About Me

Kendrapara, Odisha, India

2022-11-26

ଉତ୍କଳରେ ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ପ୍ରତିମା

ଉତ୍କଳରେ ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ପ୍ରତିମା

ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ମାର୍କଣ୍ଡେୟ ପୁରାଣ  ଅନୁସାରେ ଚେଦି ରାଜବଂଶର ରାଜା ସୁରଥ ପ୍ରଥମେ ଦୁର୍ଗାପୂଜା ପରମ୍ପରା ଆରମ୍ଭ କରିଥିଲେ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରେ  ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ ।ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର। ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଏ ।ଖାରବେଳଙ୍କ ପୂର୍ବଜ ସୁରଥ ହେଉଛନ୍ତି ଚେଦି । ଚେତି ଚୈତ୍ୟବଂଶର ଜନୈକ କୌଣସି ରାଜାଙ୍କ ସହ ଯୁଦ୍ଧରେ ପରାସ୍ତ ହୋଇ ବନରେ ଆତ୍ମଗୋପନ କଲେ । ସେଠାରେ ନିଜ ସ୍ତ୍ରୀ ଓ ପୁତ୍ରଦ୍ୱାରା ପରିତ୍ୟକ୍ତ ସମାଧି ନାମକ ଜନୈକ ନିର୍ଦ୍ଧନ ସାଧବଙ୍କ ସହିତ ସାକ୍ଷାତ ହେଲା । ଉଭୟ ମେଧସ୍ ଋଷିଙ୍କ ଆଶ୍ରମରେ ଆଶ୍ରୟ ନେଇ ତାଙ୍କର ପରାମର୍ଶକ୍ରମେ ଶରତ ଋତୁରେ ନଦୀତଟରେ ଦେବୀ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ନିର୍ମାଣ ପୂର୍ବକ ପୁଷ୍ପଧୂପ ନୈବେଦ୍ୟ ସମର୍ପଣ କରି ଶ୍ରୀଶ୍ରୀ ଦେବୀସୂକ୍ତରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କଲେ । ପରବର୍ତ୍ତୀ ସମୟରେ ଉତ୍କଳର ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗ ଦେବ ୧୧ ଶତାବ୍ଦୀରେ ଶ୍ରୀକ୍ଷେତ୍ରରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କରି ଦୁର୍ଗାପୂଜା ଆରମ୍ଭ କରିଥିଲେ । ୧୫୧୨ ଖ୍ରୀଷ୍ଟାବ୍ଦରେ ବିଶିଷ୍ଟ ଗୌଡ଼ୀୟ ବୈଷ୍ଣବ ଶ୍ରୀ ଚୈତନ୍ୟଦେବ ଓଡ଼ିଶାକୁ ଆଗମନ କରିଥିଲେ । ସେହିବର୍ଷ ଚୈତନ୍ୟଦେବ କଟକ ସହରର ବିନୋଦ ବିହାରୀଠାରେ ମୃଣ୍ମୟୀ ଦୁର୍ଗାପୂଜା ଆରମ୍ଭ କରିଥିଲେ । ଶ୍ରୀକ୍ଷେତ୍ର ବ୍ୟତୀତ ଓଡ଼ିଶାର ପ୍ରାୟ ସମସ୍ତ ସହର ବଜାରରେ ବଙ୍ଗୀୟ ସଂସ୍କୃତିରେ ଦୁର୍ଗା ପୂଜା ହୋଇଆସୁଛି । କିନ୍ତୁ ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜାର ଓଡ଼ିଆ ପରମ୍ପରାକୁ ଅଧିକ ଗୁରୁତ୍ବ ଦିଆଯାଇଥାଏ ।

