙ୍କୁ ବଞ୍ଚାଇବାକୁ ଯାଇ ଗଙ୍ଗାଙ୍କ ଦ୍ୱାରା ଅଭିଶପ୍ତ ହେଲେ, ତାହା ବ୍ୟକ୍ତ କଲେ. କହିଲେ, "ତୋହରି ମାତା ଯେ ଅବିଶାପ ଦେଇଅଛି ମୋତେ, ଶିର ଚ୍ଛେଦନ ହୋଇବ ତୋର ପୁତ୍ର ହସ୍ତେ". “ପିତାର ବଚନ ଶୁଣି ଭୀଷ୍ମ କରି ଆଣ୍ଟ, ବେଗେ କାଢି ପକାଇଲେ ମଥାରୁ ମୁକୁଟ”। ପରାଶର କହିଲେ, “ଏ କଣ କଲ ଭୀଷ୍ମ ? ମୁକୁଟ କାଢ଼ି ପକାଇଲ କାହିଁକି ? ନିଜେ ଶାନ୍ତନୁ ମୁକୁଟଟି ଧରି ଆଉ ଥରେ ପିନ୍ଧାଇବାକୁ ଚେଷ୍ଟା କଲେ । ସେ କହିଲେ, ଏଇଥି ପାଇଁ ମୁଁ ଅଭିଶାପ କଥା କହୁ ନ ଥିଲି । ସମସ୍ତଙ୍କର ଦିନେ ନା ଦିନେ ମୃତ୍ୟୁ ଅବଧାରିତ । ମୋର ମଧ୍ୟ ମୃତ୍ୟୁ ହେବ । ତୁମର ପୁତ୍ର ନ ହେଲେ ଏ ବଂଶର ଉତ୍ତରାଧିକାରୀ ହେବ କିଏ ?” କିନ୍ତୁ ସିଏ ଥିଲେ ପିତାମହ ଭୀଷ୍ମ ! ଉପସ୍ଥିତ ରାଜନ୍ୟମଣ୍ଡଳୀ ଓ ବରଯାତ୍ରୀ ବନ୍ଧୁବାନ୍ଧବମାନଙ୍କୁ ସମ୍ବୋଧନ କରି ଭୀଷ୍ମ କହିଲେ," ଆପଣମାନେ ଜାଣିଛନ୍ତି, ପିତା ଧର୍ମଃ, ପିତା ସ୍ଵର୍ଗଃ , ପିତା ହିଁ ପରମଂ ତପଃ । ମୋ ପୁତ୍ର ହସ୍ତରେ ଯଦି ମୋ ପିତାଙ୍କର ନିଧନ ହେବା ନିଶ୍ଚିତ, ତେବେ ମୋର ପୁତ୍ର ହେବା ଧିକ୍ । "ଦକ୍ଷିଣାବର୍ତ୍ତକ ଶଙ୍ଖେ ଜଳ ତିଳ ଭରି, ଦାରା ସଂହରିଲେ ଭୀଷ୍ମ ସଂକଳପ କରି । ଦଶଦିଗପାଳଙ୍କୁ, ଦେବତାମାନଙ୍କୁ, ଉପସ୍ଥିତ ଜନତାକୁ ସାକ୍ଷୀ କରି ମୁଁ ଗଙ୍ଗାପୁତ୍ର ପ୍ରତିଜ୍ଞା କରୁଛି ,”ଯେତେକାଳ ପରିଯନ୍ତେ ଥିବ ମୋ ଶରୀର, ସତ୍ୟ ସତ୍ୟ ତିନିବାର ନିୟମ ମୋହର. ନୋହୁ, ନୋହୁ ଭାରିଯା ହିଁ ସନ୍ତାନ ନ ହେଉ, ମୋର ପିତାଙ୍କର ଯେହ୍ନେ ନ ତୁଟଇ ଆୟୁ” । ଭୀଷ୍ମଙ୍କର ଏହି ପ୍ରତିଜ୍ଞା ଶୁଣି ଉପସ୍ଥିତ ଜନତା ଯେ କେବଳ ଭୁରି ଭୁରି ପ୍ରଶଂସା କଲେ ତାହା ନୁହେଁ, ଦେବବାଣୀ ମଧ୍ୟ ହେଲା ଯେ "ଧନ୍ୟ ଭୀଷ୍ମ, ଧନ୍ୟ ତୁମେ । ତୁମ୍ଭର ଏହି ପିତୃ ଭକ୍ତି, ଏହି ଭୀଷଣ ପ୍ରତିଜ୍ଞା, ଯାବତ ଚନ୍ଦ୍ରାର୍କେ ଜନମୁଖରେ ଏବଂ ଜନଶ୍ରୁତିରେ ଅମର ହୋଇ ରହିବ । ଆଜି ଠାରୁ ତୁମ୍ଭର ନାମ ଭୀଷ୍ମ ହେଲା" ।

କ୍ରମଶଃ..........

