About Me

Kendrapara, Odisha, India

2024-02-06

ମୋ ଗାଁ ଆଡେ କେବେ ଆସ

                 
 
କେବେ ଯଦି ଆମ ଗାଆଁଆଡେ ଆସିବାର ପ୍ରୋଗ୍ରାମ ହୁଏ, ତେବେ ଟିକିଏ ସମୟ ବାହାରକରି, ଦୁଇ ମିନିଟ୍ ପାଇଁ ଆମ ଗାଁ ଘରଆଡେ ଆସିବ, ମୁହଁମାରିଦେଇ ଯିବ । ବହୁତଦିନ ପରେ ଆସୁଛ, ସବୁକିଛି ମନେଥିବକି ନାହିଁ ତେଣୁ ତୁମକୁ ଦି’ପଦ କହିଦିଏ, ଯେପରି ଘର ଖୋଜିବାକୁ କିଛି ଅସୁବିଧା ନହବ । ଆଗୁଆ କହିଦେବାଟା ଠିକ୍ ହେବ । ବହୁତକିଛି ବଦଳି ଯାଇଛି ଏହି ଜନପଦରେ, ଯେମିତି ସମୟ ସାଙ୍ଗରେ ସମସ୍ତେ ବଦଳି ଯାଆନ୍ତି । ଟିକିଏ ବର୍ଷା ହେଲେ ରାସ୍ତାଘାଟ ଆଉ କାଦୁଅରେ ପଚ୍ ପଚ୍ ହଉନି ,ଗାଁ ରାସ୍ତାର ଦୁଇ ପାଖରେ ଗାଈ ଗୋରୁ ଆଉ ବନ୍ଧା ହେଉନାହିଁ । ଆମ ଗାଆଁରେ, ଝଡି ବର୍ଷାରେ ରାସ୍ତାମଝିରେ ଆଉ ଝର ଫିଟି ଯାଉନି । ବର୍ଷାହେଲେ ଗାଆଁ ମଝିଦାଣ୍ଡରେ ଆଗରୁ ଯେମିତି ପାଣିର ସୁଅ ଚାଲୁଥିଲା, ଆମେ ସେ ପାଣିରେ କାଗଜ ଡଙ୍ଗା ଭସେଇ କେତେ ମଜା କରୁଥିଲୁ, ବର୍ଷାରେ ଭିଜି ଭିଜି କାଗଜ ଡଙ୍ଗା ପଛରେ ଗୋଡେଇ ଗୋଡେଇ ଯାଉଥିଲୁ, କାହା ଡଙ୍ଗା ଓଲଟିଗଲା, କାହାର ସିଧା ଆଗକୁ ଚାଲିଗଲା ଦେଖିବାକୁ । ଏବେ ଆଉ ସେମିତି ପାଣି ବୋହୁନି ଗାଆଁ ମଝିଦାଣ୍ଡରେ । ପିଲାବି ନାହାନ୍ତି କାଗଜ ଡଙ୍ଗା ଭସେଇବା ପାଇଁ । ଗାଆଁ ରାସ୍ତାସବୁ ସିମେଣ୍ଟ କଂକ୍ରିଟ ହୋଇ ଯାଇଛି, ଦୁଇ ପାଖରେ ଡ୍ରେନ୍ ସୁବିଧା ହୋଇଯାଇଛି ବର୍ଷାପାଣି ଏବେ ରାସ୍ତା କଡ ଡ୍ରେନ୍ ରେ ବୋହୁଛି । ବର୍ଷାପରେ ରାସ୍ତା ଏକଦମ ସୁଖିଲା, ପାଦରେ ପାଣିବି ଲାଗୁନି ।

