ଧୃତରାଷ୍ଟ୍ର ପ୍ରସ୍ଥାନ କଲାପରେ ଯୁଧିଷ୍ଠିର ପୁନର୍ବାର ଦୁର୍ଯ୍ୟୋଧନକୁ ବୁଝାଇବା ପ୍ରୟାସରେ କହିଲେ, “ବାବୁରେ ମାନଗୋବିନ୍ଦ, ମୋ କଥା ମାନି ପାଞ୍ଚଟି ପଡ଼ା ଦେଇଦେ । ତୋର ମୋର ସବୁଦିନେ ପ୍ରୀତି ଥିବ. ସୁଖରେ ରାଜୁତି କରିବା" । ଦୁର୍ଯ୍ୟୋଧନ ବୋଲେ ମୋତେ ନ ବୁଝା ଏ ମାନ, ବିନା ଯୁଦ୍ଧରେ ନ ଦେବି ଏକଗୋଟି ଗ୍ରାମ ।" ଯୁଧିଷ୍ଠିର କହିଲେ, "ଚାରିଖଣ୍ଡ ଗ୍ରାମ ହେଲେ ଦେଇଦିଅ । ତୁମେ ହାରିଲେ ବି ମୋତେ କଷ୍ଟ ହେବ, ମୁଁ ହାରିଲେ ବି ନିଶ୍ଚୟ ତୁମକୁ ଭଲ ଲାଗିବ ନାହିଁ । "ମାନଗୋବିନ୍ଦ ବୋଇଲା ଶୁଣରେ ଯୁଧିଷ୍ଟି, ବିନା ସମରରେ ନ ଦେବି ଘର ଏକଗୋଟି ।" ଯୁଧିଷ୍ଠିର ସମସ୍ତଙ୍କୁ ଶୁଣାଇଲା ଭଳି ନିଜର ନ୍ୟୁନଭାବ ପ୍ରକାଶ କରି ତିନିଖଣ୍ଡି ପଡ଼ା ମାଗିଲେ । ବୋଇଲା ମାନଗୋବିନ୍ଦ ସମର ନୋହିଲେ, ଅର୍ଦ୍ଧ ଘର ନ ଦିଅଇ ଜାଣ ଧର୍ମବାଳେ ।" ଧର୍ମସୁତ ଦୁଇଟି ପଡ଼ା ମାଗିଲେ । ଦୁର୍ଯ୍ୟୋଧନ ଚଉଠେ ମଧ୍ୟ ଘର ବିନା ଯୁଦ୍ଧରେ ଦେବନାହିଁ ବୋଲି କହିଲେ । ଯୁଧିଷ୍ଠିର ଖଣ୍ଡିଏ ପଡ଼ା ମାଗିଲାରୁ କୁରୁପତି କୃଷ୍ଣଙ୍କ ସମ୍ମୁଖରେ କରିଥିବା ପ୍ରତିଜ୍ଞାର ପୁନରାବୃତ୍ତି କଲେ, "ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ ।" ଶୁଣି ଧର୍ମସୁତ କଲେ ବଚନ ପ୍ରକାଶ, ଯୁଦ୍ଧେ ମନ ବଳାଇଲୁ ହେବୁ ନିଶ୍ଚେଁ ନାଶ"। ଦୁର୍ଯ୍ୟୋଧନ କହିଲେ, "ମୋତେ ଜିଣି ପଞ୍ଚକଟକ ଭୋଗ କର, ମାଗୁଛ କାହିଁକି ?" ମୁଁ ଜିଣିଲେ ମୋର ସମ୍ପତ୍ତି ମୋର ହୋଇ ରହିବ । ନିଷ୍କଣ୍ଟକ ରାଜ୍ୟ ଭୋଗ କରିବି ।" ଯୁଧିଷ୍ଠିର କହିଲେ, "ଠିକ ଅଛି, ଆମେ ପାଞ୍ଚ ଭାଇ ଏକ ପକ୍ଷରେ ଓ ତୁମେ ଶହେ ଭାଇ ଅପର ପକ୍ଷରେ ରୁହ । ଏ ରାଜାମାନଙ୍କୁ ,ପିତାମହ, ଗୁରୁ, ଗୁରୁଜନ ପୁତ୍ର ପୌତ୍ର ବନ୍ଧୁ ବାନ୍ଧବ ସୈନ୍ୟ ସାମନ୍ତଙ୍କୁ ଛାଡିଦିଅ । ଅକାରଣେ ଏମାନଙ୍କ ଜୀବନ ନଷ୍ଟ କରିବା କାହିଁକି ? ଦୁର୍ଯ୍ୟୋଧନ କହିଲେ," ବିନା ସୈନ୍ୟସାମନ୍ତରେ କି ଯୁଦ୍ଧ ହେବ.?