2018-01-10

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧



ମହାଭାରତ ତଥା ଅନ୍ୟାନ୍ୟ ପୁରାଣ ଅନୁସାରେ ଶାନ୍ତନୁ ଥିଲେ ହସ୍ତିନାପୁରର ରାଜା, ଯେ କି ଭୀଷ୍ମ ବା ଦେବବ୍ରତଙ୍କ ପିତା ତଥା କୁରୁ ପାଣ୍ଡବ ମାନଂକ ପିତାମହ ଥିଲେ । ସେ ଭରତ ଗୋତ୍ର ତଥା ଚନ୍ଦ୍ର ବଂଶଜ ଥିଲେ । ମଥାରେ ଅର୍ଦ୍ଧଚନ୍ଦ୍ରର ଟୀକା ବ୍ୟବହାର କରୁଥିଲେ, ସେ ତାଙ୍କ ପଇତା ରାଜା ପ୍ରତୀପଂକ ତୃତୀୟ ପୁତ୍ର ଥିଲେ । ଶାନ୍ତନୁଙ୍କ ପ୍ରଥମ ଅଗ୍ରଜ ଦେବାପି କୁଷ୍ଠ ରୋଗାକ୍ରାଂତ ହୋଇ ରାଜ୍ୟ ଉତ୍ତରାଧିକାର ତ୍ୟାଗ କରି ସନ୍ୟାସୀ ହୋଇଥିଲେ । ମଧ୍ୟମ ଅଗ୍ରଜ ବହ୍ଲୀକ ପିତୃ ଦେଶ ତ୍ୟାଗ କରି ମାତୁଳ ଦେଶ ବଲ୍ଖର ରାଜା ହୋଇଥିଲେ । ତେଣୁ ଶାନ୍ତନୁ ହସ୍ତିନାପୁର ରାଜତ୍ୱ ପ୍ରାପ୍ତ ହୋଇଥିଲେ । ଶାନ୍ତନୁ ତାଙ୍କ ପୂର୍ବ ଜନ୍ମରେ ଇକ୍ଷାକୁ ବଂଶର ଜଣେ ପ୍ରତାପଶାଳୀ ରାଜା ଥିଲେ ଓ ତାଙ୍କା ନାମା ଥିଲା ମହାଭିଷ । ସେ ତାଙ୍କ ପୁଣ୍ୟ ଓ ଯଜ୍ଞ ବଳରେ ସ୍ୱର୍ଗ ପ୍ରାପ୍ତି ହୋଇଥିଲେ । ଥରେ ବ୍ରହ୍ମାଙ୍କ ଏକ ଦେବ ସଭାରେ ଅନେକ ଦେବଗଣ ଏକତ୍ରିତ ହୋଇଥିଲେ ଯେଉଁଥିରେ ଦେବୀ ଗଙ୍ଗା ତଥା ମହାଭିଷ ମଧ୍ୟ ଥିଲେ । ହଠାତ୍‍ ପବନରେ ଦେବୀ ଗଙ୍ଗାଙ୍କ ବସ୍ତ୍ର ଉଡିଯାଇଥିଲା । ଏଥିରେ ସେଠାରେ ଉପସ୍ଥିତ ସମସ୍ତ ଦେବ ଗଣ ମୁହଁ ତଳକୁ କରିଦେ‍ଇଥିଲାବେଳେ ମହାଭିଷ ଗଙ୍ଗାଂକୁ ଚାହିଁରହିଥିଲେ । ତାଙ୍କର ଏ ମାନବୀୟ ଆଚରଣରେ ବ୍ରହ୍ମା କ୍ଷୁବ୍ଧ ହୋଇଏ ତାଙ୍କୁ ଓ ଦେବୀ ଗଙ୍ଗାଂକୁ ମର୍ତ୍ତ୍ୟରେ ଜନ୍ମ ନେବାକୁ ଅଭିଶାପ ଦେ‍ଇଥିଲେ ।