ଗାଆଁରେ ଏବେ ଚାଳଘର କଁ ଭାଁ ଗୋଟେ ଅଧେ କେଉଁଠି କେଇମିତି ଦିଶିଯିବ, ବାକି ସବୁ କୋଠାଘର ହୋଇଗଲେଣି । ମୋ ଘରଟି କିନ୍ତୁ ଯେଉଁଠି ଥିଲା, ସେଇଠି ସେଇମିତି ମିଳିଯିବ ତୁମକୁ । ସେଇ ପୁରୁଣା ଧୁସର ନଡା ଛପର ଚାଳ, ଝାଟି ଆଉ ମାଟିବୋଳା କଚ୍ଚାଘର । ନାଲି ରଙ୍ଗମାଟିର ଲିପା ଚିକ୍କଣ କାନ୍ଥ, କାନ୍ଥରେ ଚାଉଳ ପିଠଉର ଚିତା, ଶେଷ ମାଗୁଶିର ଗୁରୁବାର ପାଇଁ, ମା ପକେଇ ଥିଲା । ତୁମେ ଆସିଲେ ନିଶ୍ଚୟ ଦେଖିବ । ଗୋବରଲିପା କସରା କଳା ରଙ୍ଗର, ଚିକ୍କଣିଆ ଉଚ୍ଚ ପିଣ୍ଡା, ଏବେ ବି ଗୋବରର ବାସ୍ନା ମହକିଉଠେ । ସେ ମହକ ସତେ ଆତ୍ମାରେ ଛୁଇଁଯିବ । ତୁମେ ଯେବେ ଆସିବ ମୋତେ ମୋ ପିଣ୍ଡା ଉପରେ ସେଇ ଶିଶୁକାଠର ପୁରୁଣା ଆରାମ ଚୌକିରେ ଖଣ୍ଡେ ପୁରୁଣା ବହି, ଅବା ବାସି ଖବର କାଗଜ ଧରି ବସିଥିବାର ଦେଖିବ ।

