About Me

Kendrapara, Odisha, India

2018-02-04

ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୨୬


ଶାରଳା ଦାସଙ୍କ ମହାଭାରତରେ ଥିବା ବର୍ଣ୍ଣନାକୁ ଆଡ଼େଇଗଲେ ଅପରାଧ ହେବ. ତେଣୁ ଏବେ ଆମେ ପୂର୍ବ ବର୍ଣ୍ଣିତ ରାତ୍ରିରେ ପାଣ୍ଡବ ଶିବିରକୁ  ଫେରିବା ଯେଉଁଠି ଶ୍ରୀକୃଷ୍ଣ ସହଦେଵଙ୍କୁ କହୁଛନ୍ତି ଯେ ଅନ୍ୟ ଭ୍ରାତାମାନଙ୍କୁ ଡାକ. ଆମେ ଭୀଷ୍ମଙ୍କୁ ଭେଟିବା. ଶ୍ରୀକୃଷ୍ଣଙ୍କୁ ସହଦେବ କିଛି କହିବେ କହିବେ ହେଉଥିଲେ Ι କୃଷ୍ଣ ଜାଣିଥିଲେ, ସେ ନ ପଚାରିଲେ କିଛି କହିବେ ନାହିଁ Ι ସେ ପଚାରିଲେ,"କଣ ଭାବୁଛ ସହଦେବ ? କିଛି କହିବ ? ଭୀଷ୍ମ କଣ ଆମକୁ ଯୁଦ୍ଧ ଜିଣିବାର କିଛି ଉପାୟ କହିବେ ନାହିଁ ବୋଲି ତୁମେ ଭାବୁଛ ?"  ସହଦେବ କହିଲେ, "ପିତାମହ କେବଳ ଏବଂ କେବଳ ହସ୍ତିନା ସିଂହାସନ ପ୍ରତି ଅନୁରକ୍ତ Ι ସେ ଏମିତି କିଛି ତଥ୍ୟ ଆମକୁ ଦେବା ଅର୍ଥ ଦୁର୍ଯ୍ୟୋଧନ ସହ ଵିଶ୍ଵାସଘାତ ଏବଂ ସେ ତାହା କସ୍ମିନ୍ କାଳେ କରିବେ ନାହିଁ Ι ଆପଣଙ୍କୁ ସେ କେବଳ ଭେଟିବାକୁ କହିଛନ୍ତି Ι ମୃତ୍ୟୁଭେଦ କହିବାର ଥିଲେ ସେ ସେଇଠି କହିପାରିଥାନ୍ତେ Ι ବର୍ତ୍ତମାନ ସେ କେବଳ ଦୁର୍ଯ୍ୟୋଧନଙ୍କୁ ହିଁ କୌଣସି ଗୁପ୍ତ ତଥ୍ୟ ପ୍ରଦାନ କରିବେ. ପାଣ୍ଡବଙ୍କୁ ନୁହେଁ Ι"ଶ୍ରୀକୃଷ୍ଣ କିଛି ସମୟ ଚିନ୍ତା କଲେ Ι ଏହି ସମୟରେ ଅର୍ଜୁନ ମଧ୍ୟ ଆସି ଉପସ୍ଥିତ ହେଲେ Ι ଚିନ୍ତିତ ମାଧବଙ୍କୁ ଦେଖି ସେ କାରଣ ପଚାରିଲେ Ι ବାସୁଦେବ କହିଲେ," ଭୀଷ୍ମ କେବଳ ଦୁର୍ଯ୍ୟୋଧନ ପ୍ରତି ବିଶ୍ୱାସର ସୂତ୍ରରେ ବନ୍ଧା Ι ତୁମେ ମାନଗୋବିନ୍ଦ ଭଳି ଦେଖାଯାଉଛ ପାର୍ଥ Ι" ରହସ୍ୟରେ କହି ହସୁ ହସୁଁ ଶ୍ରୀକୃଷ୍ଣ ହଠାତ୍ ଗମ୍ଭୀର ହୋଇଗଲେ Ι 'ହଁ ପାର୍ଥ, ତୁମେ ଏବେ କୁରୁପତି ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହୋଇଯାଅ Ι  ସହଦେବ କହିଲେ,"କିନ୍ତୁ କୁରୁପତି ହେବାକୁ ହେଲେ ଅନର୍ଘ ମଣି ମୁକୁଟ ଆବଶ୍ୟକ Ι ବିନା ମୁକୁଟରେ ମାନଗୋବିନ୍ଦଙ୍କ ଭ୍ରମ ସୃଷ୍ଟି କରିବା ଅସମ୍ଭବ Ι ଶ୍ରୀକୃଷ୍ଣ ଆଉ ଥରେ ଚିନ୍ତିତ ଦେଖାଗଲେ Ι ଫାଲ୍ଗୁନୀ କହିଲେ,"ଉପାୟ ଅଛି ସଖା Ι ଦୁର୍ଯ୍ୟୋଧନଙ୍କ ଠାରୁ ମୁକୁଟ ଆଣିବା ପାଇଁ ମୁଁ ଯିବି Ι ଘୋଷଯାତ୍ରା କାଳରେ ତାଙ୍କୁ ଚିତ୍ରସେନ ଗନ୍ଧର୍ବ କବଳରୁ ମୁଁ ରକ୍ଷା କରିଥିଲି ଓ ସେତେବେଳେ ସେ ମୋତେ ବର ଦେବା ପାଇଁ ପ୍ରତିଜ୍ଞା କରିଥିଲେ Ι ଏବେ ମୁଁ ତାଙ୍କୁ ସେହି ବଚନ ମନେ ପକାଇ ଦେଲେ ସେ ନିଶ୍ଚୟ ତାଙ୍କ ମୁକୁଟ ମୋ ହସ୍ତରେ ଅର୍ପଣ କରିବେ Ι" ତାପରେ କିପରି ଅର୍ଜୁନ କୁରୁପତିଙ୍କଠାରୁ ମୁକୁଟ ନେଇ ଆସିଲେ ତାହା ପୂର୍ବରୁ ବର୍ଣିତ ହୋଇଛି Ι ଅରୁଣୋଦୟ ସମୟ Ι ଅନ୍ଧକାର ସମ୍ପୂର୍ଣ ଦୂରୀଭୂତ ହୋଇନାହିଁ Ι କୌରବ ଶିବିରରେ ନିଜ ପ୍ରକୋଷ୍ଠରେ ପିତାମହ ପୂଜା ଅର୍ଚ୍ଚନାରେ ବ୍ୟସ୍ତ Ι ସହଦେବ, କୃଷ୍ଣ ଓ ଦୁର୍ଯ୍ୟୋଧନବେଶୀ ଅର୍ଜୁନ ପ୍ରବେଶ କଲେ Ι ଶ୍ରୀକୃଷ୍ଣ ଛିଙ୍କିଲେ Ι ଭୀଷ୍ମଙ୍କୁ ଦେବସ୍ଥାନ ନିକଟରୁ କେବଳ ମୁକୁଟର ଜ୍ୟୋତି ଜଣାପଡୁଥିଲା Ι ଦୁର୍ଯ୍ୟୋଧନ ଭାବି ସେ ଆଶୀର୍ବାଦ କଲେ," ଦୀର୍ଘାୟୁ ହୁଅ Ι" କୃଷ୍ଣ ଦ୍ଵିତୀୟବାର ଛିଙ୍କିଲେ Ι ଭୀଷ୍ମ ଆଶୀର୍ବାଦ କଲେ,"ଶତ୍ରୁ କ୍ଷୟ ଯାଉ Ι"ପୁଣି ଆଉ ଏକ ଥର ଛିଙ୍କନ୍ତେ ଅଚ୍ୟୁତ,"ଭୀଷ୍ମ ବୋଲେ ପଞ୍ଚରାଜ୍ୟ ହେଉ ତୋତେ ପ୍ରାପ୍ତ Ι"ଭୀଷ୍ମ ଏତକ କହି ବାହାରକୁ ଆସିଲେ Ι ଶ୍ରୀକୃଷ୍ଣଙ୍କୁ ଦେଖି କହିଲେ, "ମାୟାଧର, ଆଉ କେତେ ମାୟା କରିବ ? ଅନର୍ଘ ମଣି ମୁକୁଟ ମସ୍ତକେ ଦେଖିଲି, ଦୁର୍ଯ୍ୟୋଧନ ବୋଲି ଭାବି କଲ୍ୟାଣ ବାଞ୍ଛିଲି." ଶ୍ରୀକୃଷ୍ଣ କହିଲେ ଏବେ ସେ କଲ୍ୟାଣ ପାର୍ଥ ପ୍ରାପ୍ତ ହୋଇ ସାରିଛି Ι କହନ୍ତୁ ଗାଙ୍ଗେୟ, ଆପଣଙ୍କର ସମସ୍ତ କଲ୍ୟାଣ ସିଦ୍ଧ ହେବାର ଉପାୟ କହନ୍ତୁ Ι ଆପଣ ଇଚ୍ଛାମୃତ୍ୟୁର ଅଧିକାରୀ Ι ଆପଣ ନିଜେ ହିଁ କହିବେ, ପାଣ୍ଡବମାନେ ଆପଣଙ୍କ ବର୍ତ୍ତମାନରେ ଜିତିବେ କେମିତି Ι" ଭୀଷ୍ମ କହିଲେ, "ଶୁଣନ୍ତୁ ଶ୍ରୀପତି Ι ବାରମ୍ବାର ମୁଁ ଇଛା କରିଛି ଆପଣଙ୍କ ହସ୍ତରେ ମୃତ୍ୟୁଲାଭ ପାଇଁ Ι ଆପଣ ମୋ ପାଇଁ ନିଜର ଶପଥ ଭାଙ୍ଗି ଅସ୍ତ୍ର ଧାରଣ କରିଛନ୍ତି କିନ୍ତୁ ମୋତେ ମୁକ୍ତି ଦେଇ ନାହାନ୍ତି Ι ଏବେ ମୋର ମୃତ୍ୟୁ ଭେଦ କହୁଛି ଶୁଣନ୍ତୁ Ι ପାଞ୍ଚାଳ ନରେଶ ଦ୍ରୁପଦଙ୍କ କିନ୍ନର ପୁତ୍ର ଶିଖଣ୍ଡୀ ହିଁ ମୋର ମୃତ୍ୟୁଦାତା Ι କନ୍ୟା ଅମ୍ବାଙ୍କ ପ୍ରତି ମୋର ନିଷ୍ଠୁରତା ହେତୁ  ସଙ୍ଗମରେ ଝାସଦେଲାବେଳେ ଅମ୍ବା ପ୍ରତିଜ୍ଞା କରିଥିଲେ ଯେ ପର ଜନ୍ମରେ ସେ ମୋର ଜୀବନର ସମାପ୍ତି ଘଟାଇ ପ୍ରତିଶୋଧ ନେବେ Ι ସେଇ ଅମ୍ବା ଆଜିର ଶିଖଣ୍ଡୀ Ι ଆଜି ଯୁଦ୍ଧରେ ମୋର ଶେଷ ଦିନ Ι ପ୍ରଣାମ ବାସୁଦେବ Ι ବତ୍ସ ଅର୍ଜୁନ, ସହଦେବ, , କଲ୍ୟାଣ ତ ମୁଁ ଦେଇ ସାରିଛି Ι ଏବେ ତୁମ୍ଭେମାନେ ଆସ".


କ୍ରମଶଃ.....

No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...