About Me

Kendrapara, Odisha, India

2022-11-28

ନାଟକର ଗତି ଓ ପ୍ରବୃତ୍ତି

ନାଟକର ଗତି ଓ ପ୍ରବୃତ୍ତି

ସମାଜ ଓ ଜୀବନର ଏକ ବଳିଷ୍ଠ କଳା ଅଭିବ୍ୟକ୍ତିର ମାଧ୍ୟମ ହେଉଛି ନାଟକ । ମଣିଷ ଜୀବନରେ ଯେପରି ଆବେଗ ,ଦ୍ୱନ୍ଦ ଓ ଉତ୍କଣ୍ଠା ରହିଛି , ସେପରି ପରିବର୍ତ୍ତିତ ସମୟ ,ସଭ୍ୟତା ଓ ସଂସ୍କୃତି ଅବବୋଧର କଳ୍ପରୂପ ନାଟକରେ ବି ରହିଛି । ତେଣୁ କୁହାଯାଏ ଗୋଟିଏ ଜାତିର ସଭ୍ୟତା ,ସଂସ୍କୃତି ଯେତେ ଉନ୍ନତ ସେ ଭାଷାରେ ରଚିତ ନାଟକ ସେତେ ଉନ୍ନତ ।

ମଣିଷର ଗତି ଓ ସ୍ଥିତି ସମୟଅନୁସାରେ ପରିବର୍ତ୍ତନ ହୋଇଥାଏ । ତେଣୁ ଯୁଗ ରଚିର ପରିବର୍ତ୍ତନ ସହିତ ନାଟକ ମଧ୍ୟ ପରିବର୍ତ୍ତନ ହେଉଛି । ଆଜିର ମଣିଷ ନାଟକରେ ଯାହା ଦେଖେ ଯେଉଁ ଦୃଶ୍ୟବୋଧ ଅଙ୍ଗେ ଲିଭାଏ  ହୁଏତ ସେଥିପାଇଁ ସେ ପ୍ରତିବାଦ କରେ ; ଆଉ କେତେବେଳେ ହୁଏ ମର୍ମାହତ। ନାଟକ  ତେଣୁ ହୋଇଛି ସ୍ୱପ୍ନ ଓ ବାସ୍ତବତାର  ମିଶ୍ରଣ । ଯାବତୀୟ ଦ୍ୱନ୍ଦରୁ ମୁକ୍ତି ଚାହେଁ ମଣିଷ । ତେଣୁ ଆରମ୍ଭ ହୁଏ ଖୋଜିବାର ଦୃଷ୍ଟି ଓ ଦିଗ୍ ବଳୟ  । ତେଣୁ ଆଜିର ନାଟକରେ ଦେଖିବାକୁ ମିଳୁଛି ଐତିହ୍ୟ ପରମ୍ପରା ତଥା ମାଟି ସହ ସଂଲଗ୍ନ ବିଶ୍ଵମୁଖୀ ଜୀବନର ବାସ୍ତବ ଅନୁଭବ ପରିବର୍ତ୍ତିତ ସମୟର କଳା ଓ କଳାରୁଚି । ନାନା ପରୀକ୍ଷା ନିରୀକ୍ଷାର ପଥଦେଇ ବ୍ୟକ୍ତି ମାନସର ଭିନ୍ନ ଭିନ୍ନ ଇଲାକାକୁ କରୁଛି ପ୍ଳାବିତ। ସ୍ଥିତିବାଦ, ସଂରଚନାବାଦ, ଆତ୍ମମୁଖୀବାଦ,ରୋମାଣ୍ଟିକ୍ବାଦ ସହିତ ମିଥ୍ ଓ ଲୋକ ଉପାଦାନ ବାସ୍ତବଧର୍ମ ଓ ଅବାସ୍ତବ ମିଶ୍ରଣ ହୋଇଛି ସାଂପ୍ରତୀକ ନାଟକର ସ୍ୱର ଓ ଶୈଳୀ  । ଆଜିର ପରମ୍ପରା ଓ ମୂଲ୍ୟବୋଧକୁ ମୂଲ୍ୟାଙ୍କନ କରାଯାଇଛି ଅତୀତର ପୃଷ୍ଠଭୂମିରେ ।