ଏବେ ଏଇ ଗାଆଁରେ ତୁମକୁ ଦେଖି କେତେଲୋକ ଚିହ୍ନି ପାରିବେ କେଜାଣି, ତୁମେବି ଚିହ୍ନି ପାରିବନି କେତେ ଲୋକଙ୍କୁ । କାଲି ଯେଉଁ ଛୁଆସବୁ ଏଇ ଗାଆଁ ଦାଣ୍ଡରେ ଲଙ୍ଗଳା ହୋଇ ବୁଲୁଥିଲେ, ଏଇ ଦାଣ୍ଡରେ ଗୁଲିଦଣ୍ଡା, ବାଟି କି କବାଡି ଖେଳୁଥିଲେ, ଆଜି ସେମାନଙ୍କର ପିଲାମାନେ ବି ବଡ ବଡହୋଇ ଫୁଲ୍ ପେଣ୍ଟପିନ୍ଧା ବାବୁ ହୋଇଗଲେଣି । କିଏ ସ୍କୁଲ ତ କିଏ କଲେଜରେ ପଢିଲେଣି । ଏବେ ମୋଟର ସାଇକେଲରେ ଗାଆଁରେ ଚକ୍କର କାଟୁଛନ୍ତ । ଆମର କେତେ ସାଙ୍ଗସାଥି ଏବେ ଆଉ ନାହାନ୍ତି । ଗଲା ମାସରେ ମଦନ ଭାଇ ଚାଲିଗଲେ । ବ୍ଲଡ ପ୍ରେସର ବଢି ପାରାଲିସିସ୍ ହୋଇଯାଇଥିଲା ତାଙ୍କୁ । ପିଲାମାନେ ସହରରେ ରହୁଛନ୍ତି, ବୁଢାବୁଢି ଦି’ଜଣ ରହୁଥିଲେ ଗାଆଁରେ । ପୁଅ ଝିଅମାନେ କେବେ କେମିତି ଆସୁଥିଲେ, ଦେହ’ପା ଖବର ବୁଝିଯାଉଥିଲେ । ସହରରୁ ଔଷଧପତ୍ର ଆଣି ଦେଇଯାଉଥିଲେ । ବୁଢିପାଖରେ ମୋବାଇଲ ଫୋନଟିଏ ବି ଦେଇଥିଲେ । ଯେତେବେଳେ ବେଶି ଜରୁରିହେବ ଫୋନ କରିବାକୁ କହିଥିଲେ । ହଠାତ୍ ଦିନେ ରାତିରେ ମଦନ ଭାଇର ଦେହ ବେଶି ଖରାପ ହେଲା, ଭାଉଜ ଫୋନ କଲାରୁ ବଡପୁଅ ଆସି କଟକ ନେଇଯାଇଥିଲା, ବଡ ଡାକ୍ତରଖାନାରେ ଦୁଇ ଦିନ ରହି ଶେଷରେ ମଦନଭାଇ ଚାଲିଗଲା । ଗାଁରେ ଅଳ୍ପବହୁତ ସମସ୍ତଙ୍କର ଖବର ସେମିତି ଏକାପରି । ଜୀବନ ସାରା ଖଟି ଖଟି ପିଲାଙ୍କୁ ବଡକଲେ, ହେଲେ ଏଇ ବୁଢା ବୟସରେ ପିଲାଙ୍କଠାରୁ ଦୂରରେ ଏକୁଟିଆ ରହୁଛନ୍ତି । ପିଲାଏ ଭାବୁଛନ୍ତି କିଛି ଟଙ୍କା ପଇସା ପଠେଇଦେଲେ ମାଆ ବାପାଙ୍କ ପାଇଁ ତାଙ୍କ ଦାୟିତ୍ୱ ଶେଷ । ମାଆ ବାପା କଣ କେତେଟା ଟଙ୍କାପାଇଁ ପିଲାଙ୍କୁ ପାଠଶାଠ ପଢାଇ ବଡ କରିଥାଆନ୍ତି । ସ୍ନେହ ମମତାର ମୂଲ୍ୟ କିଛିନାହିଁ ? ପିଲାଏ କେମିତି ବୁଝିବେ, ଏ ବୁଢା ବୟସରେ ମାଆ ବାପାଙ୍କୁ ଟଙ୍କାପଇସା ନୁହେଁ ପିଲାଙ୍କ ସାହଚର୍ଯ୍ୟ, ସେମାନଙ୍କ ଠାରୁ ଟିକିଏ ସେବା ଆଦର ପାଇଁ ବ୍ୟାକୁଳ ହୃଦୟରେ ଚାହିଁ ରହିଥାଆନ୍ତି । ପିଲାଏ ପାଖରେ ଥିଲେ ବାପା ମାଆଙ୍କୁ କେବେ ଲାଗେନା ସେମାନେ ବୁଢା ହୋଇଗଲେଣି ବୋଲି । ପୁଅ ଝିଅ ପାଖରେ ଥିଲେ କେତେ ସାହାସ ଆସେ ମନରେ । ନାତି ନାତୁଣୀଙ୍କ ସାଥିରେ ଦିଘଢି ଖେଳିଲେ ପୁଣି ପିଲାଟିଏ ହୋଇଯାଆନ୍ତି ଏ ବୁଢାବୟସରେ । ଏଇ ଟିକିଏ ଆନନ୍ଦ ପାଇବା ଦେଖିଲେ, ଯମ ବି ମାଆବାପଙ୍କ ବୟସରେ ଆଉ କେଇଟା ଦିନ ଜୋଡିଦେଇଯାଏ ।

ତୁମର ମନେଥିବ ବନ୍ଧୁ, ଆମ ଘର ସାମ୍ନା ଦାଣ୍ଡରେ, ଯେଉଁଠି ହଳେ କାଳିଆ କସରା ବଳଦ ବନ୍ଧା ହେଉଥିଲେ, ତାର ଟିକେ ଆଗକୁ ଖାଲି ଶଗଡ ଗାଡିଟାଏ ଦି’ପହର ସାରା ସେମିତି ଠିଆହୋଇ ରହୁଥିଲା । ସେଇ ଶଗଡ ଦଣ୍ଡାରେ ବସି କେତେ ମସ୍ତି କରୁଥିଲେ ଆମେ । ଏବେ ସେଇଠି କାହାର ଗୋଟେ, ମାରୁତି କାର ଠିଆହେଉଛି । ଆଜିକାଲି ଗାଆଁରେ ଲୋକବାକ ଚାଷ ଛାଡି ସାରିଲେଣି, ଆଉ କାହା ପାଖରେ ହଳ ବଳଦ ନାହିଁ କି ଶଗଡ ବି ନାହିଁ । ପିଲାମାନେ ସବୁ ସହରରେ, ଗାଆଁରେ ଘର ଛପର କି ଚାଷକାମ ପାଇଁ ମୂଲିଆ ମିଳୁ ନାହାନ୍ତି, ଜମିଜାକ ସବୁ ପଡିଆ ପଡିଛି । ସମସ୍ତେ ଭାବୁଛନ୍ତି ବଜାରରେ ସବୁକିଛି କିଣିବାକୁ ତ ମିଳୁଛି, ଚାଷକରିବା କଣ ଦରକାର? କିନ୍ତୁ କହିଲ ଦେଖି, ସମସ୍ତେ ଯଦି ଏମିତି ଭାବି ଚାଷ ଛାଡିଦେବେ, ତେବେ ବଜାରକୁ ଏତେସବୁ ଜିନିଷ ଆସିବ କେଉଁଠୁ ?