     ଆଦ୍ୟାଶକ୍ତି ଦୁର୍ଗାଦେବୀଙ୍କର ପୂଜା ଆମ ଉତ୍କଳୀୟ ପରମ୍ପରାରେ ବର୍ଷକୁ ଦୁଇଥର ପାଳିତ ହୁଏ । ପ୍ରଥମଟି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥରେ - 
‘ବାସନ୍ତୀକ ଦୁର୍ଗା ପୂଜା ’ ନାମରେ ପୂଜା କରାଯାଏ । ଦ୍ୱିତୀୟଟି ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳପକ୍ଷର ସପ୍ତମୀ , ଅଷ୍ଟମୀ ଓ ନବମୀ ତିଥିରେ ପୂଜା କରାଯାଏ । ଏହାକୁ ‘ଶାରଦୀୟ ଦୁର୍ଗା ପୂଜା’ କୁହାଯାଏ । 
ଖ୍ରୀଷ୍ଟୀୟ ଚତୁର୍ଥ । ପଞ୍ଚମ ଶତାବ୍ଦୀରୁ ଓଡ଼ିଶାରେ ଶକ୍ତି ଉପାସନା କରାଯାଉଥିବା କଥା ବହୁ ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଅଷ୍ଟମ ଶତାବ୍ଦୀରେ ରଚିତ ହୋଇଥିବା ବୌଦ୍ଧଗ୍ରନ୍ଥ ‘ ବଜ୍ରତନ୍ତ୍ର’ରେ ମୁଖ୍ୟତଃ ଚାରୋଟି ମହାଶକ୍ତି ବା ତନ୍ତ୍ରପୀଠର ସୂଚନା ମିଳେ । ସେହି ମହାତନ୍ତ୍ର ପୀଠ ଗୁଡ଼ିକ ହେଲା – ଜାଳନ୍ଧର , ଉଡ଼ଡ୍ଡୀୟାନ , ପୂର୍ଶକୋଟି ଓ କାମରୂପ । ସେହି ଅଷ୍ଟମ ଶତାବ୍ଦୀରେ ବିନୟତୋଷ ଭଟ୍ଟାଚାର୍ଯ୍ୟ ପୁସ୍ତକରେ ଲେଖୁଛନ୍ତି - 

“ ପୀଠ ଜାଳନ୍ଧରଂ ଖ୍ୟାତଂ , ଉଡ୍ଡୀୟାନ ତଥୈବ ଚ |
ପୀଠ ପୂର୍ଣଗିରିଂ ଚୈବ , କାମରୂପଂ ତିଥିବ ଚ | "

ଏହି ଉଡ୍ଡୀୟାନ ହେଉଛି - ପ୍ରାଚୀନ ଉତ୍କଳ ବା ଉଡ୍ର ରାଜ୍ୟ ଓଡ଼ିଶା । କାଳିକା ପୁରାଣରେ ମଧ୍ୟ ତଦନୁରୂପ ବର୍ଣ୍ଣନା ରହିଛି । 

 “ ଉଡ୍ରଖ୍ୟ ପ୍ରଥମ ପୀଠ , ଦ୍ଵିତୀୟଂ ଜାଳ ଶୈଳକମ୍ 
ତୃତୀୟଂ ପୂର୍ଣ୍ଣ ପୀଠନ୍ତ , କାମରୂପଂ ଚତୁର୍ଥକମ୍ ।। ’’

ଏହି ଉଡ୍ରଖ୍ୟ ହେଉଛି - ଅତୀତର ଉଡ୍ର ଦେଶ ଓ ବର୍ତ୍ତମାନର ଓଡ଼ିଶା ପ୍ରଦେଶ । ବିଭିନ୍ନ ଶାସ୍ତ୍ର ପୁରାଣରୁ ପ୍ରମାଣ ମିଳିଥାଏ ଯେ ବୈତରଣୀ ନଦୀର ତଟଦେଶରୁ ଆରମ୍ଭ କରି ମହେନ୍ଦ୍ର ଗିରିର ପାଦଦେଶ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ମାନଙ୍କରେ ବହୁ ଶକ୍ତିପୀଠମାନ ରହିଛି । ଏହାର ଅନ୍ୟ ଏକ ପ୍ରମାଣ ରହିଛି ଯେ ମହାଭାରତ ଗ୍ରନ୍ଥର ବନପର୍ବରେ , ତପୋସିଦ୍ଧ ଲୋମଶ ମୁନି ଧର୍ମରାଜ ଯୁଧୁଷ୍ଠିରଙ୍କୁ କହିଛନ୍ତି - 

         "ଏତେ କଳିଙ୍ଗା କୌନ୍ତେୟ ତତ୍ର ବୈତରଣୀ ନଦୀ ତତୌ ବୈତରଣଂ ଗଚ୍ଛେତ୍ ସର୍ବପାତା ପ୍ରମୋଚନାମ୍ ବିରଜାତୀର୍ଥ ମାସାଦ୍ୟ ବିରାଜିତ ଯଥା ଶଶୀ । ’’
 ଅର୍ଥାତ୍ , ଲୋମଶ ମୁନି କହିଲେ , ହେ ଯୁଧୁଷ୍ଠିର ! କଳିଙ୍ଗରେ ବୈତରଣୀ ନଦୀ ପ୍ରବାହିତ ହେଉଛି । ସେଠାରେ ବିରଜା ଦେବୀ ବିରାଜିତା । ସେହି ତୀର୍ଥ କ୍ଷେତ୍ରକୁ ଯାଇ ତାଙ୍କୁ ଦର୍ଶନକଲେ , ତୁମ୍ଭମାନଙ୍କର ସମସ୍ତ ପାପ ମୋଚନ ହେବ । ବିଷ୍ଣୁ ପୁରାଣରେ ଗୟାସୁର ଉପାଖ୍ୟାନ ଅନୁସାରେ ଏହି ସ୍ଥାନର ନାମ ‘ ନାଭିଗୟା ’ ରୂପେ ବର୍ଣ୍ଣିତ ହୋଇଛି ।

