ଆଜିର ଉପାଖ୍ୟାନ ବର୍ଣ୍ଣନା କରିବା ପୂର୍ବରୁ ମହାନ୍ ଯୋଦ୍ଧା ,ଅନୁଶାସିତ ସଭାସଦ୍, ପ୍ରତିଜ୍ଞାବନ୍ତ, ବୟୋଜ୍ୟୋଷ୍ଠ, ସମ୍ମାନାଷ୍ପଦ, କୁରୁକୁଳର ଗର୍ବ ପିତାମହଙ୍କର ହସ୍ତିନା ସିଂହାସନ ପ୍ରତି ବିଶ୍ୱସ୍ତତା ଓ ନିଷ୍ଠା ପାଇଁ ସମସ୍ତ ପ୍ରଶଂସା ଅଜାଡି ଦେଇସାରି ପ୍ରଶ୍ନଟିଏ କରିବି,"ସତରେ କଣ ଗଙ୍ଗାପୁତ୍ର ଦେବବ୍ରତ କେବଳ ପ୍ରଶଂସାର ପାତ୍ର ? ପିତାଙ୍କ ପାଇଁ ତାଙ୍କର ଦାରତ୍ୟାଗର ପ୍ରଶଂସା କଲାବେଳେ ଅମ୍ବାଙ୍କ ପ୍ରତି ଅନ୍ୟାୟ ଲାଗି ତାଙ୍କ ଉପରେ କଣ ଦୋଷାରୋପ କରାଯାଇ ନ ପାରେ ? ରାଜ ଅନୁରକ୍ତି ପାଇଁ ତାଙ୍କର ସ୍ତୁତିଗାନ କରିବା ସଙ୍ଗେ ସଙ୍ଗେ ଆମେ କଣ ଭୁଲିଯିବା ଯେ ଯାଜ୍ଞସେନୀ ବସ୍ତ୍ରହରଣ ବେଳେ ସେ ମୂକ ଦର୍ଶକ ସାଜି ବସିଥିଲେ ? ପ୍ରତିବାଦ କରି, ଆବଶ୍ୟକ ସ୍ଥଳେ ଶକ୍ତି ପ୍ରଦର୍ଶନ କରି, ସେ ଯଦି ସେହି ଜଘନ୍ୟ ଅପରାଧକୁ ଘଟିବାକୁ ଦେଇ ନ ଥାନ୍ତେ ....ଆଜି ଭୀଷ୍ମଙ୍କର ଚରିତ୍ରରେ କଳଙ୍କର ସେ ସୁଗଭୀର ଦାଗଟିଏ ଲାଗି ନ ଥାନ୍ତା Ι ଏବେ ମଧ୍ୟ ଅନେକ ଭୀଷ୍ମ, ସମ୍ମୁଖରେ ନାରୀ ନିର୍ଯାତନା ଦେଖି ମଧ୍ୟ ପ୍ରତିବାଦ କିମ୍ବା ପ୍ରତିକାର କରୁନାହାନ୍ତି Ι ସେମାନଙ୍କୁ ଆମେ ଯେତିକି ସମାଲୋଚନା କରୁଛନ୍ତି, ସେତିକି ନିନ୍ଦା କଣ ଭୀଷ୍ମଙ୍କର ପ୍ରାପ୍ୟ ନ ଥିଲା ? ‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା.’ ପୂଜା କରିବା ଦୂରର କଥା,ନାରୀ ଆଜି ଯତ୍ର ତତ୍ର ଉତ୍ପୀଡିତା ହେଉଛି Ι ଯେତେବେଳେ ଯେଉଁଠି ଏକ ଅବଳା ସ୍ତ୍ରୀ ଉପରେ ଅତ୍ୟାଚାର ହୋଇଛି, କେବଳ ଅତ୍ୟାଚାରୀ ନୁହେଁ, ସେଠାରେ ନୀରବ ଦ୍ରଷ୍ଟା ସାଜିଥିବା ସମସ୍ତ ନପୁଂସକ ଦର୍ଶକ ମଧ୍ୟ ଅନୁରୂପ ଭାବରେ ଭର୍ତ୍ସନାର ପାତ୍ର Ι ଝିମିଟି ଖେଳରେ ନୁହେଁ, ପାଣ୍ଡବ ପଞ୍ଚଭ୍ରାତା କୁରୁସଭାର ସେହି ବିଭତ୍ସ ନାରୀଧର୍ଷଣର ନାରକୀୟ ଲୀଳା ଯୋଗୁଁ ହିଁ ପ୍ରତିଶୋଧର ପ୍ରତିଜ୍ଞା କରିଥିଲେ ଓ ଦୀର୍ଘକାଳ ସେ ଶପଥର ବୋଝ ବୋହି ବୋହି ଚାଲିଥିଲେ Ι ୟେ ଆଲୋଚନାକୁ ଏଇଠି ରଖି ଆମେ ମହାଭାରତ ଯୁଦ୍ଧର ଦଶମ ଦିବସର ଘଟଣାବଳୀ ଉପରେ ଦୃକ୍ ପାତ କରିବା Ι
