ଅଷ୍ଟମ ଦିନ ଯୁଦ୍ଧରେ ଭୀମସେନ ପୂର୍ବଦିନର ପରାଜୟର ପ୍ରତିଶୋଧ ନେବାର ପ୍ରତିଜ୍ଞା ନେଇ ରଣକ୍ଷେତ୍ରକୁ ଓହ୍ଲାଇଲେ Ι ପ୍ରଥମେ ତାଙ୍କ ସମ୍ମୁଖକୁ ଆସିଗଲେ ଶକୁନି. ତାଙ୍କ ଉପରେ ବୃକୋଦରଙ୍କର କିଛି ବିଶେଷ ବିଦ୍ୱେଷ ଥିଲା Ι ଉଭୟ ଗଦାରେ ଏକ ସଙ୍ଗେ ଆଘାତ କରି ସେ ଶକୁନିଙ୍କର ରଥଟିକୁ ଗୁଣ୍ଡ କରିଦେଲେ Ι “ଗଦାକୁ ପିଟିଣ ଭୀମ ଶେଷ କଲେ ସୈନ୍ୟ, ପଳାଏ ଶକୁନି ଭୟେ ନିରାଶ ହୋଇଣ Ι ଭୀମସେନ ଡାକେ ମାମୁଁ କ୍ଷଣେ ମାତ୍ର ରହ. ହାରିଣ ପଳାଅ କିମ୍ପା ନ କରି ଉପାୟ ?
ଉପାୟ କିଛି ନ ଥିଲା ଶକୁନିଙ୍କର Ι ରଥ ଧ୍ୱସ୍ତ Ι ସାରଥୀ ମୃତ Ι ଯଃ ପଳାୟତି ସଃ ଜୀବତି Ι ଶକୁନି ପଳାୟନ କରିବାକୁ ଶ୍ରେଷ୍ଠ ପନ୍ଥା ବାଛିନେଲେ Ι କିନ୍ତୁ ପବନ ପୁତ୍ର ଭୀମସେନଙ୍କ ଠାରୁ ଦ୍ରୁତ ଗତିରେ ଧାଇଁବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା Ι ତାଙ୍କୁ ଧରିନେଲେ ଭୀମସେନ Ι ବାମ ହସ୍ତରେ ଶକୁନିଙ୍କର କେଶ, ଦକ୍ଷିଣ ହସ୍ତରେ ଗଦା. ଶକୁନିଙ୍କର ବୁକୁରେ ଆଣ୍ଠୁ ଦେଇ ମାଡି ବସିଲେ ବୃକୋଦର Ιକହିଲେ,
"ଅନେକ ଅବସ୍ଥା ମାମୁଁ ଭୋଗିଅଛୁଁ ଆମ୍ଭେ,
ତୋ ବୁଦ୍ଧିରେ ପଡି ମତ୍ତ ସର୍ବ କଉରବେ.
ସୁମର ସୁମର ମାମୁଁ ତୋ ଇଷ୍ଟ ଦେବତା,
ଡାକ କୌରବଙ୍କୁ ଆଜ କେ ଅଛି ରଖନ୍ତା."