କାଳିଦାସଙ୍କ ‘ କୁମାର ସମ୍ଭବ ’ ଗ୍ରନ୍ଥରେ ମଧ୍ୟ ବର୍ଣ୍ଣିତ ଅଛି ଯେ ସତ୍ୟଯୁଗରେ ଦକ୍ଷ ପ୍ରଜାପତି ଏକ ଯଜ୍ଞ ଆୟୋଜନ କରିଥିଲେ । ସେହି ଯଜ୍ଞ ସ୍ଥଳକୁ ସମସ୍ତ ଦେବାଦେବୀ , ନର , କିନ୍ନର , ଯକ୍ଷ , ରକ୍ଷ ଗନ୍ଧର୍ବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଦକ୍ଷ ରାଜା ପ୍ରଜାପତି ନିଜର କନ୍ୟା ସତୀ ଓ ଜାମାତା ମହାଦେବଙ୍କୁ ନିମନ୍ତ୍ରଣ କରି ନ ଥିଲେ । ସ୍ଵାମୀଙ୍କ ଅନିଚ୍ଛାସତ୍ତ୍ବେ ସତୀ ପତିଙ୍କୁ ଅନୁରୋଧ କରି ନନ୍ଦଙ୍କ ସହିତ ଯଜ୍ଞ ସ୍ଥଳକୁ ଯାଇଥିଲେ । ସେଠାରେ ନିଜ ପିତା ଦକ୍ଷଙ୍କ ଠାରୁ ଭର୍ସନା ଶୁଣିବାପରେ ଯଜ୍ଞାନଳରେ ଆତ୍ମହୂତି ଦେଇଥିଲେ । ନନ୍ଦିଙ୍କ ଠାରୁ ମହାଦେବ ଏହି ଦୁଃସମ୍ବାଦ ଶୁଣି ସତୀଙ୍କ ବିୟୋଗରେ ନିଜର କ୍ରୋଧ ସମ୍ବରଣ କରି ନ ପାରି ନିଜ ଜଟରୁ ବୀରଭଦ୍ରଙ୍କୁ ସୃଷ୍ଟି କରିଥିଲେ । ମହାଦେବଙ୍କ ଆଦେଶରେ ବୀରଭଦ୍ର ଯଜ୍ଞସ୍ଥଳ ଭାଙ୍ଗିଥିଲେ ଏବଂ ଦକ୍ଷରାଜଙ୍କ ଶିରଚ୍ଛେଦନ କରିଥିଲେ । ସତୀଙ୍କର ଅର୍ଦ୍ଧ ଦଗ୍ଧ ଶରୀରକୁ ମହାଦେବ ସ୍ଵସ୍କନ୍ଧରେ ବହନ କରି ପୃଥିବୀ ପରିଭ୍ରମଣ କରିଥିଲେ । ମହାଦେବଙ୍କ କୋପାନଳରେ ପୃଥିବୀ ଧ୍ୱଂସ ହୋଇଯିବାର ଆଶଙ୍କା କରି ବିଷ୍ଣୁ ନିଜର ସୁଦର୍ଶନ ଚକ୍ରରେ ସତୀଙ୍କ ଶରୀରକୁ କାଟି ଖଣ୍ଡ ବିଖଣ୍ଡିତ କରିଥିଲେ । ସତୀଙ୍କର ବିଖଣ୍ଡିତ ଶରୀର ଯେଉଁ ସ୍ଥାନ ମାନଙ୍କରେ ପଡ଼ିଥିଲା , ତାହାହିଁ ମହାପୀଠ ରୂପେ ଖ୍ୟାତି ଲାଭ କଲା । ସତୀଙ୍କର ନାଭି ବୈତରଣୀ ତଟଦେଶରେ ପଡ଼ିଥିବାରୁ ଏହା ‘ ନାଭିଗୟା ’ ବା ‘ ବିରଜା କ୍ଷେତ୍ର ’ ରୂପେ ଖ୍ୟାତ । ଶାସ୍ତ୍ରରେ ବର୍ଣ୍ଣିତ ଅଛି -

“ ଉତ୍କଳେ ନାଭି ଦେଶସ୍ତୁ ବିରଜା କ୍ଷେତ୍ର ମୁଚ୍ୟତେ । ’ ’ 
କାଳିକା ପୁରାଣର ବର୍ଣ୍ଣନା ଅନୁସାରେ -

“ଉଡ୍ର ପୀଠ ପଶ୍ଚିମେତୁ ତଥୈବାଡ୍ରେଶ୍ଵରୀ ଶିବାଂ କାତ୍ୟାୟନୀ ଜଗନ୍ନାଥୋ ମୋଡ୍ରେଶଂ ଚ ପ୍ରପୂଜୟେତ ’’

 ଅର୍ଥାତ୍ , ମହାଶକ୍ତି ଶ୍ରୀକ୍ଷେତ୍ରରେ ବିମଳା ରୂପରେ ପ୍ରଥମ ପୀଠ ରୂପେ ଖ୍ୟାତ । ସେଠାରେ ବିମଳା ଶ୍ରୀଜଗନ୍ନାଥଙ୍କ ସହିତ ପୂଜା ପାଉଛନ୍ତି । ‘ ବିମଳା ସା ମହାଦେବୀ , ଜଗନ୍ନାଥସ୍ତୁ ଭୈରବ ’ । ବିମଳା ହେଉଛନ୍ତି ମହାଦେବୀ ଭୈରବୀ ଏବଂ ସ୍ଵୟଂ ଜଗନ୍ନାଥ ହେଉଛନ୍ତି ମହାକାଳ ଭୈରବ । “ କୈବଲ୍ୟ ଭୋଜିନୀ ଦେବୀ ବିମଳା ବିମଳପ୍ରଦା । ’ ’ ମାଆ ବିମଳା ହେଉଛନ୍ତି କୈବଲ୍ୟ ଭୋଜିନୀ ଓ ପ୍ରଶାନ୍ତି ଦାୟିନୀ ଦେବୀ । ‘ ଉଡ଼ଡ଼ୀଶ ତନ୍ତ୍ର’ର ତୃତୀୟ ସ୍ତବକରେ ବର୍ଣ୍ଣିତ ହୋଇଛି –

 “ ରସନା ଉଡ୍ରଦେଶେ ଚ ବିମଳା ପୁରୁଷୋତ୍ତମେ , 
  ତଦୁଚ୍ଛିଷ୍ଟ ମହାପୀଠେ ଜଗନ୍ନାଥାଖ୍ୟ ଭୈରବାଃ | ’’

