About Me

Kendrapara, Odisha, India

2022-11-28

ସିଦ୍ଧେଶ୍ୱରଙ୍କ ସାରଳା ମହାଭାରତ


ଜନଶ୍ରୁତି, ଲୋକକଥା, କିମ୍ୱଦନ୍ତୀ ବା ପ୍ରଥା ପରମ୍ପରା ମଧ୍ୟରେ ଏକ ସମୃଦ୍ଧ ଐତିହ୍ୟ ରହିଯାଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ଯଦିଓ ସମୟୋପଯୋଗୀ ପ୍ରମାଣ ଭିତ୍ତିରେ ବିତର୍କିତ ହୋଇ ନଥାଏ । ତଥାପି ଏହି ସବୁ ଉପାଦାନକୁ ଯୁକ୍ତି ସଙ୍ଗତ ସଂଯୋଗ କରାଯାଇପାରିଲେ କେତେକ ଅସମାହିତ ପ୍ରଶ୍ନ ତା’ର ଉତ୍ତର ରଖିପାରନ୍ତା । ଏକଦା ଚନ୍ଦ୍ରଭାଗା ଓ ବୃଦ୍ଧା ମାତଙ୍ଗୀ ନଦୀମାନଙ୍କ କୋଳରେ ଗଢ଼ିଉଠିଥିଲା ଜନପଦ ଝଙ୍କଡ଼ । ଝଙ୍କଡ଼େଶ୍ୱର, ଝଙ୍କଡ଼େଶ୍ୱରୀ (ଶ୍ରୀ ଚଣ୍ଡୀ ସାରଳା) ଓ ମହାକବି ସାରଳା ଦାସ ଓ ତତ୍କାଳୀନ ଧର୍ମୀୟ ବିବର୍ତ୍ତନ ସୃଷ୍ଟି ହେଲା । ସ୍ପଷ୍ଟ ନ ହେଲେ ମଧ୍ୟ ଖଣ୍ଡବିଖଣ୍ଡିତ ପ୍ରବାଦ ଆକାରରେ ଏବେ ମଧ୍ୟ ଲୋକ ମୁଖରେ ପ୍ରଚଳିତ ।
                                  (ମା ଶାରଳାଙ୍କ ମାର୍ଗ)
ଓଡ଼ିଶା ଇତିହାସ ପୃଷ୍ଠାରେ ପଞ୍ଚଦଶ ଶତାଦ୍ଦୀ ସ୍ମରଣ ନିମନ୍ତେ ଏକ ସ୍ୱତନ୍ତ୍ର ଦାବି ରଖିଆସିଛି । ସମ୍ରାଟ କପିଳେନ୍ଦ୍ରଦେବଙ୍କ ଯୁଦ୍ଧ ତରବାରୀର ଝଙ୍କରରେ ଓଡ଼ିଶାର ବିସ୍ତାରିତ ଭୂଗୋଳ ଗଙ୍ଗଠାରୁ ଗୋଦାବରୀ ପର୍ଯ୍ୟନ୍ତ ଯେମିତି ପ୍ରତିଧ୍ୱନିତ ହୋଇ ଉଠୁଥିଲା, ଝଙ୍କଡ଼ ପ୍ରଗଣାର ଅଖ୍ୟାତ ପଲ୍ଲୀ ସାରୋଳ ଗ୍ରାମରେ ଓଡ଼ିଆ ଜାତି, ଜାତୀୟତା, ଭାଷା ସାହିତ୍ୟ ସଂସ୍କୃତିଆଦି ଜନ୍ମଜାତକର କାୟା ସେତିକି ପୃଥୁଳ ଆକାର ଧାରଣ କରୁଥିଲା ଧର୍ମୀୟ ସ୍ରୋତର ବହୁ ବିଭାଜନ ଧାରା ଯଥା -ଶୈବ, ବୌଦ୍ଧ, ଶାକ୍ତ, ବୈଷ୍ଣବ ଆଦି ସମୃଦ୍ଧ ସାମାଜିକ ଉଦାରବାଦ ଅଙ୍କୁଶ ସ୍ୱରୂପ ଥିଲା । