ବୃନ୍ଦାୟା କ୍ଷେତ୍ରମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନସ୍ଥଂ
ନାନାଳଙ୍କାର ଭୂଷଂ ଶଶଧର ସଦୃଶଂ ବାସୁଦେବାଗ୍ରଜାତମ୍
ଭଦ୍ରାୟାଃ ଦକ୍ଷଭାଗେ ଫଣିବର ଶୀରସଂ ଦେବ ଦେବେନ୍ଦ୍ର ପୂଜ୍ୟମ୍
ବନ୍ଦେ ରୁଦ୍ରାଦି ଚଣ୍ଡିଗଣ ସୁପରିବୃତଂ ରାମମାଣିକ୍ୟ ମୂର୍ତ୍ତିମ୍।
(ରତ୍ନସିଂହାସନ )
ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ର ଅନ୍ୟନାମ ଶ୍ରୀକ୍ଷେତ୍ର, ଭଳି ଗୁପ୍ତକ୍ଷେତ୍ରର(କେନ୍ଦ୍ରାପଡା) ଅନ୍ୟନାମ ତୁଳସୀକ୍ଷେତ୍ର । ମା ମହାଲଷ୍ମୀଙ୍କୁ ନେଇ ଶ୍ରୀକ୍ଷେତ୍ରର ନାମକରଣ କରାଯାଇଥିବା ବେଳେ ଶ୍ରୀ ବଳଦେବଜୀଉଙ୍କ ପତ୍ନୀ ତୁଳସୀ ଦେବୀ ନେଇ କେନ୍ଦ୍ରାପଡା ର ନାମକରଣ ତୁଳସୀକ୍ଷେତ୍ର ହୋଇଛି ।ତୁଳସୀ କ୍ଷେତ୍ରର ମାହାତ୍ମ୍ୟ ଅନୁଯାୟୀ ଶ୍ରୀ ବଳଦେବ ଦ୍ଵାପର ଯୁଗରେ ମହାଭାରତ ଯୁଦ୍ଧ ଅଂଶ ଗ୍ରହଣ ନକରି ତୀର୍ଥ ଭ୍ରମଣ ରେ ବାହାରି ପଡିଲେ । ଲଳିତଗିରି ରେ ବାସକରୁଥିବା ଦୁର୍ଦ୍ଦାନ୍ତ ଅତ୍ୟାଚାରୀ ରାକ୍ଷସ କନ୍ଦରା ଅସୁର ଏବଂ ମନ୍ତ୍ରୀ ମଧୁକଟ କୁ ଏହି ସ୍ଥାନରେ ହଳ ମୁଷଳ ଆୟୁଧରେ ହତ୍ୟା କରିଥିବାରୁ ଏହି କନ୍ଦରା ଅସୁରର ଶରୀର ଯେଉଁଠାରେ ପଡିଥିଲା, ସ୍ଥାନର ନାମ ‘କନ୍ଦରୁ ପାଢୀ’ ବା କେନ୍ଦ୍ରାପଡା । କନ୍ଦରା ଅସୁର ମନ୍ତ୍ରୀ ମଧୁକଟ ଶରୀରରୁ ବାହାରିଥିବା ରକ୍ତ ଗୋଟେ ସାଗର ହୋଇ ପୂର୍ବବଙ୍ଗସାଗର ରେ ପଡିଥିଲା ଯାହାକୁ ଆମେ ମଧୁସାଗର ବୋଲି ଜାଣୁ ।ତାହାର ପାଳିତା କନ୍ୟା ବୃନ୍ଦା ବା ତୁଳସୀକୁ ବିବାହ କରି ଏଠାରେ ଅବସ୍ଥାନ କରି ଅଧିଷ୍ଠିତ ହେଲେ । କୌଣସି ପୁରାଣ ରେ ବଳଦେବଙ୍କ ପତ୍ନୀ ତୁଳସୀ ଲିପିବଦ୍ଧ ନାହିଁ କିନ୍ତୁ କେନ୍ଦ୍ରାପଡା ଇତିହାସ ରେ ଦେଖିବାକୁ ପାଇବେ । ତେଣୁ କେନ୍ଦ୍ରାପଡାକୁ ଲୋକେ ତୁଳସୀକ୍ଷେତ୍ର ନାମରେ ଜାଣନ୍ତି ।
ତ୍ରୟୋଦଶ ଶତାବ୍ଦୀରେ ଅନଙ୍ଗଭୀମ ଦେବ (ତୃତୀୟ) ଙ୍କ ଦ୍ବାରା ମୂଳତଃ ନିର୍ମିତ ଦେଉଳରେ ପ୍ରତିଷ୍ଠା ପାଇଥିଲେ ସିଦ୍ଧ ବଳଦେବଜୀଉ । ୧୫୬୮ ଏବଂ ୧୬୬୩ ଜୁନ ୧୭ ତାରିଖରେ ଯବନ ଆକ୍ରମଣରେ ବାରମ୍ବାର କ୍ଷତିଗ୍ରସ୍ତ ମୂଳତଃ ନିର୍ମିତ ଦେଉଳ କୁ ଧ୍ଵଂସ କରିବା ପରେ ଷୋଡଶ ଶତାବ୍ଦୀରେ ମୋଗଲ ଶାସନ ସମୟରେ ସିଦ୍ଧ ବଳଦେବଜୀଉଙ୍କୁ ୧୬୫୮ରୁ ୧୬୭୦ ଦୀର୍ଘ ୧୨ବର୍ଷ କାଳ ସଖିବଟରେ ଗୁପ୍ତ ଭାବରେ ସେବକ ମାନେ ଶ୍ରୀବଳଦେବଜୀଉଙ୍କୁ ଗୁପ୍ତକ୍ଷେତ୍ରରେ ଲୁଚାଇ ରଖିଥିଲେ ।
ସଖିବଟ କିମ୍ବଦନ୍ତୀ
ଦିନେ କୁଜଙ୍ଗ ରାଜା ଗୋପାଳ ଷଣ୍ଢ ଜଳପଥ ଦେଇ ଦ୍ୱୀପାଞ୍ଚଳ ନିକଟ ଦେଇ ଯାତ୍ରା କରୁଥିଲେ । ଦ୍ୱୀପାଞ୍ଚଳରୁ ଏକ ଦିବ୍ୟ ସୁଗନ୍ଧ ଅନୁଭବ କରିବାରୁ କୌତୁହଳବଶତଃ ଡଙ୍ଗା ଅଟକାଇ ବିଶାଳ ବଟବୃକ୍ଷ ନିକଟକୁ ଯାଇଥିଲେ । ସେଠାରେ ସିଦ୍ଧ ବଳଦେବ ମହାପୁରୁଷଙ୍କୁ ଦେଖିବାକୁ ପାଇଥିଲେ । ପ୍ରଭୁଙ୍କୁ କୁଜଙ୍ଗ ନେଇ ଯିବାକୁ ମନସ୍ଥ କରି ନାଉରୀ ଓ କର୍ମଚାରୀଙ୍କ ସହଯୋଗରେ ଡଙ୍ଗାରେ ବସାଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରା ମଝିରେ ଜୁଆର ଛାଡ଼ିଯିବାରୁ ଡଙ୍ଗା ଆଗକୁ ଘୁଞ୍ଚି ନପାରି ବାଲିଚରରେ ଲାଗିଗଲା । ଯେତେ ଚେଷ୍ଠା କଲେ ମଧ୍ୟ ଡଙ୍ଗାଟି ଜଳଧାରା ଭିତରକୁ ନ ଖସିବାରୁ ଏଠାରେ ରହିବା ପ୍ରଭୁଙ୍କ ଇଚ୍ଛା ଭାବି ସିଦ୍ଧ ବଳଦେବଜୀଉଙ୍କୁ ସେହିସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା । ତେଣୁ ସ୍ଥାନର ନାମ ଇଚ୍ଛାପୁର ହେଲା । ପରେ ୧୬୭୦ ଖ୍ରୀଷ୍ଟାବ୍ଦରେ କୁଜଙ୍ଗ ରାଜା ଗୋପାଳ ଷଣ୍ଢ ଏବଂ ଜମିଦାର ଶ୍ରୀନିବାସ ମହାପାତ୍ରଙ୍କ ସହଯୋଗରେ ବର୍ତ୍ତମାନର ଇଚ୍ଛାପୁରଠାରେ ବଳଦେବଜୀଉଙ୍କ 'ବଟ ଦେଉଳ' ପ୍ରତିଷ୍ଠିତ ହୁଏ ।