About Me

Kendrapara, Odisha, India

2018-02-02

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୨୪

ସେ ଦିନ ରାତ୍ରିର ଅନ୍ଧକାର ମଧ୍ୟରେ ପ୍ରକୃତରେ କଣ ଘଟିଥିଲା ? ଏକମ୍ ସତ୍ୟମ୍ ବିପ୍ରାଃ ବହୁଧା ବଦନ୍ତି Ι ଭିନ୍ନ ମୁନୟୋଃ ମତୟୋର୍ବିଭିନ୍ନାଃ Ι ,”ହରି ଅନନ୍ତା, ହରି କଥା ଅନନ୍ତା, କହଇ ଶୁନାଇ ବହୁବିଧ ସବ ସନ୍ତା.” ବିଭିନ୍ନ କବି, ନାଟ୍ୟକାର,ଆଲୋଚକ ଓ ପ୍ରବଚକ ସେ ଦିନ ରାତ୍ରିର ଘଟଣା ଭିନ୍ନ ଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି. ଆଦିକବି ଶାରଳା ଦାସଙ୍କ ମହାଭାରତରୁ ଅଲଗା କେତୋଟି ବର୍ଣ୍ଣନା ମଧ୍ୟରୁ ଗୋଟିଏ ପ୍ରସ୍ତୁତ କରୁଛି. ଆଉ ଥରେ କହୁଛି, ଏହା ଶାରଳା ମହାଭାରତରେ ନାହିଁ.  ତଥାପି ବେଶ୍ ରୋଚକ ଓ ରୋମାଞ୍ଚକର Ι]
କୌରବ ଶିବିର Ι ପିତାମହ ଭୀଷ୍ମଙ୍କୁ ଦୁର୍ଯ୍ୟୋଧନ ଭେଟିଲେ Ι ଭୀଷ୍ମ ଯୁଦ୍ଧରୁ ଫେରି ନିତ୍ୟକର୍ମ ସାରି ବିଶ୍ରାମ କରୁଥାନ୍ତି Ι ପ୍ରଥମେ ନମ୍ର ସ୍ୱରରେ ସେ ନିଜର ଅଭିଯୋଗ ଉପସ୍ଥାପନା କଲେ. "ଆପଣ ମହାନ୍ ଯୋଦ୍ଧା Ι ପ୍ରତିଦିନ ଆପଣ ଅସଂଖ୍ୟ ସୈନ୍ୟ ମାରୁଛନ୍ତି, ଏଥିରେ ଦ୍ୱିରୁକ୍ତି ନାହିଁ Ι କିନ୍ତୁ ମୋର ସବୁବେଳେ ଏମିତି କାହିଁକି ଅନୁଭବ ହେଉଛି ଯେ ଆପଣ ପାଣ୍ଡବମାନଙ୍କ ପ୍ରତି ସାତିଶୟ ସହାନୁଭୁତିଶୀଳ ହୋଇ, ଉପ୍ରୋଧ ରକ୍ଷା କରି ଲଢ଼ୁଛନ୍ତି Ι ହସ୍ତିନାର ସିଂହାସନର ସୁରକ୍ଷା ପ୍ରତି ଆପଣଙ୍କର ଶପଥ ଓ କର୍ତ୍ତବ୍ୟ କଣ ଭୁଲି ଯାଉଛନ୍ତି ଆପଣ ? ପାଣ୍ଡବ ପଞ୍ଚଭ୍ରାତାଙ୍କ ମଧ୍ୟରୁ କାହାରି ଶରୀରରେ ଆପାଣଙ୍କ ଅସ୍ତ୍ରାଘାତର କ୍ଷତଟିଏ ଦେଖିବାକୁ ମିଳୁନାହିଁ କାହିଁକି ? କାହିଁକି, କଣ ପାଇଁ ପିତାମହ ? ଶେଷ ଆଡକୁ ମାନଗୋବିନ୍ଦଙ୍କର କଣ୍ଠସ୍ୱର ଉଗ୍ର ଓ ରୁକ୍ଷ ହୋଇ ଉଠିଥିଲା Ι ଗଙ୍ଗାପୁତ୍ର ଅଧରୋଷ୍ଠକୁ ଚାପି ଧରି ହସ୍ତିନା ସମ୍ରାଟଙ୍କର କଟୁ ତିକ୍ତ ଆକ୍ଷେପକୁ ସହ୍ୟ କରୁଥିଲେ Ι ବୟୋବୃଦ୍ଧ,ଇଛାମୃତ୍ୟୁର ଅଧିକାରୀ ଗାଙ୍ଗେୟ ବ୍ୟକ୍ତିଗତ ସମ୍ପର୍କରେ ଥିଲେ ତ ପିତାମହ, କିନ୍ତୁ ରାଜାଙ୍କ ପାରିଷଦରେ ତାଙ୍କର ପରିଚୟ ଥିଲା ମାତ୍ର ଏକ ସେନାପତିର Ι ଅତ୍ୟନ୍ତ ଗମ୍ଭୀରତାର ସହିତ ଭୀଷ୍ମ ନିଜର ଅସ୍ତ୍ରାଗାରକୁ ଯାଇ ଶୁଦ୍ଧ ସୁବର୍ଣ୍ଣର ଆଭା ବିଚ୍ଛୁରିତ କରୁଥିବା ପାଞ୍ଚୋଟି ଶର ଆଣିଲେ Ι ଚକ୍ଷୁ ମୁଦ୍ରିତ କରି ଧ୍ୟାନ ମୁଦ୍ରାରେ କିଛି ସମୟ ବସିଲେ Ι କିଛି ମନ୍ତ୍ର ପାଠ କରି ସେ ଶରଗୁଡିକ ଉପରେ ଅଙ୍ଗୁଳି ସଞ୍ଚାଳନ କଲେ Ι ମୁଦ୍ରିତ ଚକ୍ଷୁ ଉନ୍ମିଳିତ ହେଲା Ι ଦୀର୍ଘନିଶ୍ୱାସ ତ୍ୟାଗ କରି ସେ ଦୁର୍ଯ୍ୟୋଧନଙ୍କୁ କହିଲେ," ବତ୍ସ ଦୁର୍ଯ୍ୟୋଧନ, ଆସନ୍ତା କାଲିର ଯୁଦ୍ଧଯାଏଁ ଅପେକ୍ଷା କର Ι କାଲି ପଞ୍ଚପାଣ୍ଡବଙ୍କର ମୃତ୍ୟୁ ସୁନିଶ୍ଚିତ Ι ଏହି ପାଞ୍ଚ ଶର ମଧ୍ୟରେ ମୁଁ ମୋର ଶକ୍ତି ସଞ୍ଚିତ କଲି Ι ଏହି ଶାୟକମାନଙ୍କ  ମଧ୍ୟରୁ ପ୍ରତ୍ୟେକ ଜଣେ, ଜଣେ ପଣ୍ଡୁପୁତ୍ରଙ୍କ ପାଇଁ ଉଦ୍ଦିଷ୍ଟ Ι ଏହା ପ୍ରୟୋଗ କଲେ ସେମାନଙ୍କୁ ମୃତ୍ୟୁମୁଖରୁ କେହି ବଞ୍ଚାଇ ପାରିବେ ନାହିଁ Ι ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବି ନୁହେଁ Ι” ଦୁର୍ଯ୍ୟୋଧନ ଉତ୍ଫୁଲ୍ଲିତ ଦେଖାଗଲେ Ι ପର ମୁହୂର୍ତ୍ତରେ ତାଙ୍କର ଭାବାନ୍ତର ହେଲା Ι ନିଶ୍ଚିତ ବିଜୟକୁ ହାତଛଡା କରିବା ପାଇଁ ସେ କୌଣସି ସୁଯୋଗ ଦେବାକୁ ଚାହୁଁ ନ ଥିଲେ Ι ସେ ଭାବିଲେ, ଏ ବୃଦ୍ଧ ଆମ୍ଭମାନଙ୍କ ଅପେକ୍ଷା ପାଣ୍ଡବମାନଙ୍କୁ ଅଧିକ ସ୍ନେହ କରେ Ι ହୁଏ ତ ସେମାନଙ୍କ ମଧ୍ୟରୁ କେହି ଆସି ଏ ଗୁଡିକ ମାଗି ନେଇଯିବ ବା ଇଏ ନିଜେ ତାଙ୍କୁ ଶର ପାଞ୍ଚୋଟି ଦେଇ ଦେଇ ହଜିଗଲା ବୋଲି ଛଳନା କରିବେ Ι ସେ କହିଲେ, "ପିତାମହ, ଆପଣଙ୍କ ଅପେକ୍ଷା ମୋର ଶସ୍ତ୍ରାଗାର ଅଧିକ ସୁରକ୍ଷିତ Ι ଆପଣ ସେ ପାଞ୍ଚୋଟି ଶର ମୋ ହସ୍ତରେ ଅର୍ପଣ କରନ୍ତୁ Ι ମୁଁ କାଲି ଆପଣଙ୍କ ଯୁଦ୍ଧଯାତ୍ରା ପୂର୍ବରୁ ଆପଣଙ୍କୁ ଦେଇଦେବିΙ” ୟା ପରେ ଘଟିଥିବା ଘଟଣା ଉପରେ ମଧ୍ୟ ଭିନ୍ନ ମତ ଅଛି Ι ଗୋଟିଏ ମତ ଅନୁସାରେ ଭୀଷ୍ମ ଶରଗୁଡିକ ତାଙ୍କ ପାଖରେ ନ ରହିଲେ ସେଗୁଡିକର ପ୍ରଭାବ ହ୍ରାସ ହେବ କହି  ନିଜ ପାଖରେ ରଖିଲେ Ι ତେଣେ ପାଣ୍ଡବ ଶିବିରରେ ଶ୍ରୀକୃଷ୍ଣ ବ୍ୟସ୍ତତାର ସହ ଅପେକ୍ଷା କରୁଥାନ୍ତି ଗୁପ୍ତଚରକୁ Ι ବାହାରେ କିଛି ଶବ୍ଦ ହେଲା Ι ଗୁପ୍ତଚର ଦ୍ୱାର ନିକଟରେ ଭିତରକୁ ଆସିବା ପାଇଁ ଅନୁମତି ପ୍ରାର୍ଥନା କରୁଥିଲା Ι ଅନୁମତି ଲାଭ କରି ଭିତରେ ପ୍ରବେଶ କଲା ଓ ସାଦର ପ୍ରଣାମ କଲା Ι କୌରବ ଶିବିରରୁ ସମ୍ବାଦ ସଂଗ୍ରହ କରି ଆଣିଥିଲା ସେ Ι ସବୁ କିଛି ଶୁଣି ଶ୍ରୀକୃଷ୍ଣ ପ୍ରଶ୍ନ କଲେ,"ସେ ଶରଗୁଡିକ ଭୀଷ୍ମଙ୍କ ପାଖରେ ଅଛି ବୋଲି ତୁମେ ନିଶ୍ଚିତ ? ଗୁପ୍ତଚର କହିଲା, "ମୁଁ ନିଶ୍ଚିତ Ι" ତାକୁ ବିଦାୟ ଦେଇ ବାସୁଦେବ ସହଦେଵଙ୍କୁ ଓ ଅର୍ଜୁନଙ୍କୁ ଡକାଇଲେ. ତିନିଜଣଙ୍କ ମଧ୍ୟରେ କିଛି ସମୟ ବିଚାର ବିମର୍ଷ ଚାଲିଲା Ι ବିଳମ୍ବିତ ରାତ୍ରିରେ ଅର୍ଜୁନ ଉପସ୍ଥିତ ହେଲେ ଦୁର୍ଯ୍ୟୋଧନଙ୍କ ଶୟନ କକ୍ଷ ନିକଟରେ Ι ଦ୍ଵାରୀ ଭିତରକୁ ଯାଇ ସମ୍ବାଦ ଦେଲା Ι ସ୍ୱୟଂ ଦୁର୍ଯ୍ୟୋଧନ ବାହାରକୁ ଆସି ଅର୍ଜୁନକୁ ଆଲିଙ୍ଗନ କରି ଭିତରକୁ ନେଇ ନିଜ ଶଯ୍ୟା ଉପରେ ବସାଇ କୁଶଳ ଜିଜ୍ଞାସା କଲେ Ι

କ୍ରମଶଃ......

No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...