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଝଙ୍କଡ଼ ପ୍ରଗଣାର ଅଖ୍ୟାତ ପଲ୍ଲୀ ସାରୋଳ ଗ୍ରାମରେ କୃଷି କ୍ଷେତ୍ରରୁ ଶୁଭୁଥିଲା ନବ ଜାଗୃତିର ପ୍ରଥମ ତ୍ୱର୍ଯ୍ୟନାଦ । କୃଷକ ସିଦ୍ଧେଶ୍ୱର ନିଜକୁ ଶୁଦ୍ର ଓ ଶାକ୍ତ ଘୋଷଣା କରି ଓଡ଼ିଆ ଭାଷା କାବ୍ୟ, ମହାକାବ୍ୟମାନ ରଚନା କରିଥିଲେ । ଚନ୍ଦ୍ରଭାଗା ନଦୀ ତଟସ୍ଥ ସାରୋଳ ଗ୍ରାମରେ ଅବସ୍ଥିତ ଚଣ୍ଡୀଙ୍କ ମନ୍ଦିର ଦୀପ ଆଲୁଅରେ ତାମ୍ରପତ୍ର ଖେଦା ଓ ଲୌହ ଲେଖନୀରୁ ଜନ୍ମ ନେଲା ଓଡ଼ିଆ ମହାଭାରତ ମହାକାବ୍ୟ ସହିତ ଆହୁରି ଅନେକ ଆବିଷ୍କୃତ ଅନାବିଷ୍କୃତ କାବ୍ୟମାନ । ଓଡ଼ିଆ ଜାତି ପ୍ରାଣରେ ଅଭ୍ୟୁଦେୟର ଅଙ୍କୁରୋଦଗମ ଘଟିଥିଲା ।
                                                       (ମା ଶାରଳାଙ୍କ ବିଗ୍ରହ)
ଝଙ୍କଡ଼ ପ୍ରଗଣା ଗଜପତି ପ୍ରତ୍ୟକ୍ଷ ଶାସନାଧୀନ ଥିଲା । ସାରଳାଦାସ ଓଡ଼ିଆ ମହାଭାରତ ମହାକାବ୍ୟ ରଚନା ସମାପ୍ତ କରି ଏହାର ପଠନ ପ୍ରଚାର କରିବା ପୂର୍ବରୁ ରାଜାଙ୍କ ସ୍ୱୀକୃତି ପ୍ରାପ୍ତି ନିମନ୍ତେ କପିଳେନ୍ଦ୍ରଦେବଙ୍କ ରାଜ ଦରବାରରେ ଅନୁଗ୍ରହ ଭିକ୍ଷା କରିଛନ୍ତି । ପ୍ରାକୃତ ଭାଷାରେ ଜଣେ ନିମ୍ନ କୁଳିନ ଶୁଦ୍ର ମହାଭାରତ ରଚନା କରିଥିବା ହେତୁ ଦେବଜ୍ଞ ବ୍ରାହ୍ମଣ ସଂସ୍କୃତ ପଣ୍ଡିତମାନଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି । ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ର ବୈଷ୍ଣବ ଧର୍ମର ଆଦି ମୁଖ୍ୟ ଭୂସ୍ୱର୍ଗ ସାରଳା ଦାସ ଯେ ଜଣେ ଶାକ୍ତ, ବୈଷ୍ଣବ ଧର୍ମାବଲମ୍ୱୀ ରକ୍ଷଣାଶୀଳ ମହନ୍ତ ମହାରାଜା, ରାଜପୁରୋହିତ, ସଭା