ମୋର ବିଶାଳ ସୈନ୍ୟବାହିନୀ ଦେଖି ଭୟ ଲାଗୁଛି, ନୁହେଁ ?” ଯୁଧିଷ୍ଠିର ଉଚ୍ଚ ସ୍ୱରରେ ସମସ୍ତ କୁରୁ ସୈନ୍ୟ ସେନାପତିମାନଙ୍କୁ ସମ୍ବୋଧନ କରି କହିଲେ, "ସମସ୍ତେ ଶୁଣନ୍ତୁ. ପଣ୍ଡୁ ଧୃତରାଷ୍ଟ୍ରଙ୍କର ପୁତ୍ର ଭାବରେ ଆମ୍ଭେ ପାଣ୍ଡବମାନେ ମଧ୍ୟ କୌରବଙ୍କ ସହ ଏ ପଞ୍ଚସ୍ଥଳୀରେ ଭାଗୀଦାର କିନ୍ତୁ ଦୁର୍ଯ୍ୟୋଧନ ଭାଗ ନ ଦେଇ ଯୁଦ୍ଧ କରିବା ପାଇଁ ଜିଦ୍ ଧରିଛି । ଏ ଯୁଦ୍ଧରେ ବ୍ରାହ୍ମଣ, କ୍ଷତ୍ରିୟ, ଦୋଷୀ, ନିର୍ଦ୍ଦୋଷ ଅନେକ ପ୍ରାଣ ହରାଇବେ । ବହୁ ସ୍ତ୍ରୀ ବିଧବା ହେବେ, ଅନେକ ପୁତ୍ର, କନ୍ୟା ସେମାନଙ୍କ ପିତାମାନଙ୍କୁ ହରାଇବେ । ଏ ସମସ୍ତ ଦୋଷ କାହାକୁ ଲାଗିବ , ଆପଣମାନେ କହନ୍ତୁ ।” ଆକାଶବାଣୀ ହେଲାପରି ଅସଂଖ୍ୟ ତୁଣ୍ଡରୁ ସ୍ଫୁରିଲା," ଆହେ ଧର୍ମରାଜ ଦୋଷ ନାହିଁ ଯେ ତୁମ୍ଭର, ଧର୍ମବଳରୁ ଜିଣିବ ତୁମ୍ଭେ ଏ ସମର." ତା ପରେ ଧର୍ମନନ୍ଦନ ଦୁଇ ହାତ ଉପରକୁ ଟେକି କହିଲେ, "କୁରୁ ଥାଟରେ ଥିବା ଯୋଦ୍ଧାମାନଙ୍କୁ ମୁଁ ଆହ୍ୱାନ କରୁଛି, ଯେଉଁମାନେ ନ୍ୟାୟ ସପକ୍ଷରେ ମୋତେ ସମର୍ଥନ କରିବାକୁ ଇଚ୍ଛା କରୁଛନ୍ତି ସେମାନେ ମୋ ସହିତ ଆସନ୍ତୁ । ମୋ ଦେହରେ ପ୍ରାଣ ଥିବାଯାଏଁ ମୁଁ ତାଙ୍କୁ ସଂରକ୍ଷଣ ଦେବି । କୁରୁଥାଟ ସମ୍ମୁଖରେ ଥିବା ଦୁର୍ଯ୍ୟୋଧନଙ୍କର ସର୍ବକନିଷ୍ଠ ଭ୍ରାତା ଦୁର୍ଦ୍ଦକ୍ଷ ନିଜ ଅଧୀନରେ ଥିବା ସୈନ୍ୟସାମନ୍ତ ଓ ରଥ,ଗଜ ତଥା ଅଶ୍ଵାରୋହୀମାନଙ୍କୁ ନେଇ ଯୁଧିଷ୍ଠିରଙ୍କ ସମ୍ମୁଖରେ ନିଜର ଯୋଗଦାନର ଘୋଷଣା କରିଦେଲା । ତାର ମସ୍ତକରେ ହସ୍ତ ଦେଇ ଯୁଧିଷ୍ଠିର ଆଶୀର୍ବାଦ କଲେ । କହିଲେ, "ତୁ ହିଁ ଧୃତରାଷ୍ଟ୍ରଙ୍କର ବଂଶ ରକ୍ଷା କରିବୁ । "ଯେତେ ଦିନ ଯାଏଁ ମୋର ପିଣ୍ଡେ ଥିବ ପ୍ରାଣ, ଚିରଞ୍ଜୀବୀ ହେବୁ ମୋର