 ଅର୍ଥାତ ସୁଦର୍ଶନ ଚକ୍ର କର୍ଭିତ ଜିହ୍ନା ଶ୍ରୀକ୍ଷେତ୍ରରେ ପଡ଼ିଥିବାରୁ ଏହି କ୍ଷେତ୍ରକୁ ‘ ରସନା ପୀଠ ’ ବା ‘ ଜୀହ୍ନା ପୀଠ ’ ବା ‘ ଉଦ୍ଦିଷ୍ଟ କ୍ଷେତ୍ର ’ ମଧ୍ୟ କୁହାଯାଏ । ‘ ମହା ନିର୍ବାଣ ତନ୍ତ୍ର ’ ନାମକ ଗ୍ରନ୍ଥରେ ବର୍ଣନା କରାଯାଇଛି – ‘ ନୀଳାଦ୍ରୌତୁ ଜଗନ୍ନାଥ ସାକ୍ଷାତ୍ ଦକ୍ଷିଣ କାଳିକା ’ । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମଧ୍ୟ ଦକ୍ଷିଣ କାଳିକା ରୂପରେ ପୂଜିତ ହୋଇଥାନ୍ତି ।
ଉତ୍କଳର ଇତିହାସ କହେ , - ଆଦିମ ଜନଜାତିମାନେ - ପ୍ରଥମେ କାଠଗଣ୍ଡିକୁ ମାତୃଶକ୍ତି ରୂପରେ ପୂଜା କରୁଥିଲେ । ତାଙ୍କୁ ‘ ସ୍ତମ୍ଭେଶ୍ଵରୀ ’ ବା ‘ ଖମ୍ବେଶ୍ୱରୀ ’ କହନ୍ତି । କନ୍ଧ , ଶବର ଓ ଅନାର୍ଯ୍ୟମାନେ ପୂଜା କରୁଥିବା କାଠଗଣ୍ଡିକୁ ‘ ନରନ୍ତଲୀ ’ ବା ‘ କାପାନ୍ତଲୀ ’ ( ଦେବୀ ) ବୋଲି କହନ୍ତି । ପରବର୍ତ୍ତୀ କାଳରେ ତାହା ‘ କାମ୍ପିଲ୍ୟାମା ’ ବା ‘ କାମ୍ପିଲ୍ୟପୁର ବାସିନୀ ’ ( ସୁଭଦ୍ରା ) ନାମ ହୋଇଥିବା ଅନୁମାନ କରାଯାଏ । ଭାରତର ବିଭିନ୍ନ ପ୍ରାନ୍ତରେ କୋଣ ଅନୁକୋଣରେ ବହୁ ଶକ୍ତି ବା ତନ୍ତ୍ରପୀଠ ଏବଂ ଅନେକ ଉପପୀଠ ମାନ ରହିଛି । କାଳିକା ଓ ଦେବୀ ଭଗବତ ଗ୍ରନ୍ଥର ତଥ୍ୟାନୁଯାୟୀ ଭାରତବର୍ଷରେ ୫୧ଟି ମହାଶକ୍ତି ପୀଠ ଏବଂ ୨୬ଟି ଉପପୀଠ ରହିଛି । ଏହି ମହାଶକ୍ତି ପୀଠ ଓ ଉପପୀଠ ଗୁଡ଼ିକ କେବଳ ସୁଦର୍ଶନ ଚକ୍ର ଦ୍ଵାରା କର୍ତ୍ତିତ ସତୀଙ୍କ ଦେହାବଶେଷରୁ ସୃଷ୍ଟି ହୋଇଛି । ତେଣୁ ଭାରତର ବିଭିନ୍ନ ଶକ୍ତିପୀଠ ଗୁଡ଼ିକରେ ଦେବୀ ଭଗବତୀ ଭିନ୍ନ ଭିନ୍ନ ରୂପରେ ବିଭିନ୍ନ ନାମରେ ପୂଜାର୍ଚ୍ଚନା ପାଉଛନ୍ତି । ଯଥା – କାଶୀରେ ବିଶାଳାକ୍ଷୀ , ପ୍ରୟାଗରେ ଲଳିତା , ହସ୍ତିନା ଦେଶରେ ଜୟନ୍ତୀ , ହିମାଳୟରେ ନନ୍ଦା , ବୈତରଣୀ ତଟରେ ବିରଜା , ଗଙ୍ଗା ତଟରେ ମଙ୍ଗଳା , ଯମୁନା ତଟରେ ମୃଗାବତୀ , ଶ୍ରୀକ୍ଷେତ୍ରରେ ବିମଳା , ବଦ୍ରିକାରେ ଉର୍ବଶୀ , କାମ ରୂପରେ କାମାକ୍ଷୀ , କୈଳାସରେ ପାର୍ବତୀ ଇତ୍ୟାଦି ନାମରେ ପୂଜିତ ହେଉଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସେ ଦିଭୂଜା , ଚର୍ତୁଭୂଜା , ଷଡ଼ଭୁଜା , ଅଷ୍ଟଭୂଜା ଓ ଦଶଭୂଜା ଦୁର୍ଗା ରୂପରେ ପୂଜା ପାଉଛନ୍ତି | 
       ଋକବେଦରେ ଦୁର୍ଗକୁ ଅସ୍ମମୟ ବା ପ୍ରସ୍ତରମୟ ବୋଲି ଉଲ୍ଲେଖ କରାଯାଇଛି । ପ୍ରାକ୍ ବୈଦିକ ଯୁଗରେ ପ୍ରତିରକ୍ଷା ଉଦ୍ଦେଶ୍ୟରେ ଶାଳୀନ ଆର୍ଯ୍ୟମାନେ ଏକ ଦୁର୍ଗ ନିର୍ମାଣ କରି ତା ମଧ୍ୟରେ ବହୁ ଧନରତ୍ନ , ଅସ୍ତ୍ରଶସ୍ତ୍ର ଇତ୍ୟାଦି ସାଇତି ରଖୁଥିଲେ | ଯଦି ଏହି ‘ ଦୁର୍ଗକୁ ’ ଦୁର୍ଗାପୂଜାର ମୂଳ ଭାବରେ ଗ୍ରହଣ କରାଯାଏ ,ତେବେ ପ୍ରାକ୍ ବୈଦିକ ଯୁଗରୁ ଦୁର୍ଗାପୂଜାର ଉଦ୍ଭବ ହୋଇଥାଇପାରେ ବୋଲି ଅନୁମାନ କରାଯାଏ । ସେହିପରି ଆରଣ୍ୟକ ଗ୍ରନ୍ଥର ତୈତ୍ତରୀୟ ଆରଣ୍ୟକ’ରେ ଦୁର୍ଗା ଗାୟତ୍ରୀ ମନ୍ତ୍ରରେ ଦୁର୍ଗାଦେବୀଙ୍କ ନାମ ‘ କାତ୍ୟାୟନୀ ’ ବୋଲି ଉଲ୍ଲେଖ ରହିଛି । ଏଠାରେ ଦୁର୍ଗାଦେବୀଙ୍କୁ ଋଷି କାତ୍ୟାୟନଙ୍କ କନ୍ୟା ‘ କାତ୍ୟାୟନୀ ’ ନାମରେ ଅଭିହିତ କରାଯାଇଛି । ତୈତ୍ତରୀୟ ଆରଣ୍ୟକ ଗ୍ରନ୍ଥର ନାରାୟଣୋପନିଷଦରେ ଦେବୀ ଦୁର୍ଗାଙ୍କୁ ବିରୋଚନ ( ଅଗ୍ନିଙ୍କ ) କନ୍ୟା , ରକ୍ଷାଦାତ୍ରୀ , ଅଗ୍ନିସ୍ୱରୂପା , ତପ ପ୍ରଜ୍ବଳିତା ଓ କର୍ମଫଳ ପ୍ରଦାନକାରୀ ରୂପେ ବର୍ଣ୍ଣନା କରାଯାଇଛି । 
 ‘ ତା ମଗ୍ନି ବର୍ଷା ତପସା ଜ୍ଵଳନ୍ତି ବୈରୋଚନୀ କର୍ମ ଫଳେଷୁ ଜୁଷ୍ଟାମ୍ , ଦୁର୍ଗାଦେବୀ ଶରଣଂ ପ୍ରପଦ୍ୟ । ’ 