ପଣ୍ଡିତ, ରାଜଗୁରୁମାନଙ୍କ ରୋଷ ଭର୍ତ୍ସନାର ଶିକାର ହୋଇଛି । ସବିନମ୍ର ଅନୁରୋଧରେ ଗଜପତିଙ୍କ ଅନୁଗ୍ରହ ମିଳିଲା, ରାଜ ଦରବାରରେ ଓଡ଼ିଆ ମହାଭାରତ ପଠନ ତର୍ଜମା ନିମନ୍ତେ ଅନୁମତି ପ୍ରାପ୍ତ ହେଲେ ସାରଳା ଦାସ । ଜଟା ଶ୍ମଶ୍ରୁଧାରୀ ଗେରୁ ବସ୍ତ୍ର ପରିହିତ ଅଗ୍ନିରଙ୍ଗା ସୁଦୀର୍ଘ ସୁଠାମଅବୟବ ସାରଳା ଦାସ କୁଶ ଆସନ ମଣ୍ଡନ କଲେ । ଛନ୍ଦ, ରସ, ରଙ୍ଗ, ଲୟ, ତାନ, ତାଳ ତୋଳି ଉଚ୍ଚାଙ୍ଗ କଣ୍ଠରେ ଗାଇ ଚାଲିଲେ ସାରଳା ଦାସ ଓଡ଼ିଆ ମହାଭାରତ । ଝଙ୍କୃତ ଗଜପତିଙ୍କ ଦରବାରରେ ଝଙ୍କଡ଼େଶ୍ୱରୀଙ୍କ ବୀଣା ଝଙ୍କାରରେ, ସ୍ତମ୍ଭିଭୂତ ହେଲେ ଶ୍ରୋତା ମଣ୍ଡଳୀ । ମନ୍ତ୍ରମୁଗ୍ଧ ହେଲେ ରାଜା, ଅମାତ୍ୟ, ରାଜପଣ୍ଡିତ ରାଜପୁରୋହିତ, ରାଜଗୁରୁ ଓ ରାଜକନ୍ୟା ମଣ୍ଡଳୀ । ଓଡ଼ିଆ ମହାଭାରତ ମହାକାବ୍ୟର ଭୁୟସୀ ପ୍ରଶଂସା କରାଗଲା । ବିଚରା ଚାଲିଲା ନିମ୍ନ କୁଳଜ ଉଚ୍ଚ କୁଳଜ ହୋଇପାରିବେନି । ଶୁଦ୍ର ଓ ବ୍ରାହ୍ମଣ କି କ୍ଷତ୍ରିୟ ହୋଇପାରିବେନି । ଏକମାତ୍ର ଉପାୟ ଶ୍ରୀକ୍ଷେତ୍ରରେ ଶ୍ରୀ ବିଷ୍ଣୁଙ୍କୁ ସମ୍ମୁଖରେ ବୈଷ୍ଣବଧର୍ମାବଲମ୍ୱୀ ହେଲେ କୁଳ, ଗୋତ୍ର, ଜାତି ବଂଶର ପରିଚୟ ଅନାବଶ୍ୟକ । ସାରଳା ଦାସ ସେହିପରି ସଂକୀର୍ଣ୍ଣ ସର୍ତ୍ତରେ ସମ୍ମତି ପ୍ରଦାନ କଲେ । ଗଳାରେ ତୁଳସୀ ମାଳ ପରିଧାନ କରି ମଥାରେ ଚନ୍ଦନ ତିଳକ ଲଗାଇଲେ, ଗଜପତିଙ୍କ ଦରବାରରେ ଶିର ପହରଣ ହେଲା ପାଟବସ୍ତ୍ରରେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ ସାରଳା ଦାସ । ଶୁଦ୍ରମୁନି ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ସ୍ୱୀକୃତି ଲାଭକଲା ଗଜପତିଙ୍କ ରାଜ ଦରବାରରେ ରାଜପଣ୍ଡିତଙ୍କମାନଙ୍କଦ୍ଵାରା ।

