About Me

Kendrapara, Odisha, India

2018-02-07

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୨୮


ଦୁର୍ଯ୍ୟୋଧନଙ୍କର ସେହି ଦାମ୍ଭିକତାପୂର୍ଣ ବାଣୀ ଶୁଣି ଭୀଷ୍ମ ନୀରବ ରହିଲେ Ι କୁରୁପତିଙ୍କର ବନ୍ଧୁ  କର୍ଣ୍ଣ ସ୍ୱରରେ ସ୍ୱର ମିଳାଇ କହିଲେ, "ଆପଣ କଣ ଭାବୁଛନ୍ତି କୌରବ ପକ୍ଷରେ ଆଉ କେହି ବୀର ନାହାନ୍ତି ? ସାରା ଜୀବନ କୌରବଙ୍କ ଅନ୍ନରେ ପ୍ରତିପାଳିତ ହୋଇ ମଧ୍ୟ ଆପଣ ସର୍ବଦା ପାଣ୍ଡବଙ୍କ ହିତ କାମନା କରିଛନ୍ତି Ι ଆପଣ ଆଜି ପାଣ୍ଡବମାନଙ୍କୁ ନିଜର ମୃତ୍ୟୁଭେଦ କହିଥିବା କଥା ସମସ୍ତେ ଜାଣି ସାରିଛନ୍ତି Ι ଏତେଦିନ ଧରି ଆପଣ କେବଳ ଉପ୍ରୋଧ ରକ୍ଷା କରି ଯୁଦ୍ଧ କରୁଥିଲେ Ι ଏବେ ପ୍ରକୃତ ଯୁଦ୍ଧ ହେବ Ι."କର୍ଣ୍ଣ, ଦ୍ରୋଣ, ଅଶ୍ଵତ୍ଥାମା କୃପ ଶଲ୍ୟ ଥାନ୍ତେ, ତୁମ୍ଭେ ଦେଖିବ ପାଣ୍ଡବେ ବର୍ତ୍ତିବେ କେମନ୍ତେ Ι"ଭୀଷ୍ମ କହିଲେ," ମୁଁ ତୁମ୍ଭର ଏହି ତାତ୍ସଲ୍ୟ ବାଧ୍ୟ ହୋଇ ସହ୍ୟ କରୁଛି Ι କିନ୍ତୁ ଏବେ ମୁଁ ପ୍ରାଣ ତ୍ୟାଗ କରୁନାହିଁ Ι ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଏହିଠାରେ ରହି ମୁଁ ଦେଖିବି ତୁମର ଓ ଅନ୍ୟ ସମସ୍ତଙ୍କର ପରାକ୍ରମ Ι ବତ୍ସ ଦୁର୍ଯ୍ୟୋଧନ, ମୋ ପାଇଁ ଶଯ୍ୟାଟିଏର ବ୍ୟବସ୍ଥା କରିଦେବ ? କୌରବ ସମ୍ରାଟ ସଙ୍ଗେ ସଙ୍ଗେ ତୁଳିତଳ୍ପ ଶଯ୍ୟାର ବ୍ୟବସ୍ଥା କରିଦେଲେ Ι କିନ୍ତୁ ଭୀଷ୍ମ କହିଲେ, "ଏହି ଶଯ୍ୟା ମୋ ପାଇଁ ନିରାପଦ ହେବନାହିଁ Ι ଏଠାରେ ମୃତ ଶରୀର ଭକ୍ଷଣ ପାଇଁ ବଣ୍ୟ ପଶୁମାନେ ରାତ୍ରିରେ ଭ୍ରମଣ କରିବେ Ι ପିଶାଚ ପିଶାଚୀମାନେ ନୃତ୍ୟ କରିବେ Ι ପ୍ରତିଦିନ ଯୁଦ୍ଧରେ ବହୁଥିବା ରକ୍ତ ନଦୀ ମୋତେ ବୁଡାଇ ଦେଇ ପାରେ Ι ଶବ ଉପରେ ଶବ ଜମା ହୋଇ ମୋତେ ମଧ୍ୟ ପୋତି ପକାଇବା ଅସମ୍ଭବ ନୁହେଁ Ιଫାଲ୍ଗୁନୀ, ତୁମେ କିଛି ବିକଳ୍ପ ବ୍ୟବସ୍ଥା କରିପାରିବ ?ଅର୍ଜୁନ ଶରରେ ଶର ଛନ୍ଦି, ବହୁ ଉଚ୍ଚତା ବିଶିଷ୍ଟ ଏକ ଶର ଶଯ୍ୟା ପ୍ରସ୍ତୁତ କଲେ Ι ଭୀଷ୍ମଙ୍କ ଶରୀରରେ ଭୀଷଣ ଜ୍ୱାଳା ଅନୁଭୂତ ହେଉଥାଏ Ι ସେ ଜ୍ୱାଳାରୁ ରକ୍ଷା ପାଇବା ପାଇଁ ଜଳ ଆଣିବା ପାଇଁ କହିଲେ Ι କୌରବ ଶିବିରରୁ ସୁବାସିତ ସୁଶୀତଳ ଜଳ ଅଣାଯାଇ ତାଙ୍କ ଉପରେ ଢଳାଗଲା Ι କିନ୍ତୁ ସେଥିରେ ତାଙ୍କର ଯନ୍ତ୍ରଣା ଉପଶମ ହେଲାନାହିଁ Ι ସେ ପାର୍ଥଙ୍କୁ ଚାହିଁଲେ Ι ଅର୍ଜୁନ ଗଙ୍ଗାନଦୀରୁ ଜଳ ଆଣିବା ଉଦ୍ଦେଶ୍ୟରେ ଶରଟିଏ ନିକ୍ଷେପ କଲେ Ι ସେହିଠାରେ ଏକ ଗର୍ତ୍ତ ହୋଇ ଗଙ୍ଗାଜଳର ଏକ ଧାରା ଭୀଷ୍ମଙ୍କ ଉପରେ ପତିତ ହେଲା Ι ମାତା ଗଙ୍ଗାଙ୍କର ସ୍ପର୍ଶରେ ଭୀଷ୍ମ ପରମ ଶାନ୍ତି ପ୍ରାପ୍ତହେଲେ Ι ସମ୍ମୁଖରେ କୃଷ୍ଣଙ୍କୁ ଦେଖି ଭୀଷ୍ମ କହିଲେ," ହେ ଜଗତତାରଣ, ଜଗବନ୍ଧୁ, ଜଗନ୍ନାଥ, ମୋର ସମସ୍ତ ଶରୀର ଅବଶ Ι ହସ୍ତ ଉତ୍ତୋଳନ କରି ପ୍ରଣାମ କରିବାର ସାମର୍ଥ୍ୟ ମୋର ନାହିଁ Ι ତଥାପି ମୋର ହୃଦୟକନ୍ଦରରୁ ସମର୍ପିତ ଭକ୍ତିପୂତ ନମସ୍କାର ଗ୍ରହଣ କରନ୍ତୁ Ι ମୋର ଅନେକ ଦୋଷ ଅଛି Ι ସେଥି ମଧ୍ୟରୁ ଅପୁତ୍ରିକ ଦୋଷ ଗୋଟିଏ Ι ପାଞ୍ଚାଳୀ ପ୍ରତି ଘଟିଥିବା ଅମାନୁଷିକ ଅତ୍ୟାଚାରର ପ୍ରତିରୋଧ ନ କରି ସେ ପାପ ମଧ୍ୟ ମୁଁ ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ମୋ ସ୍କନ୍ଧରେ ବହି ଚାଲିଛି Ι ଯୁଦ୍ଧରେ ଆପଣଙ୍କ ମୁଖ ଦେଖି ମୃତ୍ୟୁ ହୋଇଥିଲେ ସେ ଦୋଷ କଟିଥାନ୍ତା କିନ୍ତୁ ମୁ କର୍ଣ୍ଣର ଆସ୍ଫାଳନର ପରିଣତି ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରିବି Ι ସୂର୍ଯ୍ୟ ଏବେ ଦକ୍ଷିଣାୟନରେ  ଅଛନ୍ତି Ι ସେ ଉତ୍ତରାୟଣକୁ ଗତି କଲେ ମୁ ଇହଲୀଳା ସମ୍ବରଣ କରିବି Ι କୃଷ୍ଣ କହିଲେ,"ମୋର ଅନୁରୋଧ ମାନି ତୁମେ ନିଜେ ନିଜର ସମାପ୍ତି ଘଟାଇଛ Ι ଏହି କଣ୍ଟକିତ ଶାୟକ ଶଯ୍ୟା ଇଛା କରି, ତୁମେ ପ୍ରାୟଶ୍ଚିତ କରିବା ମୁଁ ଜାଣି ପାରୁଛି Ι ତୁମର ସେ ପାପ କ୍ଷୟ ଯାଇ ତୁମେ ବୈକୁଣ୍ଠ ପ୍ରାପ୍ତ ହୁଅ ବୋଲି ମୁଁ ତୁମକୁ ବର ଦାନ କରୁଛି Ι ତୁମେ ଅପୁତ୍ରିକ ହେଲେହେଁ, ସମସ୍ତେ ଭୀଷ୍ମଦଶମୀରେ ତୁମର ନାମ ଗୋତ୍ର ଉଚ୍ଚାରଣ କରି ତୁମକୁ ପିଣ୍ଡ ଦେବେ Ι"ତୁ କ୍ଷତ୍ରୀ ବୃତ୍ତି ତେଜିଲୁ ମୋର କାର୍ଯ୍ୟ ଅର୍ଥେ, ସର୍ବେ ଆତ୍ମଜ ପରାୟେ ପିଣ୍ଡ ଦେବେ ତୋତେ “Ι ସୂର୍ଯ୍ୟ ଅସ୍ତ ହେଉଥିଲେ Ι ପରଦିନ ସଂଗ୍ରାମ ପାଇଁ ପ୍ରସ୍ତୁତିର ଆବଶ୍ୟକତା ଥିଲା Ι ସମସ୍ତ କୌରବ ଓ ପାଣ୍ଡବ ଭ୍ରାତା ଅଶ୍ରୁପୂର୍ଣ ନୟନରେ ପିତାମହଙ୍କ ଚରଣ ସ୍ପର୍ଶ କରି ବିଦାୟ ନେଲେ Ι ଅର୍ଜୁନ ତାଙ୍କର ଶରୀରକୁ ଶରଶଯ୍ୟାରେ ସ୍ଥାପିତ କଲେ Ι ଗୋଟାଏ ଯୁଗର ଅବସାନ ଘଟିଲା Ι ଏକ ମହାନ ବ୍ୟକ୍ତିତ୍ୱ ଅସ୍ତ ହେବାକୁ ଯାଉଥିଲେ Ι କେବଳ ଉଭୟ ଶିବିରରେ ନୁହେଁ, ପଞ୍ଚକଟକର କୋଣ ଅନୁକୋଣରେ ଏବଂ ହସ୍ତିନା ଓ ଇନ୍ଦ୍ରପ୍ରସ୍ଥର ରାଜନବରରେ ନାରୀ ପୁରୁଷଙ୍କର କ୍ରନ୍ଦନ ଧ୍ୱନି ସାରା ବାତାବରଣକୁ ଶୋକାପ୍ଳୁତ କରିଦେଲା Ι


                   ......ସମାପ୍ତ......

2018-02-05

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨୭


ଆଜିର ଉପାଖ୍ୟାନ ବର୍ଣ୍ଣନା କରିବା ପୂର୍ବରୁ ମହାନ୍ ଯୋଦ୍ଧା ,ଅନୁଶାସିତ ସଭାସଦ୍, ପ୍ରତିଜ୍ଞାବନ୍ତ, ବୟୋଜ୍ୟୋଷ୍ଠ, ସମ୍ମାନାଷ୍ପଦ, କୁରୁକୁଳର ଗର୍ବ ପିତାମହଙ୍କର ହସ୍ତିନା ସିଂହାସନ ପ୍ରତି ବିଶ୍ୱସ୍ତତା ଓ ନିଷ୍ଠା ପାଇଁ ସମସ୍ତ ପ୍ରଶଂସା ଅଜାଡି ଦେଇସାରି ପ୍ରଶ୍ନଟିଏ କରିବି,"ସତରେ କଣ ଗଙ୍ଗାପୁତ୍ର ଦେବବ୍ରତ କେବଳ ପ୍ରଶଂସାର ପାତ୍ର ? ପିତାଙ୍କ ପାଇଁ ତାଙ୍କର ଦାରତ୍ୟାଗର  ପ୍ରଶଂସା କଲାବେଳେ ଅମ୍ବାଙ୍କ ପ୍ରତି ଅନ୍ୟାୟ ଲାଗି ତାଙ୍କ ଉପରେ କଣ ଦୋଷାରୋପ କରାଯାଇ ନ ପାରେ ? ରାଜ ଅନୁରକ୍ତି ପାଇଁ ତାଙ୍କର ସ୍ତୁତିଗାନ କରିବା ସଙ୍ଗେ ସଙ୍ଗେ ଆମେ କଣ ଭୁଲିଯିବା ଯେ ଯାଜ୍ଞସେନୀ ବସ୍ତ୍ରହରଣ ବେଳେ ସେ ମୂକ ଦର୍ଶକ ସାଜି ବସିଥିଲେ ? ପ୍ରତିବାଦ କରି, ଆବଶ୍ୟକ ସ୍ଥଳେ ଶକ୍ତି ପ୍ରଦର୍ଶନ କରି, ସେ ଯଦି ସେହି ଜଘନ୍ୟ ଅପରାଧକୁ ଘଟିବାକୁ ଦେଇ ନ ଥାନ୍ତେ ....ଆଜି ଭୀଷ୍ମଙ୍କର ଚରିତ୍ରରେ କଳଙ୍କର ସେ ସୁଗଭୀର ଦାଗଟିଏ ଲାଗି ନ ଥାନ୍ତା Ι ଏବେ ମଧ୍ୟ ଅନେକ ଭୀଷ୍ମ, ସମ୍ମୁଖରେ ନାରୀ ନିର୍ଯାତନା ଦେଖି ମଧ୍ୟ ପ୍ରତିବାଦ କିମ୍ବା ପ୍ରତିକାର କରୁନାହାନ୍ତି Ι ସେମାନଙ୍କୁ ଆମେ ଯେତିକି ସମାଲୋଚନା କରୁଛନ୍ତି, ସେତିକି ନିନ୍ଦା କଣ ଭୀଷ୍ମଙ୍କର ପ୍ରାପ୍ୟ ନ ଥିଲା ? ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା.’ ପୂଜା କରିବା ଦୂରର କଥା,ନାରୀ ଆଜି ଯତ୍ର ତତ୍ର ଉତ୍ପୀଡିତା ହେଉଛି Ι ଯେତେବେଳେ ଯେଉଁଠି ଏକ ଅବଳା ସ୍ତ୍ରୀ ଉପରେ ଅତ୍ୟାଚାର ହୋଇଛି, କେବଳ ଅତ୍ୟାଚାରୀ ନୁହେଁ, ସେଠାରେ ନୀରବ ଦ୍ରଷ୍ଟା ସାଜିଥିବା ସମସ୍ତ ନପୁଂସକ ଦର୍ଶକ ମଧ୍ୟ ଅନୁରୂପ ଭାବରେ ଭର୍ତ୍ସନାର ପାତ୍ର Ι ଝିମିଟି ଖେଳରେ ନୁହେଁ, ପାଣ୍ଡବ ପଞ୍ଚଭ୍ରାତା କୁରୁସଭାର ସେହି ବିଭତ୍ସ ନାରୀଧର୍ଷଣର ନାରକୀୟ ଲୀଳା ଯୋଗୁଁ ହିଁ ପ୍ରତିଶୋଧର ପ୍ରତିଜ୍ଞା କରିଥିଲେ ଓ ଦୀର୍ଘକାଳ ସେ ଶପଥର ବୋଝ ବୋହି ବୋହି ଚାଲିଥିଲେ Ι ୟେ ଆଲୋଚନାକୁ ଏଇଠି ରଖି ଆମେ ମହାଭାରତ ଯୁଦ୍ଧର ଦଶମ ଦିବସର ଘଟଣାବଳୀ ଉପରେ ଦୃକ୍ ପାତ କରିବା Ι
ଶ୍ରୀକୃଷ୍ଣ ସେଦିନ ଯୁଦ୍ଧରେ ଶିଖଣ୍ଡୀକୁ ସେନାପତି କରିବାକୁ କହିଲେ Ι କିନ୍ତୁ ଅର୍ଜୁନ ସେ ପ୍ରସ୍ତାବରେ ସମ୍ମତ ହେଉ ନଥାନ୍ତି Ι ଶ୍ରୀପତିଙ୍କ ଇଚ୍ଛା ଓ ସହଦେବଙ୍କ ମନ୍ତ୍ରଣା ଅନୁସାରେ ଯୁଧିଷ୍ଠିର ଶିଖଣ୍ଡୀଙ୍କୁ ନାନା ରତ୍ନ ଅଳଙ୍କାରରେ ଭୂଷିତ କରି ଶାଢ଼ୀ ବାନ୍ଧି ସେନାପତି ଭାବରେ ବରଣ କଲେ Ι ଉଭୟ ପକ୍ଷ ଶୀଘ୍ର ରଣ ଭୂମିରେ ଅବତୀର୍ଣ୍ଣ ହେଲେ Ι ଭୀଷ୍ମ ଓ ଅର୍ଜୁନଙ୍କ  ମଧ୍ୟରେ ପୂର୍ବପରି ଘନଘୋର ଅସ୍ତ୍ର ଶସ୍ତ୍ର ବିନିମୟ ଚାଲିଥାଏ Ι ଏହି ସମୟରେ ଶିଖଣ୍ଡୀ ଉଭୟଙ୍କ ମଧ୍ୟରେ ନିଜର ରଥ ନେଇ ରଖାଇଦେଲେ Ι ଅର୍ଜୁନଙ୍କ ଶରାସନରୁ ଶର ବାହାରି ଯାଇଥାଏ Ι ପ୍ରତିଶର ପେଷଣ କରିବା ପୂର୍ବରୁ ଶିଖଣ୍ଡୀର ଉପସ୍ଥିତି ଘଟଣା କ୍ରମ ବଦଳାଇ ଦେଲା Ι ଭୀଷ୍ମଙ୍କ ହସ୍ତରୁ ଧନୁଶର ଖସି ପଡିଲା Ι ଅର୍ଜୁନଙ୍କର ଶର ତାଙ୍କର ଅଙ୍ଗ ଅଙ୍ଗ ଭେଦ କରିଗଲା Ι ବିବଶ ନିରସ୍ତ୍ର ଗାଙ୍ଗେୟଙ୍କ ଉପରକୁ ଶିଖଣ୍ଡୀଙ୍କର ପୁନର୍ବାର ଶରାଘାତ ତାଙ୍କୁ ନିଶ୍ଚଳ କରିଦେଲା Ι ସାରା ଜୀବନର ବ୍ରହ୍ମଚର୍ଯ୍ୟର ତେଜ ଓ ଶୌର୍ଯ୍ୟ ଦୂରୀଭୂତ ହୋଇ ସେ କ୍ଲାନ୍ତ ଅବଶ ଶରୀର ଘେନି ପଙ୍ଗୁ ପରି ରଥ ଉପରେ ପଡି ରହିଲେ Ι “ଭୀଷ୍ମଙ୍କର ଅସାଷ୍ଟମେ ଭାଜିଲେ ସଇନି, ସମର ରହୁ ବୋଲିଣ ଶୁଭିଲାକ ଧ୍ୱନି Ι” ସଙ୍ଗେ ସଙ୍ଗେ ଯୁଦ୍ଧ ସ୍ଥଗିତ ହେଲା Ι ଉଭୟ କୌରବ ଓ ପାଣ୍ଡବମାନେ, ଦ୍ରୋଣ କର୍ଣ୍ଣ, ଭୂରିଶ୍ରବା କୃପ ଶଲ୍ୟ ସମସ୍ତେ ପିତାମହଙ୍କ ନିକଟକୁ ଧାଇଁ ଆସିଲେ Ι କ୍ରନ୍ଦନର ରୋଳ ଆକାଶ ସ୍ପର୍ଶ କଲା Ι ସମ୍ବାଦ ପାଇ ଧୃତରାଷ୍ଟ୍ର ମଧ୍ୟ ସଞ୍ଜୟକୁ ସାଙ୍ଗରେ ନେଇ ଆସି ପହଞ୍ଚିଲେ Ι ଶୋକୋଚ୍ଛ୍ୱାସ ବେଳକୁ ବେଳ ଅସମ୍ଭାଳ ହେଲା Ι ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ ଭୂରିଶ୍ରବାଙ୍କ କୋଳରୁ ନେଇ ନିଜ କୋଳରେ ରଖି ତାଙ୍କର ମସ୍ତକ ଉପରେ ହସ୍ତଚାଳନା କରୁଥାନ୍ତି Ι ଅଶ୍ରୁପୂର୍ଣ ନୟନରେ ପିତାମହଙ୍କର ଗୁଣ ଗାନ କରି ଚାଲିଥାନ୍ତି Ι  ଭୀଷ୍ମ ଶେଷଥର ପାଇଁ ଦୁର୍ଯ୍ୟୋଧନଙ୍କୁ ବିହିତ ଉପଦେଶ ଦେବା ଚେଷ୍ଟାରେ କହିଲେ,"ବତ୍ସ, ମୋ ପରି ଇଚ୍ଛାମୃତ୍ୟୁର ଅଧିକାରୀ ଯଦି ତୋତେ ଜୟଲକ୍ଷ୍ମୀ ଆଣି ଦେଇ ନ ପାରିଲା, ଆଉ କିଏ ପାରିବ ? ବନ୍ଦ କର ଏ ସଂଗ୍ରାମ Ι "ଛାଡିଦିଅ ମନୁ ତୋର ଲୋଭ, ମୋହ ରାଗ, ଯୁକତେ ପାଣ୍ଡବଙ୍କର ଅଛି ଏଥେଁ ଭାଗ Ι"ମାନଗୋବିନ୍ଦ ବୋଇଲା ନ କହ ଏମନ୍ତେ, ସୀମାଏ ନ ଦେବି ଜୀବ ଥିବା ପରିଯନ୍ତେ Ι"


କ୍ରମଶଃ....

2018-02-04

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୨୬


ଶାରଳା ଦାସଙ୍କ ମହାଭାରତରେ ଥିବା ବର୍ଣ୍ଣନାକୁ ଆଡ଼େଇଗଲେ ଅପରାଧ ହେବ. ତେଣୁ ଏବେ ଆମେ ପୂର୍ବ ବର୍ଣ୍ଣିତ ରାତ୍ରିରେ ପାଣ୍ଡବ ଶିବିରକୁ  ଫେରିବା ଯେଉଁଠି ଶ୍ରୀକୃଷ୍ଣ ସହଦେଵଙ୍କୁ କହୁଛନ୍ତି ଯେ ଅନ୍ୟ ଭ୍ରାତାମାନଙ୍କୁ ଡାକ. ଆମେ ଭୀଷ୍ମଙ୍କୁ ଭେଟିବା. ଶ୍ରୀକୃଷ୍ଣଙ୍କୁ ସହଦେବ କିଛି କହିବେ କହିବେ ହେଉଥିଲେ Ι କୃଷ୍ଣ ଜାଣିଥିଲେ, ସେ ନ ପଚାରିଲେ କିଛି କହିବେ ନାହିଁ Ι ସେ ପଚାରିଲେ,"କଣ ଭାବୁଛ ସହଦେବ ? କିଛି କହିବ ? ଭୀଷ୍ମ କଣ ଆମକୁ ଯୁଦ୍ଧ ଜିଣିବାର କିଛି ଉପାୟ କହିବେ ନାହିଁ ବୋଲି ତୁମେ ଭାବୁଛ ?"  ସହଦେବ କହିଲେ, "ପିତାମହ କେବଳ ଏବଂ କେବଳ ହସ୍ତିନା ସିଂହାସନ ପ୍ରତି ଅନୁରକ୍ତ Ι ସେ ଏମିତି କିଛି ତଥ୍ୟ ଆମକୁ ଦେବା ଅର୍ଥ ଦୁର୍ଯ୍ୟୋଧନ ସହ ଵିଶ୍ଵାସଘାତ ଏବଂ ସେ ତାହା କସ୍ମିନ୍ କାଳେ କରିବେ ନାହିଁ Ι ଆପଣଙ୍କୁ ସେ କେବଳ ଭେଟିବାକୁ କହିଛନ୍ତି Ι ମୃତ୍ୟୁଭେଦ କହିବାର ଥିଲେ ସେ ସେଇଠି କହିପାରିଥାନ୍ତେ Ι ବର୍ତ୍ତମାନ ସେ କେବଳ ଦୁର୍ଯ୍ୟୋଧନଙ୍କୁ ହିଁ କୌଣସି ଗୁପ୍ତ ତଥ୍ୟ ପ୍ରଦାନ କରିବେ. ପାଣ୍ଡବଙ୍କୁ ନୁହେଁ Ι"ଶ୍ରୀକୃଷ୍ଣ କିଛି ସମୟ ଚିନ୍ତା କଲେ Ι ଏହି ସମୟରେ ଅର୍ଜୁନ ମଧ୍ୟ ଆସି ଉପସ୍ଥିତ ହେଲେ Ι ଚିନ୍ତିତ ମାଧବଙ୍କୁ ଦେଖି ସେ କାରଣ ପଚାରିଲେ Ι ବାସୁଦେବ କହିଲେ," ଭୀଷ୍ମ କେବଳ ଦୁର୍ଯ୍ୟୋଧନ ପ୍ରତି ବିଶ୍ୱାସର ସୂତ୍ରରେ ବନ୍ଧା Ι ତୁମେ ମାନଗୋବିନ୍ଦ ଭଳି ଦେଖାଯାଉଛ ପାର୍ଥ Ι" ରହସ୍ୟରେ କହି ହସୁ ହସୁଁ ଶ୍ରୀକୃଷ୍ଣ ହଠାତ୍ ଗମ୍ଭୀର ହୋଇଗଲେ Ι 'ହଁ ପାର୍ଥ, ତୁମେ ଏବେ କୁରୁପତି ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହୋଇଯାଅ Ι  ସହଦେବ କହିଲେ,"କିନ୍ତୁ କୁରୁପତି ହେବାକୁ ହେଲେ ଅନର୍ଘ ମଣି ମୁକୁଟ ଆବଶ୍ୟକ Ι ବିନା ମୁକୁଟରେ ମାନଗୋବିନ୍ଦଙ୍କ ଭ୍ରମ ସୃଷ୍ଟି କରିବା ଅସମ୍ଭବ Ι ଶ୍ରୀକୃଷ୍ଣ ଆଉ ଥରେ ଚିନ୍ତିତ ଦେଖାଗଲେ Ι ଫାଲ୍ଗୁନୀ କହିଲେ,"ଉପାୟ ଅଛି ସଖା Ι ଦୁର୍ଯ୍ୟୋଧନଙ୍କ ଠାରୁ ମୁକୁଟ ଆଣିବା ପାଇଁ ମୁଁ ଯିବି Ι ଘୋଷଯାତ୍ରା କାଳରେ ତାଙ୍କୁ ଚିତ୍ରସେନ ଗନ୍ଧର୍ବ କବଳରୁ ମୁଁ ରକ୍ଷା କରିଥିଲି ଓ ସେତେବେଳେ ସେ ମୋତେ ବର ଦେବା ପାଇଁ ପ୍ରତିଜ୍ଞା କରିଥିଲେ Ι ଏବେ ମୁଁ ତାଙ୍କୁ ସେହି ବଚନ ମନେ ପକାଇ ଦେଲେ ସେ ନିଶ୍ଚୟ ତାଙ୍କ ମୁକୁଟ ମୋ ହସ୍ତରେ ଅର୍ପଣ କରିବେ Ι" ତାପରେ କିପରି ଅର୍ଜୁନ କୁରୁପତିଙ୍କଠାରୁ ମୁକୁଟ ନେଇ ଆସିଲେ ତାହା ପୂର୍ବରୁ ବର୍ଣିତ ହୋଇଛି Ι ଅରୁଣୋଦୟ ସମୟ Ι ଅନ୍ଧକାର ସମ୍ପୂର୍ଣ ଦୂରୀଭୂତ ହୋଇନାହିଁ Ι କୌରବ ଶିବିରରେ ନିଜ ପ୍ରକୋଷ୍ଠରେ ପିତାମହ ପୂଜା ଅର୍ଚ୍ଚନାରେ ବ୍ୟସ୍ତ Ι ସହଦେବ, କୃଷ୍ଣ ଓ ଦୁର୍ଯ୍ୟୋଧନବେଶୀ ଅର୍ଜୁନ ପ୍ରବେଶ କଲେ Ι ଶ୍ରୀକୃଷ୍ଣ ଛିଙ୍କିଲେ Ι ଭୀଷ୍ମଙ୍କୁ ଦେବସ୍ଥାନ ନିକଟରୁ କେବଳ ମୁକୁଟର ଜ୍ୟୋତି ଜଣାପଡୁଥିଲା Ι ଦୁର୍ଯ୍ୟୋଧନ ଭାବି ସେ ଆଶୀର୍ବାଦ କଲେ," ଦୀର୍ଘାୟୁ ହୁଅ Ι" କୃଷ୍ଣ ଦ୍ଵିତୀୟବାର ଛିଙ୍କିଲେ Ι ଭୀଷ୍ମ ଆଶୀର୍ବାଦ କଲେ,"ଶତ୍ରୁ କ୍ଷୟ ଯାଉ Ι"ପୁଣି ଆଉ ଏକ ଥର ଛିଙ୍କନ୍ତେ ଅଚ୍ୟୁତ,"ଭୀଷ୍ମ ବୋଲେ ପଞ୍ଚରାଜ୍ୟ ହେଉ ତୋତେ ପ୍ରାପ୍ତ Ι"ଭୀଷ୍ମ ଏତକ କହି ବାହାରକୁ ଆସିଲେ Ι ଶ୍ରୀକୃଷ୍ଣଙ୍କୁ ଦେଖି କହିଲେ, "ମାୟାଧର, ଆଉ କେତେ ମାୟା କରିବ ? ଅନର୍ଘ ମଣି ମୁକୁଟ ମସ୍ତକେ ଦେଖିଲି, ଦୁର୍ଯ୍ୟୋଧନ ବୋଲି ଭାବି କଲ୍ୟାଣ ବାଞ୍ଛିଲି." ଶ୍ରୀକୃଷ୍ଣ କହିଲେ ଏବେ ସେ କଲ୍ୟାଣ ପାର୍ଥ ପ୍ରାପ୍ତ ହୋଇ ସାରିଛି Ι କହନ୍ତୁ ଗାଙ୍ଗେୟ, ଆପଣଙ୍କର ସମସ୍ତ କଲ୍ୟାଣ ସିଦ୍ଧ ହେବାର ଉପାୟ କହନ୍ତୁ Ι ଆପଣ ଇଚ୍ଛାମୃତ୍ୟୁର ଅଧିକାରୀ Ι ଆପଣ ନିଜେ ହିଁ କହିବେ, ପାଣ୍ଡବମାନେ ଆପଣଙ୍କ ବର୍ତ୍ତମାନରେ ଜିତିବେ କେମିତି Ι" ଭୀଷ୍ମ କହିଲେ, "ଶୁଣନ୍ତୁ ଶ୍ରୀପତି Ι ବାରମ୍ବାର ମୁଁ ଇଛା କରିଛି ଆପଣଙ୍କ ହସ୍ତରେ ମୃତ୍ୟୁଲାଭ ପାଇଁ Ι ଆପଣ ମୋ ପାଇଁ ନିଜର ଶପଥ ଭାଙ୍ଗି ଅସ୍ତ୍ର ଧାରଣ କରିଛନ୍ତି କିନ୍ତୁ ମୋତେ ମୁକ୍ତି ଦେଇ ନାହାନ୍ତି Ι ଏବେ ମୋର ମୃତ୍ୟୁ ଭେଦ କହୁଛି ଶୁଣନ୍ତୁ Ι ପାଞ୍ଚାଳ ନରେଶ ଦ୍ରୁପଦଙ୍କ କିନ୍ନର ପୁତ୍ର ଶିଖଣ୍ଡୀ ହିଁ ମୋର ମୃତ୍ୟୁଦାତା Ι କନ୍ୟା ଅମ୍ବାଙ୍କ ପ୍ରତି ମୋର ନିଷ୍ଠୁରତା ହେତୁ  ସଙ୍ଗମରେ ଝାସଦେଲାବେଳେ ଅମ୍ବା ପ୍ରତିଜ୍ଞା କରିଥିଲେ ଯେ ପର ଜନ୍ମରେ ସେ ମୋର ଜୀବନର ସମାପ୍ତି ଘଟାଇ ପ୍ରତିଶୋଧ ନେବେ Ι ସେଇ ଅମ୍ବା ଆଜିର ଶିଖଣ୍ଡୀ Ι ଆଜି ଯୁଦ୍ଧରେ ମୋର ଶେଷ ଦିନ Ι ପ୍ରଣାମ ବାସୁଦେବ Ι ବତ୍ସ ଅର୍ଜୁନ, ସହଦେବ, , କଲ୍ୟାଣ ତ ମୁଁ ଦେଇ ସାରିଛି Ι ଏବେ ତୁମ୍ଭେମାନେ ଆସ".


କ୍ରମଶଃ.....

