ଭୀମସେନ ପାଦତଳେ ଦୁର୍ଦ୍ଦକ୍ଷ ପ୍ରଣାମ କଲା, ବୋଇଲା ମୋତେ ଶରଣ ରଖ ଦେବ ସ୍ୱାମୀ ।"ଭୀମସେନ ଦୁର୍ଦ୍ଦକ୍ଷକୁ କୋଳ କରି ଅନେକ ଆଶୀର୍ବାଦ କଲେ ଓ କହିଲେ, ତୋର ଆଜିର ଏହି ଉପକାରପାଇଁ ମୁଁ ତୋତେ ବଚନ ଦେଉଛି, ମୋ ଦେହରେ ଜୀବନ ଥିବାଯାଏଁ ତୋ ପ୍ରାଣକୁ କୌଣସି ସଙ୍କଟ ପଡିବ ନାହିଁ । ଅର୍ଜୁନ ତେଣେ ବ୍ୟସ୍ତ ହୋଇ ଶ୍ରୀକୃଷ୍ଣଙ୍କୁ କହିଲେ,"ମୋର ସନ୍ଦେହ ହେଉଛି, ଏତେ ସବୁ କୋଳାହଳ ଶାନ୍ତ ହୋଇଗଲା କାହିଁକି ?ସେମାନେ ଜ୍ୟୋଷ୍ଠ ଭ୍ରାତାଙ୍କୁ ଧରି ବନ୍ଦୀ କରି ନେଇ ନାହାନ୍ତି ତ ?"କିନ୍ତୁ ସମ୍ମୁଖରେ ଭୀଷ୍ମ ନନ୍ଦୀଘୋଷକୁ ଆଗକୁ ବଢିବାକୁ ଦେଉ ନ ଥାନ୍ତି. ଅର୍ଜୁନ କହିଲେ, "ପିତାମହ ,ଆପଣ ବାଲ୍ୟକାଳରୁ ଆମ୍ଭମାନଙ୍କର ଗୁରୁ ଭାବରେ ଅସ୍ତ୍ର, ଶସ୍ତ୍ର ସହ ନାନା ବିଦ୍ୟା ଶିକ୍ଷା ଦେଇଛନ୍ତି । ଆପଣଙ୍କ ସ୍କନ୍ଧରେ ବସାଇ ଆମକୁ ଶିଶୁ ଅବସ୍ଥାରୁ କେତେ ସ୍ନେହ ଆଦରରେ ବଢ଼ାଇଛନ୍ତି । ଆପଣଙ୍କ ଉପରକୁ ମୁଁ ଶର ସନ୍ଧାନ କରିବି କେମିତି?" ଆପଣଙ୍କ ଲାଳନ ପାଳନରେ ପୁଷ୍ଟ ଏ ଶରୀର ଉପରକୁ ଆପଣ ଶର ସନ୍ଧାନ କରିବେ କେମିତି ? ବରଂ ଆପଣ ଦୁର୍ଯ୍ୟୋଧନଙ୍କ ବୁଝାଇ ସନ୍ଧି କରାଇ ନିଅନ୍ତୁ ।" ଭୀଷ୍ମ କହିଲେ, "ମୂଳରୁ ସନ୍ଧିର ଯେଉଁ କ୍ଷୀଣ ଆଶା ଟିକକ ଥିଲା, ଦୁର୍ଦ୍ଦକ୍ଷ ପାଣ୍ଡବ ପକ୍ଷରେ ଯୋଗ ଦେବାପରେ ସେ ଆଶା ମଉଳି ଯାଇଛି । ଏବେ କେବଳ ଯୁଦ୍ଧ ପାର୍ଥ, ଯୁଦ୍ଧ କର ।" ଅର୍ଜୁନ କହିଲେ, "କେତେଖଣ୍ଡ ପଡ଼ା ଦେବାପାଇଁ ତାଙ୍କୁ ବୁଝାଇ ପାରିଲେ ନାହିଁ.ଏବେ ସିଏ ତ ମରିବେ, ଆପଣଙ୍କ ପ୍ରାଣ ମଧ୍ୟ ସଙ୍କଟରେ ।" ଭୀଷ୍ମ କହିଲେ, "କିଏ କିପରି ମରିବ ସେ ସବୁ ଆଗରୁ ସ୍ଥିରୀକୃତ ହୋଇସାରିଛି ।