                                (ଆଦିକବିଙ୍କ ପ୍ରତିମୂର୍ତ୍ତି)

ଗଜପତିଙ୍କ ରାଜଦରବାରରେ ଝଙ୍କଡ଼ ସମେତ କେତୋଟି ପ୍ରଗଣାର ମାଲିକାନା ସହିତ ରାଧା ଓ କୃଷ୍ଣ ଯୁଗଳ ମୂର୍ତ୍ତି ସ୍ୱରୂପ ପ୍ରାପ୍ତ ହେଲେ ସାରଳା ଦାସ । ଶ୍ରୀ ଜଗନ୍ନାଥଙ୍କ କରପଲ୍ଲବ ତୁଳସୀ କଣ୍ଠି ମହାପ୍ରସାଦ ସହିତ ପହଞ୍ଚିଲେ ଝଙ୍କଡ଼ରେ । ସେଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା, ଚଣ୍ଡୀ ଶାରଳାଙ୍କୁ ତୁଳସୀ କଣ୍ଠି ଲାଗି କରାଇ ଓ ମହାପ୍ରସାଦ ସମର୍ପଣ ହେଲେ । ରାଧାକୃଷ୍ଣ ଯୁଗଳ ବିଗ୍ରହ ଗୋପୀନାଥ ନାମ ଧାରଣ କଲେ । ସାରୋଳ ଗ୍ରାମରେ ଅନୁଗାମୀ ବୈଷ୍ଣବମାନଙ୍କର ମହୋତ୍ସବ ଚାଲିଲା ।

                          (ମା ଶାରଳାଙ୍କ ମନ୍ଦିର)

ସାରଳା ଦାସଙ୍କର ଏତାଦୃଶ ପରିବର୍ତ୍ତନ ଆଚରଣ ରକ୍ଷଣଣୀଳ ଶାକ୍ତମାନଙ୍କର ହୃଦୟ ବିଦାରଣ କଲେ । ବୈଷ୍ଣବ ଧର୍ମ ଗ୍ରହଣ କରିଥିବା ହେତୁ ସାମାଜିକ ବ୍ୟବସ୍ଥା ଲାଗୁ ହେଲା ଆତ୍ମୀୟ ସ୍ୱଜନମାନଙ୍କୁ ସମେତ ଶାରଳା ଠାକୁରାଣୀଙ୍କ ପୂଜକ ସେବକମାନଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହେଲେ । ଇଷ୍ଟଦେବୀ ଶାରଳା ଠାକୁରାଣୀଙ୍କୁ ଦର୍ଶନ କରିବା ଉପରେ କଟକଣା ଜରିହେଲା ମହାକବି ସାରଳା ଦାସଙ୍କୁ । ମାନବ ଇତିହାସରେ ଯାହା ଘଟି ଆସିଛି ଯୁଗପ୍ରବର୍ତ୍ତକ ମହାମନୀଷୀମାନଙ୍କୁ ଜୀବଦଶା ଭିତରେ । ଝଙ୍କଡ଼ ଇତିହାସର ଏହା ଏକ ସମ୍ୱେଦନଶୀଳ ସମୟ । ଚନ୍ଦ୍ରଭାଗା ନଦୀ ତଟ ପୈତୃକ ଗ୍ରାମ ଛାଡ଼ି ବୃଦ୍ଧା ମାତାଙ୍ଗନଦୀ ତଟରେ (ତେନ୍ତୁଲିପଦା ଗ୍ରାମ) ଅନୁଗାମୀମାନଙ୍କ ଦ୍ୱାରା ଏକ ଆଶ୍ରମ ପ୍ରତିଷ୍ଠା ହେଲା । ଯେଉଁଠାକୁ ବାହୁଡ଼ି ଆସିଲେ ଜୀବନ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଯାହା ଅଦ୍ୟାବଧି ମୁନି ଗୋସାଇଁ ଆଶ୍ରମ ନାମରେ ପରିଚିତ । ଗୋପୀନାଥଜୀଉ ରାଧାକୃଷ୍ଣ ଏହି ଆଶ୍ରମର ଇଷ୍ଟଦେବୀ ଭାବେ ପ୍ରତିଷ୍ଠା ହେଲେ ।ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଭୃତ ଭୂସମ୍ପତ୍ତି ତେନ୍ତୁଲିପଦା ଗ୍ରାମରେ ସ୍ଥାପନ ହେଲେ । ଇଷ୍ଟଦେବୀ ଶାରଳା ଠାକୁରାଣୀଙ୍କ ଦର୍ଶନରୁ ବଞ୍ଚିତଜନିତ ବିଷାଦରୁ ମୁକ୍ତି ନିମନ୍ତେ ଆଦି ବିଗ୍ରହଙ୍କ ସାମଞ୍ଜସ୍ୟ ଥାଇ ଅଷ୍ଟଭୂଜା ମହିଷାମର୍ଦ୍ଧିନୀ ବିଗ୍ରହ ମୁନିଗୋସାଇଁଙ୍କ ଆଶ୍ରମରେ ସ୍ଥାପିତ ହେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମୁନିଗୋସାଇଁଙ୍କ ଆଶ୍ରମକୁ ଦୃଷ୍ଟିରେ ରଖି ପଶ୍ଚିମାଭିମୁଖୀ ହୋଇ ବିଲ୍ୱଶାରଳା ନାମରେ ସ୍ଥାପିତ ହେଲେ । ମହାକବିଙ୍କ ମହାପ୍ରୟାଣ ପରେ ବୈଷ୍ଣବ ରୀତିନୀତିରେ ସମାଧି ଦିଆଗଲା ଆଶ୍ରମ ପରିସରରେ । ତେନ୍ତୁଲିପଦାସ୍ଥ ମୁନି ଗୋସାଇଁଙ୍କ ଆଶ୍ରମ କବିଙ୍କ ସମାଧିପୀଠ ନାମରେ ପରିଚିତ ହୋଇଆସୁଛି ।