ଦେବୀ ଭାଗବତରେ ବର୍ଣ୍ଣିତ ଅଛି ଯେ ରାମଙ୍କୁ ସହାୟତା ଅନୁଗ୍ରହ ପ୍ରଦାନ କାରୀ ରାବଣ ବଧାର୍ଥାୟ ଜଗତ ଜନନୀ ମାଆ ଦୁର୍ଗା ଆବିର୍ଭୂତା ହୋଇଥିଲେ । 
 ‘ ରାବଣସ୍ୟ ବଧାର୍ଥାୟ ରାମସ୍ୟାନୁ ଗ୍ରହାୟ ଚ ,
ଅକାଳେ ବ୍ରହ୍ମଣାବୋଧ ଦେବ୍ୟା ସ୍କ୍ରିୟ କୃତଃ ପୁରା | ’’
ବ୍ୟାସଦେବ କୃତ ମହାଭାରତର ବିରାଟ ପର୍ବରେ ବର୍ଣ୍ଣିତ ଅଛି ଯେ ଧର୍ମରାଜ ଯୁଧୁଷ୍ଠିର ଦୁର୍ଗା ଦେବୀଙ୍କୁ ସ୍ତବ କରିଥିଲେ । 
“ ଦୁର୍ଗାତ୍ ତାରୟସି ଦୁର୍ଗେ ତତ୍ ରଂ ଦୁର୍ଗା ସ୍ଵତା ଜନେ । ’’
 ( ମହାଭାରତ – ବିରାଟ ପର୍ବ - ୬ । ୧୦।୧୧ ) । 