ଏହା ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ୧୭୬୧ ଖ୍ରୀଷ୍ଟାବ୍ଦରେ ମରହଟ୍ଟା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ ,ଜାନୁଜୀ ଭୋଁସଲେ ମରହଟ୍ଟା ପ୍ରଧାନ ଥିବା ସମୟରେ ପୂର୍ଣ୍ଣାଙ୍ଗ ଦେଉଳ ପ୍ରତିଷ୍ଠିତ ହୁଏ । ଗୁପ୍ତକ୍ଷେତ୍ର ସଖୀବଟରେ ମଧ୍ୟ ଅନୁରୂପ ଭାବେ ମନ୍ଦିରଟିଏ ନିର୍ମିତ ହୋଇ ସିଦ୍ଧ ବଳଦେବଜୀଉଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଏବେ ଇଚ୍ଛାପୁରରେ ମଣିବିଗ୍ରହ ଶ୍ରୀବଳଦେବ, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ପୂଜା ପାଉଛନ୍ତି, କିନ୍ତୁ ସୁଦର୍ଶନ ଏଠାରେ ସ୍ତମ୍ଭକାର ନହୋଇ ଗୋଲାକାର ଶାଳଗ୍ରାମ ପରି ପୂଜା ପାଉଛନ୍ତି । ପରବର୍ତ୍ତୀ ସମୟରେ ସଖୀବଟସ୍ଥିତ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ନିକଟରେ ଅନ୍ୟ ଏକ ମନ୍ଦିର ନିର୍ମିତ୍ତ ହୋଇ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଉଛି । ମୁଖ୍ୟ ମନ୍ଦିରରେ ସିଦ୍ଧ ବଳଦେବଜୀଉଙ୍କ ବିଗ୍ରହର ଡାହାଣ ପାଖରେ ସଖୀବଟଙ୍କ ମୂର୍ତ୍ତି ପୂଜା ପାଉଛି
'ବ୍ରହ୍ମତନ୍ତ୍ର' ଏବଂ ୧୬ଶ ଶତାବ୍ଦୀର କବି ବିପ୍ରଶ୍ରୀ ମାଧୁରୀଙ୍କ ଲିଖିତ ତୁଳସୀ କ୍ଷେତ୍ର ମାହାତ୍ମ୍ୟରେ ବର୍ଣ୍ଣିତ ଯେ :
"ଯାତ୍ରାଯାତ୍ରାୟାଂ ହଳାୟୁଧଃ ଗଚ୍ଛେତ୍ତୁଳସୀ କ୍ଷେତ୍ରେ ।
ଉତ୍କଳେ ପଞ୍ଚକ୍ଷେତ୍ରାଣି ବଦନ୍ତି ମୁନିପୁଙ୍ଗବାଃ ।।"
ପୂଜାରିପାଲୀ ଶିଳାଲେଖ ଅନୁସାରେ ସପ୍ତମ ଶତାବ୍ଦୀ ବେଳକୁ ଭୌମବଂଶୀୟା ରାଣୀ କଲ୍ୟାଣୀ ଦେବୀ ତାଙ୍କର ବିଗ୍ରହ ପ୍ରତିଷ୍ଠା କରାଇଥିଲେ :
"କନ୍ଦରା ଆତ୍ମଜା କାରଣେ। କ୍ଷେତ୍ର ରଚିଲୁ ପ୍ରଭୁପଣେ ।।