ଶ୍ରୀକୃଷ୍ଣ ସେଦିନ ଯୁଦ୍ଧରେ ଶିଖଣ୍ଡୀକୁ ସେନାପତି କରିବାକୁ କହିଲେ Ι କିନ୍ତୁ ଅର୍ଜୁନ ସେ ପ୍ରସ୍ତାବରେ ସମ୍ମତ ହେଉ ନଥାନ୍ତି Ι ଶ୍ରୀପତିଙ୍କ ଇଚ୍ଛା ଓ ସହଦେବଙ୍କ ମନ୍ତ୍ରଣା ଅନୁସାରେ ଯୁଧିଷ୍ଠିର ଶିଖଣ୍ଡୀଙ୍କୁ ନାନା ରତ୍ନ ଅଳଙ୍କାରରେ ଭୂଷିତ କରି ଶାଢ଼ୀ ବାନ୍ଧି ସେନାପତି ଭାବରେ ବରଣ କଲେ Ι ଉଭୟ ପକ୍ଷ ଶୀଘ୍ର ରଣ ଭୂମିରେ ଅବତୀର୍ଣ୍ଣ ହେଲେ Ι ଭୀଷ୍ମ ଓ ଅର୍ଜୁନଙ୍କ ମଧ୍ୟରେ ପୂର୍ବପରି ଘନଘୋର ଅସ୍ତ୍ର ଶସ୍ତ୍ର ବିନିମୟ ଚାଲିଥାଏ Ι ଏହି ସମୟରେ ଶିଖଣ୍ଡୀ ଉଭୟଙ୍କ ମଧ୍ୟରେ ନିଜର ରଥ ନେଇ ରଖାଇଦେଲେ Ι ଅର୍ଜୁନଙ୍କ ଶରାସନରୁ ଶର ବାହାରି ଯାଇଥାଏ Ι ପ୍ରତିଶର ପେଷଣ କରିବା ପୂର୍ବରୁ ଶିଖଣ୍ଡୀର ଉପସ୍ଥିତି ଘଟଣା କ୍ରମ ବଦଳାଇ ଦେଲା Ι ଭୀଷ୍ମଙ୍କ ହସ୍ତରୁ ଧନୁଶର ଖସି ପଡିଲା Ι ଅର୍ଜୁନଙ୍କର ଶର ତାଙ୍କର ଅଙ୍ଗ ଅଙ୍ଗ ଭେଦ କରିଗଲା Ι ବିବଶ ନିରସ୍ତ୍ର ଗାଙ୍ଗେୟଙ୍କ ଉପରକୁ ଶିଖଣ୍ଡୀଙ୍କର ପୁନର୍ବାର ଶରାଘାତ ତାଙ୍କୁ ନିଶ୍ଚଳ କରିଦେଲା Ι ସାରା ଜୀବନର ବ୍ରହ୍ମଚର୍ଯ୍ୟର ତେଜ ଓ ଶୌର୍ଯ୍ୟ ଦୂରୀଭୂତ ହୋଇ ସେ କ୍ଲାନ୍ତ ଅବଶ ଶରୀର ଘେନି ପଙ୍ଗୁ ପରି ରଥ ଉପରେ ପଡି ରହିଲେ Ι “ଭୀଷ୍ମଙ୍କର ଅସାଷ୍ଟମେ ଭାଜିଲେ ସଇନି, ସମର ରହୁ ବୋଲିଣ ଶୁଭିଲାକ ଧ୍ୱନି Ι” ସଙ୍ଗେ ସଙ୍ଗେ ଯୁଦ୍ଧ ସ୍ଥଗିତ ହେଲା Ι ଉଭୟ କୌରବ ଓ ପାଣ୍ଡବମାନେ, ଦ୍ରୋଣ କର୍ଣ୍ଣ, ଭୂରିଶ୍ରବା କୃପ ଶଲ୍ୟ ସମସ୍ତେ ପିତାମହଙ୍କ ନିକଟକୁ ଧାଇଁ ଆସିଲେ Ι କ୍ରନ୍ଦନର ରୋଳ ଆକାଶ ସ୍ପର୍ଶ କଲା Ι ସମ୍ବାଦ ପାଇ ଧୃତରାଷ୍ଟ୍ର ମଧ୍ୟ ସଞ୍ଜୟକୁ ସାଙ୍ଗରେ ନେଇ ଆସି ପହଞ୍ଚିଲେ Ι ଶୋକୋଚ୍ଛ୍ୱାସ ବେଳକୁ ବେଳ ଅସମ୍ଭାଳ ହେଲା Ι ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ ଭୂରିଶ୍ରବାଙ୍କ କୋଳରୁ ନେଇ ନିଜ କୋଳରେ ରଖି ତାଙ୍କର ମସ୍ତକ ଉପରେ ହସ୍ତଚାଳନା କରୁଥାନ୍ତି Ι ଅଶ୍ରୁପୂର୍ଣ ନୟନରେ ପିତାମହଙ୍କର ଗୁଣ ଗାନ କରି ଚାଲିଥାନ୍ତି Ι ଭୀଷ୍ମ ଶେଷଥର ପାଇଁ ଦୁର୍ଯ୍ୟୋଧନଙ୍କୁ ବିହିତ ଉପଦେଶ ଦେବା ଚେଷ୍ଟାରେ କହିଲେ,"ବତ୍ସ, ମୋ ପରି ଇଚ୍ଛାମୃତ୍ୟୁର ଅଧିକାରୀ ଯଦି ତୋତେ ଜୟଲକ୍ଷ୍ମୀ ଆଣି ଦେଇ ନ ପାରିଲା, ଆଉ କିଏ ପାରିବ ? ବନ୍ଦ କର ଏ ସଂଗ୍ରାମ Ι "ଛାଡିଦିଅ ମନୁ ତୋର ଲୋଭ, ମୋହ ରାଗ, ଯୁକତେ ପାଣ୍ଡବଙ୍କର ଅଛି ଏଥେଁ ଭାଗ Ι"ମାନଗୋବିନ୍ଦ ବୋଇଲା ନ କହ ଏମନ୍ତେ, ସୀମାଏ ନ ଦେବି ଜୀବ ଥିବା ପରିଯନ୍ତେ Ι"
କ୍ରମଶଃ....
No comments:
Post a Comment