ଲେଖାଟି ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷକୁ ଆଖି ଆଗରେ ରଖି ସେତେବେଳେର ଗାଁ ଛବି କୁ ନେଇ କଳ୍ପନା କରି ଲେଖାଯାଇଛି ।
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା । କେବଳ ଓଡ଼ିଶାର ଲୋକସଂଖ୍ୟାର ଏକ ତୃତୀୟାଂଶ ଲୋକ (ଏକ ନିୟୁତ) ଏହାର ଶିକାର ହୋଇଥିଲେ । (ବର୍ତ୍ତମାନ ଯିବା କାଳ୍ପନିକ ଗଳ୍ପ ପାଖକୁ )
ଗାଁ ବୋଇଲେ ସେଇ ଆମ୍ବତୋଟା, ସେଇ ଭଙ୍ଗାଫଟା ପୁଆଳ ଛାଦନକରା ଘର, ଗଦା ଗଦା ମାଟି, ଅନେକ ଢିପ, ଆହୁରି ଅନେକ ଖାଲ, ଶାଗୁଆ ପାଣିର ଗୋଟିଏ ପୋଖରୀ ଆଉ ଧୂଳି ରାସ୍ତା ଆବର୍ଜନା, ଗୋବର-କୁଟା, କାଦୁଅ ଧେତ୍ ! ଚମପିନ୍ଧା କଙ୍କାଳର ଦଳେ କିଏ ପିଣ୍ଡାରେ ବସି କାଶୁଛି ତ କିଏ ପର୍ଚ୍ଛିରେ ଗୋଟିଏ ଛିଣ୍ଡା ବୁନ୍ଧୁଆ ଗୁନ୍ଥା ଖଟରେ ଶୋଇ କୁନ୍ଥଉଚି, କୁହୁରୁଚି ।
କେହି କହିପାରିବେ ନାଇଁ ଆଜି କି ବାର, ଆଜି କେତେ ତାରିଖ ।
ଖାଇବା ପାଇଁ ଯାହାର ଲଙ୍କା ଲୁଣ ତେନ୍ତୁଳି ଟିକିଏ ବି ଅଭାବ, ପିନ୍ଧିବା ପାଇଁ ଲୁଗା ଖଣ୍ଡେ ବି ନାହିଁ, ଯାହାକୁ ଘୋଡ଼ାଇହେଲେ ଦୃଶ୍ୟ ହୁଏ ସେମାନଙ୍କର ସବୁ ଅଙ୍ଗ ଓ ଅବୟବ…ସୃଜନର ଯନ୍ତ୍ରମାନ… । ଖଣ୍ଡ ଖଣ୍ଡ ମେଞ୍ଚା ମେଞ୍ଚା ମାଂସ, ତାରି ଭିତରର ଶିରା ପ୍ରଶିରାରେ ରକ୍ତର ଲଗାମହୀନ ଦୌଡ଼ ନାହିଁ ।
କେହି କହିପାରିବେ ନାହିଁ, ଭାରତବର୍ଷ କେବେ ପରାସ୍ବାଧୀନ ହେଲା ।
ସେମାନଙ୍କର ଜୀବନ ସରଳ, ନିରାଡ଼ମ୍ବର ହେ ବ୍ୟବସ୍ଥାପକମାନେ ! ତୁମର ଚଶମା-କାଚରେ ସେ ବଳ କାହିଁ ଯେ ତୁମେ ସେମାନଙ୍କର ଅସଲ ଚେହେରା ଦେଖିପାରିବ ? ତୁମେ ତାଙ୍କର ଭାଗବତ ଟୁଙ୍ଗୀ, ପଦ୍ମପୋଖରୀ ଓ ମନ୍ଦମଳୟ ପ୍ରବାହିତ ଆମ୍ବ ବୁରେଇ କଥା କହି କହି ବାହାର ଲୋକଙ୍କୁ ଭଣ୍ଡାଇଛ ଯାହା ବାସ୍ତବ ତାକୁ ଲଙ୍ଗଳା କରି ପ୍ରକାଶ କରିବାକୁ ଡର ତେଣୁ ନିଜ କାନ୍ଧରୁ ଦାୟିତ୍ବର ବୋଝ ନେଇ ଅନ୍ୟର କାନ୍ଧ ଉପରେ ଲଦି ଦେଇ, ଗୋଟିଏ ରୋମାଣ୍ଟିକ୍ ଭାଷା ବିନ୍ୟାସରେ ନୁଖୁରା କଥାକୁ ସାଳଙ୍କୃତ କରି ତୁମେମାନେ କହୁଚ ଯେ ସେମାନେ ନିଷ୍କପଟ, ସରଳ, ସାଧୁ, ନିରାଡ଼ମ୍ବର, ଧର୍ମପରାୟଣ !
