ମା କାଳୀ ଆମ ଗାଁର ଅଧିଷ୍ଠାତ୍ରୀ ଦେବୀ....ସୁଖ ଦୁଃଖ,ହସ ଲୁହ ସବୁଥିରେ ମାଆ ସାଥିରେ ଥାଏ । ମାଆକୁ ବର୍ଷରେ ଥରେ ପୂଜା ମଣ୍ଡପରେ ଦେଖିବାକୁ ପାଇଁ ଗାଁ ଲୋକ ଅନେଇ ରହିଥାନ୍ତି । ଜାତି ଧର୍ମ ବର୍ଣ୍ଣ ଶେଷରେ ମାଆ ତ ସଭିଙ୍କର। କାଳୀପୂଜା ଆମ ଗାଆଁରେ ଭାଇଚାରାର ପ୍ରତୀକ । ୩୬ ବର୍ଷ ହେବ ମାଆ ପୂଜା ପାଉଛନ୍ତି ଗାଆଁରେ । ୧୯୮୮ ମସିହାର କଥା ପୂର୍ବରୁ ମା ଦୁର୍ଗାଙ୍କ ପୂଜା ହୁଏ ଗାଁ ରେ ଅଭାବ ଅନାଟନ ଭିତରେ ମା ଦୁର୍ଗାଙ୍କୁ ଦୁଇ ପଞ୍ଚାୟତ କୁ ହସ୍ତାନ୍ତର କରାଗଲା କାରଣ ସେତେବେଳେ ଯେଉଁ ପରିସ୍ଥିତି ଥାଏ ଗୋଟେ ଗାଁ ପୂଜା କରିବା କ୍ଷମତା ନଥାଏ । ଗାଆଁର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ମାଆ କୁ କଲିକତାରୁ ଆଣି ଚାଳ ଛାମୁଣ୍ଡିଆ କରି ପୂଜା ଆରମ୍ଭ କରିଥିଲେ କିଛି ପୁରୁଖା ଲୋକ ଯେଉଁମାନେ କଲିକତାରେ ରହି ଥିଲେ ସେହି ଦିନରୁ ମାଆ ବାର୍ଷିକ ପୂଜା ସହିତ ସମସ୍ତେ ଅତ୍ୟନ୍ତ ସନ୍ତର୍ପଣ ସହିତ ଯୋଡି ହୋଇଛନ୍ତି ।
ଯେଉଁଦିନ ମାଆର ଭସାଣି ହୋଇଥାଏ ସେଦିନ ଗାଁ ଟା ଖାଁ ଖାଁ ଲାଗେ ଯେମିତି ଶୀରି ଚାଲିଯାଇଛି । କିଛି ଦିନ ପୂର୍ବରୁ ଅଗୁରୁ,ଚନ୍ଦନ, ଧୂପ,ଦୀପ ବାସ୍ନାରେ ମହକି ଉଠୁଥିବା ଗାଁ ଦାଣ୍ଡରେ ପୁଣି ନିରବତା ବିରାଜିଥାଏ । ଗାଁକୁ ଯିଏ ଯେତେ ଦୂର ବିଦେଶରୁ ଆସିଥାନ୍ତି ମାଆ ବିଦାୟ ନେବା ପରେ ପରେ ସେମାନେ ମଧ୍ୟ ଫେରିଯାଆନ୍ତି କର୍ମକ୍ଷେତ୍ରକୁ । ଫେରିବା ବେଳେ ଆଖି ଲୁହରେ ଜକେଇ ଯାଏ । ସଦ୍ୟ ବ୍ୟବହାର ହୋଇଥିବା ମଣ୍ଡପ ଭିତରେ ଥିବା ସେ କାଠ ମେଢ଼କୁ ଦେଖି ମାଆର ମୃଣ୍ମୟୀ ମୂର୍ତ୍ତି କିଛି ସମୟ ମନ ଭିତରେ ଛାପି ହୋଇ ରହିଯାଏ ।
କଥାରେ ଅଛି ମାଆ ପୂଜା ପାଇବା ବେଳେ ଯିଏ ଯାହା ମାନସିକ କରି ମାଗିଥାଏ ମାଆ ତାକୁ ନିଶ୍ଚୟ ପୁରା କରିଥାଏ ।ବିଜ୍ଞାନ କୁ ବିଶ୍ୱାସ କରୁଥିବା ଲୋକ ,ଆଧ୍ୟାତ୍ମିକକୁ ପାଖରୁ ଦେଖିଛି। ଆମ ଗାଆଁ ର ଅନେକ ପରିବାର ପୁଅଟି ପାଇଁ ମାଆ ପାଖରେ ଅଧିଆ ପଡନ୍ତି ....ମାଆ ଉପରେ ତାଙ୍କର ଅଗାଢ଼ ଭରସା ।
ଦୁଇମାସ ପୂର୍ବରୁ କାଳୀ ପୂଜା ପାଇଁ ମା କାଳୀ ପୂଜା କମିଟି ସଭା ହୁଏ । ମୁଁ ଦେଖିଛି ସଭାରେ ଗାଆଁର ପ୍ରତ୍ୟେକ ଯୁବକ ମାଆଙ୍କର ଶ୍ରଦ୍ଧାଳୁ ଭାଗ ନିଅନ୍ତି । ସେହି ସଭାରେ ଆୟଵ୍ୟୟ ହିସାବ ହୋଇ ଚାନ୍ଦା ସ୍ଥିର ହୁଏ ।ପୂଜା ରେ କେତେ ଖର୍ଚ୍ଚ, ସଜାସଜି,ତୋରଣ ଆଦିରେ କେତେ ଖର୍ଚ୍ଚ ,ପ୍ରସାଦ କେତେ ଖର୍ଚ୍ଚ ,ଡ୍ରାମା ପାଇଁ କେତେ ଖର୍ଚ୍ଚ।
ଏମିତି ହିସାବ କରୁ କରୁ ବଜେଟ ଉଣା ହୋଇଯାଏ ।ଡ୍ରାମା ପାଇଁ ଟଙ୍କା କେଉଁଠୁ ଆସିବ??,ମୁରବି ସାହସ ଦିଅନ୍ତି ଆରେ ସବୁ ମାଆର ଇଛା। ମାଆ ଚାହିଁଲି ଚାରି ରାତି ଡ୍ରାମା ହେବ ।ଟଙ୍କା ଉଣାଥାଏ କେଜାଣି କେମିତି ଟଙ୍କା ଆୟୋଜନ ହୋଇଯାଏ ସେ କଥା ମାଆ ଜାଣେ ।ଗାଆଁରେ ବନ୍ଧୁ ବାନ୍ଧବ ଝିଅ-ଝିଆଣି ଭର୍ତ୍ତି ହୋଇଯାନ୍ତି ।ଗାଆଁଟା ପୁରିଲା ପୁରିଲା ପରି ଲାଗେ ଯେମିତି ଏକ ଗର୍ଭ ଧାରିଣୀ ମାଆ। ମୁଁ ମନେ ପକାଏ ଯେଉଁମାନେ ବୃତ୍ତିଗତ ଜୀବନ ଗାଆଁ ବାହାରେ ଦୂର ସହରରେ ବିତାଉଛନ୍ତି ସମସ୍ତେ ଆସିଗଲେଣି ନାଁ ନାହିଁ । ଅନନ୍ୟ ଲାଗେ ସେ ଘର ବାହୁଡା ବେଶଭୂଷା । ଗାଆଁ ଦାଣ୍ଡ ପାନ ଛିପରେ ରଙ୍ଗୀନ ହୋଇଥାଏ ।