ନାଟକ ଏକ ଦୃଶ୍ୟମାନ ସାହିତ୍ୟ କଳା ଯେଉଁଥିରେ ଜୀବନର ସାମଗ୍ରିକ ଉପଦାନର କଳାରୂପ ଅଭିନୟ ମାଧ୍ୟମରେ ପରିବେଷଣ କରାଯାଇଥାଏ । ଲୋକଙ୍କ ସମ୍ମୁଖରେ ନାଟକର ଦର୍ଶକଟିଏ ଚରିତ୍ର ଜଗତ ଅନ୍ତରୂପ ସହିତ ମିଶିଯାଇଥାଏ। ଜୀବନ ଓ ଜଗତ ବାସ୍ତବ ଅନୁଭୂତି ମାନବିକ ପ୍ରବୃତ୍ତିକୁ କେନ୍ଦ୍ରକରି ଦର୍ଶକ ମନରେ ଦ୍ୱନ୍ଦ ଉତ୍କଣ୍ଠା, ଆବେଗ ଓ ଉତ୍ସାହ ଓ ପ୍ରେରଣା ସୃଷ୍ଟି ହୋଇଥାଏ । ବେଳେବେଳେ ବ୍ୟକ୍ତିର ଖଣ୍ଡିତ ଜୀବନ ଓ ଆଶାଭଙ୍ଗର କାହାଣୀ ବିଭିନ୍ନ ମନୋଭାବ ଓ ସଂଘର୍ଷ, ପରିବର୍ତ୍ତିତ ସମୟର ରାଜନୀତି,ଅର୍ଥନୀତି ପ୍ରତିଷ୍ଠିତ ବିରୋଧରେ ସୃଷ୍ଟ କରିଛି ଏକ ଆଭାସ ।

ଆଧୁନିକ ନାଟକରେ ଯେଉଁ କ୍ଲିଷ୍ଟତା ରହିଥିଲା,ତାହା ଏବେକାର ନାଟକରେ ଆଉ ନାହିଁ । ପ୍ରକାଶଭଙ୍ଗୀ ହେଉଛି ସରଳ । ସାଧାରଣ ଜନତାଙ୍କ ସମସ୍ୟା, ଜୀବନ ଶୈଳୀ ଓ କଥାବସ୍ତୁରେ ଆସିଛି ଅନେକ ନୂତନତା । କର୍ମ ବ୍ୟସ୍ତତା ଓ ସମସ୍ୟାଗ୍ରସ୍ତ ଦର୍ଶକଙ୍କୁ ଖୁବ କମ୍ ସମୟ ମଧ୍ୟରେ ଆକୃଷ୍ଟ କରିବା ପାଇଁ ଭାଷାର ସଙ୍ଗତି ଓ ଉର୍ଦେଶହୀନତା ବା ପ୍ରତୀକଧର୍ମ ମଞ୍ଚ ଯଥେଷ୍ଟ ହେଉନାହିଁ;ବରଂ ପାରମ୍ପରିକ ନାଟକ ପ୍ରତି ଆଗ୍ରହ କ୍ରମଶଃ ବୃଦ୍ଧି ପାଉଛି । ବିଶ୍ଵ ଅନୁସନ୍ଧାନରେ କ୍ଲାନ୍ତ ମଣିଷ ଶେଷରେ ଖୋଜୁଛି ଆପଣାର ରହସ୍ୟ । ମନସ୍ତାତ୍ତିକବୋଧ ବିଶ୍ଳେଷଣ  ସହିତ ସାମାଜିକ ଅଙ୍ଗୀକାରବୋଧ ନାଟ୍ୟଧାରାର ଆଉ ଏକ ଦିଗ ।