2018-02-03

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨୫


କୁରୁପତିଙ୍କ କୁଶଳ ପ୍ରଶ୍ନରେ ଅର୍ଜୁନ ସୌଜନ୍ୟ ରକ୍ଷା କରି ‘ସର୍ବ ମଙ୍ଗଳ’ ବୋଲି କହିଲେ Ι ଦୁର୍ଯ୍ୟୋଧନ ମନ ମଧ୍ୟରେ ତ୍ରସ୍ତ, ଆତଙ୍କିତ Ι ଭାବୁଥାନ୍ତି, ଅର୍ଜୁନ ଏ ସମୟରେ ଆସିବାର ଉଦ୍ଦେଶ୍ୟ କଣ ? କିନ୍ତୁ ପ୍ରକାଶ୍ୟରେ ସେ ହସହସ ମୁଖରେ ପଚାରିଲେ, ପାର୍ଥ, ଭ୍ରାତା ମୋର. ଏତେ ରାତ୍ରରେ ମୁଁ ତୋର କେମିତି ମନେ ପଡିଲି? ନିଶ୍ଚୟ ପାଣ୍ଡବ ଶିବିରରେ ସବୁ କିଛି ଠିକ୍ ନାହିଁ Ι ମୋତେ କହ, ତୋର ମୋ ଠାରୁ କି ସାହାଯ୍ୟ ଆବଶ୍ୟକ Ι ମୁଁ ଅକୁଣ୍ଠିତ ଚିତ୍ତରେ ତୋର ଆଶା ପୂର୍ଣ୍ଣ କରିବି Ι” ସବ୍ୟସାଚୀ କହିଲେ, "ଭ୍ରାତା, ଆପଣ ମୋତେ ଘୋଷ ଯାତ୍ରା କାଳରେ ଗୋଟିଏ ବର ଯାଚିଥିଲେ Ι କହିଥିଲେ,"ଯାହା ମାଗିବୁ ମାଗ Ι ମୁଁ କହିଥିଲି  , "ମାଗିନେବି ଆବଶ୍ୟକ ହେବ ଯେବେ ମୋର Ι" ଆଉ ଆପଣ କହିଥିଲେ," ଯେବେ ଇଚ୍ଛା ଯାହା ଇଚ୍ଛା କରିବୁ ପ୍ରାର୍ଥନା, ନିଶ୍ଚୟ କାମନା ତୋର କରିବି ମୁଁ ପୂର୍ଣ୍ଣ Ι" ପାର୍ଥ ଏ ସବୁ କହିବା ବେଳେ ଦୁର୍ଯ୍ୟୋଧନଙ୍କ ମୁଖମଣ୍ଡଳରେ କ୍ଷଣକୁ କ୍ଷଣ ବଦଳୁଥିବା ରଙ୍ଗ ଦେଖୁ ନ ଥିଲେ Ι କୁରୁପତି ଭାବୁଥିଲେ,"ଅକାରଣେ ଏତେ ଗୁଡାଏ ରାଜାଙ୍କୁ ସୈନ୍ୟ ସେନାପତିଙ୍କ ସହ ମରାଇଲି Ι ଏବେ ମହାଭାରତ ଯୁଦ୍ଧ ଶେଷ ହେଲା Ι ନିଶ୍ଚୟ ପାର୍ଥ ମାଗିବାକୁ ଆସିଛି ପଞ୍ଚକଟକ Ι ପିତାମହଙ୍କ ବୀରତ୍ଵରେ ଶଙ୍କିତ ପାଣ୍ଡବମାନେ ଶେଷରେ ଏହି ଘୃଣ୍ୟ ପନ୍ଥା ଅବଲମ୍ବନ କରିବେ ବୋଲି ସେ କଳ୍ପନା କରି ନ ଥିଲେ Ι ଦୁର୍ଯ୍ୟୋଧନଙ୍କୁ ଅନ୍ୟମନସ୍କ ଦେଖି, ଧନଞ୍ଜୟ କହିଲେ, "ଆପଣ କଣ ଭାବୁଛନ୍ତି ଭ୍ରାତା ?  ମୁଁ ଆପଣଙ୍କୁ ବାଧ୍ୟ କରୁନାହିଁ Ι ଆପଣ ଇଚ୍ଛା କଲେ ଅସ୍ଵୀକାର କରିପାରନ୍ତି Ι  ମାନଗୋବିନ୍ଦଙ୍କର ସମ୍ମାନ ରକ୍ଷା କରି ମୁଁ ଏହି ମୁହୂର୍ତ୍ତରେ ଏଠାରୁ ଚାଲିଯିବି ଏବଂ ଏହା କେବେ ବି କୌଣସିଠାରେ ପ୍ରକାଶ କରିବି ନାହିଁ ଯେ ଆପଣ ସତ୍ୟପଥରୁ ବିଚ୍ୟୁତ ହୋଇ ଯାଚିଥିବା ବର ପ୍ରଦାନ କରି ନାହାନ୍ତି Ι ଦୁର୍ଯ୍ୟୋଧନ ପ୍ରକୃତିସ୍ଥ ହେଲେ Ι ଫାଲ୍ଗୁନୀଙ୍କର ବ୍ୟଙ୍ଗ ତାଙ୍କ ଶରୀରରେ ତୀକ୍ଷ୍ଣ ଶର ଭଳି ଭେଦ କରିଗଲା Ι ସେ ହସିଲେ Ι କହିଲେ, "ଅନୁଜରେ ମୋର, ବୃଥାରେ ମୁଁ ହୋଇନାହିଁ ମାନଚକ୍ରବର୍ତ୍ତୀ ,ମାନ ଗୋବିନ୍ଦ ମୋ ନାମ ହୋଇନି ଏମିତି Ι ସାକ୍ଷୀ ରଖି ଦଶ ଦିଗପାଳେ ,କରୁଛି ପ୍ରତିଜ୍ଞା, ପ୍ରାର୍ଥନା ତୋହର ପୂର୍ଣ୍ଣ କରିବି ମୁଁ ଏବେ Ι ମାଗି ଦେଖ ପାର୍ଥ, ହସ୍ତିନାର ସିଂହାସନ ହସି ହସି ଅର୍ପଣ ମୁଁ କରିବି ଏକ୍ଷଣି Ι" ଅର୍ଜୁନ ମଧ୍ୟ ହସିଲେ Ι କହିଲେ, "ଭ୍ରାତା, ଏଡ଼େ କାପୁରୁଷ ଯେବେ ହୋଇଥାନ୍ତା ପାର୍ଥ, ଜଗତରେ ପ୍ରଶଂସିତ ହୁଅନ୍ତା କି ତାର ପୁରୁଷାର୍ଥ ? ଜଗନ୍ନାଥ ସଖା ରୂପେ ବହନ୍ତା କି ଧନଞ୍ଜୟ ଦ୍ୱିତୀକୃଷ୍ଣ ନାମ ? ନା, ଏତେ ବଡ ବିଭ୍ରାଟ ଘଟାଇବାକୁ ମୁଁ ଆସିନାହିଁ Ι ମୋର କେବଳ ଆଜି ରାତ୍ରକ ପାଇଁ ଆପଣଙ୍କର ଅନର୍ଘ ମଣି ମୁକୁଟ ଆବଶ୍ୟକ Ι କାଲି ନିଶାନ୍ତରେ ମୁଁ ତାହା ଫେରାଇ ଦେବି Ι"କୁରୁପତି ଆଶ୍ୱସ୍ତ ହେଲେ Ι ଭାବିଲେ, 'ବିଚରା, ମରିବା ପୂର୍ବରୁ ଟିକିଏ ସମ୍ରାଟର ଶିରୋଭୂଷା ପରିଧାନ କରି  ତାର ବହୁ ଦିନର ଆକାଂକ୍ଷା ପୂର୍ଣ୍ଣ କରୁ Ι’ ତତ୍କ୍ଷଣାତ୍ ଦୁର୍ଯ୍ୟୋଧନ ଅସ୍ତ୍ରାଗାର ମଧ୍ୟରୁ ନିଜର ମୁକୁଟ ଆଣି କିରିଟୀଙ୍କ ହସ୍ତରେ ଅର୍ପଣ କଲେ ଓ ଆଲିଙ୍ଗନ କରି ବିଦାୟ ଦେଲେ Ι ଅର୍ଜୁନ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ପ୍ରଣାମ କରି ରାତ୍ରିର ଅନ୍ଧକାର ମଧ୍ୟରେ ହଜିଗଲେ Ι ଦୁର୍ଯ୍ୟୋଧନ  କିମ୍ବା ତାଙ୍କର ସଶସ୍ତ୍ର ପ୍ରହରୀ ଜାଣିପାରିଲେ ନାହିଁ ଯେ ଅଳ୍ପ ଦୂରରେ ଆଉ ଦୁଇଟି ଛାୟା ତାଙ୍କୁ ଅପେକ୍ଷା କରୁଥିଲେ Ι ସେ ଦୁଇଜଣ ଥିଲେ ସହଦେବ ଓ ବୃକୋଦର. Ι ତାଙ୍କ ସହ କିଛି ମନ୍ତ୍ରଣା ପରେ ଅର୍ଜୁନ ମୁକୁଟ ପିନ୍ଧି ଭୀଷ୍ମଙ୍କ କକ୍ଷରେ ପ୍ରବେଶ କଲେ Ι ପ୍ରହରୀ ଦୁଇ ଜଣଙ୍କୁ ପୂର୍ବରୁ ମୂର୍ଚ୍ଛିତ କରି ତାଙ୍କର ପଥ ସୁଗମ କରି ଦେଇଥିଲେ ଭୀମସେନ.Ι ଅଳ୍ପ ଆଲୋକିତ କକ୍ଷ ମଧ୍ୟରେ ନିଦ୍ରିତ ଭୀଷ୍ମ କିଛି ଶବ୍ଦ ଶୁଣି ଉଠି ପଡିଲେ Ι ତାଙ୍କୁ ଲାଗିଲା, ଦୁର୍ଯ୍ୟୋଧନ ତାଙ୍କୁ କହୁଛନ୍ତି,"ପିତାମହ ମୋର ମନ ମାନୁନାହିଁ Ι ସେ ବାଣ ପାଞ୍ଚୋଟିର ସୁରକ୍ଷା ବିଷୟ ଚିନ୍ତା କରି କରି ମୁଁ ଶୋଇ ପାରୁନାହିଁ Ι ଆପଣ ମୋତେ ସେ ଶରଗୁଡ଼ିକ ଦେଇ ଦିଅନ୍ତୁ Ι” ସଦ୍ୟ ନିଦ୍ରାରୁ ଉତ୍ଥିତ ଭୀଷ୍ମ ବିରକ୍ତ ହୋଇ ବାଣ ପାଞ୍ଚୋଟି ଆଣି ତାଙ୍କ ହସ୍ତରେ ଅର୍ପଣ କଲେ ଓ ତାଙ୍କୁ ବିଦାୟ ଦେଇ ପୁନର୍ବାର ଅବଶ ଶରୀରକୁ ଶଯ୍ୟା ଉପରେ ଲୋଟାଇ ଦେଲେ Ι ପରଦିନ ପ୍ରଭାତରେ ଭୀଷ୍ମ ଶରଗୁଡ଼ିକ ମାଗିବାରୁ ଦୂର୍ଯ୍ୟୋଧନଙ୍କ ଚକ୍ଷୁ  ବିସ୍ଫାରିତ ହୋଇଗଲା Ι ଭୀଷ୍ମଙ୍କ ସହିତ ଅଳ୍ପ ତର୍କ ବିତର୍କ ପରେ ତାଙ୍କ ଆଗରେ ଅର୍ଜୁନଙ୍କର ମୁକୁଟ ନେବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଗଲା Ι ସେ ନିଜ ଉପରେ ବା  ପିତାମହଙ୍କ ଉପରେ କ୍ରୋଧ ମଧ୍ୟ ପ୍ରକାଶ କରି ପାରୁ ନ ଥିଲେ Ι ସେ ପିତାମହଙ୍କୁ ସେଇମିତି ଆଉ ପାଞ୍ଚୋଟି ଶାୟକ ପ୍ରସ୍ତୁତ କରିବାକୁ ଅନୁରୋଧ କଲେ Ι କିନ୍ତୁ ଭୀଷ୍ମ କହିଲେ, ମୋର ସମସ୍ତ ଶକ୍ତି ମୁଁ ସେ ଶର ପାଞ୍ଚୋଟିରେ ରଖିଥିଲି Ι ଏବେ ଆଉ ତାହା ସମ୍ଭବ ନୁହେଁ Ι ଆମ୍ଭ ସମସ୍ତଙ୍କ ଚକ୍ଷୁରେ ଧୂଳି ଦେଇ ପାର୍ଥ ତାର କାର୍ଯ୍ୟ ସାଧନ କରିଛି Ι’
ଦ୍ୱାରଦେଶରେ ହସ ହସ ମୁଖରେ ପିତାମହ  ଓ ଦୂର୍ଯ୍ୟୋଧନ ଉଭୟଙ୍କୁ ପ୍ରଣାମ କରି ଅର୍ଜୁନ ଦୁର୍ଯ୍ୟୋଧନଙ୍କୁ କହୁଥିଲେ, "ମୁଁ ଆପଣଙ୍କ ମୁକୁଟ ଫେରାଇ ଦେବାକୁ ଆସିଛି ଭ୍ରାତା, ଗ୍ରହଣ କରନ୍ତୁ Ι”      
ନିରୁପାୟ ବିବଶ ଗାଙ୍ଗେୟ !   ନିରୁତ୍ସାହିତ, କିଂକର୍ତ୍ତବ୍ୟବିମୂଢ,ହତବାକ୍ ଦୁର୍ଯ୍ୟୋଧନ ! 


କ୍ରମଶଃ.....

2018-02-02

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨୪

ସେ ଦିନ ରାତ୍ରିର ଅନ୍ଧକାର ମଧ୍ୟରେ ପ୍ରକୃତରେ କଣ ଘଟିଥିଲା ? ଏକମ୍ ସତ୍ୟମ୍ ବିପ୍ରାଃ ବହୁଧା ବଦନ୍ତି Ι ଭିନ୍ନ ମୁନୟୋଃ ମତୟୋର୍ବିଭିନ୍ନାଃ Ι ,”ହରି ଅନନ୍ତା, ହରି କଥା ଅନନ୍ତା, କହଇ ଶୁନାଇ ବହୁବିଧ ସବ ସନ୍ତା.” ବିଭିନ୍ନ କବି, ନାଟ୍ୟକାର,ଆଲୋଚକ ଓ ପ୍ରବଚକ ସେ ଦିନ ରାତ୍ରିର ଘଟଣା ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି. ଆଦିକବି ଶାରଳା ଦାସଙ୍କ ମହାଭାରତରୁ ଅଲଗା କେତୋଟି ବର୍ଣ୍ଣନା ମଧ୍ୟରୁ ଗୋଟିଏ ପ୍ରସ୍ତୁତ କରୁଛି. ଆଉ ଥରେ କହୁଛି, ଏହା ଶାରଳା ମହାଭାରତରେ ନାହିଁ.  ତଥାପି ବେଶ୍ ରୋଚକ ଓ ରୋମାଞ୍ଚକର Ι]
କୌରବ ଶିବିର Ι ପିତାମହ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନ ଭେଟିଲେ Ι ଭୀଷ୍ମ ଯୁଦ୍ଧରୁ ଫେରି ନିତ୍ୟକର୍ମ ସାରି ବିଶ୍ରାମ କରୁଥାନ୍ତି Ι ପ୍ରଥମେ ନମ୍ର ସ୍ୱରରେ ସେ ନିଜର ଅଭିଯୋଗ ଉପସ୍ଥାପନା କଲେ. "ଆପଣ ମହାନ୍ ଯୋଦ୍ଧା Ι ପ୍ରତିଦିନ ଆପଣ ଅସଂଖ୍ୟ ସୈନ୍ୟ ମାରୁଛନ୍ତି, ଏଥିରେ ଦ୍ୱିରୁକ୍ତି ନାହିଁ Ι କିନ୍ତୁ ମୋର ସବୁବେଳେ ଏମିତି କାହିଁକି ଅନୁଭବ ହେଉଛି ଯେ ଆପଣ ପାଣ୍ଡବମାନଙ୍କ ପ୍ରତି ସାତିଶୟ ସହାନୁଭୁତିଶୀଳ ହୋଇ, ଉପ୍ରୋଧ ରକ୍ଷା କରି ଲଢ଼ୁଛନ୍ତି Ι ହସ୍ତିନାର ସିଂହାସନର ସୁରକ୍ଷା ପ୍ରତି ଆପଣଙ୍କର ଶପଥ ଓ କର୍ତ୍ତବ୍ୟ କଣ ଭୁଲି ଯାଉଛନ୍ତି ଆପଣ ? ପାଣ୍ଡବ ପଞ୍ଚଭ୍ରାତାଙ୍କ ମଧ୍ୟରୁ କାହାରି ଶରୀରରେ ଆପାଣଙ୍କ ଅସ୍ତ୍ରାଘାତର କ୍ଷତଟିଏ ଦେଖିବାକୁ ମିଳୁନାହିଁ କାହିଁକି ? କାହିଁକି, କଣ ପାଇଁ ପିତାମହ ? ଶେଷ ଆଡକୁ ମାନଗୋବିନ୍ଦଙ୍କର କଣ୍ଠସ୍ୱର ଉଗ୍ର ଓ ରୁକ୍ଷ ହୋଇ ଉଠିଥିଲା Ι ଗଙ୍ଗାପୁତ୍ର ଅଧରୋଷ୍ଠକୁ ଚାପି ଧରି ହସ୍ତିନା ସମ୍ରାଟଙ୍କର କଟୁ ତିକ୍ତ ଆକ୍ଷେପକୁ ସହ୍ୟ କରୁଥିଲେ Ι ବୟୋବୃଦ୍ଧ,ଇଛାମୃତ୍ୟୁର ଅଧିକାରୀ ଗାଙ୍ଗେୟ ବ୍ୟକ୍ତିଗତ ସମ୍ପର୍କରେ ଥିଲେ ତ ପିତାମହ, କିନ୍ତୁ ରାଜାଙ୍କ ପାରିଷଦରେ ତାଙ୍କର ପରିଚୟ ଥିଲା ମାତ୍ର ଏକ ସେନାପତିର Ι ଅତ୍ୟନ୍ତ ଗମ୍ଭୀରତାର ସହିତ ଭୀଷ୍ମ ନିଜର ଅସ୍ତ୍ରାଗାରକୁ ଯାଇ ଶୁଦ୍ଧ ସୁବର୍ଣ୍ଣର ଆଭା ବିଚ୍ଛୁରିତ କରୁଥିବା ପାଞ୍ଚୋଟି ଶର ଆଣିଲେ Ι ଚକ୍ଷୁ ମୁଦ୍ରିତ କରି ଧ୍ୟାନ ମୁଦ୍ରାରେ କିଛି ସମୟ ବସିଲେ Ι କିଛି ମନ୍ତ୍ର ପାଠ କରି ସେ ଶରଗୁଡିକ ଉପରେ ଅଙ୍ଗୁଳି ସଞ୍ଚାଳନ କଲେ Ι ମୁଦ୍ରିତ ଚକ୍ଷୁ ଉନ୍ମିଳିତ ହେଲା Ι ଦୀର୍ଘନିଶ୍ୱାସ ତ୍ୟାଗ କରି ସେ ଦୁର୍ଯ୍ୟୋଧନଙ୍କୁ କହିଲେ," ବତ୍ସ ଦୁର୍ଯ୍ୟୋଧନ, ଆସନ୍ତା କାଲିର ଯୁଦ୍ଧଯାଏଁ ଅପେକ୍ଷା କର Ι କାଲି ପଞ୍ଚପାଣ୍ଡବଙ୍କର ମୃତ୍ୟୁ ସୁନିଶ୍ଚିତ Ι ଏହି ପାଞ୍ଚ ଶର ମଧ୍ୟରେ ମୁଁ ମୋର ଶକ୍ତି ସଞ୍ଚିତ କଲି Ι ଏହି ଶାୟକମାନଙ୍କ  ମଧ୍ୟରୁ ପ୍ରତ୍ୟେକ ଜଣେ, ଜଣେ ପଣ୍ଡୁପୁତ୍ରଙ୍କ ପାଇଁ ଉଦ୍ଦିଷ୍ଟ Ι ଏହା ପ୍ରୟୋଗ କଲେ ସେମାନଙ୍କୁ ମୃତ୍ୟୁମୁଖରୁ କେହି ବଞ୍ଚାଇ ପାରିବେ ନାହିଁ Ι ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବି ନୁହେଁ Ι” ଦୁର୍ଯ୍ୟୋଧନ ଉତ୍ଫୁଲ୍ଲିତ ଦେଖାଗଲେ Ι ପର ମୁହୂର୍ତ୍ତରେ ତାଙ୍କର ଭାବାନ୍ତର ହେଲା Ι ନିଶ୍ଚିତ ବିଜୟକୁ ହାତଛଡା କରିବା ପାଇଁ ସେ କୌଣସି ସୁଯୋଗ ଦେବାକୁ ଚାହୁଁ ନ ଥିଲେ Ι ସେ ଭାବିଲେ, ଏ ବୃଦ୍ଧ ଆମ୍ଭମାନଙ୍କ ଅପେକ୍ଷା ପାଣ୍ଡବମାନଙ୍କୁ ଅଧିକ ସ୍ନେହ କରେ Ι ହୁଏ ତ ସେମାନଙ୍କ ମଧ୍ୟରୁ କେହି ଆସି ଏ ଗୁଡିକ ମାଗି ନେଇଯିବ ବା ଇଏ ନିଜେ ତାଙ୍କୁ ଶର ପାଞ୍ଚୋଟି ଦେଇ ଦେଇ ହଜିଗଲା ବୋଲି ଛଳନା କରିବେ Ι ସେ କହିଲେ, "ପିତାମହ, ଆପଣଙ୍କ ଅପେକ୍ଷା ମୋର ଶସ୍ତ୍ରାଗାର ଅଧିକ ସୁରକ୍ଷିତ Ι ଆପଣ ସେ ପାଞ୍ଚୋଟି ଶର ମୋ ହସ୍ତରେ ଅର୍ପଣ କରନ୍ତୁ Ι ମୁଁ କାଲି ଆପଣଙ୍କ ଯୁଦ୍ଧଯାତ୍ରା ପୂର୍ବରୁ ଆପଣଙ୍କୁ ଦେଇଦେବିΙ” ୟା ପରେ ଘଟିଥିବା ଘଟଣା ଉପରେ ମଧ୍ୟ ଭିନ୍ନ ମତ ଅଛି Ι ଗୋଟିଏ ମତ ଅନୁସାରେ ଭୀଷ୍ମ ଶରଗୁଡିକ ତାଙ୍କ ପାଖରେ ନ ରହିଲେ ସେଗୁଡିକର ପ୍ରଭାବ ହ୍ରାସ ହେବ କହି  ନିଜ ପାଖରେ ରଖିଲେ Ι ତେଣେ ପାଣ୍ଡବ ଶିବିରରେ ଶ୍ରୀକୃଷ୍ଣ ବ୍ୟସ୍ତତାର ସହ ଅପେକ୍ଷା କରୁଥାନ୍ତି ଗୁପ୍ତଚରକୁ Ι ବାହାରେ କିଛି ଶବ୍ଦ ହେଲା Ι ଗୁପ୍ତଚର ଦ୍ୱାର ନିକଟରେ ଭିତରକୁ ଆସିବା ପାଇଁ ଅନୁମତି ପ୍ରାର୍ଥନା କରୁଥିଲା Ι ଅନୁମତି ଲାଭ କରି ଭିତରେ ପ୍ରବେଶ କଲା ଓ ସାଦର ପ୍ରଣାମ କଲା Ι କୌରବ ଶିବିରରୁ ସମ୍ବାଦ ସଂଗ୍ରହ କରି ଆଣିଥିଲା ସେ Ι ସବୁ କିଛି ଶୁଣି ଶ୍ରୀକୃଷ୍ଣ ପ୍ରଶ୍ନ କଲେ,"ସେ ଶରଗୁଡିକ ଭୀଷ୍ମଙ୍କ ପାଖରେ ଅଛି ବୋଲି ତୁମେ ନିଶ୍ଚିତ ? ଗୁପ୍ତଚର କହିଲା, "ମୁଁ ନିଶ୍ଚିତ Ι" ତାକୁ ବିଦାୟ ଦେଇ ବାସୁଦେବ ସହଦେଵଙ୍କୁ ଓ ଅର୍ଜୁନଙ୍କୁ ଡକାଇଲେ. ତିନିଜଣଙ୍କ ମଧ୍ୟରେ କିଛି ସମୟ ବିଚାର ବିମର୍ଷ ଚାଲିଲା Ι ବିଳମ୍ବିତ ରାତ୍ରିରେ ଅର୍ଜୁନ ଉପସ୍ଥିତ ହେଲେ ଦୁର୍ଯ୍ୟୋଧନଙ୍କ ଶୟନ କକ୍ଷ ନିକଟରେ Ι ଦ୍ଵାରୀ ଭିତରକୁ ଯାଇ ସମ୍ବାଦ ଦେଲା Ι ସ୍ୱୟଂ ଦୁର୍ଯ୍ୟୋଧନ ବାହାରକୁ ଆସି ଅର୍ଜୁନକୁ ଆଲିଙ୍ଗନ କରି ଭିତରକୁ ନେଇ ନିଜ ଶଯ୍ୟା ଉପରେ ବସାଇ କୁଶଳ ଜିଜ୍ଞାସା କଲେ Ι