“ଭୀଷ୍ମ ବୋଇଲେ, ବାବୁରେ, ନୁହେଁ କାର କଲା, ଦେଇ ନ ଦେଇ ,ନ ଦେଖି ଦେଖି କିଏ ମଲା । ଦେଇ ମଲା ବଳୀ, ମଲା ନ ଦେଇ ରାବଣ । ଦେଖିମଲା କଂସ ,ଦଶରଥ ନ ଦେଖିଣ ।" ଏବେ ନ ଦେଇ ଦୁର୍ଯ୍ୟୋଧନ ମରିବାକୁ ଯାଉଛି । ମରିପାରେ, କିନ୍ତୁ ମୁଁ ଥିବାଯାଏଁ କୁରୁପତିର ପରାଜୟ ଅସମ୍ଭବ ।" ଏମାନଙ୍କ ବାକ୍ୟ ବିନିମୟ ମଧ୍ୟରେ ଭୀମକର୍ମା ବୃକୋଦର ଗଦାପ୍ରହାରରେ ଶତ୍ରୁପକ୍ଷର ଶତ ଶତ ସୈନ୍ୟ, ଅଶ୍ୱ,ହସ୍ତୀ ନିହତ କରି ଯୁଧିଷ୍ଠିରଙ୍କୁ ନେଇ ଆସି ପହଞ୍ଚିଗଲେ. ଭୀମଙ୍କୁ ଦେଖି ଭୀଷ୍ମଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ. ଭୀଷ୍ମ ନିଜ ଧନୁରେ ଗୁଣ ଚଢାଇ ଅର୍ଜୁନଙ୍କୁ ଆହ୍ୱାନ କଲେ. ଅର୍ଜୁନଙ୍କର ପ୍ରଥମ ପାଞ୍ଚଟି ଶର ଭୀଷ୍ମଙ୍କର ଚରଣ ସ୍ପର୍ଶ କଲେ । ଭୀଷ୍ମ ମଧ୍ୟ ପ୍ରଥମ ଶର ମାଧ୍ୟମରେ ଅର୍ଜୁନଙ୍କୁ ଚୁମ୍ବନ ଦେଲେ । କିନ୍ତୁ ତା ପରେ ଉଭୟ ନିଜ ନିଜର କ୍ଷତ୍ରୀ ବୃତ୍ତିର ପରିଚୟ ଦେବାରେ ହେଳା କଲେ ନାହିଁ । ଉଭୟଙ୍କ ଧନୁରୁ ନିର୍ଗତ ଅସଂଖ୍ୟ ଶର ଚତୁର୍ଦ୍ଧିଗକୁ ଅନ୍ଧକାରାଛନ୍ନ କରିଦେଲା । ଏହି ସମୟରେ ତାରାକ୍ଷୀ ନାମକ ଗର୍ଭବତୀ ପକ୍ଷୀଟିଏ ନନ୍ଦୀଘୋଷ ଉପରେ ବସି ଯୁଦ୍ଧ ଦେଖୁଥିଲା । ଭୀଷ୍ମଙ୍କର ଗୋଟାଏ ଶର ସେ ପକ୍ଷୀ ପେଟରେ ବାଜି ତାକୁ ଚିରି ଦୁଇଫାଳ କରିଦେଲା । ତା ପେଟରୁ ଚାରିଟି ଡିମ୍ବ ବାହାରି ତଳେ ପଡିଲା । ସେହି ସମୟରେ ଭୀମସେନଙ୍କ ଗଦା ଆଘାତରେ ଶ୍ୱେତମକର ନାମକ ହସ୍ତୀ ମରିପଡିଲା ଓ ତା ଗଳାରେ ଝୁଲୁଥିବା ଘଣ୍ଟିଟି ଛିଡି ସେ ଡିମ୍ବ ଉପରେ ଏମିତି ଭାବରେ ଘୋଡେଇ ହୋଇ ପଡିଲା ଯେ ତା ତଳେ ଚାରିଟି ଭରତିଆ ପକ୍ଷୀ ଡିମ୍ବ ଅବସ୍ଥାରେ ନିରାପଦରେ ରହିଗଲେ.
କ୍ରମଶଃ....
No comments:
Post a Comment