ପୃଥିବୀରେ ସଂଘଟିତ ବିଶ୍ୱଯୁଦ୍ଧ ହିଁ ମଣିଷକୁ ବିଶ୍ୱାସଠାରୁ ଦୂରେଇ ନେଲା ।କ୍ରମଶଃ ମାନବିକତା ମୃତ୍ୟୁ ସହିତ ପ୍ରଚଳିତ ରାଜନୀତି, ଅର୍ଥନୀତି,ସାମାଜିକ ସାଂସ୍କୃତିକ ଚେତନା ପ୍ରତି ମୁହୂର୍ତ୍ତରେ ସୁସ୍ଥଜୀବନର ବିରୋଧରେ ଛିଡା ହୋଇ ମଣିଷ ମନରେ ଭାରି ଦେଲା ଅନ୍ତଦ୍ୱନ୍ଦ,ଜୀବନ ହେଲା ଅବହେଳିତ ।

କମ୍ପୁଟର ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥିବୀ ହୋଇଗଲା ଏକ ପରିବାର ସଦୃଶ । ଯାନ୍ତ୍ରିକ ଗଣମାଧ୍ୟମ ,ଉପଭୋକ୍ତାବାଦ ଦ୍ରୁତ ଶିଳ୍ପାୟନ ଯୋଗୁ ଜୀବନ ଜୀଇଁବାର ଢାଞ୍ଚା ବଦଳିଗଲା । ଗଣଭିତ୍ତିକ ସାଂସ୍କୃତିକ ସଂଘାତ ଆଜିର ସଂପ୍ରତି ପରିବେଷିତ ହେଉଛି । ବ୍ୟାଙ୍ଗାତ୍ମକ ଓ ଶ୍ଳେଷ ମାଧ୍ୟମରେ ସାମାଜିକ ଓ ଜୀବନର ବିଭିନ୍ନ ଦିଗକୁ ଉପସ୍ଥାପନ କରାଯାଇଛି । ନାଟକରେ ଦଳିତ ଗୋଷ୍ଟିଙ୍କ ଜୀବନ ଜିଜ୍ଞାସା, ଅବହେଳିତ ବ୍ୟକ୍ତିଙ୍କ ସମସ୍ୟା, ବିସ୍ଥାପିତ ଜୀବନର କରୁଣ ଗାଥା ସହିତ ଏ ସମସ୍ୟାରୁ ମୁକ୍ତିପାଇଁ ଅନ୍ୱେଷଣ ନାଟକର ଏକ ମୁଖ୍ୟ ପ୍ରୟାସ ହୋଇଛି ।

