About Me

Kendrapara, Odisha, India

2018-02-03

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨୫


କୁରୁପତିଙ୍କ କୁଶଳ ପ୍ରଶ୍ନରେ ଅର୍ଜୁନ ସୌଜନ୍ୟ ରକ୍ଷା କରି ‘ସର୍ବ ମଙ୍ଗଳ’ ବୋଲି କହିଲେ Ι ଦୁର୍ଯ୍ୟୋଧନ ମନ ମଧ୍ୟରେ ତ୍ରସ୍ତ, ଆତଙ୍କିତ Ι ଭାବୁଥାନ୍ତି, ଅର୍ଜୁନ ଏ ସମୟରେ ଆସିବାର ଉଦ୍ଦେଶ୍ୟ କଣ ? କିନ୍ତୁ ପ୍ରକାଶ୍ୟରେ ସେ ହସହସ ମୁଖରେ ପଚାରିଲେ, ପାର୍ଥ, ଭ୍ରାତା ମୋର. ଏତେ ରାତ୍ରରେ ମୁଁ ତୋର କେମିତି ମନେ ପଡିଲି? ନିଶ୍ଚୟ ପାଣ୍ଡବ ଶିବିରରେ ସବୁ କିଛି ଠିକ୍ ନାହିଁ Ι ମୋତେ କହ, ତୋର ମୋ ଠାରୁ କି ସାହାଯ୍ୟ ଆବଶ୍ୟକ Ι ମୁଁ ଅକୁଣ୍ଠିତ ଚିତ୍ତରେ ତୋର ଆଶା ପୂର୍ଣ୍ଣ କରିବି Ι” ସବ୍ୟସାଚୀ କହିଲେ, "ଭ୍ରାତା, ଆପଣ ମୋତେ ଘୋଷ ଯାତ୍ରା କାଳରେ ଗୋଟିଏ ବର ଯାଚିଥିଲେ Ι କହିଥିଲେ,"ଯାହା ମାଗିବୁ ମାଗ Ι ମୁଁ କହିଥିଲି  , "ମାଗିନେବି ଆବଶ୍ୟକ ହେବ ଯେବେ ମୋର Ι" ଆଉ ଆପଣ କହିଥିଲେ," ଯେବେ ଇଚ୍ଛା ଯାହା ଇଚ୍ଛା କରିବୁ ପ୍ରାର୍ଥନା, ନିଶ୍ଚୟ କାମନା ତୋର କରିବି ମୁଁ ପୂର୍ଣ୍ଣ Ι" ପାର୍ଥ ଏ ସବୁ କହିବା ବେଳେ ଦୁର୍ଯ୍ୟୋଧନଙ୍କ ମୁଖମଣ୍ଡଳରେ କ୍ଷଣକୁ କ୍ଷଣ ବଦଳୁଥିବା ରଙ୍ଗ ଦେଖୁ ନ ଥିଲେ Ι କୁରୁପତି ଭାବୁଥିଲେ,"ଅକାରଣେ ଏତେ ଗୁଡାଏ ରାଜାଙ୍କୁ ସୈନ୍ୟ ସେନାପତିଙ୍କ ସହ ମରାଇଲି Ι ଏବେ ମହାଭାରତ ଯୁଦ୍ଧ ଶେଷ ହେଲା Ι ନିଶ୍ଚୟ ପାର୍ଥ ମାଗିବାକୁ ଆସିଛି ପଞ୍ଚକଟକ Ι ପିତାମହଙ୍କ ବୀରତ୍ଵରେ ଶଙ୍କିତ ପାଣ୍ଡବମାନେ ଶେଷରେ ଏହି ଘୃଣ୍ୟ ପନ୍ଥା ଅବଲମ୍ବନ କରିବେ ବୋଲି ସେ କଳ୍ପନା କରି ନ ଥିଲେ Ι ଦୁର୍ଯ୍ୟୋଧନଙ୍କୁ ଅନ୍ୟମନସ୍କ ଦେଖି, ଧନଞ୍ଜୟ କହିଲେ, "ଆପଣ କଣ ଭାବୁଛନ୍ତି ଭ୍ରାତା ?  ମୁଁ ଆପଣଙ୍କୁ ବାଧ୍ୟ କରୁନାହିଁ Ι ଆପଣ ଇଚ୍ଛା କଲେ ଅସ୍ଵୀକାର କରିପାରନ୍ତି Ι  ମାନଗୋବିନ୍ଦଙ୍କର ସମ୍ମାନ ରକ୍ଷା କରି ମୁଁ ଏହି ମୁହୂର୍ତ୍ତରେ ଏଠାରୁ ଚାଲିଯିବି ଏବଂ ଏହା କେବେ ବି କୌଣସିଠାରେ ପ୍ରକାଶ କରିବି ନାହିଁ ଯେ ଆପଣ ସତ୍ୟପଥରୁ ବିଚ୍ୟୁତ ହୋଇ ଯାଚିଥିବା ବର ପ୍ରଦାନ କରି ନାହାନ୍ତି Ι ଦୁର୍ଯ୍ୟୋଧନ ପ୍ରକୃତିସ୍ଥ ହେଲେ Ι ଫାଲ୍ଗୁନୀଙ୍କର ବ୍ୟଙ୍ଗ ତାଙ୍କ ଶରୀରରେ ତୀକ୍ଷ୍ଣ ଶର ଭଳି ଭେଦ କରିଗଲା Ι ସେ ହସିଲେ Ι କହିଲେ, "ଅନୁଜରେ ମୋର, ବୃଥାରେ ମୁଁ ହୋଇନାହିଁ ମାନଚକ୍ରବର୍ତ୍ତୀ ,ମାନ ଗୋବିନ୍ଦ ମୋ ନାମ ହୋଇନି ଏମିତି Ι ସାକ୍ଷୀ ରଖି ଦଶ ଦିଗପାଳେ ,କରୁଛି ପ୍ରତିଜ୍ଞା, ପ୍ରାର୍ଥନା ତୋହର ପୂର୍ଣ୍ଣ କରିବି ମୁଁ ଏବେ Ι ମାଗି ଦେଖ ପାର୍ଥ, ହସ୍ତିନାର ସିଂହାସନ ହସି ହସି ଅର୍ପଣ ମୁଁ କରିବି ଏକ୍ଷଣି Ι" ଅର୍ଜୁନ ମଧ୍ୟ ହସିଲେ Ι କହିଲେ, "ଭ୍ରାତା, ଏଡ଼େ କାପୁରୁଷ ଯେବେ ହୋଇଥାନ୍ତା ପାର୍ଥ, ଜଗତରେ ପ୍ରଶଂସିତ ହୁଅନ୍ତା କି ତାର ପୁରୁଷାର୍ଥ ? ଜଗନ୍ନାଥ ସଖା ରୂପେ ବହନ୍ତା କି ଧନଞ୍ଜୟ ଦ୍ୱିତୀକୃଷ୍ଣ ନାମ ? ନା, ଏତେ ବଡ ବିଭ୍ରାଟ ଘଟାଇବାକୁ ମୁଁ ଆସିନାହିଁ Ι ମୋର କେବଳ ଆଜି ରାତ୍ରକ ପାଇଁ ଆପଣଙ୍କର ଅନର୍ଘ ମଣି ମୁକୁଟ ଆବଶ୍ୟକ Ι କାଲି ନିଶାନ୍ତରେ ମୁଁ ତାହା ଫେରାଇ ଦେବି Ι"କୁରୁପତି ଆଶ୍ୱସ୍ତ ହେଲେ Ι ଭାବିଲେ, 'ବିଚରା, ମରିବା ପୂର୍ବରୁ ଟିକିଏ ସମ୍ରାଟର ଶିରୋଭୂଷା ପରିଧାନ କରି  ତାର ବହୁ ଦିନର ଆକାଂକ୍ଷା ପୂର୍ଣ୍ଣ କରୁ Ι’ ତତ୍କ୍ଷଣାତ୍ ଦୁର୍ଯ୍ୟୋଧନ ଅସ୍ତ୍ରାଗାର ମଧ୍ୟରୁ ନିଜର ମୁକୁଟ ଆଣି କିରିଟୀଙ୍କ ହସ୍ତରେ ଅର୍ପଣ କଲେ ଓ ଆଲିଙ୍ଗନ କରି ବିଦାୟ ଦେଲେ Ι ଅର୍ଜୁନ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ପ୍ରଣାମ କରି ରାତ୍ରିର ଅନ୍ଧକାର ମଧ୍ୟରେ ହଜିଗଲେ Ι ଦୁର୍ଯ୍ୟୋଧନ  କିମ୍ବା ତାଙ୍କର ସଶସ୍ତ୍ର ପ୍ରହରୀ ଜାଣିପାରିଲେ ନାହିଁ ଯେ ଅଳ୍ପ ଦୂରରେ ଆଉ ଦୁଇଟି ଛାୟା ତାଙ୍କୁ ଅପେକ୍ଷା କରୁଥିଲେ Ι ସେ ଦୁଇଜଣ ଥିଲେ ସହଦେବ ଓ ବୃକୋଦର. Ι ତାଙ୍କ ସହ କିଛି ମନ୍ତ୍ରଣା ପରେ ଅର୍ଜୁନ ମୁକୁଟ ପିନ୍ଧି ଭୀଷ୍ମଙ୍କ କକ୍ଷରେ ପ୍ରବେଶ କଲେ Ι ପ୍ରହରୀ ଦୁଇ ଜଣଙ୍କୁ ପୂର୍ବରୁ ମୂର୍ଚ୍ଛିତ କରି ତାଙ୍କର ପଥ ସୁଗମ କରି ଦେଇଥିଲେ ଭୀମସେନ.