ସେହିପରି ତୃତୀୟ ପାଣ୍ଡବ ଅର୍ଜୁନ ମଧ୍ୟ ଦୁର୍ଗାଙ୍କ ସ୍ତୋତ୍ର ଗାନ କରି ତାକୁ ‘ ଦୁର୍ଗମ ସ୍ଥଳ ବାସିନୀ ’ ’ ବୋଲି କହିଛନ୍ତି । “ ଦୁର୍ଗେ କାନ୍ତାର ବାସିନୀ ’ ’ । ସେହିପରି ମହାଭାରତର ଭୀଷ୍ମ ପର୍ବରେ ଅର୍ଜୁନ ଦେବୀ ଦୁର୍ଗାଙ୍କୁ ମଧ୍ଯ ‘ ଦୁର୍ଗମ ବାସନୀ ’ ବୋଲି କହିଛନ୍ତି । ଏଣୁ ମହାଭାରତରେ ବର୍ଣ୍ଣିତ ତଥ୍ୟକୁ ଭିତ୍ତିକରି ଅନୁମାନ କରାଯାଏ ଯେ ଦୁର୍ଗାଦେବୀ ମଧ୍ୟ ମହାଭାରତ ଯୁଗରେ ପୂଜା ପାଉଥିଲେ । 
         ବେଦ , ଉପନିଷଦ , ରାମାୟଣ ଓ ମହାଭାରତ ଯୁଗର ବହୁ ପୂର୍ବରୁ ଭାରତରେ ଶକ୍ତିପୂଜା ପ୍ରଚଳିତ ହୋଇଥିଲା । ଏଥିରୁ ଅନୁମେୟ ହୁଏ ଯେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ଓଡ଼ିଶାରେ ଶକ୍ତିପୀଠର ପୂଜା ପରମ୍ପରାର ବିକାଶ ପୂର୍ବରୁ ଶାକ୍ତ ଉପାସନାର ଭିଭିଭୂମି ରହିଥିଲା । ଶାକ୍ତପୀଠ ଓ ପ୍ରତିମା ପୂଜାର ପ୍ରଚଳନ ପୂର୍ବରୁ ପ୍ରତୀକ ପୂଜା ଓଡ଼ିଶାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ନଗର , ପୁରପଲ୍ଲୀ ଓ ରାଜବାଟୀ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଏହି ଉପାସନାରେ ମନୋବିଜ୍ଞାନର ଦୃଷ୍ଟିକୋଣ ସହିତ ସାମାଜିକ ସଂହତିର ଦୃଷ୍ଟିକୋଣ ନିବିଡ଼ ଭାବେ ଜଡ଼ିତ ଥିଲା । ପ୍ରତୀକ ପୂଜା ଉପାସନା କେବଳ ବିଶ୍ଵାସର ମନୋବିଜ୍ଞାନ ଦୃଷ୍ଟିରୁ ମଣିଷକୁ ବଞ୍ଚିବାର କଳାକୁ ଦୃଢ଼ୀଭୂତ କରୁଥିଲା । ନଦୀ ବା ପୁଷ୍କରିଣୀ କୂଳରେ ବାଲିର ସ୍ତୁପଟିଏ ତିଆରି କରି ସାମର୍ଥ୍ୟ ଅନୁସାରେ ସବୁକିଛି ସମର୍ପି ଦେଇ ସାଷ୍ଟାଙ୍ଗ ପ୍ରଣିପାତ କରୁଥିଲା । ମନୁଷ୍ୟ ବିଶ୍ଵାସ କରୁଥିଲାଯେ ଦେବୀ ତାକୁ ଆପଦ ବିପଦରୁ ରକ୍ଷା କରିବେ । ଏଇ ବିଶ୍ଵାସରୁ ଜଳପଥର ଘାଟ ହେଉ କି ସ୍ଥଳ ପଥର ପାଟଣା ହେଉ , ସବୁଠି ଗଛରେ ଅଥବା ପ୍ରସ୍ତର ଖଣ୍ଡ ଉପରେ ସିନ୍ଦୁର ଟିକିଏ ମାରି ‘ ମାଆ ’ ବୋଲି ମୁଣ୍ଡିଆଟିଏ ମାରିବାର ଏହି ପ୍ରାଚୀନ ପରମ୍ପରା ଓଡ଼ିଶାରେ ସର୍ବତ୍ର ଦେଖିବାକୁ ମିଳେ । ବର୍ତ୍ତମାନ ପ୍ରତି ଗାଆଁରେ ଗ୍ରାମ୍ୟଦେବୀ ମନ୍ଦିର ମାନଙ୍କରେ ବିଭିନ୍ନ ରୂପରେ ଓ ଭିନ୍ନ ନାମରେ ଦେବୀମାନେ ଉପାସିତ ହେଉଛନ୍ତି । ବ୍ରତ ଓ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ‘ ଦିଅଁ ମଙ୍ଗୁଳା କାର୍ଯ୍ୟ ’ ଏହି ଦେବୀଙ୍କ ନିକଟରେ ହେଉଥିବାର ପରମ୍ପରା ଭାରତୀୟ ସଂସ୍କୃତିରେ ଅଦ୍ୟାବଧୂ ରହିଆସିଛି ।