କେହି କହିପାରିବେ ନାହିଁ ରାଜଧାନୀ କେଉଁଠି ଓ ସେଠି ଯାଇ ପହଁଞ୍ଚିବାକୁ କେତେ ସମୟ ଦରକାର ।
ଲାଜ ନାହିଁ ତୁମ ମୁହଁରେ ? ଦିନ ଦିନ ଧରି ଯୁକ୍ତି କରୁଛ ଯେ ସେମାନେ ମରୁଛନ୍ତି କିପରି… ଅନାହାର ନା ଅଳ୍ପାହାର ?
ତୁମଦ୍ବାରା ନିଯୁକ୍ତ, ପ୍ରତିପାଳିତ ଓ ପ୍ରମୋଶନ-ପ୍ରତ୍ୟାଶୀ ଡାକ୍ତର କ’ଣ ଏଇ ସାମାନ୍ୟ ଟିକିଏ କଥା ବି ଜାଣିନାହିଁ ଯେ, ଭୋକ ମଧ୍ୟ ଗୋଟିଏ ରୋଗ ଓ ଦାରିଦ୍ର୍ଯ ମଧ୍ୟ ଏକ ବ୍ୟାଧି ?
ସେମାନେ ମରନ୍ତି-ଝାଡ଼ାବାନ୍ତି/ଖଇଫୁଟା ତାତି/ଜର/କାଶ/ବାତ ଚିକିତ୍ସା ଶାସ୍ତ୍ର ବୋଇଲେ ଯେ ଜମାରୁ କିଛି ବୁଝେନା, ସେ ଏଇ ସବୁ କାରଣ ଦିଏ, ନହେଲେ ଉପରକୁ ହାତ ଦେଖାଇଦିଏ । ହେଲେ ମୁଁ ଜାଣେ ଓ ତୁମେମାନେ ବି ଜାଣ ଯେ, ସେମାନେ ଟ୍ୟୁବରକ୍ୟୁଲୋସିସ୍, ପେପ୍ଟିକ୍ ଅଲ୍ସର୍, ପାରାଲିସିସ୍, ସେରିବ୍ରାଲ୍ ଇନ୍ଫେକ୍ସନ୍, କ୍ୟାନସର୍ ଓ ଟ୍ୟୁମର… ଏ ସବୁ ସହ ଲଢ଼ି ଲଢ଼ି ମରନ୍ତି ।
କେହି କହିପାରିବେ ନାହିଁ, ଭାରତକୁ କିଏ ମନେରଖିଚି ବନ୍ଧୁଗଣ ! ବ୍ୟବସ୍ଥାପକମାନେ ସରକାରୀ କର୍ମଚାରୀମାନଙ୍କର ଗୋଲାମ ହୋଇ ଓ ସରକାରୀ କର୍ମଚାରୀମାନେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ବ୍ୟବସାୟୀମାନଙ୍କର ଗୋଲାମ ହୋଇ ସବୁ ପାଶୋରି ଦେଇଛନ୍ତି, ଭୁଲିଯାଇଛନ୍ତି ।
ମୋ ଗାଁର ଲୋକମାନେ ଆପତ୍ତି, ଅଭିଯୋଗ ଓ ପ୍ରତିବାଦ କିପରି କରିବାକୁ ହୁଏ ଜାଣନ୍ତି ନାହିଁ ଚରମପତ୍ର ଓ ଧର୍ମଘଟ ନୋଟିସ କେଉଁ ଭାଷାରେ ଲେଖିବାକୁ ହୁଏ ଜାଣନ୍ତି ନାହିଁ । ମୋ ଗାଁରେ ଗତ ପଚାଶ କି ଶହେ ଦୁଇଶହ ବର୍ଷ ମଧ୍ୟରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ କେହି କେବେ ଦିନେ ପ୍ଳାକାର୍ଡ଼ ଧରି ସ୍ଳୋଗାନ୍ ଦେଇନାହିଁ, କି କାନ୍ଥବାଡ଼ରେ ପୋଷ୍ଟର ମାରିନାହିଁ, ବିକ୍ଷୋଭ ପ୍ରଦର୍ଶନ କରିନାହିଁ, ଧାରଣା ଦେଇନାହିଁ ।
ହଁ, ମାସକୁ ଦୁଇ ଚାରିଟା କିମ୍ବା ସମୟ ପଡ଼ିଲେ ଆଠ ଦଶଟା ଶବଯାତ୍ରା ବାହାରେ ତାଙ୍କ ପାଖରେ କୋକେଇ ସଜାଇବାକୁ ଫୁଲ ନାହିଁ କି କଦଳୀଗଛ ନାହିଁ, ରାସ୍ତାରେ ବିଞ୍ଛିବାକୁ ଖଇ ନାହିଁ କି ତମ୍ବା ପଇସା ନାହିଁ । ବେଳେବେଳେ ଜାଳିବାକୁ କାଠ ବି ନାହିଁ ମୁଁ ଶବଯାତ୍ରାରେ ବାରମ୍ବାର ସାମିଲ ହେଉଛି ଖଟ ବୋହି ବୋହି ମୋର କାନ୍ଧରେ ବିଣ୍ଡି, ଚାଲି ଚାଲି ପାଦରେ ଫୋଟକା ତଥାପି ମୋର କ୍ଳାନ୍ତି ନାହିଁ ।
ମୁଁ ତୁମକୁ କିଛି ମାଗୁ ନାହିଁ ଅଳି ଅର୍ଦ୍ଦଳି କରୁନାହିଁ ଧମକ ଦେଉନାହିଁ କି ଘେରାଉ କରୁନାହିଁ କ୍ଷୁଧାହିଁ ମୋର ପ୍ରସାଦ ଶରୀରରେ ଘା’ ଓ ଗୋଦର ମୋର ଆଭୂଷଣ ଡର ନାହିଁ ଏମିତି ଶଙ୍କି ଯାଅ ନାହିଁ ମୁଁ କେବଳ ମୋ ଗାଁ ବିଷୟରେ ଗୋଟିଏ ରଚନା ଲେଖୁଚି ନୂଆକରି ଥରେ ପରୀକ୍ଷା ଦେଉଛି ।
ସ୍କୁଲରେ ପଢ଼ିଲାବେଳେ ଏଭଳି ଏକ ରଚନା ଲେଖିବାକୁ କହିଥିଲେ ଆମର ସାହିତ୍ୟ-ମାଷ୍ଟ୍ରେ ମୁଁ ଲେଖିଥିଲି-ଭାରତ ଏକ ଗ୍ରାମବହୁଳ ଦେଶ ଭାରତର ଅସଂଖ୍ୟ ଗ୍ରାମ ମଧ୍ୟରୁ ଆମର ଗ୍ରାମ ଅନ୍ୟତମ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସି ମୋର ଗାଁ ମୋର ମା’ ତୁଲ୍ୟ ଆମ୍ଭ ଗ୍ରାମର ପାଞ୍ଚ ହଜାର ଆବାଳବୃଦ୍ଧ-ବନିତା ବାସ କରନ୍ତି ଆମ୍ଭ ଗ୍ରାମର ଚତୁର୍ଦ୍ଦିଗରେ ଶସ୍ୟଶ୍ୟାମଳା କୃଷିକ୍ଷେତ୍ର ବିରାଜିତ ଆମ୍ଭ ଗ୍ରାମ ପାର୍ଶ୍ବରେ କୁଳୁକୁଳୁ ନାଦ କରି ଏକ ତଟନୀ (ମିଛ କଥା, ସେଇଟା ଗୋଟେ ନାଳ, ସବୁଦିନେ ଶୁଖିଲା) ପ୍ରବାହିତା ଆମ ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି ଆମ୍ଭ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଗୃହ, ଗୋଟିଏ ଡାକଘର, ଗୋଟିଏ ଅବସର ପାଠାଗାର(Library ) ଯାହା ବର୍ତ୍ତମାନ ଭଗ୍ନକାୟ ଅବସ୍ଥା…
ଏଭଳି ଏକ ତିନିପୃଷ୍ଠିଆ ରଚନା ଲେଖି ସେଥର ମୁଁ ପାଇଥିଲି ଦଶରୁ ସାତ ମାର୍କ-ଶ୍ରେଣୀରେ ତୃତୀୟ ସେଥର ମୋତେ ନିଜ ଟେବୁଲ କଡ଼ରେ ଠିଆକରାଇ ମୋର ପିଠି ଥାପୁଡ଼ାଇ ସାହିତ୍ୟ-ମାଷ୍ଟ୍ରେ ସମଗ୍ର ଶ୍ରେଣୀ ସମ୍ମୁଖରେ ଘୋଷଣା କରିଥିଲେ-ବାଃ, କି ଚମତ୍କାର ଭାଷା ! ଦେଖିବ, ଭବିଷ୍ୟତରେ ଇଏ ଜଣେ ବଡ଼ ସାହିତ୍ୟିକ ହେବ ।
ମାଷ୍ଟ୍ରେ ଆଜ୍ଞା !
ଆପଣ ଏଇନେ କେଉଁଠି ମୁଁ ଜାଣେନା; କିମ୍ବା ହୁଏତ ଆପଣ ଅବସର ନେଇସାରି ଏଣିକି ପ୍ରତିଦିନ ଖବରକାଗଜ-ରାଜନୀତି ଚର୍ଚ୍ଚା କରୁଥିବେ, ନହେଲେ, ତାସ୍ ଖେଳୁଥିବେ । ଆଜି ଏତେ ବର୍ଷ ପରେ ଆପଣଙ୍କୁ ମୋର ଗୋଟିଏ କଥା ପଚାରିବାର ଅଛି । କ’ଣ କେବଳ ଚମତ୍କାର ଭାଷା ବଳରେ କେହି ସାହିତ୍ୟିକ ହୋଇପାରେ ? ମିଛ କଥା ଆପଣ ହେଲେ ମୋତେ ଦଶରୁ ସାତ ନ ଦେଇ ଶୂନ୍ ଦେଇଥାନ୍ତେ ! ମୋର କାନମୋଡ଼ି ମୋତେ ଦୁଇ ଚାପୁଡ଼ା ମାରିଥାଆନ୍ତେ ପିରିଅଡ଼ ଶେଷ ହେବାଯାଏ ଆଣ୍ଠୁଭରା ଦେଇ ଠିଆହୋଇ ରହିବାକୁ କହିଥାନ୍ତେ । ତା’ ହୋଇଥିଲେ ହୁଏତ ମୁଁ ଭାଷାକୁ ପୁଞ୍ଜି ନ କରି ଅନୁଭୂତିକୁ ପୁଞ୍ଜି କରି ମୋର ସାହିତ୍ୟ-ସାଧନା ଆରମ୍ଭ କରିଥାନ୍ତି କ’ଣ ଥିଲା ସେ ରଚନାରେ ?