ତୁମେ ତ ଜାଣିଛ ଆମ ଗାଁ ଚାରିପାଖେ ଚାରୋଟି ପୋଖରୀ । ପୋଖରୀରେ ଗାଧୋଇବା ପାଇଁ ନୁଆବୋହୁ ଆଉ ତୁଠକୁ ଯାଉନି । ପୋଖରୀ ତୁଠରେ ସେ ଗହଳ ଚହଳ, ନଣନ୍ଦ ଭାଉଜ ଟାହି ଟାପରା ଶୁଭେନି । କାହାଘର ବୋହୁ କଣ କଲା କାହା ଘରେ କଣ ହେଲା କିଛି ଚର୍ଚ୍ଚା ହୁଏନି । ତୁଠ ପଥର ଏବେବି ବାହୁନୁଛି, ନୂଆ ବୋହୂର ରୁଣୁଝୁଣୁ ପାଉଜିର ମଧୂର ସଙ୍ଗିତ ଶୁଣିବା ପାଇଁ । ଘରେ ଘରେ ଗାଧୁଆଘର ପାଇଖାନା ସବୁ ହୋଇଗଲାଣି । ଆମେ ସଭ୍ୟତା ଦିଗରେ ବହୁତ ଆଗକୁ ମାଡି ଗଲୁଣି । ହେଲେ ଗ୍ରାମ୍ୟ ଜୀବନର ସେଇ ସରସତା ମଧୂରତା ଆପଣାପଣ ସବୁ ଯେପରି ଇତିହାସ ହୋଇଯାଉଛି । ଆମେ ଯେତେଦିନ ବଞ୍ଚିଛେ, ଆମ ନାତି ନାତୁଣୀ ମାନଙ୍କୁୁ ଶୁଣେଇ ଯିବା ଏସବୁ କଥା। ହେଲେ ସେମାନେ କଣ ଏସବୁ ଶୁଣିବେ ? ନା ଶୁଣିଲେ ବିଶ୍ୱାସ କରିବେ ? ବିଶ୍ୱାସ କଲେ ବି ନାକ ଟେକିବେ, କହିବେ ପୋଖରୀର ସେଇ ଅସନା ପାଣିରେ କିଏ କଣ ଗାଧାଏ? ଏସବୁ ଅନହାଇଜିନି । ହେଲେ ସେ କଣ ବୁଝିବେ, କେଉଁ ଯୁଗରୁ ଆମ ବାପା ଜେଜେବାପା ଏଇ ପାଣିରେ ଗାଧୋଇଛନ୍ତି ହେଲେ କେହିକେବେ ପାଣିଲାଗି ବେମାର ପଡିନି । ଧୋବା ତୁଠ କିନ୍ତୁ ଏବେବି ଅଛି ସେଇଠି । ଦି’ପହରେ ଧୋବା ଧୋବଣି ଲୁଗା ପିଟୁଥିବାର ଦେଖିବ। ହୁଡା ଉପରେ ମାଟି ହାଣ୍ଠିରେ ଖାରସୋଡା ପାଣିରେ ଲୁଗା ଶିଝୁଥିବା ଦେଖିବ । ଧୋବ ଫରଫର ଲୁଗା ସୁଖୁଥିବାର ଦେଖିବ ।