               (ଆଦିକବି  ସାରଳା ଦାସଙ୍କ ସମଧିସ୍ଥଳ)

ସାରଳା ଦାସଙ୍କ ଶ୍ରୀକ୍ଷେତ୍ର ପ୍ରତ୍ୟାବର୍ତ୍ତନ ସ୍ମାରକୀ ସ୍ୱରୂପ ଅଦ୍ୟାବିଧି କାର୍ତ୍ତିକମାସ ଶୁକ୍ଳ ଦ୍ଵାଦଶୀ ତିଥୀ ସନ୍ଧ୍ୟାରେ ଗୋପୀନାଥଜୀଉ ବିଜେ କରନ୍ତି ଶାରଳା ଠାକୁରାଣୀ ମନ୍ଦିରକୁ । ଦେବୀଙ୍କ ପ୍ରତିନିଧି ସ୍ୱରୂପ ପରିଛା ମହାଶୟ ଚାମର ପକାଇ ଘଣ୍ଟା, ଘଣ୍ଟ, କାହାଳୀ, ଆଲଟ ସହିତ ପାଛୋଟି ନିଅନ୍ତି ମନ୍ଦିର ବେଢ଼ା ଭିତରକୁ । ଶାରଳା ମନ୍ଦିର ବେଢ଼ାରେ ସାତଦିନ ଗୋପୀନାଥଜୀଉ ଅବସ୍ଥାନ କରନ୍ତି ।ସାତଦିନ ଗୋପୀନାଥଙ୍କ ରହଣି ମଧ୍ୟରେ ବୈଷ୍ଣବ ମହନ୍ତମାନଙ୍କ ଗ୍ରହଣରେ ଉତ୍ସବ ମୁଖରିତ ହୋଇଉଠେ ଶାରଳା ମନ୍ଦିର ପରିସରରେ ।


No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...