ସେ ସମୟରେ ନାନା ପ୍ରକାର ଶୁଭ ଲକ୍ଷଣମାନ ଦେଖା ଦେଲା । ଉତ୍ତର ଦିଗରେ ହସ୍ତୀଟାଏ ଛିଙ୍କିଲା । ଦଧିଭାଣ୍ଡ ଘେନି ଶ୍ରୀୟା ନାମକ ଗୋପାଳୁଣୀ ଡାକିଲା । ଯମୁନା ନଦୀରୁ ମତ୍ସ୍ୟମାନେ ଉପରକୁ ଡେଇଁ ପୁଣି ଜଳରେ ପଡିଲେ । ପଶ୍ଚିମରେ ଶଙ୍ଖଚିଲ ଦେଖାଦେଲା । ବୃକ୍ଷରେ ଭଦଭଦଳିଆ ପକ୍ଷୀ ଉଡିଆସି ବସିଲା । ଅନେକ ମଙ୍ଗଳ ବାଦ୍ୟ ଶୁଭେ ଘୋର ଧ୍ୱନି, ଚଳିଲା ସେ ନନ୍ଦିଘୋଷ ଅନୁକୁଳ ହେଲା । ନନ୍ଦିଘୋଷ କୁରୁକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ତେଣେ କୌରବ ସୈନ୍ୟ ସମାବେଶ ହୋଇ ସାରିଥାଏ । ସମୁଦ୍ର ଗର୍ଜନରୁ ବଳି ଶବ୍ଦରେ କୁରୁକ୍ଷେତ୍ର କମ୍ପମାନ ହେଉଥାଏ । ପୂର୍ଵ ଅର୍ଦ୍ଧକ୍ଷେତ୍ରରେ ପାଣ୍ଡବମାନଙ୍କର ଚାରି ଉଣା ତିରିଶି ସହସ୍ର ରାଜା ଓ ପଶ୍ଚିମରେ କୌରବଙ୍କ ପକ୍ଷରେ ସତୁରି ସହସ୍ର ନରପତି ସେମାନଙ୍କର ସୈନ୍ୟ ସାମନ୍ତ, ରଥ, ଗଜ, ଅଶ୍ୱ ସହ ଉପସ୍ଥିତ ହୋଇସାରିଥାନ୍ତି । ଏହି ସମୟରେ ରାଜା କଳିଙ୍ଗସେନ ଉଭୟ ପକ୍ଷଙ୍କ ମଧ୍ୟରେ ରଥ ଉପରେ ଦଣ୍ଡାୟମାନ ହୋଇ ଉଚ୍ଚସ୍ୱରରେ ଘୋଷଣା କଲେ,"ଦୁଇ ଦଳ ମଧ୍ୟଭାଗରେ ରହି କୁହନ୍ତି ନରପତି, ନ ଲକ୍ଷ କୁଞ୍ଜର ମୋର ନ କ୍ଷୌଣୀ ପଦାତି । ବର୍ତ୍ତମାନ କହ ମୋତେ ଦୁଇ ନର ଈଶ, ଯାର ବଳ ଉଣା ଥିବ ଯିବି ତାର ପାଶ ।" (ଯାହାର ବଳ ସୈନ୍ୟ କମ୍ ଥିବ ମୁଁ ତାଙ୍କ ସହ ରହି ଯୁଦ୍ଧ କରିବି ) କୌରବ ପକ୍ଷ ନୀରବ ରହିଲେ ।ଭୀମସେନଙ୍କୁ କଳିଙ୍ଗସେନଙ୍କର ଏ ଆସ୍ଫାଳନ ସହ୍ୟ ହେଲା ନାହିଁ । "ପାଣ୍ଡବ ସୁନ୍ଦର ଭୀମ ଶୁଣି କଲା କୋପ, ବୋଇଲା କେତେ ଆରମ୍ଭେ ଦେଖାଉଛୁ ଦର୍ପ । ରେ କାର ଶବ୍ଦ ଯହୁଁ କରିଲା ପାବନି, କୌରବ ପଟେ କଳିଙ୍ଗ ଗଲା ସୈନ୍ୟ ଘେନି." । କୃଷ୍ଣ କହିଲେ, "ବୀର ତୁମ୍ଭର ଏ ମୂର୍ଖତା କେବେ ଦୂର ହେବ ? କିଛି କ୍ଷଣ ମାତ୍ର ନୀରବ ରହିଥିଲେ, ଏତେଗୁଡିଏ ହସ୍ତୀ ଓ ସୈନ୍ୟଙ୍କ ସହ କଳିଙ୍ଗସେନ, ଯିଏ କି ନିଜେ ମଧ୍ୟ ଅତ୍ୟନ୍ତ ଶକ୍ତିଶାଳୀ, ଆମ୍ଭ ପକ୍ଷରେ ଯୋଗ ଦେଇଥାନ୍ତା । ତୁମେ ୟେ କଣ କଲ ? "ଯୁଧିଷ୍ଠିର