ମହାଭାରତ ଯୁଦ୍ଧ ପାଇଁ ରଥୀ ମହାରଥୀ ସମସ୍ତେ ପ୍ରସ୍ତୁତ Ι ସନ୍ଦେହର ଆଉ କୌଣସି ସମ୍ଭାବନା ନାହିଁ Ι ଏବେ ୟେ ଏକ ମୁହୂର୍ତ୍ତ, ଯେତେବେଳେ ଆମେ ଯୁଦ୍ଧ ଆଲୋଚନାରୁ ବିରାମ ନେଇ ଚିନ୍ତା କରିବା ପାଇଁ, ଯୁଧିଷ୍ଠିର ଆମକୁ ବାଧ୍ୟ କରିଛନ୍ତି Ι ସତରେ କଣ ଯୁଧିଷ୍ଠିରଙ୍କ କହିବା ଅନୁଯାୟୀ "ଝିମିଟି ଖେଳରୁ ମହାଭାରତ ସୃଷ୍ଟି ?" ଏଥିରେ ତାଙ୍କ ନିଜର ଭୂମିକା କଣ ଉଣା ଥିଲା ? ଦ୍ରୌପଦୀଙ୍କର ବସ୍ତ୍ରହରଣର ଉଦ୍ୟମ କରି ଦୁର୍ଯ୍ୟୋଧନ ଓ ଦୁଃଶାସନ କଣ ମହାଭାରତ ସମରକୁ ଆମନ୍ତ୍ରଣ କରିଛନ୍ତି ? ମାୟାମହଲରେ ଦୁର୍ଯ୍ୟୋଧନ ଉଦ୍ଦେଶ୍ୟରେ ପାଞ୍ଚାଳ ରାଜକୁମାରୀଙ୍କର ଉପହାସ ମୂଳକ ଅଟ୍ଟହାସ୍ୟ କଣ ଶେଷରେ ମହାଭାରତ ଯୁଦ୍ଧରେ ପରିଣତ ହୋଇ ଥିଲା? କଳିଙ୍ଗସେନ ପରେ ପରେ ବିନା ନିମନ୍ତ୍ରଣରେ ଯୁଦ୍ଧରେ ଯୋଗ ଦେବାକୁ ସୈନ୍ୟମାନଙ୍କୁ ନେଇ କିରାତସେନ ନାମକ ଶବର ରାଜା ଆସି ପହଞ୍ଚିଲା . ସେ ଦୁର୍ଯ୍ୟୋଧନ ନିକଟକୁ ଯାଇ କହିଲା,"ମୋତେ ସେନାପତି କର ଦୁର୍ଯ୍ୟୋଧନ, ଏକା ଶରେ ବଧ କରିବି ମୁଁ ଶ୍ରୀକୃଷ୍ଣ ଅର୍ଜୁନ. “ ଦୁର୍ଯ୍ୟୋଧନ କହିଲେ, ତୁ କ୍ଷତ୍ରୀୟ ନୁହେଁ. ହାତରେ କାଠର ଧନୁଟାଏ ଓ ଶର ତିନୋଟି ଧରି ଏଡ଼େ ଦର୍ପରେ କଥା କହୁଛୁ କେମିତି ? କିରାତସେନ କହିଲା ଏହି ତିନୋଟି ଶରରେ ମୁଁ ତ୍ରିଲୋକକୁ ସାଧ୍ୟ କରି ପାରିବି Ι ଦୁର୍ଯ୍ୟୋଧନ
କହିଲେ."ଅନିବାର ବିଷ, ଅବରଣୀୟ ମଧ୍ୟସ୍ଥ, ଶକ୍ତିହୀନ କ୍ଷତ୍ରିୟ ଯେ ଆଉ ଶଠ ମିତ୍ର, ଅସତୀ ଭାରିଯା ପୁଣି ବିବାଦୀ ଯେ ଭାଇ, ଏହି ଲୋକମାନଙ୍କୁ ଯେ ବିଶ୍ୱାସ ନ ଯାଇ." ଯୁକତେ ଅରଣ୍ୟବାସୀ ଅଟୁ ମୂଢ ଜାତି, ନୀଚ ଲୋକ ସଙ୍ଗେ ଆମ୍ଭେ ନ କରୁ ଯେ ପ୍ରୀତି Ι”ଦୁର୍ଯ୍ୟୋଧନଙ୍କର କଟୁ ବାକ୍ୟ ଶୁଣି ଶବର ରାଜ କିରାତସେନ ପ୍ରତ୍ୟାବର୍ତ୍ତନ କଲା ବେଳେ ପଥମଧ୍ୟରେ କୃଷ୍ନାର୍ଜୁନଙ୍କୁ ଭେଟି ପଚାରିବାରୁ ନିଜର ପରିଚୟ ଓ ଆସିବାର ଉଦ୍ଦେଶ୍ୟ କହିଲେ Ι କୃଷ୍ଣ ପଚାରିଲେ, 'ତୁମର କୃଷ୍ନାର୍ଜୁନଙ୍କୁ ମାରିବା ପାଇଁ ଏତେ ପ୍ରବଳ ଇଚ୍ଛା କାହିଁକି ? ତୁମକୁ ତ ଆମ୍ଭେ କେବେ ଦେଖିନାହୁଁ କି ଜାଣି ମଧ୍ୟ ନାହୁଁ Ι ହଠାତ୍ ଭାବରେ ଏ ଯୁଦ୍ଧରେ ଯୋଗଦେବାର ଇଚ୍ଛା, ପୁଣି ଆମ୍ଭଙ୍କୁ ମାରିବାର ପ୍ରୟାସ ନେଇ ଆସିବାର କାରଣ କଣ, ନିଜକୁ ଏତେ ସମର୍ଥ ଭାବିବାର କି ଯୋଗ୍ୟତା ତୁମର ଅଛି ? କିରାତସେନ କହିଲେ, ଆପଣଙ୍କର ଭାଗ୍ୟ ଭଲ, ଦୁର୍ଯ୍ୟୋଧନ ମୋତେ ସେନାପତି କରିବାକୁ ମନା କରିଦେଲେ, ନ ହେଲେ ମୋର ସାମର୍ଥ୍ୟ ସମସ୍ତେ ଦେଖିଥାନ୍ତେ Ι ବାସୁଦେବ ଚିନ୍ତା କଲେ, ୟେ ଶବର ଅଯଥାରେ ଏତେ ଦର୍ପ ଦେଖାଉନାହିଁ Ι ପରାଜୟ ଆସନ୍ନ ଦେଖିଲେ, ଦୁର୍ଯ୍ୟୋଧନ ୟାକୁ ସେନାପତି କରି ପାଣ୍ଡବ ପକ୍ଷର ସର୍ବନାଶ କରିବାକୁ ଚିନ୍ତା କରିପାରେ Ι ତେଣୁ ସେ ଶବରରାଜ କିରାତସେନଙ୍କୁ ପାଶକୁ ଡାକି "କହିଲେ, ତୋତେ ମାଗିବି କିଛି ଦଣ୍ଡଧାରୀ, ଦେବୁ ଯଦି କହ ଏବେ ମୋତେ ସତ୍ୟ କରି Ι" କିରାତସେନର ଦର୍ପ ଥିଲା, ଅଭିମାନ ଥିଲା, ଜାତିର ଗର୍ବ ନ ଥିଲା, ହେଲେ ଜଣେ ରାଜାର ଅହଂକାର ଥିଲା Ι ସେ ତତ୍କ୍ଷଣାତ୍ ଯାହା ବି ମାଗିଲେ ଦେବି ବୋଲି ସତ୍ୟ କରିଦେଲା Ι "ତଳ ହସ୍ତରେ ମାଗିଲେ ତାକୁ ଜଗନ୍ନାଥେ, ବୋଇଲେ ଶିରକମଳ ଦେବୁ ମୋର ହସ୍ତେ Ι କିରାତ ବୋଇଲା ଦେବ, ସତ୍ୟ ମୋର ବାଣୀ, ଆପଣା ଶ୍ରୀହସ୍ତେ ପ୍ରଭୁ ମୋତେ ପକା ହାଣି Ι" ସୁଦର୍ଶନ ଚକ୍ରରେ କିରାତସେନର ମୁଣ୍ଡ ତା ଶରୀରରୁ ଅଲଗା ହୋଇଯିବା ପୂର୍ବରୁ ସେ ହସିଲା Ι କହିଲା, "ତ୍ରେତୟା ଯୁଗରୁ ମୁଁ ଅପେକ୍ଷା କରିଛି ଶ୍ରୀମୁଖକୁ ଦେଖି ମରିବା ପାଇଁ Ι ସେତେବେଳେ ବୃକ୍ଷ ଆଢୁଆଳରେ ରହି ଶର ପେଷି ମୋତେ ମାରି ଦେଇଥିଲ Ι ମୁଁ ଏହି ଆକାଂକ୍ଷା ନେଇ ପୁନର୍ବାର ଜନ୍ମ ନେଇଥିଲି, ତୁମ ହସ୍ତରେ ସୁଦର୍ଶନ ଚକ୍ର ଥିବ, ଶ୍ରୀମୁଖ ଦେଖି ମୃତ୍ୟୁ ବରଣ କରିବି ବୋଲି Ι କିନ୍ତୁ ମୋ ପୁତ୍ର ଅଙ୍ଗଦ ମଧ୍ୟ ଆଉ ଥରେ ଜନ୍ମ ଗ୍ରହଣ କରିଛି ପ୍ରଭୁ Ι ତାର କେଉଁ ଅଭୀଷ୍ଟ ପୂରଣ କରିବାପାଇଁ ତାକୁ ବଚନ ଦେଇଛ ତୁମେ ଜାଣ, ସିଏ ଜାଣେ Ι ଶ୍ରୀକୃଷ୍ଣ ହସିଲେ. ସେଇ ରହସ୍ୟମୟ ହସ Ι ଯେଉଁ ହସ ଜଗଜ୍ଜନ ମନ ହରିନିଏ, ସେହି ହସ କିରାତସେନର ପ୍ରାଣ ହରିନେଲା Ι ପୂର୍ବ ଜନ୍ମର ବାଳି ଆଉ ଥରେ “ରିପୁ ଭାବରେ ଶ୍ରୀକୃଷ୍ଣ କରେ ମଲା ରହିଲା ଅପୂର୍ବ ଧାମରେ” Ι
କ୍ରମଶଃ........
No comments:
Post a Comment