ସେଇ ପୋଖରୀରେ ଏବେବି ପଞ୍ଚାୟତି ମାଛଚାଷ ହୁଏ । ଖରାଦିନେ ଯଦି ଆସିବ ଆମ ଗାଆଁର ସୁଆଦିଆ ମାଛ ତିଅଁଣ (ତରକାରୀ ) ଖାଇବ । ଯଦି ଅନ୍ୟଦିନ ମାନଙ୍କରେ ଆସିବ ତେବେବି ଚିନ୍ତାନାହିଁ, ଗାଆଁରେ ଏବେ ଗୁରୁବାରକୁ ଛାଡିଦେଲେ, ସବୁଦିନ ସବୁକିଛି ମିଳି ଯାଉଛି, ମାଛ ମାଂସ ବଏଲର ଚିକେନ ଅଣ୍ଡା ସବୁକିଛି । ଆଇଁଶ ଟିକିଏ ଖାଇବାପାଇଁ ଆଉ ସାପ୍ତାହିକ ହାଟପାଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନି । ଗାଁ ପାଖରେ ଯେଉଁ ତିଖିରି ଛୋଟ ବଜାରଟି ବର୍ତ୍ତମାନ  ଏତେ  ବଡ ହୋଇଗଲାଣି ଯେ ସବୁ ଦ୍ରବ୍ୟ ସବୁ ଦିନ ସବୁକିଛି ମିଳିଯାଉଛି ।

ଆଜିବି ମନେପଡେ ପିଲାଦିନ କଥା । ମାଆ ବାପାଙ୍କୁ କୁହେ, ଏତେ ବଡ ପରିବାର ଖାଇବାକୁ, ହାଟ ପରିବା ପାଇଁ ଶହେଟଙ୍କା ଦିଅ, ହାଟରୁ ପରିବା ନଆଣିଲେ ଏ ଗାଆଁରେ କିଛିବି ମିଳିବନି । ଶହେଟଙ୍କା ହାତରେ ଧରେଇଦେଇ ମାଆ ମୋତେ, ହାଟକୁ ପଠେଇଦିଏ । ଗଲାବେଳେ ବଡ ବଡ ଦୁଇଟା ବ୍ୟାଗ୍ ହାତରେ ଧରାଇ ଦିଏ । ହାଟ ସଉଦା ବଡ କଷ୍ଟକର କାମ,ହାଟସାରି ଯେତେବେଳେ ମୁଁ ଘରକୁ ଫେରେ, ବ୍ୟାଗ ଦୁଇଟା ପରିବାରେ ଭରିଯାଇଥାଏ । ମୁଁ ଉଠାଇ ପାରେନି, ବଡ କଷ୍ଟରେ କୁନ୍ଥେଇ କୁନ୍ଥେଇ ଘରେ ପହଞ୍ଚେ । ମନେ ମନେ ଖୁବ୍ ରାଗିଯାଏ, ମାଆ ବାପାଙ୍କୁ ମନେମନେ କେତେ କଥା ବକିଯାଏ । କହେ ପିଲାଟା ଉପରେ ଟକିଏ ହେଲେ ହେଲେ ଦୟା ନାହିଁ କାହାର । ମୁଁ ପରା ଛୋଟ ପିଲାଟିଏ, ଛୋଟ ପିଲାଙ୍କୁ ଶହେ ଟଙ୍କାର ପରିବାପାଇଁ କିଏ କଣ ହାଟକୁ ପଠାଏ ? 