ଯେତେବେଳେ ଗଙ୍ଗା ସେ ଦେବସଭାରୁ ଫେରୁଥିଲେ, ସେତେବେଳେ ଅଷ୍ଟ ବସୁ ତାଙ୍କୁ ପ୍ରାର୍ଥନା କରିଥିଲେ କି ଗଙ୍ଗା ମାନବ ଜନ୍ମରେ ସେମାନଂକୁ ତାଙ୍କ ପୁତ୍ର ଭାବେ ସେ ଜନ୍ମ ଦେବେ । ଗଙ୍ଗା ଏଥିରେ ରାଜି ହୋଇଥିଲେ । ମର୍ତ୍ତ୍ୟରେ ଶାନ୍ତନୁ ଓ ଗଙ୍ଗା ପୂର୍ବୋକ୍ତ ବ୍ରହ୍ମା ଅଭିଶାପ ଅନୁଯାୟୀ ଶାନ୍ତନୁ ମର୍ତ୍ତ୍ୟରେ କୁରୁ ରାଜା ପ୍ରତୀପଙ୍କ ପୁତ୍ର ଭାବେ ଜନ୍ମ ନେଇ ହସ୍ତିନାପୁର ରାଜା ହୋଇଥିଲେ ।“ଭୀଷ୍ମ ପ୍ରତିଜ୍ଞା” ବୋଲି ଲୋକେ କଥା କଥାରେ ଉଦାହରଣ ଦେଇଥାନ୍ତି। ଆଜି କାଲିର ଯୁବାବର୍ଗଙ୍କ ମଧ୍ୟରୁ ଅଧିକାଂଶ ସେ ବିଷୟର ବିସ୍ତୃତ ତଥ୍ୟ ଜାଣି ନ ଥିବେ କାରଣ ଅନେକ ଗୁଡିକ କଥା ଲୋକଲୋଚନକୁ ଆସିନଥାଏ । ଗଙ୍ଗା ଶାନ୍ତନୁଙ୍କୁ ମହାଦେବ ଭାବି ତାଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ. କିନ୍ତୁ ବିବାହ ସମୟରେ ଋଷି ଦୁର୍ବାସା ମନ୍ତ୍ରୋଚ୍ଚାରଣ ମଧ୍ୟରେ କୁଳ ଗୋତ୍ର ଆଦି ପଚାରିବାରୁ, ଶାନ୍ତନୁ କହିଲେ ଯେ, ତାଙ୍କର ସୋମ ଗୋତ୍ର, ପିତା ପୃଥୁ, ପ୍ରପିତା କୁରୁ ଓ ବୃଦ୍ଧ ପ୍ରପିତା ସମ୍ବରଣ। ଏହା ଶୁଣି ଗଙ୍ଗା ବିବାହ କରିବାକୁ ରାଜି ହେଲେ ନାହିଁ. ସେ କହିଲେ, "ସଦାଶିବଙ୍କର କୁଳ ଗୋତ୍ର ନାହିଁ,ଇଏ ପିନାକୀ ନୁହନ୍ତି ।ତେଣୁ ମୁଁ  ବିବାହ କରିବି ନାହିଁ. କିନ୍ତୁ ବିବାହ ସଂକଳ୍ପ ସରିଥିଲା. ଗଙ୍ଗାଙ୍କର ପିତା ହିମନରେଶ ବହୁ ଅନୁନୟ ବିନୟ କଲାରୁ ସେ ବିବାହ ପାଇଁ ରାଜି ହେଲେ ସତ, କିନ୍ତୁ ଗୋଟିଏ ସର୍ତ୍ତରେ, "ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି." ଅର୍ଥାତ୍, ଶାନ୍ତନୁ ତାଙ୍କୁ କୌଣସି ଭୁଲରେ ଆକଟ କରିବେ ନାହିଁ, କିମ୍ବା ତାଙ୍କର ଆଜ୍ଞାକୁ ଅବଜ୍ଞା କରିବେ ନାହିଁ। ସେ ଶାନ୍ତନୁଙ୍କୁ କହିଲେ,"ଭର୍ତ୍ସନା ନ କରିବୁ, ନ ଦେବୁ ମୋତେ ଗାଳି, ଅନୁକ୍ଷଣେ ଖଟିଥିବୁ ମୋତେ ପ୍ରତିପାଳି. "ଅଗତ୍ୟା ଶାନ୍ତନୁ ଏହି ସର୍ତ୍ତରେ ରାଜି ହେଲେ ଏବଂ ବିବାହ ସମ୍ପନ୍ନ ହେଲା. ହେଲେ ଶାନ୍ତନୁ ରାଜାଙ୍କ ସଙ୍ଗେ ନିତ୍ୟ କରେ କଳି. ବାଆସ୍ତରି ଉପବାସ ରାଜାଙ୍କର ଥିଲା, କଟାଳ କରି ସେ ବ୍ରତ ସବୁ ଛଡାଇଲା”। ବାସ୍ତବରେ ଶାନ୍ତନୁ ଥିଲେ ରାଜର୍ଷି, ରାଜକାର୍ଯ୍ୟ ସହ ସେ ଋଷିମାନଙ୍କର ସବୁ ଅନୁଷ୍ଠାନ ବିଧି ଅନୁସାରେ କରୁଥିଲେ। ନିର୍ଜଳା ଏକାଦଶୀ ଉପବାସ ଦିନ ଗଙ୍ଗା ତାଙ୍କୁ ବାଧ୍ୟ କରି ଖୁଆଇଲେ. ଶାନ୍ତନୁ କେତେବେଳେ ଶ୍ରଦ୍ଧାରେ ତାଙ୍କ ପାଖକୁ ଆସିଲେ, ତାଙ୍କୁ ପେଲିଦେଇ ଦୂରକୁ ପଳାନ୍ତି। ତାଙ୍କର ଶ୍ରୁଵ, ଶ୍ରୁଚ, ଦଣ୍ଡ, କମଣ୍ଡଳୁ ସବୁ ନେଇ ନିଆଁରେ ପକାଇ ଦିଅନ୍ତି. "ଅବିରତେ ପେଟ ମାଡି ରହିଥାନ୍ତି କାନ୍ଦି, ତିନିଦିନେ ଅନ୍ନ ବେଳେ ନ ଦିଅନ୍ତି ରାନ୍ଧି ଗାଢ଼େଣ ଧରନ୍ତି ଯେତେବେଳେ ତପୋବନ୍ତ, କେଶ ଧରି ମୁନିଙ୍କୁ ସେ ମାରନ୍ତି ବହୁତ, ଋଷିଙ୍କ ବସନ ଚିରି ବାମ୍ଫିରେ ପକାନ୍ତି । ବୋଲନ୍ତି ତୁ ବୁଢ଼ା ପୁଣି ଅଟୁରେ କୁଢଙ୍ଗା, ଏମିତି ଅନେକ ଶାସ୍ତି ଦିଅନ୍ତି ଗଙ୍ଗା.” କିଛିଦିନ ପରେ ଗଙ୍ଗା ଗର୍ଭବତୀ ହେଲେ. ସମୟ ପୂର୍ଣ୍ଣ ହେବାରୁ ପୁତ୍ରଟିଏ ଜନ୍ମ ହେଲା. ଶାନ୍ତନୁ ପୁତ୍ର ଜନ୍ମ ହେବାର ଆନନ୍ଦରେ ଆତ୍ମହରା ହୋଇ ପ୍ରସୂତି ଗୃହରେ ପ୍ରବେଶ କଲେ । କିନ୍ତୁ ସେ ପୁତ୍ର ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କରି ସମ୍ମୁଖରେ ଗଙ୍ଗା କଟାରୀଟିଏ ନେଇ ଶିଶୁଟିକୁ ହାଣି ଦି ଗଡ଼ କରିଦେଲେ. ଶାନ୍ତନୁଙ୍କର ଇଛା ହେଉଥିଲା ତତ୍କ୍ଷଣାତ୍ ଗଙ୍ଗାଙ୍କୁ ଏହି କ୍ରୁର କର୍ମର ଦଣ୍ଡ ଦେବାକୁ. କିନ୍ତୁ ସେ ନିଜକୁ ସମ୍ଭାଳି ନେଲେ। ଭାବିଲେ, ଦଶମାସ ଗର୍ଭରେ ଧାରଣ କରି ଯଦି ସେ ତା ପୁତ୍ରକୁ ନିଜ ହସ୍ତରେ ନିଧନ( ହତ୍ୟା) କରି ପାରିଲା, ଯଦି ତା ମନରେ ଏଥିପାଇଁ ଟିକିଏ ବି ଅନୁତାପ ନାହିଁ, ତେବେ ମୁଁ ସହି ନ ଯିବି କାହିଁକି ?