ଦୁର୍ଯ୍ୟୋଧନଙ୍କର ସେହି ଦାମ୍ଭିକତାପୂର୍ଣ ବାଣୀ ଶୁଣି ଭୀଷ୍ମ ନୀରବ ରହିଲେ Ι କୁରୁପତିଙ୍କର ବନ୍ଧୁ କର୍ଣ୍ଣ ସ୍ୱରରେ ସ୍ୱର ମିଳାଇ କହିଲେ, "ଆପଣ କଣ ଭାବୁଛନ୍ତି କୌରବ ପକ୍ଷରେ ଆଉ କେହି ବୀର ନାହାନ୍ତି ? ସାରା ଜୀବନ କୌରବଙ୍କ ଅନ୍ନରେ ପ୍ରତିପାଳିତ ହୋଇ ମଧ୍ୟ ଆପଣ ସର୍ବଦା ପାଣ୍ଡବଙ୍କ ହିତ କାମନା କରିଛନ୍ତି Ι ଆପଣ ଆଜି ପାଣ୍ଡବମାନଙ୍କୁ ନିଜର ମୃତ୍ୟୁଭେଦ କହିଥିବା କଥା ସମସ୍ତେ ଜାଣି ସାରିଛନ୍ତି Ι ଏତେଦିନ ଧରି ଆପଣ କେବଳ ଉପ୍ରୋଧ ରକ୍ଷା କରି ଯୁଦ୍ଧ କରୁଥିଲେ Ι ଏବେ ପ୍ରକୃତ ଯୁଦ୍ଧ ହେବ Ι."କର୍ଣ୍ଣ, ଦ୍ରୋଣ, ଅଶ୍ଵତ୍ଥାମା କୃପ ଶଲ୍ୟ ଥାନ୍ତେ, ତୁମ୍ଭେ ଦେଖିବ ପାଣ୍ଡବେ ବର୍ତ୍ତିବେ କେମନ୍ତେ Ι"ଭୀଷ୍ମ କହିଲେ," ମୁଁ ତୁମ୍ଭର ଏହି ତାତ୍ସଲ୍ୟ ବାଧ୍ୟ ହୋଇ ସହ୍ୟ କରୁଛି Ι କିନ୍ତୁ ଏବେ ମୁଁ ପ୍ରାଣ ତ୍ୟାଗ କରୁନାହିଁ Ι ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଏହିଠାରେ ରହି ମୁଁ ଦେଖିବି ତୁମର ଓ ଅନ୍ୟ ସମସ୍ତଙ୍କର ପରାକ୍ରମ Ι ବତ୍ସ ଦୁର୍ଯ୍ୟୋଧନ, ମୋ ପାଇଁ ଶଯ୍ୟାଟିଏର ବ୍ୟବସ୍ଥା କରିଦେବ ? କୌରବ ସମ୍ରାଟ ସଙ୍ଗେ ସଙ୍ଗେ ତୁଳିତଳ୍ପ ଶଯ୍ୟାର ବ୍ୟବସ୍ଥା କରିଦେଲେ Ι କିନ୍ତୁ ଭୀଷ୍ମ କହିଲେ, "ଏହି ଶଯ୍ୟା ମୋ ପାଇଁ ନିରାପଦ ହେବନାହିଁ Ι ଏଠାରେ ମୃତ ଶରୀର ଭକ୍ଷଣ ପାଇଁ ବଣ୍ୟ ପଶୁମାନେ ରାତ୍ରିରେ ଭ୍ରମଣ କରିବେ Ι ପିଶାଚ ପିଶାଚୀମାନେ ନୃତ୍ୟ କରିବେ Ι ପ୍ରତିଦିନ ଯୁଦ୍ଧରେ ବହୁଥିବା ରକ୍ତ ନଦୀ ମୋତେ ବୁଡାଇ ଦେଇ ପାରେ Ι ଶବ ଉପରେ ଶବ ଜମା ହୋଇ ମୋତେ ମଧ୍ୟ ପୋତି ପକାଇବା ଅସମ୍ଭବ ନୁହେଁ Ιଫାଲ୍ଗୁନୀ, ତୁମେ କିଛି ବିକଳ୍ପ ବ୍ୟବସ୍ଥା କରିପାରିବ ?ଅର୍ଜୁନ ଶରରେ ଶର ଛନ୍ଦି, ବହୁ ଉଚ୍ଚତା ବିଶିଷ୍ଟ ଏକ ଶର ଶଯ୍ୟା ପ୍ରସ୍ତୁତ କଲେ Ι ଭୀଷ୍ମଙ୍କ ଶରୀରରେ ଭୀଷଣ ଜ୍ୱାଳା ଅନୁଭୂତ ହେଉଥାଏ Ι ସେ ଜ୍ୱାଳାରୁ ରକ୍ଷା ପାଇବା ପାଇଁ ଜଳ ଆଣିବା ପାଇଁ କହିଲେ Ι କୌରବ ଶିବିରରୁ ସୁବାସିତ ସୁଶୀତଳ ଜଳ ଅଣାଯାଇ ତାଙ୍କ ଉପରେ ଢଳାଗଲା Ι କିନ୍ତୁ ସେଥିରେ ତାଙ୍କର ଯନ୍ତ୍ରଣା ଉପଶମ ହେଲାନାହିଁ Ι ସେ ପାର୍ଥଙ୍କୁ ଚାହିଁଲେ Ι ଅର୍ଜୁନ ଗଙ୍ଗାନଦୀରୁ ଜଳ ଆଣିବା ଉଦ୍ଦେଶ୍ୟରେ ଶରଟିଏ ନିକ୍ଷେପ କଲେ Ι ସେହିଠାରେ ଏକ ଗର୍ତ୍ତ ହୋଇ ଗଙ୍ଗାଜଳର ଏକ ଧାରା ଭୀଷ୍ମଙ୍କ ଉପରେ ପତିତ ହେଲା Ι ମାତା ଗଙ୍ଗାଙ୍କର ସ୍ପର୍ଶରେ ଭୀଷ୍ମ ପରମ ଶାନ୍ତି ପ୍ରାପ୍ତହେଲେ Ι ସମ୍ମୁଖରେ କୃଷ୍ଣଙ୍କୁ ଦେଖି ଭୀଷ୍ମ କହିଲେ," ହେ ଜଗତତାରଣ, ଜଗବନ୍ଧୁ, ଜଗନ୍ନାଥ, ମୋର ସମସ୍ତ ଶରୀର ଅବଶ Ι ହସ୍ତ ଉତ୍ତୋଳନ କରି ପ୍ରଣାମ କରିବାର ସାମର୍ଥ୍ୟ ମୋର ନାହିଁ Ι ତଥାପି ମୋର ହୃଦୟକନ୍ଦରରୁ ସମର୍ପିତ ଭକ୍ତିପୂତ ନମସ୍କାର ଗ୍ରହଣ କରନ୍ତୁ Ι ମୋର ଅନେକ ଦୋଷ ଅଛି Ι ସେଥି ମଧ୍ୟରୁ ଅପୁତ୍ରିକ ଦୋଷ ଗୋଟିଏ Ι ପାଞ୍ଚାଳୀ ପ୍ରତି ଘଟିଥିବା ଅମାନୁଷିକ ଅତ୍ୟାଚାରର ପ୍ରତିରୋଧ ନ କରି ସେ ପାପ ମଧ୍ୟ ମୁଁ ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ମୋ ସ୍କନ୍ଧରେ ବହି ଚାଲିଛି Ι ଯୁଦ୍ଧରେ ଆପଣଙ୍କ ମୁଖ ଦେଖି ମୃତ୍ୟୁ ହୋଇଥିଲେ ସେ ଦୋଷ କଟିଥାନ୍ତା କିନ୍ତୁ ମୁ କର୍ଣ୍ଣର ଆସ୍ଫାଳନର ପରିଣତି ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରିବି Ι ସୂର୍ଯ୍ୟ ଏବେ ଦକ୍ଷିଣାୟନରେ ଅଛନ୍ତି Ι ସେ ଉତ୍ତରାୟଣକୁ ଗତି କଲେ ମୁ ଇହଲୀଳା ସମ୍ବରଣ କରିବି Ι କୃଷ୍ଣ କହିଲେ,"ମୋର ଅନୁରୋଧ ମାନି ତୁମେ ନିଜେ ନିଜର ସମାପ୍ତି ଘଟାଇଛ Ι ଏହି କଣ୍ଟକିତ ଶାୟକ ଶଯ୍ୟା ଇଛା କରି, ତୁମେ ପ୍ରାୟଶ୍ଚିତ କରିବା ମୁଁ ଜାଣି ପାରୁଛି Ι ତୁମର ସେ ପାପ କ୍ଷୟ ଯାଇ ତୁମେ ବୈକୁଣ୍ଠ ପ୍ରାପ୍ତ ହୁଅ ବୋଲି ମୁଁ ତୁମକୁ ବର ଦାନ କରୁଛି Ι ତୁମେ ଅପୁତ୍ରିକ ହେଲେହେଁ, ସମସ୍ତେ ଭୀଷ୍ମଦଶମୀରେ ତୁମର ନାମ ଗୋତ୍ର ଉଚ୍ଚାରଣ କରି ତୁମକୁ ପିଣ୍ଡ ଦେବେ Ι"ତୁ କ୍ଷତ୍ରୀ ବୃତ୍ତି ତେଜିଲୁ ମୋର କାର୍ଯ୍ୟ ଅର୍ଥେ, ସର୍ବେ ଆତ୍ମଜ ପରାୟେ ପିଣ୍ଡ ଦେବେ ତୋତେ “Ι ସୂର୍ଯ୍ୟ ଅସ୍ତ ହେଉଥିଲେ Ι ପରଦିନ ସଂଗ୍ରାମ ପାଇଁ ପ୍ରସ୍ତୁତିର ଆବଶ୍ୟକତା ଥିଲା Ι ସମସ୍ତ କୌରବ ଓ ପାଣ୍ଡବ ଭ୍ରାତା ଅଶ୍ରୁପୂର୍ଣ ନୟନରେ ପିତାମହଙ୍କ ଚରଣ ସ୍ପର୍ଶ କରି ବିଦାୟ ନେଲେ Ι ଅର୍ଜୁନ ତାଙ୍କର ଶରୀରକୁ ଶରଶଯ୍ୟାରେ ସ୍ଥାପିତ କଲେ Ι ଗୋଟାଏ ଯୁଗର ଅବସାନ ଘଟିଲା Ι ଏକ ମହାନ ବ୍ୟକ୍ତିତ୍ୱ ଅସ୍ତ ହେବାକୁ ଯାଉଥିଲେ Ι କେବଳ ଉଭୟ ଶିବିରରେ ନୁହେଁ, ପଞ୍ଚକଟକର କୋଣ ଅନୁକୋଣରେ ଏବଂ ହସ୍ତିନା ଓ ଇନ୍ଦ୍ରପ୍ରସ୍ଥର ରାଜନବରରେ ନାରୀ ପୁରୁଷଙ୍କର କ୍ରନ୍ଦନ ଧ୍ୱନି ସାରା ବାତାବରଣକୁ ଶୋକାପ୍ଳୁତ କରିଦେଲା Ι
......ସମାପ୍ତ......