ପୁଣି କଲେଜରେ ପ୍ରଥମବର୍ଷ ଇଂଲିଶ ସାର୍ କହିଲେ-‘ରାଇଟ୍ ଆନ୍ ଏସେ ଅନ୍ ୟୋର୍ ଭିଲେଜ୍ ଲେଖିଥିଲି, ସେ ସବୁର ଇଂଲିଶ ଅନୁବାଦ କରି ବସିଲି- India is a villageous country. My village is one of many villages in the India. Mother and mother-land always bigger than paradise. My village is comparable to my mother…
ସେଥର ପାଇଲି ଦଶରୁ ଦେଢ଼ମାର୍କ । ମୋ ଆଡ଼କୁ ଖାତାଖଣ୍ଡିକ ଫିଙ୍ଗିଦେଇ ଇଂଲିଶ ସାର୍ କହିଥିଲେ- ୟୋର ଲେଙ୍ଗୁଏଜ୍ ଇଜ୍ ଡିପ୍ଳୋରେବ୍ଲି ପୁଅର୍ । ଏବେ ହୋଇଥିଲେ ମୁଁ କହିଥାଆନ୍ତି-ଦେଟ୍ ଇଜ୍ ନଟ୍ ମାଇଁ ଲେଙ୍ଗୁଏଜ୍, ସାର୍; ଦେଟ୍ ଇଜ୍ ଇଂଲିଶ୍, ଲେଙ୍ଗୁଏଜ୍ ଅଫ୍ ଦି ପିପଲ୍ ଅଫ୍ ଇଂଲଣ୍ଡ । ମାତ୍ର ସେଥିର କିଛି ନକହି ମୁଁ କାନମୁଣ୍ଡା ଆଉଁଷି ଆଉଁଷି ଚୁପ୍ ରହିଥିଲି ।
ଉଭୟ ଥର ଗୋଟିଏ କଥାହିଁ କହିଥିଲି । ଗୋଟିଏ ସେଇ ଏକା ବିଷୟରେ ହିଁ ରଚନା ଲେଖିଥିଲି । ଉଭୟ ରଚନା ଥିଲା ମିଛ । ତେଣୁ ଆଜି ପୁଣି ଥରେ ନୂଆ କରି ଏ ରଚନା ଲେଖିବାକୁ ପଡୁଛି ।
ସେଦିନର ଇଂଲିଶ ସାର୍ ଆଜି ମୋର ସହକର୍ମୀ । ପ୍ରକୃତ ଅର୍ଥରେ ମୁଁ ଜଣେ ସାହିତ୍ୟିକ ହୋଇପାରିଛି ନା ନାହିଁ ଜାଣେନା । କିନ୍ତୁ ଯଦି ହୋଇଛି, ତାହେଲେ ଇଂଲିଶ୍ ସାରଙ୍କ ଯୋଗୁଁ । ସେ ହିଁ ମୋତେ ବୁଝାଇଦେଇଥିଲେ ଯେ ସାହିତ୍ୟ ପାଇଁ ସୁନ୍ଦର ଭାଷା ଅନାବଶ୍ୟକ।
ଯାହାସବୁ ଆଗରୁ ଦେଖି ଏକପ୍ରକାର ଧାରଣା କରିଥିଲେ, ସେସବୁ ଏବେ ଦେଖିଲେ ମୋର ସେଇ ପୂର୍ବ ଧାରଣାମାନ ବଦଳିଯାଉଛି। ପିଲାବେଳେ ଗାଁରେ ଥିଲି । ଭଲ ଲାଗୁଥିଲା । କୌଣସି ଆପତ୍ତି ଅଭିଯୋଗ ନଥିଲା। ମାତ୍ର ଏବେ ? ଏବେ ନୂଆ କରି ଗାଁ’କୁ ଦେଖି ମୋର ସବୁ ପୂର୍ବଧାରଣା ଖିନ୍ଭିନ୍ ହୋଇଯାଉଛି । ଗାଁ ବଦଳିଯାଇଛି ନା ମୁଁ ନିଜେ- ଠିକ୍କରି ବୁଝିପାରୁନାହିଁ ।
No comments:
Post a Comment