Ι ଅଳ୍ପ ଆଲୋକିତ କକ୍ଷ ମଧ୍ୟରେ ନିଦ୍ରିତ ଭୀଷ୍ମ କିଛି ଶବ୍ଦ ଶୁଣି ଉଠି ପଡିଲେ Ι ତାଙ୍କୁ ଲାଗିଲା, ଦୁର୍ଯ୍ୟୋଧନ ତାଙ୍କୁ କହୁଛନ୍ତି,"ପିତାମହ ମୋର ମନ ମାନୁନାହିଁ Ι ସେ ବାଣ ପାଞ୍ଚୋଟିର ସୁରକ୍ଷା ବିଷୟ ଚିନ୍ତା କରି କରି ମୁଁ ଶୋଇ ପାରୁନାହିଁ Ι ଆପଣ ମୋତେ ସେ ଶରଗୁଡ଼ିକ ଦେଇ ଦିଅନ୍ତୁ Ι” ସଦ୍ୟ ନିଦ୍ରାରୁ ଉତ୍ଥିତ ଭୀଷ୍ମ ବିରକ୍ତ ହୋଇ ବାଣ ପାଞ୍ଚୋଟି ଆଣି ତାଙ୍କ ହସ୍ତରେ ଅର୍ପଣ କଲେ ଓ ତାଙ୍କୁ ବିଦାୟ ଦେଇ ପୁନର୍ବାର ଅବଶ ଶରୀରକୁ ଶଯ୍ୟା ଉପରେ ଲୋଟାଇ ଦେଲେ Ι ପରଦିନ ପ୍ରଭାତରେ ଭୀଷ୍ମ ଶରଗୁଡ଼ିକ ମାଗିବାରୁ ଦୂର୍ଯ୍ୟୋଧନଙ୍କ ଚକ୍ଷୁ  ବିସ୍ଫାରିତ ହୋଇଗଲା Ι ଭୀଷ୍ମଙ୍କ ସହିତ ଅଳ୍ପ ତର୍କ ବିତର୍କ ପରେ ତାଙ୍କ ଆଗରେ ଅର୍ଜୁନଙ୍କର ମୁକୁଟ ନେବାର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଗଲା Ι ସେ ନିଜ ଉପରେ ବା  ପିତାମହଙ୍କ ଉପରେ କ୍ରୋଧ ମଧ୍ୟ ପ୍ରକାଶ କରି ପାରୁ ନ ଥିଲେ Ι ସେ ପିତାମହଙ୍କୁ ସେଇମିତି ଆଉ ପାଞ୍ଚୋଟି ଶାୟକ ପ୍ରସ୍ତୁତ କରିବାକୁ ଅନୁରୋଧ କଲେ Ι କିନ୍ତୁ ଭୀଷ୍ମ କହିଲେ, ମୋର ସମସ୍ତ ଶକ୍ତି ମୁଁ ସେ ଶର ପାଞ୍ଚୋଟିରେ ରଖିଥିଲି Ι ଏବେ ଆଉ ତାହା ସମ୍ଭବ ନୁହେଁ Ι ଆମ୍ଭ ସମସ୍ତଙ୍କ ଚକ୍ଷୁରେ ଧୂଳି ଦେଇ ପାର୍ଥ ତାର କାର୍ଯ୍ୟ ସାଧନ କରିଛି Ι’
ଦ୍ୱାରଦେଶରେ ହସ ହସ ମୁଖରେ ପିତାମହ  ଓ ଦୂର୍ଯ୍ୟୋଧନ ଉଭୟଙ୍କୁ ପ୍ରଣାମ କରି ଅର୍ଜୁନ ଦୁର୍ଯ୍ୟୋଧନଙ୍କୁ କହୁଥିଲେ, "ମୁଁ ଆପଣଙ୍କ ମୁକୁଟ ଫେରାଇ ଦେବାକୁ ଆସିଛି ଭ୍ରାତା, ଗ୍ରହଣ କରନ୍ତୁ Ι”      
ନିରୁପାୟ ବିବଶ ଗାଙ୍ଗେୟ !   ନିରୁତ୍ସାହିତ, କିଂକର୍ତ୍ତବ୍ୟବିମୂଢ,ହତବାକ୍ ଦୁର୍ଯ୍ୟୋଧନ ! 


କ୍ରମଶଃ.....

No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...