ଏମିତି ଥରେ ନୁହେଁ, ଦ୍ଵିତୀୟ ,ତୃତୀୟ ପୁତ୍ରମାନଙ୍କୁ ମଧ୍ୟ ଗଙ୍ଗା ଜନ୍ମ ପରେ ପରେ ହିଁ ହତ୍ୟା କରୁଥାନ୍ତି. ଶାନ୍ତନୁ କିନ୍ତୁ ଏହା ମଧ୍ୟରେ ଗଙ୍ଗାଙ୍କୁ ଭଲ ପାଇଁ ବସିଥାନ୍ତି. ତାଙ୍କର ଏତେ ଜଘନ୍ୟ ଅପରାଧ ସବୁକୁ ସେ ଏଇଆ ଭାବି ସହ୍ୟ କରୁଥାନ୍ତି ଯେ, "ଆମ୍ଭେ କୋପ କଲେ ଘରୁ ବାହାରି ସେ ଯିବ, ଘର ଖଣ୍ଡେ କରିଅଛୁଁ ସଙ୍ଗେ ସଙ୍ଗେ ତାହା ଭାଙ୍ଗିବ. ପଚାରନ୍ତି ପ୍ରେମରସ ବେଳେ ତପୋଧନ,କେଉଁ କାରଣରୁ ପୁତ୍ରଙ୍କୁ ହତ୍ୟା କରୁଛ ? " ଗଙ୍ଗା କହିଲେ ମୋର ସେ ଦୁଷ୍ଟ ପ୍ରକୃତି, ସଦଭାବ ନାହିଁ ମୋର ପତି ପୁତ୍ର ପ୍ରତି.” ସେ ମଧ୍ୟ ନିଜ ଜିଦ୍ ରେ ଅଟଳ ଥିଲେ ଯେ ସେ ଶାନ୍ତନୁଙ୍କୁ ସତ୍ୟଭ୍ରଷ୍ଟ କରାଇ ବିଦାୟ ନେବେ.ସାତଟି ପୁତ୍ରଙ୍କୁ ଜନ୍ମ ପରେ ମୃତ୍ୟୁ ଦେଇ ସାରିଲା ପରେ ଅଷ୍ଟମ ପୁତ୍ର ଜନ୍ମ ହେବା କ୍ଷଣି ଶାନ୍ତନୁ ଆସି ଉପସ୍ଥିତ ହେଲେ " ଶାନ୍ତନୁ କହିଲେ, ଦେଖି ଲାଭ କଣ ? ଯିଏ ଆମ୍ଭ ଭାଗ୍ୟରେ ନାହିଁ, ତାକୁ ଦେଖି କି ଆନନ୍ଦ ପ୍ରାପ୍ତି ହେବ ? ଗଙ୍ଗା କହିଲେ, "ପୁତ୍ର ମୁଖ ଦେଖିଲେ ସ୍ୱର୍ଗପ୍ରାପ୍ତି ହୁଏ. ଜନ୍ମ ଜନ୍ମର ଅପୁତ୍ରିକ ଦୋଷ କଟିଯାଏ । ଆସ ଆସ ଦେଖ ତୁମ ପୁତ୍ର ସୁଲକ୍ଷଣ." ଶାନ୍ତନୁ ପୁତ୍ର ନିକଟକୁ ଗଲେ. ସୁନ୍ଦର, ସୁକୁମାର, ସୁଢଳ ଲକ୍ଷଣବନ୍ତ ପୁତ୍ରଟିକୁ ଦେଖୁଁ ଦେଖୁଁ ତାଙ୍କର ମାୟା ଜାତ ହେଲା। ପିଲାଟିକୁ ଧରିବାକୁ ହାତ ବଢ଼ାଇବା କ୍ଷଣି ଗଙ୍ଗା ଉଠାଇଲେ କଟାରୀ.