ମୋ ଆଖି ଉଠିବା ଦିନରୁ ମୁଁ ଦେଖୁଛି ମାଆ ମାଟିରୁ ଦେବୀ ହେବା ପର୍ଯ୍ୟନ୍ତ ସେ ପ୍ରକ୍ରିୟା । ମାଟି ଅନୁକୂଳ ହୁଏ । ନଡ଼ାରେ ମାଆର ଅସ୍ଥି କଙ୍କାଳ ତିଆରି ହୁଏ । ପ୍ରଥମେ ଏକ ମାଟିଆ ତା' ପରେ ମୁଣ୍ଡ ଲାଗେ । ଚଣ୍ଡୀ, ଚାମଣ୍ଡା ମୁଣ୍ଡ ଲାଗିବା ଦେଖିବା ପାଇଁ ମୁଁ ଉତ୍କଣ୍ଠା ସହ ଅପେକ୍ଷା କରେ । ମୂର୍ତ୍ତିକାର , ଅରକ୍ଷିତ ଭାଇ ମନରେ ଏଥର କଣ କଳ୍ପନା ଆସିଥିବ ସେ ହିଁ ଜାଣିଥିବେ ଏକା । ପୂଜା କମିଟି କହି ଦେଇଥାନ୍ତି ଆଗୁଆ,ଏମିତି କରିବା ସେମିତି କରିବା ମାତ୍ରା ହେଲା ବେଳକୁ ତାହା ହୁଏ ଯାହା ମାଆର ଇଛା ।ଯେବେ ଠୁ ମୂର୍ତ୍ତି ତିଆରି ଆରମ୍ଭ ହୁଏ ସେବେ ଠୁ ମୁଁ ସେହି ଜାଗା ରେ ଡେରା ପକାଇ ଦିଏ । ଭୋକ ଶୋଷ ଭୁଲି ସେଇଠି ବସେ। ମୂର୍ତ୍ତି ତିଆରି ଦେଖେ । ମୂର୍ତ୍ତିକାର ଭାଇ ନିଜେ ଆରମ୍ଭ ଦିନ ଠୁ ମୂର୍ତ୍ତି ଗଢି ଆସୁଛି ।ଏହି କାମ ରେ ତାଙ୍କ ପୁରା ପରିବାର ଲାଗିପଡ଼େ ।ଛୋଟ ପିଲା ଥିଲି, ନା ଶିବ ତତ୍ତ୍ୱ ଜାଣିଥିଲି ନା ଶକ୍ତି ତତ୍ତ୍ୱ । କୌତୁହଳ ରେ ପୁରୁଖା ଲୋକଙ୍କୁ ପଚାରେ ,କାଳୀ ଠାକୁରାଣୀ କହିଁକି ଶିବ ଠାକୁର ଉପରେ ପାଦ ପକାଇ ଜିଭ କାମୁଡ଼ି ଦେଇଛନ୍ତି ଟିକେ କୁହ ତ ??
କାଳୀ ଠାକୁର ହେଉଛନ୍ତି ଭାଇ ବୋହୁ ଓ ଶିବ ଠାକୁର ତାଙ୍କ ଦେଢ଼ଶୁର । ସେ ରାତିରେ ଉଲଗ୍ନ ହୋଇ ବୁଲି ଦୁଷ୍ଟଙ୍କୁ ନାଶ କରି ତାଙ୍କ ରକ୍ତ ପିଅନ୍ତି ।ଶିବ ଠାକୁର ତାକୁ ରୋକିବା ପାଇଁ ଦିନେ ଦୁଆର ବନ୍ଧରେ ଶୋଇ ପଡିଲେ । କାଳୀ ଠାକୁରାଣୀଙ୍କୁ ଜଣା ନାହିଁ । ଅଜାଣତରେ ତାଙ୍କ ପାଦ ଶିବ ଠାକୁର ଉପରେ ପଡି ଯାଇଛି ସେଥିପାଇଁ ସେ ଜିଭ କାମୁଡି ଦେଇଛନ୍ତି ।
ମୁଁ ଦୀର୍ଘନିଶ୍ୱାସ ମାରି କହେ ,ଓଃ....
ଆଚ୍ଛା ....ପୁରାଣ ଦକ୍ଷତା ଉପରେ ମୋର ଟୀକା ଟିପ୍ପଣୀ କରିବାର ନାହିଁ । ମାତ୍ର ଏହି ତତ୍ତ୍ୱରୁ ସହଜେ ଅନୁମେୟ ଦେଢ଼ଶୁର ଭାଇ ବୋହୁଙ୍କ ସମ୍ପର୍କ କେତେ ଶାଳୀନତା ପୂର୍ଣ୍ଣ । ମୁଁ ନିଜେ ଦେଖିଛି ଭାଇବୋହୁ ମାନେ ହାତେ ଲମ୍ବର ଓଢଣୀ ଦେଢ଼ଶୁର ଆଗରେ ଟାଣନ୍ତି । ଯେମିତି ଲାଗେ ଭାଇବୋହୁ ଓ ଦେଢ଼ଶୁର ମୁହଁ ଦେଖା ଦେଖି ଆମ ସଂସ୍କୃତି ବିରୋଧୀ ।ଛାଡ଼ନ୍ତୁ ସେ କଥା ,ଅନ୍ୟଦିନେ ଆଲୋଚନା କରିବା, ଏବେ ଚାଲନ୍ତୁ ମିଟିଙ୍ଗ ଭିତରେ ପଶିବା
ପୂଜା କମିଟି ସଭାପତି ,କେସିୟର ମୁଖ୍ୟ ମେମ୍ବରଙ୍କ ଉପରେ ଫଣ୍ଡ ମ୍ୟାନେଜମେଣ୍ଟକୁ ନେଇ ପ୍ରବଳ ଚାପ । କେମିତି କମ୍ ପଇସାରେ ସବୁଠୁ ଭଲ ସାଉଣ୍ଟ ସିଷ୍ଟମ ,ତୋରଣ,କପଡା ସିଲିଂ ହେବ । ପୂଜା ପାଞ୍ଚ ଦିନ ପୂର୍ବରୁ ମାପଚୁପ ହୋଇ ଗାତ ଖୋଳା ହେବ ବୋଲି ଜୀବନ,ମିଥୁନୁ କୁ କଡା ନିର୍ଦ୍ଦେଶ ଦିଆଯାଏ ।
ଦଶ ଦିନ ଆଗରୁ ବଜେଟକୁ ମେକଅପ କରିବା ପାଇଁ ଗାଆଁରେ ଯାର ବାଉଁଶ ବୁଦା ଅଛି ତାଠୁ ମାଗଣାରେ ବାଉଁଶ ଅଣାଯାଏ । ଉଦ୍ଦେଶ୍ୟ ହେଉଛି ଫଣ୍ଡ ମ୍ୟାନେଜମେଣ୍ଟ । ସେ ବାଉଁଶ ମଣ୍ଡପ ପ୍ରାଙ୍ଗଣ ଓ ଗାଆଁ ଦାଣ୍ଡ ସଜାରେ ଲାଗିବ । ଟେଣ୍ଡ ଵାଲା ଶେଷରେ ସେ ବାଉଁଶ ପଇସାକୁ କାଟି ତାର ପ୍ରାପ୍ୟ ନେବେ । ଥରେ ଚିନ୍ତା କରନ୍ତୁ ତ କୌଣସି ମ୍ୟାନେଜମେଣ୍ଟ ସ୍କୁଲରେ ମଧ୍ୟ ଏମିତି ମ୍ୟାନେଜମେଣ୍ଟ ଶିଖା ଯାଇନଥିବ ଯାହା ସେତେବେଳେ ଚାଲିଥିଲା , କେମିତି ନିଅଣ୍ଟ ରୋକିବା ତାହା ପ୍ରତିଟି ଆଦାୟକାରୀଙ୍କ ମୁଣ୍ଡରେ ଥାଏ । ଗାଆଁରୁ ଘର ପିଛା ସର୍ବ ନିମ୍ନ ଚାନ୍ଦା ଆଦାୟ ପ୍ରତି ସନ୍ଧ୍ୟା ରେ ହୁଏ । ଗାଆଁ ବୁଲିଲା ବେଳେ ପ୍ରତି ପରିବାରର ଅଭାବ ଅସୁବିଧା ସଂଘର୍ଷ ଦେଖିବାକୁ ମିଳେ । କାହାକୁ ଚାନ୍ଦା ପାଇଁ ଚାପଗ୍ରସ୍ତ କରାଯାଏ ନାହିଁ । ଯାହାର ଥାଏ ସେ ଦେବାରେ ଡେରି କଲେ ତା ପଛରେ ଭୟଙ୍କର ସମାଲୋଚନା । ଏଇ ତ ଜୀବନ.... ଝଡ଼ ଝଞ୍ଜ ଦୁଃଖ କଷ୍ଟ ଭିତରେ ଟିକେ ହସି ହସାଇବା । ଗାଆଁ ଟୋକାଙ୍କ ପୂଜା ପ୍ରସ୍ତୁତି ମେଳି ଓ କାର୍ଯ୍ୟ ଶୈଳୀ କେଉଁ ପ୍ରଫେସନାଲ୍ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀଠୁ କମ୍ ଅନୁଭବ ହୁଏ ନାହିଁ ।
ମାଆର ଘଟ ସ୍ଥାପନା ପାଇଁ ଗାଆଁ ଠାକୁରାଣୀ ପୋଖରୀ କଳସ ପୂଜା କରାଯାଏ । ଢୋଲ,ମୃଦଙ୍ଗ ,ବେଦମନ୍ତ୍ରରେ ଅଭିମନ୍ତ୍ରିତ ହୁଏ ଗାଆଁ ଦାଣ୍ଡ ମାଆ ଆସି ମୂର୍ତ୍ତି ଭିତରେ ପ୍ରବେଶ କରେ । ତାର ଆଖିକୁ ଦେଖିଲେ କାହିଁକି କେଜାଣି ମନ ଶିହିରୀ ଉଠେ । ଲାଗେ ଯେମିତି ଅଦମ୍ୟ ଶକ୍ତି ସାମର୍ଥ୍ୟ ମୋ ଭିତରକୁ ପଶି ଯାଉଛି । ମାଆର ରାଗ ମିଶା ସ୍ମିତ ହାସ୍ୟ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେଙ୍କୁ କରୁଣା ଢାଳିଦିଏ ।
ମାଆକୁ ବେଶୀଦିନ ରଖି ହୁଏନି । ପୂର୍ଣ୍ଣାହୁତି ପରେ ପରେ ବିସର୍ଜନ କରି ଦିଆ ହୁଏ । ମୁଁ ନିରୀହ ଜୀବ ହତ୍ୟା ରୂପକ ବଳିଦାନ ଦେଖେନି ମାଆ ଆଗରେ ଅମାବାସ୍ୟା ଦିନ । ଗାଆଁ ଲୋକେ ନିଜେ ମଧ୍ୟରେ ଥିବା ଗର୍ବ ,ଅହଙ୍କାର ଓ ପରଶ୍ରୀକାତରତାକୁ ବଳୀ ଦିଅନ୍ତି । ଆଖୁଗଛ ଓ ପାଣି କଖାରୁକୁ ଏକା ଚୋଟରେ କାଟି ମାଆକୁ ସମର୍ପି କରାଯାଏ ବୋଲି ଅନେକ ବ୍ୟକ୍ତି କୁହନ୍ତି କିନ୍ତୁ ଆମର ବୈଷ୍ଣବ ରୀତିରେ ଅନୁଯାୟୀ ବିରି ବଳୀ ପ୍ରଥା ରହିଆସିଛି ।ଘଣ୍ଟ ଘଣ୍ଟା ହୁଳୁ ହୁଳି ଶକ୍ତି ମନ୍ତ୍ରରେ ଗାଆଁ ଥରି ଉଠେ । ସତେ ଯେମିତି ଗାଆଁ ରେ ଦେବତ୍ୱ ପ୍ରବେଶ କରିଛି । ଏକ ଭୟଙ୍କର ଧ୍ୱନି ତରଙ୍ଗରେ ବଳୟ ସମ୍ପୂର୍ଣ୍ଣ ଗାଆଁରେ ଖେଳିଯାଏ ।ମାଆ ସହ ସମସ୍ତେ ଅଙ୍ଗାଙ୍ଗୀ ଭାବେ ଯୋଡ଼ା । କିଏ ଅଧିର ହୋଇ ନାଚିଲାଣି ତ କିଏ ଲମ୍ବ ହୋଇ ଭୁଇଁରେ ଗଡ଼ିଲାଣି ।
ମାର ସନ୍ଧ୍ୟା ଆରତୀ ଦେଖିବାକୁ ଭିଡ଼ ଜମେ ।
ଏବେ ତ ସମୟ ଓ ରୁଚି ବଦଳି ଗଲାଣି । ପୂର୍ବରୁ କିଛି ଅଲଗା ଥିଲା । ଡିଜିଟାଲାଇଜେଶନର ନାଁ ଗନ୍ଧ ନଥିଲା । ନଥିଲା ମୋବାଇଲ ଫୋନ । ଇଣ୍ଟରନେଟ ସୋସିଆଲ ମିଡିଆ ।ହେଲେ ମାଆ ର ଖବର ଆଖ ପାଖ କୋଡ଼ିଏ ଖଣ୍ଡ ଗାଆଁକୁ ଚାଲି ଯାଉଥିଲା। ଭକ୍ତ ମାଡି ଆସୁଥିଲେ ଦୂର ଗାଆଁରୁ ଆମ ଗାଁ କୁ ।