ହେଲେ ବନ୍ଧୁ, ଆଜି ଆଉ ସେଇକଥା ନାହିଁ, ଭାବିଲେ ଗପ ପରି ଲାଗୁଛି । ପରିବାର ଛୋଟ ହୋଇଗଲା । ଏବେ ତ ଘରେ ଆମେ ଦୁଇଜଣ, ଦିଦିଙ୍କର  ସବୁ ବାହାଘର ହୋଇଯାଇଛି , ବାବା ବି ଆଉ ନାହାନ୍ତି । ହେଲେ ପରିବା ମହଙ୍ଗା ହୋଇଗଲାଣି । ହାଟ ପାଳିରେ ମା ଦୁଇଶହ ଟଙ୍କା ଧରେଇ ଦିଅନ୍ତି, ଆଉ ବ୍ୟାଗ କେବଳ ଗୋଟିଏ ଦିଅନ୍ତି । ଏତିକି ଟଙ୍କାରେ ଅଧା ମୁଣି (ଵ୍ୟାଗ୍ )ଭରିଯିବ, ଆଣିବାକୁ ତୋତେ କଷ୍ଟ ବି ହେବନି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପରିବା ଦାମ ବଢିଗଲା ନା ପଇସାର ମୂଲ୍ୟ କମିଗଲା ।

ଏବେ ଆମ ଗାଆଁ ଆଉ ଗାଆଁ ପରି ଲାଗେନି, ଛୋଟ ମୋଟ ସହରରେ ବଦଳି ଗଲାଣି, ସହରକୁ ଯିବାପାଇଁ ବସ୍ ଲାଗି ଏବେ ଆଉ ନୂଆ ବୋହୁକୁ ପାଞ୍ଚ କୋଶ ଶଗଡରେ ଯିବାକୁ ପଡୁନି । ଆଜିବି ମନେପଡୁଛି, ପିଲାଦିନେ ମାମୁଁ ଘରକୁ ଯିବାକୁ ହେଲେ, ସକାଳ ଚାରିଟାରୁ ଉଠିବାକୁ ପଡୁଥିଲା । ମାମୁଁ ଘର ଯିବା ଖୁସିରେ ସତରେ ସେ ରାତିରେ ନିଦ ହୁଏନି ସଖାଲୁ ଉଠି ଗହୀର (ଗୋଟେ ଗାଁ ଆଉ ଏକ ଗାଁ ମଧ୍ୟ ଭାଗରେ ରହୁଥିବା ଜମି ଗୁଡିକୁ ଗହୀର କହନ୍ତି ) ,ତିନୋଟି ଗହୀର ପାଦ ରେ ଚାଲି ଚାଲି ଯିବା ପରେ ବେରୁହଁ ଗାଁ ମୋ ମା ର ମାମୁଁଘର ଟିକେ ବିଶ୍ରାମ କରୁ ସେଠି କିଛି ସମୟ ପରେ ମୁଣ୍ଡିକାଟି ଜମି ( ମାମୁଁଘର ଗାଁ ଗୋଟେ ଜମିର ନାଁ )  ସେଇ ରାସ୍ତା ଦେଇ  ଆମେ ମାମୁଁ ଘରକୁ ଯାଉ ।  ଏବେ ପିଲାଏ ସହରକୁ କଲେଜ ପଢିବା ପାଇଁ ଯାଉଛନ୍ତି । ବର୍ତ୍ତମାନ ଛୁଟିରେ ଘରକୁ ଆସିଲେ ସହର ଫେରିବା ପାଇଁ ବସ ଧରିବାକୁ ସାଇକେଲ ଖୋଜା ପଡେନି, ବସଯାଏ ଯିବାପାଇଁ । ଗାଆଁରୁ ଏବେ ତିନି ଟାଇମ ସହର ବସ ଆରାମରେ ମିଳିଯାଏ ।