କ୍ରମଶଃ......

2018-02-01

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୨୩


ଅଷ୍ଟମ ଦିନ ଯୁଦ୍ଧରେ ଭୀମସେନ ପୂର୍ବଦିନର ପରାଜୟର ପ୍ରତିଶୋଧ ନେବାର ପ୍ରତିଜ୍ଞା ନେଇ ରଣକ୍ଷେତ୍ରକୁ ଓହ୍ଲାଇଲେ Ι ପ୍ରଥମେ ତାଙ୍କ ସମ୍ମୁଖକୁ ଆସିଗଲେ ଶକୁନି. ତାଙ୍କ ଉପରେ ବୃକୋଦରଙ୍କର କିଛି ବିଶେଷ ବିଦ୍ୱେଷ ଥିଲା Ι ଉଭୟ ଗଦାରେ ଏକ ସଙ୍ଗେ ଆଘାତ କରି ସେ ଶକୁନିଙ୍କର ରଥଟିକୁ ଗୁଣ୍ଡ କରିଦେଲେ Ι “ଗଦାକୁ ପିଟିଣ ଭୀମ ଶେଷ କଲେ ସୈନ୍ୟ, ପଳାଏ ଶକୁନି ଭୟେ ନିରାଶ ହୋଇଣ Ι ଭୀମସେନ ଡାକେ ମାମୁଁ କ୍ଷଣେ ମାତ୍ର ରହ. ହାରିଣ ପଳାଅ କିମ୍ପା ନ କରି ଉପାୟ ?
ଉପାୟ କିଛି ନ ଥିଲା ଶକୁନିଙ୍କର Ι ରଥ ଧ୍ୱସ୍ତ Ι ସାରଥୀ  ମୃତ Ι ଯଃ ପଳାୟତି ସଃ ଜୀବତି Ι ଶକୁନି ପଳାୟନ କରିବାକୁ ଶ୍ରେଷ୍ଠ ପନ୍ଥା ବାଛିନେଲେ Ι କିନ୍ତୁ ପବନ ପୁତ୍ର ଭୀମସେନଙ୍କ ଠାରୁ ଦ୍ରୁତ ଗତିରେ ଧାଇଁବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା Ι ତାଙ୍କୁ ଧରିନେଲେ ଭୀମସେନ Ι ବାମ ହସ୍ତରେ ଶକୁନିଙ୍କର କେଶ, ଦକ୍ଷିଣ ହସ୍ତରେ ଗଦା. ଶକୁନିଙ୍କର ବୁକୁରେ ଆଣ୍ଠୁ ଦେଇ ମାଡି ବସିଲେ ବୃକୋଦର Ιକହିଲେ,
"ଅନେକ ଅବସ୍ଥା ମାମୁଁ ଭୋଗିଅଛୁଁ ଆମ୍ଭେ,
ତୋ ବୁଦ୍ଧିରେ ପଡି ମତ୍ତ ସର୍ବ କଉରବେ.
ସୁମର ସୁମର ମାମୁଁ ତୋ ଇଷ୍ଟ ଦେବତା,
ଡାକ କୌରବଙ୍କୁ ଆଜ କେ ଅଛି ରଖନ୍ତା."
ଶକୁନି ନିହତ ବୋଲି ଧ୍ୱନି ଶୁଣି କୌରବ ଭ୍ରାତାମାନେ ଶକୁନିଙ୍କ ଆଡକୁ ମାଡି ଆସିଲେ Ι ପ୍ରଥମେ ଭୀମଙ୍କୁ ବାଧା ଦେଲେ ଦୁଃଶାସନ Ι ଦୁଃଶାସନଙ୍କୁ ଦେଖି ଭୀମ ଶକୁନିଙ୍କୁ ଛାଡି ଦୁଃଶାସନଙ୍କୁ ଆକ୍ରମଣ କଲେ Ι ଶକୁନି କୌରବ ସୈନ୍ୟମାନଙ୍କ ମଧ୍ୟରେ ଆତ୍ମଗୋପନ କରି ପ୍ରାଣରକ୍ଷା କଲେ Ι ଶକୁନି ବର୍ତ୍ତିଯିବା ଦେଖି ଦୁଃଶାସନ ଓ ଅନ୍ୟ ଭ୍ରାତାମାନେ ପଛଘୁଞ୍ଚା ଦେଇ ଭୀମଙ୍କ ସମ୍ମୁଖରୁ ହଟିଗଲେ Ι ଗଦା ଉଠାଇ ଭୀମ ପଛେ ପଛେ ଗୋଡାଇଥାନ୍ତି Ι ଯିଏ ସମ୍ମୁଖକୁ ଆସୁଥାଏ ତାର ମୃତ୍ୟୁ ସୁନିଶ୍ଚିତ Ι ନକୁଳ ଯୁଝୁଥାନ୍ତି ଶଲ୍ୟଙ୍କ ସାଙ୍ଗରେ Ιଏକ ସମୟରେ ନକୁଳ ଶଲ୍ୟଙ୍କୁ କୁନ୍ତ ପ୍ରହାର କରି ତାଙ୍କର ପ୍ରାଣ ନାଶ କରିବା ପାଇଁ ଉଦ୍ୟତ ହେଉଥିଲେ Ι ସହଦେବ ତାଙ୍କୁ ଅଟକାଇ କହିଲେ ,"ଯୁଦ୍ଧରେ ସିଏ ଆମର ବିପକ୍ଷ ହେଲେ ବି ମାତା ମାଦ୍ରୀଙ୍କର ଭ୍ରାତା, ଆମର ମାତୁଳ Ι ଛାଡିଦିଅ ଭାଇ Ι" ନକୂଳଙ୍କ ହାତରୁ ରକ୍ଷା ପାଇ ଶଲ୍ୟ ପଳାୟନ କଲେ Ι ଦ୍ରୋଣ ଓ ଦ୍ରୁପଦ, କୃପାଚାର୍ଯ୍ୟ ଓ ଦୁର୍ଦ୍ଧକ୍ଷ, ସହଦେବ ଓ ଭୂରିଶ୍ରବା ପରଷ୍ପର ଦ୍ଵନ୍ଦ ଯୁଦ୍ଧରେ ବ୍ୟାପୃତ ଥାନ୍ତି Ι ଭୀଷ୍ମଙ୍କ ଅନ୍ଧକାର ଶର ସୂର୍ଯ୍ୟକିରଣକୁ ଘୋଡାଇ ପକାଇଲା Ι ଦିନ ଯାଇ କେତେବେଳେ ରାତି ହେଲା କେହି ଜାଣି ପାରିଲେ ନାହିଁ Ι ଉଭୟ ପକ୍ଷର ସୈନ୍ୟମାନେ କ୍ଳାନ୍ତ ଓ ଅବସନ୍ନ ହୋଇ ପଡିଲେ Ι ମକର ମାସ ହୋଇଥିବାରୁ ସମସ୍ତେ ଶୀତରେ ଥରିବାକୁ ଲାଗିଲେ Ι କୃଷ୍ଣଙ୍କ ନିର୍ଦ୍ଦେଶରେ ପାର୍ଥ ଯୁଦ୍ଧ ସମାପ୍ତିସୂଚକ ଶଙ୍ଖନାଦ କଲେ Ι ଭୀଷ୍ମ ସେଦିନ ନିଜ ପ୍ରତିଜ୍ଞା ରଖିପାରିଲେ ନାହିଁ Ι ସେ ଦିବସଟି ପାଣ୍ଡବମାନଙ୍କର ବିଜୟ ଦିବସ ଥିଲା Ι ଅର୍ଜୁନ ପିତାମହଙ୍କ ଆକ୍ରମଣର କେବଳ ସଶକ୍ତ ପ୍ରତିରୋଧ ଯେ କରିଥିଲେ ତାହା ନୁହେଁ, ଅଗଣିତ କୌରବ ସେନା ନିହତ କରି ସେ ସନ୍ତୁଷ୍ଟ ହୋଇ ଶିବିରକୁ ଫେରିଥିଲେ Ι ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ସମର ସମ୍ବାଦ ଶୁଣାଇବା ପରେ ଧୃତରାଷ୍ଟ୍ର ପଚାରିଲେ, "ସମସ୍ତେ ସେହି ଏକା ଗୁରୁଙ୍କ ପାଖରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ Ι ଅର୍ଜୁନ ଏକା ଏତେବଡ ବୀରତ୍ୱର ଅଧିକାରୀ ହୋଇଗଲା କେମିତି ? ସଞ୍ଜୟ ତାଙ୍କୁ ଅର୍ଜୁନଙ୍କ ବନବାସ ସମୟରେ ଅଗ୍ନି ଦେବଙ୍କୁ ତୁଷ୍ଟ କରି ଲାଭ କରିଥିବା ଅସ୍ତ୍ର ଶସ୍ତ୍ର ସମ୍ପର୍କରେ ସୂଚନା ଦେଲେ Ι”ସଞ୍ଜୟ କହିଲେ ଶୁଣ ରାଜା କୁରୁସାଇଁ, ତେଣୁ ପାର୍ଥ ସମସ୍ତଙ୍କୁ ରଣରେ ଜିଣଇ Ι” ନବମ ଦିନ ଯୁଦ୍ଧରେ ଭୀଷ୍ମ ଯୁଦ୍ଧର ନିୟମ ବିରୁଦ୍ଧରେ ଯାଇ ନୀଳବାଣ ଓ ଭୁଜ ବାଣ ପ୍ରୟୋଗ କରିବା ପାଇଁ ଧନୁରେ ଯୋଖିଲେ Ι ସେ ଦୁଇ ଶସ୍ତ୍ରର ତେଜରେ କେବଳ କୁରୁକ୍ଷେତ୍ର ନୁହେଁ, ପୃଥିବୀ ନୁହେଁ, ସ୍ୱର୍ଗର ଦେବତାମାନେ ମଧ୍ୟ ପ୍ରକମ୍ପିତ ହେବାରେ ଲାଗିଲେ Ι ଶ୍ରୀକୃଷ୍ଣ ଭୀଷ୍ମଙ୍କର ଏତାଦୃଶ ଅନ୍ୟାୟ ଆଚରଣ ଦେଖି କ୍ରୋଧରେ ନନ୍ଦୀଘୋଷରୁ ଉତୁରି ଚକ୍ର ଧରି ଭୀଷ୍ମଙ୍କ ରଥରେ ଚଢ଼ିଗଲେ Ι କହିଲେ,"ନବ ଦିନଯାଏଁ କଲୁ ବିହିତ ସଂଗ୍ରାମ, ଏତେ ଦିନେ ଆଜି ତୁହି ଛାଡ଼ିଲୁଟି ଧର୍ମ Ι ଏ ଦେବ ଅସ୍ତ୍ରକୁ ତୁହି କିମ୍ପାଇଁ ଭରସୁ ,ମାନବ ଯୁଦ୍ଧରେ ଦେବ ଶର କିମ୍ପା ପେଷୁ ? "ଭୀଷ୍ମ କୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ସେ ଶର ସଂହରଣ କଲେ Ι ଉଭୟଙ୍କ ମଧ୍ୟରେ କିଛି ଗୁପ୍ତ ଆଲୋଚନା ହୋଇଗଲା Ι କିନ୍ତୁ ନିଜର ପ୍ରତିଜ୍ଞା ରକ୍ଷା କରି  ସେ ଦିନ ମଧ୍ୟ ସେ ଦଶ ସହସ୍ର ଯୋଦ୍ଧା ମାରିଲେ Ι ଯୁଦ୍ଧ ଶେଷରେ କୃଷ୍ଣ ସହଦେଵଙ୍କୁ ଡାକି କହିଲେ,"ଭୀଷ୍ମ ଆଜି ରାତ୍ରିରେ ଆମ୍ଭମାନଙ୍କୁ ଗୋପନରେ ଭେଟିବା ପାଇଁ କହିଛନ୍ତି Ι ସମ୍ଭବତଃ ସେ ତାଙ୍କର ମୃତ୍ୟୁଭେଦ କହିବେ Ι ସମସ୍ତେ ପ୍ରସ୍ତୁତ ହୋଇ ଆସ Ι


କ୍ରମଶଃ....

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...