ଲୋକ କୁହା କୁହିଁ ହୁଅନ୍ତି:-ମଧୁରଗଣ୍ଡ ଗାଆଁର କାଳୀ ପୂଜା ଖୁବ ବଡ଼ ଧରଣର କରନ୍ତି ,ଯେଉଁ ରଙ୍ଗ ଢଙ୍ଗରେ ପୂଜା ହୁଏ ତାହା ଆଉ କେଉଁ ଗାଁ କରିପାରିବେ ନାହିଁ । "ମଧୁରଗଣ୍ଡ" କାଳୀ ପୂଜା ନିଆରା । ସତରେ ପାଖା ପାଖି ମାସେ ଗାଆଁ ଏକ ଫୁଲହାର ପରି ଗୁନ୍ଥି ହୋଇଯାଏ ଯେଉଁଥିରେ ନାନା ରଙ୍ଗର ଫୁଲ ଥାଏ ।
ଜାତିବାଦ ,ସଂକୀର୍ଣ୍ଣ ଧର୍ମବାଦର ଉର୍ଦ୍ଧ୍ବରୁ ଆମ ଗାଆଁର ପୂଜା ।ସକାଳେ ଭିକାରୀ ବଳ,ଅରବିନ୍ଦ ମୁଦୁଲି ଓ ନିମାଇଁ ହରିଚନ୍ଦନ ଆଦିଙ୍କ ଓଡ଼ିଆ ଭଜନ ବାଜେ ,ଅନ୍ୟ ରାଜ୍ୟରେ କାମ କରୁଥିବା ଆମ ଗାଆଁ ଟୋକାଙ୍କ ଡିମାଣ୍ଡ କରନ୍ତି ହିନ୍ଦୀ ଗୀତ ।
ସନ୍ଧ୍ୟାରେ ଆରମ୍ଭ ହୁଏ ଷ୍ଟେଜ ଉପରେ ଗାଁ ପ୍ରତିଭଙ୍କ ଅସଲ ଖେଳ ।
ସନ୍ଧ୍ୟା ଆଳତୀ ପରେ ଭଜନ କୀର୍ତ୍ତନ ସବୁ ସରିଗଲାପରେ ଆରମ୍ଭ ହୁଏ ଗାଁର କୁନି କୁନି ପିଲାଙ୍କ ଡ୍ୟାନ୍ସ.... ତାକୁ କୋରିଓ ଗ୍ରାଫ କରିଥାନ୍ତି ଆମ ଗାଁର ହିନ୍ଦୀ,ତେଲୁଗୁ ସିନେମା ଦେଖୁଥିବା ଯୁବପିଢି .....ଆମା ଦେ ଆ ଦେ...ନଗିନ ଡ୍ୟାନ୍ସକୁ ଛାଡି ଆହୁରି ଅନେକ ଆଇଟମ୍ ନମ୍ବର। ଏକକୁ ଆରକ। ଲାଗେ ଯେମିତି ଆମ ଗାଆଁ ରେ ପ୍ରତିଭା ଖୁନ୍ଦିକି ଅଛି । ଭାରି ଆମୋଦ ଦାୟକ ସେ କ୍ଷଣ ସବୁ.....କହିଲେ ସରିବନି ।
ମୋ ଗାଆଁ ସାଙ୍ଗ ,ଭାଇ,ବନ୍ଧୁ ଯିଏ ଏ ଲେଖାକୁ ପଢିବେ ବାକି ଅନୁଭୂତି କମେଣ୍ଟ କରିବେ । ଏବେକାର ଗାଁର ଯୁବ ପିଢ଼ି ଆହ୍ୱାନ କରିବି ସେ ମୋ ଗାଁର ନିଆରା ପରମ୍ପରା ବିଶ୍ଵବିଦିତ କରାନ୍ତୁ । ବିଗତ କିଛି ବର୍ଷ ହେବ ଆଧୁନିକ ଓ ବ୍ରାଣ୍ଡ ଆଦି ପଶିଛି ପୂଜାରେ ହୁଏତ ଅନେକ ଯାକଜକମରେ ପୂଜା ହେଉଛି କିନ୍ତୁ ସେ ଅତୀତର ସେ ମିଠାପଣ ,ଭାଇଚାରା ପରିବେଶ ମନେ ପକାଇଲେ ଅଜାଣତରେ ଆଖି ଲୋତକପୂର୍ଣ୍ଣ ହୁଏ । ଆଖି ଆଗରେ ନାଚି ଉଠେ ଆମ ଗାଁ କାଳୀପୂଜା ।