କହିଲେ, "ତା କଥା ଧର ନାହିଁ କେଶବ । ପିଲା ଦିନରୁ ସେ ସେମିତିକା । ଯୁଦ୍ଧ ବିଦ୍ୟା ଶିକ୍ଷା ବେଳେ ଗଦା ଦୁଇଟା ଧରି ବୁଲାଇବ କହିବ, “କେଉଁଠି ମୋର ଏ ଗଦାକୁ ପ୍ରହାରିବି ? ପର୍ବତରେ ପିଟିଲେ ତାହା ଗୁଣ୍ଡ ହୋଇଯିବ । ଭୂମିରେ ପ୍ରହାର କଲେ, ତାହା ରସାତଳକୁ ଯିବ । ଏ ପ୍ରହାର ମୁଁ ଧୃତରାଷ୍ଟ୍ରଙ୍କ ପୁଅଙ୍କ ଉପରେ କରିବି ।" ଏ କଥା ସେ ସ୍ୱୟଂ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କୁହେ । ତା ଠାରୁ ଆଉ କଣ ଆଶା କରାଯାଇପାରେ ? ବିଷ ଦେଲେ, ସେଥିରେ ମଲା ନାହିଁ. ନଦୀରେ କୁମ୍ଭୀର ମୁହଁରେ ପଡିଲା ,ସିଏ ୟାକୁ ମାରି ଦେଇଥାନ୍ତା ହେଲେ, ଇଏ ତାକୁ ମାରି ତା ମୁଣ୍ଡ ଫଟାଇ ଉଠିଆସିଲା । ୟେ ଯଦି ଖେଳରେ ସେ ଶହେ ଭାଇଙ୍କି ଗୋଡ଼ାଇ ଗୋଡ଼ାଇ କ୍ଷତ ବିକ୍ଷତ କରି ନ ଥାନ୍ତା, ଆଜି ଏ ଯୁଦ୍ଧ ହୋଇଥାନ୍ତା କାହିଁକି ?" “ଯୁଧିଷ୍ଠି ମୁହଁରୁ ନିଷ୍ଠୁର କଥା ଭୀମ ଶୁଣି, କ୍ରୋଧଭରେ ଉଠିଲା ଗଦାବର ଘେନି । ଛାର କଳିଙ୍ଗସେନ ଏତେ କିମ୍ପା ଭୟକରୁଛ ?" ସେ କଳିଙ୍ଗସେନ ଯେଉଁ ପଟରେ ଥିବ, ସେ ପଟ ମୋ ଭାଗରେ ରହିଲା. ଶ୍ରୀକୃଷ୍ଣ କହିଲେ, "ତୁମେ ତାର କଣ କରିପାରିବ ଭୀମସେନ ? ନ ଲକ୍ଷ କୁଞ୍ଜର, ନ କ୍ଷୌଣୀ ପଦାତି, ଏକଶତ ପୁତ୍ର ସହ ନିଜେ ସେ କଳିଙ୍ଗସେନ ଅଟେ ମହାମଲ୍ଲ । “ଏତେ ସୈନ୍ୟ ତାର ଏକା କି ଯୁଦ୍ଧ କରିବ ? " “ଭୀମ କହିଲେ, ଭୋ ନାଥ, ହୋଇଥିବୁ ସଖା, କଳିଙ୍ଗ ସୈନ୍ୟ ଆଦିଙ୍କୁ ଦଳିଦେବି ଏକା ଶର ବଧିବି ନାହିଁ ଖଡ଼୍ ରେ ଛେଦିବି ନାହିଁ , ମାଲଯୁଦ୍ଧେ ମାରିବି ନାହିଁ , ଗଦା ନ ପିଟିବି ।" ଏ ବାଉନଭାର ଗଦା ଧରି କେବଳ ବୁଲାଇବି ଓ ସେଇ ଗଦା ଘୂର୍ଣ୍ଣନ ଜନିତ ବାୟୁ ପ୍ରବାହରେ ତାର ସମସ୍ତ ସୈନ୍ୟ ଓ ହସ୍ତୀମାନଙ୍କୁ ଶୂନ୍ୟରେ ଉଡାଇ ଯୋଜନ ଯୋଜନ ଦୂରରେ ପକାଇବି ଯେଉଁଠି ସେମାନେ ମୃତ୍ୟୁ ବରଣ କରିବେ. ଏହା ମୋର ପ୍ରତିଜ୍ଞା । ଭୀମ ମୁଖରୁ ଏହା ଶୁଣି, ସାଧୁ,ସାଧୁ କହି କୃଷ୍ଣ କଲେ ଶଙ୍ଖଧ୍ୱନି ।
କ୍ରମଶଃ......
No comments:
Post a Comment