ପଦ୍ମନାଭ ଦ୍ୱୀପରେ ଶୁକ୍ର ନାମରେ ଜଣେ ରାଜା ଥିଲେ । ତାଙ୍କର ରାଣୀଙ୍କ ନାମ ପଦ୍ମାବତୀ. ଚାରିପୁଅ, ପ୍ରତ୍ୟେକ ଧନୁର୍ଦ୍ଧର ଓ ଗୁଣବନ୍ତ । ରାଜା ଶୁକ୍ର ଏତେ ବୀର, ଧର୍ମପରାୟଣ, ଓ ନ୍ୟାୟପରାୟଣ ଥିଲେ ଯେ ସ୍ଵର୍ଗରେ ଇନ୍ଦ୍ର ଓ କୁବେର, କାଳେ ସେ ସେମାନଙ୍କର ସିଂହାସନ ଓ ଧନ ଅଧିକାର କରି ନେବେ ସେଥିପାଇଁ ଚକ୍ରାନ୍ତଟିଏ କଲେ । ଉଭୟ ଦରିଦ୍ର ବ୍ରାହ୍ମଣ ବେଶରେ ଶୁକ୍ରଙ୍କ ନିକଟରେ ପହଞ୍ଚି ଦାନ ମାଗିଲେ । ଶୁକ୍ର ସତ୍ୟ କଲା ଉତ୍ତାରେ ଦୁଇଜଣ ମଣିଷ ମାଂସ ଖାଇବାକୁ ମାଗିଲେ । ରାଜା ଶୁକ୍ର କହିଲେ, ତୁମେ ଦୁଇଜଣ କଦାପି ବ୍ରାହ୍ମଣ ନୁହେଁ । କେବଳ ରାକ୍ଷସମାନେ ମାଂସ ଖାଇବାକୁ ଇଚ୍ଛା କରନ୍ତି । ତଥାପି, ଯେତେବେଳେ ସତ୍ୟ କରିଛି, ମୋତେ ମାରି ମୋ ମାଂସ ଖାଇବା ପାଇଁ ମୁଁ ତୁମକୁ ଅନୁମତି ଦେଉଛି । " ବିପ୍ର ଦୁଇଜଣ କହିଲେ, ତୁମେ ବୃଦ୍ଧ ହୋଇଗଲାଣି, ତୁମର ମାଂସ ଖାଇବାରେ ଆମ୍ଭର କୌଣସି ଆଗ୍ରହ ନାହିଁ । ତୁମ ଚାରି ପୁତ୍ରଙ୍କର ମାଂସ ଖାଇବାକୁ ଆମ୍ଭଙ୍କୁ ଅନୁମତି ଦିଅ । ଦୁଇ ଜଣଙ୍କର ମାଂସ ଆମ୍ଭେ ଭୋଜନ କରିବୁଁ ଓ ଦୁଇଜଣଙ୍କର ମାଂସ ଆମ୍ଭ ପତ୍ନୀ ମାନଙ୍କ ପାଇଁ ନେବୁଁ । ରାଜା ଶୁକ୍ର କହିଲେ, "ମୋର ପୁତ୍ରମାନେ ବଡ ଆଜ୍ଞାକାରୀ । ଆପଣ ଯାଆନ୍ତୁ, ସେମାନେ ସ୍ୱେଚ୍ଛାରେ ଆପଣଙ୍କ ଭକ୍ଷ ହୋଇଯିବେ । ଉଭୟ ପୁତ୍ରମାନଙ୍କ ପାଖକୁ ଗଲେ । ପୁତ୍ରମାନଙ୍କୁ ତାଙ୍କର ପିତାଙ୍କ ଆଜ୍ଞା କହି ମାରିବାକୁ ଉଦ୍ୟତ ହୁଅନ୍ତେ, "କୁମର ବୋଇଲେ ରହ ରହ ବିପ୍ରବର, ଏମନ୍ତ ପିତା କି କାହିଁ ଦେଖିଛ ପୃଥ୍ୱୀର ?” ପିତାମାନେ ପୁତ୍ରଟିଏ ପାଇବା ପାଇଁ କେତେ ଦାନ ଧର୍ମ କରନ୍ତି । ପୁତ୍ରର ମଙ୍ଗଳ ମନାସି କେତେ ଦେବତାଙ୍କୁ ପୂଜା ଅର୍ଚ୍ଚନା କରନ୍ତି । ଆଉ ୟେ କି ପିତା, ପୁତ୍ରମାନଙ୍କ ମରଣ କାମନା କରୁଛନ୍ତି । ଆମ୍ଭମାନଙ୍କୁ ଲାଗୁଛି, ସେ ଆମ୍ଭର ପିତା ନୁହନ୍ତି ।" ଏତିକି ଶୁଣିବା ପରେ ଇନ୍ଦ୍ର ଓ କୁବେର ଶୁକ୍ରଙ୍କ ନିକଟରେ ପହଞ୍ଚି ତାଙ୍କୁ ଉତ୍ତେଜିତ କଲାଭଳି, ଦୁଇଚାରିପଦ ମିଶାଇ ଏମିତି କହିଲେ ଯେ ଶୁକ୍ରଙ୍କର ଧାରଣା ହେଲା, ପ୍ରକୃତରେ ତାଙ୍କର ସ୍ତ୍ରୀ ଅସତୀ । ସେ ଖଡ୍ଗଟିଏ ନେଇ ଦୋଚାରୁଣୀ ପତ୍ନୀର ପ୍ରାଣନାଶ କରିବାକୁ ଯାନ୍ତେ, ରାଣୀ ପଦ୍ମାବତୀ ତାଙ୍କୁ ମନେ ପକାଇଦେଲେ ଯେ ସେ ସହଜରେ କାହାରି ପ୍ରାଣନାଶ କରନ୍ତି ନାହିଁ । ଘଟଣାଟି ଏହିପରି । ଥରେ ଶୁକ୍ର ରାଜ୍ୟ ଭ୍ରମଣ କରୁଥିବା ଅବସ୍ଥାରେ ଏକ ନାରୀର ଚିତ୍କାର ଶୁଣିଲେ । ସେ କାନ୍ଦି କାନ୍ଦି କହୁଥାଏ, “ରାଜା ଶୁକ୍ରଙ୍କ ରାଜ୍ୟରେ ପରସ୍ତ୍ରୀ ହରଣ କରିବାର ଦୁଃସାହସ କରୁଛୁ, ପରିଣାମ ଜାଣିଛୁ ଟି ?ହେ ରାଜା ଶୁକ୍ର, ଏହି ଅଧମ ଶୂଦ୍ର ମୋ ସତୀତ୍ଵ ହରଣର ଚେଷ୍ଟା କରୁଛି, ମୋତେ ରକ୍ଷା କର ।” ବହୁଦୂରରେ ଥାଇ ଭୋଜନ କରୁଥିବା ଅବସ୍ଥାରେ ଶୁକ୍ର ଏହା ଶୁଣିଲେ । ମଣିଷ ମାରିବାକୁ ସେ ଭଲ ଭାବୁ ନ ଥିଲେ । ଭୋଜନ ବେଳରେ ରାଜା ପେଷେ ଶର ଗୋଟି, ଯେ ବଳେ ହରୁଛି, ତାର ଅଣ୍ଡ ପକା କାଟି ।" ଅଣ୍ଡ ଥିଲେ ହରନ୍ତା ସେ ସିନା ପରନାରୀ, ତେଣୁ ଶର ଚାଲିଗଲା ଅଣ୍ଡ ଛେଦିକରି । ୟେ ଥିଲା ଅତୀତର କଥା । ରାଣୀଙ୍କ ଅନୁରୋଧରେ ଶୁକ୍ର ତାଙ୍କ ଜୀବନ ନେବା ପ୍ରୟାସରୁ ବିରତ ହେଲେ ସତ, କିନ୍ତୁ ଅଭିଶାପ ଦେଲେ ଯେ ସେ ତାରାକ୍ଷୀ ନାମରେ ପକ୍ଷିଣୀ ହେବ । ପଦ୍ମାବତୀ କିନ୍ତୁ ଏହି କଥାରେ କିଛି ସତ୍ୟତା ନାହିଁ ଓ ଏହା ବିପ୍ର ଦୁଇଜଣଙ୍କର ମାୟା ବୋଲି କହିବାରୁ ଶୁକ୍ର ତାଙ୍କୁ ମୁକ୍ତିର ମାର୍ଗ କହିଲେ । ସେ କହିଲେ ଯେ , ମହାଭାରତ ଯୁଦ୍ଧରେ ତାର ଗର୍ଭାବସ୍ଥାରେ ପେଟ ଚିରାହୋଇ ମୃତ୍ୟୁ ହେବ । ଚାରିପୁତ୍ର ଡିମ୍ବ ଅବସ୍ଥାରେ ଘଣ୍ଟ ତଳେ ରହି ପକ୍ଷୀ ଅବସ୍ଥା ପ୍ରାପ୍ତ ହେବେ ଓ ଭାରତ ଯୁଦ୍ଧରେ ଜନ୍ମ ହୋଇଥିବାରୁ ତାଙ୍କର ନାମ ଭରତିଆ ହେବ ।
"ଆଗରେ ଭୀମ, ଦୁର୍ଦ୍ଦକ୍ଷ, ପଛେ ଧର୍ମସୁତ, କୌରବ ସୈନ୍ୟ ମାଇଲେ ତିନି ଅଇବ୍ରତ ।” ଭୀମ ଓ ଦୁର୍ଦ୍ଦକ୍ଷ ମିଶି ଅସଂଖ୍ୟ କୁରୁ ସୈନ୍ୟ ହତ୍ୟା କଲେ । ସୈନ୍ୟମାନେ ପଛଘୁଞ୍ଚା ଦେଉଥିବାର ଦେଖି କର୍ଣ୍ଣ ଆସି ଦୁର୍ଦ୍ଦକ୍ଷର ବାଟ ଓଗାଳିଲେ । ଦୁର୍ଦ୍ଦକ୍ଷ କହିଲା," ଭ୍ରାତା କର୍ଣ୍ଣ, ଯୁଧିଷ୍ଠି ଦେବଙ୍କୁ ବହୁ କଷ୍ଟ ହେଲାଣି । ତାଙ୍କୁ ନେଇ ନିରାପଦ ସ୍ଥାନରେ ପହଞ୍ଚାଇ ଦେଇ ଆସିବାକୁ ହେବ । ଆପଣଙ୍କର ସିଏ ସାନୁଜ । ଆପଣ ଆମ ସମ୍ମୁଖରୁ ହଟିଯାନ୍ତୁ ।" କର୍ଣ୍ଣ କହିଲେ, ମୋର ମିତ୍ରର ଭ୍ରାତା ହୋଇ ନ ଥିଲେ ତୋର ଏଇ ବିଶ୍ୱାସଘାତକତା ପାଇଁ ମୁଁ କେତେବେଳୁ ତୋର ପ୍ରାଣନାଶ କରି ସାରନ୍ତିଣି ।" ଦୁର୍ଦ୍ଦକ୍ଷ କହିଲା, "ପ୍ରଥମେ ନିଜ ପ୍ରାଣ ରକ୍ଷା କରନ୍ତୁ " । କହିବା ସଙ୍ଗେ ସଙ୍ଗେ ସେ ଗଦା ପ୍ରହାର କରି କର୍ଣ୍ଣଙ୍କ ରଥକୁ ଧୂଳିସାତ୍ କରିଦେଲା । କର୍ଣ୍ଣ ବିରଥୀ ହୋଇ ଆଡ ହୋଇଗଲେ । ଅର୍ଜୁନ ଓ ଭୀଷ୍ମଙ୍କର ଶର ପ୍ରତିଶର ଚାଲିଥାଏ । “ଭୀଷ୍ମ ବିନ୍ଧୁଛନ୍ତି ଯେତେ ଶର ଅର୍ଜୁନଙ୍କୁ, ଦେବଙ୍କୁ ଦୁର୍ଲଭ ନର କି ଲେଖିବ ତାକୁ ।” ଧନଞ୍ଜୟ ମଧ୍ୟ ସମାନ ଗତିରେ ପ୍ରତିଶସ୍ତ୍ର କରି ଭୀଷ୍ମଙ୍କର ସମସ୍ତ କୌଶଳ ବ୍ୟର୍ଥ କରି ଦେଉଥାନ୍ତି ।"ନୟନ ଛଟକେ ସେହୁ କରଇ ସଂଗ୍ରାମ, ନିଃଶ୍ୱାସ ମାରିବାପାଇଁ ନାହିଁ ସେ ବିଶ୍ରାମ ।” ଦ୍ରୋଣଙ୍କ ସହ ଧୃଷ୍ଟଦ୍ୟୁମ୍ନ ଓ ଶଲ୍ୟଙ୍କ ସହ ଶିଖଣ୍ଡୀ ଘନ ଘୋର ଯୁଦ୍ଧରେ ବ୍ୟାପୃତ ହୋଇଥାନ୍ତି । କ୍ରମେ ସୂର୍ଯ୍ୟ ଅସ୍ତାଚଳ ନିକଟବର୍ତ୍ତୀ ହେଲେ । ସୈନ୍ୟ ସେନାପତିମାନେ କ୍ଷୁଧା ତୃଷା ଓ କ୍ଳାନ୍ତି ଯୋଗୁଁ ଅଶକ୍ତ ହୋଇ ପଡିଲେ । କୁରୁପତି ନିର୍ଦ୍ଦେଶରେ ଯୁଦ୍ଧ ବନ୍ଦ କରିବା ଉଦ୍ଦେଶ୍ୟରେ ଶକୁନି ସମର ବିରତି ସୂଚକ ଶଙ୍ଖଧ୍ୱନି କଲେ । ସମସ୍ତ ଯୋଦ୍ଧା ଯୁଦ୍ଧ ତ୍ୟାଗ କରି ନିଜ ନିଜ ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ । କେହି କେହି କ୍ଷତ ବିକ୍ଷତ ସୈନ୍ୟଙ୍କର ସେବା ଶୁଶ୍ରୁଷା କଲେ । ଶିବିର ଅଭିମୁଖେ ଯିବା ସମୟରେ ଉଭୟ ପକ୍ଷ ବନ୍ଧୁଭଳି ଆଚରଣ ପ୍ରଦର୍ଶନ କରୁଥାନ୍ତି । ସେତେବେଳେ କିଏ କାହା ପକ୍ଷର ନ ଭାବି ପରସ୍ପରକୁ ସାହାଯ୍ୟ କରୁଥାନ୍ତି । କିଏ କାହା ସହ କେମିତି ଯୁଦ୍ଧ କଲା, କିଏ କେତେ ସୈନ୍ୟ ମାରିଲା, ଏ ସବୁ ମଧ୍ୟ ଆଲୋଚନା ଚାଲିଥାଏ । ଅଧିକାଂଶ ସୈନ୍ୟ ଅତ୍ୟନ୍ତ କ୍ଳାନ୍ତି ହେତୁ ଭୋଜନ ପର୍ଯ୍ୟନ୍ତ ଅପେକ୍ଷା ନ କରି ଭୂମି ଶଯ୍ୟାରେ ହିଁ ଶୋଇପଡୁଥାନ୍ତି । କିଛି ସଂରକ୍ଷିତ ସୈନ୍ୟ ଅସ୍ତ୍ର ଶସ୍ତ୍ରମାନ ସଜାଡି ରଖୁଥାନ୍ତି । ରଜନୀ ପ୍ରଭାତ ହେଲା । ଦ୍ଵିତୀୟ ଦିନର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ସମସ୍ତେ । ପୁନର୍ବାର ସେହି ରଣ ଭେରୀ,ତୁରୀ, ଶଙ୍ଖନାଦ, ହ୍ରେଷା ରବ ଓ ଗଜର ବ୍ରୁଂହଣରେ କୁରୁକ୍ଷେତ୍ର ପ୍ରକମ୍ପିତ ହେଲା । ପୁନଶ୍ଚ ସମ୍ମୁଖୀନ ହେଲେ ପିତାମହ ଭୀଷ୍ମ ଓ ଗାଣ୍ଡୀବଧାରୀ ସବ୍ୟସାଚୀ. ପୁଣି ଚାଲିଲା ସେଇ ସଂହାର ଲୀଳା । ବାରମ୍ବାର ଧରଣୀ ରକ୍ତପ୍ଲାଵିତ ହେଲା । ଭୂତଳରେ ପତିତ ଅସଂଖ୍ୟ ଶବ, ଗଜ,ଅଶ୍ୱ, ଭଗ୍ନ,ଖଣ୍ଡ ବିଖଣ୍ଡିତ ରଥ ବିକ୍ଷିପ୍ତ ଭାବରେ ପଡିଥାଏ । ତାହାରି ମଧ୍ୟରେ ମହା ମହା ବୀରମାନେ ନିଜ ନିଜର ସ୍ୱତନ୍ର ଅସ୍ତ୍ର ସାହାଯ୍ୟରେ ଶତ୍ରୁ ବିନାଶର ଉଦ୍ୟମ ଜାରି ରଖିଥାନ୍ତି । ଭୀଷ୍ମ କହିଲେ, "ରେ ଅର୍ଜୁନ, ଆଜି ପାଣ୍ଡବ ପକ୍ଷର ଦଶସହସ୍ର ଯୋଦ୍ଧା ମାରିବି । ପାରିବୁ ଯଦି ସେମାନଙ୍କୁ ରକ୍ଷା କର !" ଅର୍ଜୁନ କହିଲେ, "ପିତାମହ, ମୋର ମୋହଭଙ୍ଗ ହୋଇଛି । ଆଜି ଆପଣ ସମର ମଧ୍ୟରେ ମୋର ପ୍ରକୃତ ସ୍ୱରୂପ ଦେଖିବେ ।" ଅର୍ଜୁନ ବଚନ ଶୁଣି ଗଙ୍ଗାଙ୍କର ସୁତ, କହୁଁ କହୁଁ ଆକ୍ରମିଲେ ନନ୍ଦିଘୋଷ ରଥ ।" ଏଣେ ଭୀମସେନ ଧନୁ ଧରି ଯୁଦ୍ଧ ଆରମ୍ଭ କରୁଥାନ୍ତି ସତ, କ୍ରୋଧ ପ୍ରବଳ ହେଲେ ସେ ଆଉ ରଥ ଉପରେ ସମ୍ଭାଳି ହୋଇ ରହିପାରୁ ନ ଥାନ୍ତି । ଦୁଇ ହସ୍ତରେ ଦୁଇଟି ଗଦା ବୁଲାଇ ପ୍ରଚଣ୍ଡ ଆକ୍ରମଣରେ ଯୁଦ୍ଧ ପ୍ରାନ୍ତରରେ ଶତ୍ରୁ ସୈନ୍ୟମାନଙ୍କୁ ଶୁଆଇ ଚାଲିଥାନ୍ତି । ସୋମଦତ୍ତ, କୃପାଚାର୍ଯ୍ୟ ଆଦିଙ୍କୁ ପରାସ୍ତ କରି ସେ ଭେଟିଲେ ଦଳ ବଳ ସହ ଅଳମ୍ବୁଷ ନାମକ ରାକ୍ଷସକୁ. ତାଙ୍କ ସାଙ୍ଗରେ ଆସି ଯୋଗ ଦେଲା ଦୁର୍ଦ୍ଦକ୍ଷ. ଉଭୟ ମିଶି ସମଗ୍ର ଅସୁର ବାହିନୀକୁ ମନ୍ଥିଦେଲେ.
କ୍ରମଶଃ...
No comments:
Post a Comment