       ରାମଚନ୍ଦ୍ର ଉଦ୍‌ଗାତାଙ୍କ ରଚିତ ‘ ତାରିଣୀ କୂଳ ସୁଧା ତରଙ୍ଗିଣୀ ’ ଓ ଲକ୍ଷେଶ୍ଵର ରଥଙ୍କ ରଚିତ ‘ ଜ୍ଞାନ ବଲ୍ଲୀ ତନ୍ତ୍ର ’ ’ ଅନୁସାରେ ଉପାସନା ହୋଇଥାଏ । ଷୋଡ଼ଶ ଶତାବ୍ଦୀରେ ରଚିତ ଭୋଇ ବଂଶର ଗଜପତି ମହାରାଜା ପ୍ରଥମ ରାମଚନ୍ଦ୍ର ଦେବଙ୍କ ରାଜଗୁରୁ ପଣ୍ଡିତ ବର୍ଦ୍ଧନ ମହାପାତ୍ରଙ୍କର ‘ ଦୁର୍ଗୋତ୍ସବ ଚନ୍ଦ୍ରିକା ’ ଏବଂ ପ୍ରତାପ ରୁଦ୍ର ଦେବଙ୍କ ରାଜଗୁରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ ‘ ଶାରଦା ଶରଦର୍ଜନ ପଦ୍ଧତି ’ ଏ କ୍ଷେତ୍ରରେ ଦୁଇଟି ଉପାଦେୟ ଓ ଜନାଦୃତ ଏବଂ ସର୍ବତ୍ର ପ୍ରଚଳିତ ଗ୍ରନ୍ଥ । ସେ ସମୟରେ ଶକ୍ତିମୟୀ ମାଆ ଚତୁର୍ଭୁଜା ଦୁର୍ଗାଙ୍କୁ ରାଷ୍ଟ୍ରୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ଉଦ୍ଦେଶ୍ୟରେ ଏହି ଗ୍ରନ୍ଥଗୁଡ଼ିକ ରଚିତ ହୋଇଥିଲା । ଏହି ପ୍ରମୁଖ ଗ୍ରନ୍ଥଦ୍ଵୟରୁ ଦୁର୍ଗାପୂଜାର କ୍ରମ ବିକାଶର ବିଷଦ୍ ସୂଚନା ମିଳେ । ଦୁର୍ଗାପୂଜା ଏକ ସାର୍ବଜନୀନ ପୂଜା । ଜାତି , ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହା ପାଳନ କରିଥାନ୍ତି । କୌଳିକ ବୃତ୍ତିକୁ ଭିତ୍ତିକରି ଓଡ଼ିଶାର ଅଧବାସୀମାନେ ନିଜ ନିଜ ଗୃହରେ ଶାରଦୀୟ ଦୁର୍ଗାପୂଜା ସପ୍ତମୀ , ଅଷ୍ଟମୀ ଓ ନବମୀ , ଏହି ତିନି ଦିନ ପାଳନ କରିଥାନ୍ତି । ମହାଦଶମୀ ଦିନ ନିଜର କୌଳିକ ସାମଗ୍ରୀକୁ ପୂଜା କରି ବୃତ୍ତି ଆରମ୍ଭ କରିଥାନ୍ତି । ଯଥା – ତାଳପତ୍ର , ଓ ଲେଖନୀ ପୂଜା , ବାଦ୍ୟକାରର ବାଦ୍ୟଯନ୍ତ୍ର ପୂଜା , କାରିଗରର ନିହଣ ମୁଗୁର ପୂଜା , କ୍ଷତ୍ରୀୟମାନଙ୍କର ଖଣ୍ଡା , ତରବାରୀ ଇତ୍ୟାଦି ପୂଜା ପରମ୍ପରା ଅଦ୍ୟାବଧୂ ରହିଆସିଛି । ସାଧାରଣ ଭାଷାରେ ଏହାକୁ ‘ ସଜବସା ’ ବୋଲି କହିଥାନ୍ତି । ଏଥୁରୁ ଅନୁମେୟ ହୁଏ ଯେ , ଉତ୍କଳୀୟ ସଂସ୍କୃତିରେ ଦୁର୍ଗାପୂଜା ଅତି ପ୍ରାଚୀନ ପରମ୍ପରା । ତେଣୁ ଦୁର୍ଗତିନାଶିନୀ ଦୁର୍ଗା ବିଭିନ୍ନ ନାମରେ ଯଥା – କନକ ଦୁର୍ଗା , ବନଦୁର୍ଗା , ଗିରିଦୁର୍ଗା , ବାସନ୍ତୀ ଦୁର୍ଗା , ଶାଳିନୀ ଦୁର୍ଗା , ହିମ ଦୁର୍ଗା ଇତ୍ୟାଦି ନାମରେ ଓଡ଼ିଶା ଓ ଭାରତ ବର୍ଷର ଅନେକ ମନ୍ଦିରମାନଙ୍କରେ ପୂଜା ପାଇ ଆସୁଛନ୍ତି | ଆମ ସଂସ୍କୃତିରେ ଦୁର୍ଗାଙ୍କୁ ମାତୃରୂପରେ , ଜ୍ଞାନ , ବିଜ୍ଞାନ , ନିଦ୍ରା ଇତ୍ୟାଦି ବହୁରୂପରେ ଜଡ଼ିତ କରାଯାଇ ସ୍ତୁତିଗାନ କରାଯାଇଛି ।

‘ ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା 
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋନମଃ । ’ 

No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...