ବଳ ମଧ୍ୟେ ଜାଣ ।" ଏହା ଦେଖି ଦୁର୍ଯ୍ୟୋଧନ ଅତ୍ୟନ୍ତ କ୍ରୁଦ୍ଧ ହୋଇ ଦୁର୍ଦ୍ଦକ୍ଷ ସହ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବାକୁ ନିଜ ସୈନ୍ୟମାନଙ୍କୁ ଆଦେଶ ଦେଲେ. ସୈନ୍ୟମାନେ ଚତୁର୍ପାର୍ଶ୍ୱରୁ ଘେରି ଆସିବାର ଦେଖି ଯୁଧିଷ୍ଠିର ବ୍ୟସ୍ତ ହୋଇ ପଡିଲେ. “ଏହା ଦେଖି ଯୁଧିଷ୍ଠିର ମନେ ବିଚାରିଲେ , "ଆପଦ ପଡଇ ନିଶ୍ଚେଁ ମନା ନ ମାନିଲେ, ସାଧୁ ସାଧୁ ଆରେ ଭୀମା ବାରିଲୁ ଆସନ୍ତେ, ମୂର୍ଖ ଅବିବେକୀ ବୋଲି ଭାବିଲି ମୁଁ ଚିତ୍ତେ ।"ଦୁର୍ଦ୍ଦକ୍ଷ ଧୁରନ୍ଧର ଯୋଦ୍ଧା ଥିଲା । ସେ ଯୁଧିଷ୍ଠିରଙ୍କୁ କହିଲା, "ଆପଣ ଚିନ୍ତା କରନ୍ତୁ ନାହିଁ, ଏମାନଙ୍କୁ ବର୍ତ୍ତମାନ ମୁଁ କେମିତି ନିରସ୍ତ କରୁଛି ଦେଖନ୍ତୁ । ପ୍ରକୃତରେ ଦୁର୍ଦ୍ଦକ୍ଷ ଓ ତାର ସୈନ୍ୟମାନେ ସଶକ୍ତ ପ୍ରତିରୋଧ କଲେ. ଯୁଧିଷ୍ଠିର ମା ମଙ୍ଗଳାଙ୍କୁ ସ୍ମରଣ କରୁଥାନ୍ତି. କେବଳ ଧନୁର୍ବିଦ୍ୟାରେ ନୁହେଁ, ଗଦା ଯୁଦ୍ଧରେ ମଧ୍ୟ ପ୍ରବୀଣ ଥିଲା କନିଷ୍ଠ ଧାର୍ତ୍ତରାଷ୍ଟ୍ରୀ. ଅତିଶୟ କ୍ରୋଧାନ୍ୱିତ ହୋଇ ଦୁଃଶାସନ ଦୁର୍ଦ୍ଦକ୍ଷକୁ ଶିକ୍ଷା ଦେବାପାଇଁ ତା ଉପରେ ଗଦା ପ୍ରହାର କଲା । ବିଚକ୍ଷଣ କୌଶଳରେ ନିଜକୁ ବଞ୍ଚାଇ ଦୁର୍ଦ୍ଦକ୍ଷ ପ୍ରଚଣ୍ଡ ପ୍ରହାରରେ ଦୁଃଶାସନକୁ ଧରାଶାୟୀ କରିଦେଲା । ଦୁଃଶାର ନାସାରୁ ଶୋଣିତ ନିର୍ଗତ ହେବା ଦେଖି ଦୁର୍ଦ୍ଦକ୍ଷ ତାକୁ ଉଠାଇ ବସାଇଲା ଓ ବୁଝାଇଲା, "ଭାଇ, ଭୀମଙ୍କ ପ୍ରତିଜ୍ଞା ମନେ ଅଛି ତ ?ଜୀବନକୁ ଆଶା ଥିଲେ ଆପଣ ଏ ଯୁଦ୍ଧରୁ ଦୂରରେ ରହନ୍ତୁ." ଏତିକି କହି ତାକୁ ତା ରଥରେ ବସାଇ ସାରଥୀକୁ ରଥ ନେଇ ଫେରିଯିବାକୁ ନିର୍ଦ୍ଦେଶ ଦେଲା. ଦୁର୍ଯୋଧନ ଦୂରରୁ ଥାଇ ଏ ସବୁ ଲକ୍ଷ କରୁଥିଲେ. ସେ ନିଜର ସାରଥୀକୁ ଦୁର୍ଦ୍ଦକ୍ଷ ସମ୍ମୁଖକୁ ରଥ ନେବାକୁ ଆଦେଶ ଦେଲେ.
କ୍ରମଶଃ.....
No comments:
Post a Comment