ଶାନ୍ତନୁଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। କଟାରୀ ସମେତ ଗଙ୍ଗାଙ୍କର ହାତକୁ ଧରି ଶାନ୍ତନୁ ପୁତ୍ରକୁ ଅନ୍ୟ ହସ୍ତରେ ଉଠାଇ ନେଲେ. କହିଲେ,"ସପ୍ତମ ପୁତ୍ର ମାରି ତୋର ନ ପୂରେ ଅଭୀଷ୍ଟ, ଆଲୋ ଆଲୋ ଗାଙ୍ଗୀ ତୁହି ଏଡ଼େ ମନ୍ଦ ଦୁଷ୍ଟ, ସଂସାରେ ଅଛନ୍ତି ଯେତେ ଦୋଷୀ ଅପବିତ୍ର, ସବୁରି ପାତକ ପଡୁ ତୋ ମୁଣ୍ଡରେ ନିତ୍ୟ." ଶାନ୍ତନୁଙ୍କର ସେହି ଅଭିଶାପ ବ୍ୟର୍ଥ ହୋଇ ନ ଥିଲା. ଗଙ୍ଗାସ୍ନାନ କରି, ଗଙ୍ଗାରେ ଅସ୍ଥି ବିସର୍ଜନ କରି ଲୋକେ ସେମାନଙ୍କର ପାପ ଗଙ୍ଗାଙ୍କୁ ଦେଇ ନିଷ୍ପାପ ହୋଇ ଲେଉଟନ୍ତି। ଏଥର ଶାନ୍ତନୁଙ୍କର ଆଉ ନିଜ ଉପରେ ନିୟନ୍ତ୍ରଣ ନ ଥିଲା. ଗଙ୍ଗାଙ୍କୁ ଚାପୁଡ଼ାଏ ମାରି ଠେଲିଦେଲେ. ଗଙ୍ଗା ତାହାହିଁ ଖୋଜୁଥିଲେ ।
ଏହି ସନ୍ତାନ ମାନେ ଥିଲେ ଅଷ୍ଟବସୁ। ସେମାନେ ସବୁ ତାଙ୍କ ପୂର୍ବଜନ୍ମ କର୍ମ ଯୋଗୁଁ ଅଭିଶାପ ପାଇଥିଲେ ମର୍ତ୍ତ୍ୟରେ ଜନ୍ମ ହେବେ ବୋଲି ସପ୍ତମବସୁ ତାଙ୍କର ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କଲେ ଯାହା ଫଳରେ ଜନ୍ମହେବା କିଛି ସମୟରେ ପରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ ଋଷି କିନ୍ତୁ ଅଷ୍ଟମବସୁ ଥିଲେ ଭୀଷ୍ମ ସେ ତାଙ୍କର ଭୁଲ ପାଇଁ ସମ୍ପୂର୍ଣ୍ଣ ଜୀବନ ମର୍ତ୍ତ୍ୟରେ ରହି ପ୍ରାୟଶ୍ଚିତ କରିବେ ବୋଲି ନିଷ୍ପତ୍ତି ନେଲେ । ଯେତେବେଳେ ଗଙ୍ଗା ତାଙ୍କର ଅଷ୍ଟମ ପୁତ୍ରକୁ ନଦୀରେ ବିସର୍ଜନ କରିବାକୁ ଉଦ୍ୟତ ହୁଅନ୍ତି, ସେତେବେଳ ଶାନ୍ତନୁ ତାଙ୍କୁ ଅଟକାଇଥିଲେ । ସେତେବେଳେ ଗଙ୍ଗା ସେ ଶିଶୁ ପୁତ୍ରକୁ ଛାଡି ଚାଲିଗଲେ , ମାତ୍ର ସର୍ତ୍ତ ଭଂଗ ହୋଇଥିବାରୁ ଶାନ୍ତନୁଙ୍କୁ ଛାଡି ଚାଲିଯା‍ଇଥିଲେ ଓ ମାନବୀ ରୂପ ପରିତ୍ୟାଗ କରିଥିଲେ ।
ଏହି ଅଷ୍ଟମ ଶିଶୁ ବଡ ହୋଇ ଦେବବ୍ରତ ପିତାମହ ଭୀଷ୍ମ ହୋଇଥିଲେ ।
କ୍ରମଶଃ..........

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...