ନାଟକ ପରିବେଷଣ, ମଞ୍ଚସଜା, ଦୃଶ୍ୟସଜା,ସଙ୍ଗୀତ,ଦ୍ୱନ୍ଦ ପ୍ରଭୃତି ନାଟକର ଗଠନକାଳରେ ମଧ୍ୟ ଆସିଛି ପରିବର୍ତ୍ତନ। ନାଟ୍ୟକାର ବାର୍ତ୍ତାକୁ ଦର୍ଶନ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଶକ୍ତିଶାଳୀ ଭାବେ ଉଦ୍ରେକକାରୀ ଯନ୍ତ୍ର ମାଧ୍ୟମ ଓ ଅଭିନୟ ଉପରେ ଦିଆଯାଇଛି ଅଧିକ ଗୁରୁତ୍ୱ। କେବଳ ସଂଳାପ ନୁହେଁ ଅଙ୍ଗଭଙ୍ଗୀ, ବିଭିନ୍ନ ଶବ୍ଦ, ଆଲୋକ,ଦୃଶ୍ୟାନ୍ତର ଓ ନୃତ୍ୟ ମାଧ୍ୟମରେ ପ୍ରକୃତ ସତ୍ୟ ଓ ଭାବ ପ୍ରକାଶ କରିପାରୁଛି । ଜଣେ ଅଭିନେତା ଏକାଧିକ ଭୂମିକାରେ ମଧ୍ୟ ଅଭିନୟ କରିଛସନ୍ତି । ଏହି ପ୍ରଭାବଶାଳୀ ଶୈଳୀ ଓ ଏହାର ସଫଳ ପ୍ରୟୋଗ ଉତ୍ତର ଆଧୁନିକ ନାଟକର ଆଉ ଏକ ବିଶେଷତ୍ୱ । ରୋମାଣ୍ଟିକ ,ମିଥ୍  ଓ ଲୋକ ସାହିତ୍ୟ ଧାରାର ବ୍ୟବହାର ଯୋଗୁ ନାଟକ ହୋଇପାରିଛି ଶକ୍ତିଶାଳୀ ଓ ସାର୍ବଜନୀନ ଭାବିସମୃଦ୍ଧ ।ନୂତନ ନାଟ୍ୟକାରମାନ ପରମ୍ପରା ଓ ଐତିହ୍ୟକ ମାନ୍ୟତା ପ୍ରଦାନ ପାଇଁ କରୁଛନ୍ତି ନିରନ୍ତର ପ୍ରୟାସ ଅଙ୍ଗୀକାରବଦ୍ଧ ଶୈଳୀ ସହିତ ସତ୍ୟନିଷ୍ଠ ଜୀବନ ପାଥ ଅନ୍ୱେଷଣ ପାଇଁ ବହୁ ନାଟ୍ୟକାର ଆଗେଇ ଆସିଲେଣି ।ଲୋକଗଳ୍ପ ଐତିହାସିକ କାହାଣୀ ମାଧ୍ୟମରେ ଆମ ପରମ୍ପରା ସହିତ ସାଂପ୍ରତୀକ ମୂଲ୍ୟବୋଧ ପ୍ରତି ସଚେତନ ଦୃଷ୍ଟି ଓ ପ୍ରୟାସ ଆରମ୍ଭ ହୋଇଛି । ସାଂପ୍ରତୀକ କାଳର କ୍ଷୁଦ୍ର
ନାଟକ ଅଧିକ ଭାବ ଉଦ୍ରେକକାରୀ ତଥା ଶିକ୍ଷଣୀୟ ହୋଇପାରୁଛି ।

ନିଜ ଚତୁଃପର୍ଶ୍ୱର ମାଟି,ପାଣି,ପବନ ,ସ୍ଥାନ କଳା କୀର୍ତ୍ତି,ଐତିହ୍ୟ ସଭ୍ୟତା ସଂସ୍କୃତି ପ୍ରତି ବିଶେଷ ଦୃଷ୍ଟି ନିକ୍ଷେପ କରୁଛି ନୂଆ ପିଢ଼ିର ନାଟ୍ୟକାର ବୃନ୍ଦ । ମାଟି ପ୍ରତି ସ୍ନେହଶୀଳତା ସହିତ ଆପଣାର ପୃଥିବୀକୁ ନିଆରା ଢଙ୍ଗରେ ଖୋଜିବାରେ ସେମାନେ ଆଜି ମଗ୍ନ । ବିଶ୍ୱ ନାଟକର ଧାରା ସହିତ ଓଡ଼ିଆ ନାଟକର ପରିବର୍ତ୍ତିତ ନାଟକର ଗତି ଓ ପ୍ରବୃତ୍ତି ଯେ ସମନ୍ୱୟ ରକ୍ଷା କରିବା ଦିଗରେ ଅଗ୍ରସର ହୋଇପାରିଛି , ଏକଥାକୁ ଆଉ ଅସ୍ୱୀକାର କରାଯାଇ ନପାରେ ।

No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...