ଶକୁନି ନିହତ ବୋଲି ଧ୍ୱନି ଶୁଣି କୌରବ ଭ୍ରାତାମାନେ ଶକୁନିଙ୍କ ଆଡକୁ ମାଡି ଆସିଲେ Ι ପ୍ରଥମେ ଭୀମଙ୍କୁ ବାଧା ଦେଲେ ଦୁଃଶାସନ Ι ଦୁଃଶାସନଙ୍କୁ ଦେଖି ଭୀମ ଶକୁନିଙ୍କୁ ଛାଡି ଦୁଃଶାସନଙ୍କୁ ଆକ୍ରମଣ କଲେ Ι ଶକୁନି କୌରବ ସୈନ୍ୟମାନଙ୍କ ମଧ୍ୟରେ ଆତ୍ମଗୋପନ କରି ପ୍ରାଣରକ୍ଷା କଲେ Ι ଶକୁନି ବର୍ତ୍ତିଯିବା ଦେଖି ଦୁଃଶାସନ ଓ ଅନ୍ୟ ଭ୍ରାତାମାନେ ପଛଘୁଞ୍ଚା ଦେଇ ଭୀମଙ୍କ ସମ୍ମୁଖରୁ ହଟିଗଲେ Ι ଗଦା ଉଠାଇ ଭୀମ ପଛେ ପଛେ ଗୋଡାଇଥାନ୍ତି Ι ଯିଏ ସମ୍ମୁଖକୁ ଆସୁଥାଏ ତାର ମୃତ୍ୟୁ ସୁନିଶ୍ଚିତ Ι ନକୁଳ ଯୁଝୁଥାନ୍ତି ଶଲ୍ୟଙ୍କ ସାଙ୍ଗରେ Ιଏକ ସମୟରେ ନକୁଳ ଶଲ୍ୟଙ୍କୁ କୁନ୍ତ ପ୍ରହାର କରି ତାଙ୍କର ପ୍ରାଣ ନାଶ କରିବା ପାଇଁ ଉଦ୍ୟତ ହେଉଥିଲେ Ι ସହଦେବ ତାଙ୍କୁ ଅଟକାଇ କହିଲେ ,"ଯୁଦ୍ଧରେ ସିଏ ଆମର ବିପକ୍ଷ ହେଲେ ବି ମାତା ମାଦ୍ରୀଙ୍କର ଭ୍ରାତା, ଆମର ମାତୁଳ Ι ଛାଡିଦିଅ ଭାଇ Ι" ନକୂଳଙ୍କ ହାତରୁ ରକ୍ଷା ପାଇ ଶଲ୍ୟ ପଳାୟନ କଲେ Ι ଦ୍ରୋଣ ଓ ଦ୍ରୁପଦ, କୃପାଚାର୍ଯ୍ୟ ଓ ଦୁର୍ଦ୍ଧକ୍ଷ, ସହଦେବ ଓ ଭୂରିଶ୍ରବା ପରଷ୍ପର ଦ୍ଵନ୍ଦ ଯୁଦ୍ଧରେ ବ୍ୟାପୃତ ଥାନ୍ତି Ι ଭୀଷ୍ମଙ୍କ ଅନ୍ଧକାର ଶର ସୂର୍ଯ୍ୟକିରଣକୁ ଘୋଡାଇ ପକାଇଲା Ι ଦିନ ଯାଇ କେତେବେଳେ ରାତି ହେଲା କେହି ଜାଣି ପାରିଲେ ନାହିଁ Ι ଉଭୟ ପକ୍ଷର ସୈନ୍ୟମାନେ କ୍ଳାନ୍ତ ଓ ଅବସନ୍ନ ହୋଇ ପଡିଲେ Ι ମକର ମାସ ହୋଇଥିବାରୁ ସମସ୍ତେ ଶୀତରେ ଥରିବାକୁ ଲାଗିଲେ Ι କୃଷ୍ଣଙ୍କ ନିର୍ଦ୍ଦେଶରେ ପାର୍ଥ ଯୁଦ୍ଧ ସମାପ୍ତିସୂଚକ ଶଙ୍ଖନାଦ କଲେ Ι ଭୀଷ୍ମ ସେଦିନ ନିଜ ପ୍ରତିଜ୍ଞା ରଖିପାରିଲେ ନାହିଁ Ι ସେ ଦିବସଟି ପାଣ୍ଡବମାନଙ୍କର ବିଜୟ ଦିବସ ଥିଲା Ι ଅର୍ଜୁନ ପିତାମହଙ୍କ ଆକ୍ରମଣର କେବଳ ସଶକ୍ତ ପ୍ରତିରୋଧ ଯେ କରିଥିଲେ ତାହା ନୁହେଁ, ଅଗଣିତ କୌରବ ସେନା ନିହତ କରି ସେ ସନ୍ତୁଷ୍ଟ ହୋଇ ଶିବିରକୁ ଫେରିଥିଲେ Ι ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ସମର ସମ୍ବାଦ ଶୁଣାଇବା ପରେ ଧୃତରାଷ୍ଟ୍ର ପଚାରିଲେ, "ସମସ୍ତେ ସେହି ଏକା ଗୁରୁଙ୍କ ପାଖରୁ ଅସ୍ତ୍ରବିଦ୍ୟା ଶିକ୍ଷା କରିଥିଲେ Ι ଅର୍ଜୁନ ଏକା ଏତେବଡ ବୀରତ୍ୱର ଅଧିକାରୀ ହୋଇଗଲା କେମିତି ? ସଞ୍ଜୟ ତାଙ୍କୁ ଅର୍ଜୁନଙ୍କ ବନବାସ ସମୟରେ ଅଗ୍ନି ଦେବଙ୍କୁ ତୁଷ୍ଟ କରି ଲାଭ କରିଥିବା ଅସ୍ତ୍ର ଶସ୍ତ୍ର ସମ୍ପର୍କରେ ସୂଚନା ଦେଲେ Ι”ସଞ୍ଜୟ କହିଲେ ଶୁଣ ରାଜା କୁରୁସାଇଁ, ତେଣୁ ପାର୍ଥ ସମସ୍ତଙ୍କୁ ରଣରେ ଜିଣଇ Ι” ନବମ ଦିନ ଯୁଦ୍ଧରେ ଭୀଷ୍ମ ଯୁଦ୍ଧର ନିୟମ ବିରୁଦ୍ଧରେ ଯାଇ ନୀଳବାଣ ଓ ଭୁଜ ବାଣ ପ୍ରୟୋଗ କରିବା ପାଇଁ ଧନୁରେ ଯୋଖିଲେ Ι ସେ ଦୁଇ ଶସ୍ତ୍ରର ତେଜରେ କେବଳ କୁରୁକ୍ଷେତ୍ର ନୁହେଁ, ପୃଥିବୀ ନୁହେଁ, ସ୍ୱର୍ଗର ଦେବତାମାନେ ମଧ୍ୟ ପ୍ରକମ୍ପିତ ହେବାରେ ଲାଗିଲେ Ι ଶ୍ରୀକୃଷ୍ଣ ଭୀଷ୍ମଙ୍କର ଏତାଦୃଶ ଅନ୍ୟାୟ ଆଚରଣ ଦେଖି କ୍ରୋଧରେ ନନ୍ଦୀଘୋଷରୁ ଉତୁରି ଚକ୍ର ଧରି ଭୀଷ୍ମଙ୍କ ରଥରେ ଚଢ଼ିଗଲେ Ι କହିଲେ,"ନବ ଦିନଯାଏଁ କଲୁ ବିହିତ ସଂଗ୍ରାମ, ଏତେ ଦିନେ ଆଜି ତୁହି ଛାଡ଼ିଲୁଟି ଧର୍ମ Ι ଏ ଦେବ ଅସ୍ତ୍ରକୁ ତୁହି କିମ୍ପାଇଁ ଭରସୁ ,ମାନବ ଯୁଦ୍ଧରେ ଦେବ ଶର କିମ୍ପା ପେଷୁ ? "ଭୀଷ୍ମ କୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ସେ ଶର ସଂହରଣ କଲେ Ι ଉଭୟଙ୍କ ମଧ୍ୟରେ କିଛି ଗୁପ୍ତ ଆଲୋଚନା ହୋଇଗଲା Ι କିନ୍ତୁ ନିଜର ପ୍ରତିଜ୍ଞା ରକ୍ଷା କରି ସେ ଦିନ ମଧ୍ୟ ସେ ଦଶ ସହସ୍ର ଯୋଦ୍ଧା ମାରିଲେ Ι ଯୁଦ୍ଧ ଶେଷରେ କୃଷ୍ଣ ସହଦେଵଙ୍କୁ ଡାକି କହିଲେ,"ଭୀଷ୍ମ ଆଜି ରାତ୍ରିରେ ଆମ୍ଭମାନଙ୍କୁ ଗୋପନରେ ଭେଟିବା ପାଇଁ କହିଛନ୍ତି Ι ସମ୍ଭବତଃ ସେ ତାଙ୍କର ମୃତ୍ୟୁଭେଦ କହିବେ Ι ସମସ୍ତେ ପ୍ରସ୍ତୁତ ହୋଇ ଆସ Ι
କ୍ରମଶଃ....
No comments:
Post a Comment