ତୁମ ସହରର ସୂର୍ଯ୍ୟ ପରି, ମୋ ଗାଆଁ ସୁରୁଜ, ବେଳ ଉଛୁର ଯାଏ ଶୋଇ ରୁହେନାହିଁ । ମୋ ଗାଆଁର ଚଞ୍ଚଳିଆ କାଉ, ସିନ୍ଦୁରା ଫିଟିବା ଆଗରୁ, ସୂରୁଜ ଉଇଁବା ଖବର କହିଦେଇଯାଏ । ନୂଆ ବୋହୁ ମାଛି ଅନ୍ଧାରରୁ ଉଠି ଅଗଣାରେ ଝାଡୁଲଗାଇ ଗୋବରର ପିଣି ସିଞ୍ଚିଦିଏ । ଏବେ ବି ସେମିତି ସହଳ ସକାଳୁ, ହଳ ବଳଦଙ୍କ ସଙ୍ଗରେ କ୍ଷେତ ଯୋଚିବାକୁ ଚାଷି ଟାକରା ଫୁଟାଇ ବାହାରିଯାଏ । ସଂଜ ସକାଳେ ସେଇମିତି ମନ୍ଦିରରେ ଘଣ୍ଟ ଘଣ୍ଟା ମୁର୍ଦ୍ଦଳ ବାଜେ, ଚଉରା ମୂଳରେ ବୃନ୍ଦାବତୀଙ୍କ ପାଶେ ସଂଜ ସଳିତା ଜଳେ ।


ଗାଆଁ ଏବେ ବଡ ଶୁନ୍ ଶାନ୍, ଖାଲି ଖାଲି ନିଛାଟିଆ ଲାଗେ । ଯୁଆନ ଭେଣ୍ଡିଆ ଯେତେକ ସବୁ କାମପାଇଁ ଗାଆଁଛାଡି ସହରକୁ ଚାଲି ଯାଉଛନ୍ତି । ଗାଆଁ ଏବେ କେବଳ ବୁଢାବାପା, ବୁଢିମାଆଙ୍କର ଜିମାରେ ଅଛି । ବୁଢା ବୁଢି ଯେତେକ କେବଳ ଘରକୁ ଜଗିରହିଛନ୍ତି । ସଂଜ ହେଲେ କେହି ଆଉ ଘରୁ ବାହାରକୁ ଯାଉନାହାନ୍ତି । ଅଗଣାରେ ଦଉଡିଆ ଖଟଟା ଉପରେ ବୁଢାବୁଢି ବସନ୍ତି, ଅତୀତର କଥା , ଏଇ ଅଗଣାରେ ପିଲାଙ୍କର ଖେଳ କୁଦ, ଗହଳ ଚହଳ କଥା, ଭାଇ ଭଉଣୀର ଖେଣ୍ଟା ଖେଣ୍ଟି, ଛୋଟ ଛୋଟ ଲଢେଇ, ରାଗ ରୁଷା, ମାନ ଅଭିମାନ, ୟାର ତାର ଅଭିଯୋଗ, ପିଲାମାନଙ୍କର ଛୋଟବେଳର କଥା ମନେପକାନ୍ତି, ଗପୁଥିଲେ କଥା ସରେ ନାହିଁ, ସେଇ ସ୍ମୃତିଟିକକ ପରା ମୋ ଅସରନ୍ତି ଖୁସିର ଭଣ୍ଡାର । କେବେ କେବେ ମିଞ୍ଜି ମିଞ୍ଜି ଆଲୁଅରେ ପୁରୁଣା ଆଲବମ ଅଣ୍ଡାଳୁ ପିଲାଦିନର ଛବି ଦେଖି ପୁଣି ସେଇ ପୁରୁଣା ଦିନରେ ହଜିଯାଇ ।

ସେହି ଗାଁ
ଆସିଲି ଛାଡି ତାକୁ କରିବାକୁ ଗୋଟେ ନାଁ
ଆମ୍ବ ହେଇଗଲା ମାଜା
ସେ ଛପର ଚାଳର ଆଉ ନାହିଁ ଖୋଜା
ଚିହ୍ନ ବର୍ଣ୍ଣ ଆଉ ନାହିଁ ସେ ବିଲ
ସେ ତ ପାଲଟିଛି କଂକ୍ରିଟ୍ ଜଙ୍ଗଲ 
ରୁଦ୍ଧ ଦ୍ବାର ଭିତରେ ସାୱାର୍‌ରେ ଗାଧୁଆ
ସେ କାହୁଁ ଆଣିବ ମଜା ସେ ପୋଖରୀର ଡିଆଁ 
ସହରରେ ରହି ରହି ହେଲାଣି ହତାଶ
ଆଉ ନାହିଁ ମୁଁ ସେହି ଗାଁ ର ମଣିଷ ।।

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...