ଏ ବ୍ରହ୍ମକ୍ଷେତ୍ର ପ୍ରତିଷ୍ଠିତ । ତୁଳସୀକ୍ଷେତ୍ର ନାମେ ଖ୍ୟାତ ।।
ଅର୍ଦ୍ଧଯୋଜନ ଏହୁ କ୍ଷେତ୍ର । ତୋ ନିଷ୍ଠା ବାସ ପଦ୍ମନେତ୍ର ।।
ଗୁପତ ବ୍ରହ୍ମ କ୍ଷେତ୍ର ନାମେ । ଘୋଷିତ ହେବ ଧରାଧାମେ ।।
ତୁଳସୀ ହେବ ତାର ତତ୍ତ୍ଵ । ବଢାଇ ସାଂଖ୍ୟର ମହତ୍ତ୍ଵ ।।
ବଳଦେବଜୀଉ ମନ୍ଦିର
ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର କେନ୍ଦ୍ରାପଡା ସହରସ୍ଥିତ ଶାମଗୁଡିଆ ରାଜସ୍ୱ ଓ ବଡ ବାରଙ୍ଗ ରାଜସ୍ୱ ଗ୍ରାମଦ୍ୱୟରେ ଅବସ୍ଥିତ । ତେବେ ଲୋକମୁଖରେ ଏହି ଗ୍ରାମକୁ “ଇଚ୍ଛାପୁର”ବୋଲି କୁହାଯାଏ। ଏ ମନ୍ଦିର ମହାପ୍ରଭୁଙ୍କ ତୃତୀୟ ବିଜେ ସ୍ଥଳୀ ।ଜଗମୋହନ ମନ୍ଦିର ପ୍ରଥମ ମହନ୍ତ ଷଡଗୋପୀ ରାମାନୁଜ ଦାସ ଏବଂ ପ୍ରବେଶ ମନ୍ଦିର ବା ବାଟ ଦେଉଳ ଜଗନ୍ନାଥ ଭ୍ରମର ବର ରାୟଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ସମଗ୍ର ମନ୍ଦିରର ଆବାସସ୍ଥଳୀର ପରିମାଣ ହେଉଛି ପ୍ରାୟ ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ । ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶୀଷ୍ଟ । ମୁଖ୍ୟ ଗର୍ଭ ଗୃହର ଉଚ୍ଚତା ୭୫ ଫୁଟ ଓସାର ୪୦ ଫୁଟ ,ମଝି ମନ୍ଦିରର ଉଚ୍ଚତା ୪୦ ଫୁଟ,ଜଗମୋହନ ଉଚ୍ଚତା ୬୫ ଫୁଟ ଓ ସିଂହଦ୍ବାର ବାଟ ଦେଉଳର ଉଚ୍ଚତା ୭୦ ଫୁଟ । ମନ୍ଦିର ବେଢା ମଧ୍ୟରେ ରହିଛି ୪୫ ଫୁଟ ଉଚ୍ଚ ନିର୍ମିତ ଭବ୍ୟ ମହାଲକ୍ଷ୍ମୀ ମନ୍ଦିର,ପୁରାତନ ସପ୍ତପାବଚ୍ଛ ନିର୍ମାଣଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ତିଆରି କରାଯାଇଛି। ସମସ୍ତ ମନ୍ଦିର ପିଢ ଶୈଳୀରେ ନିର୍ମିତ ହୋଇଅଛି ।ମୁଖ୍ୟ ମନ୍ଦିର ଉଡୁଥିବା ପତାକାକୁ “ବ୍ରହ୍ମଚିରାଳ” ବା ‘ବ୍ରହ୍ମ ବାନା’ ବୋଲି କୁହାଯାଉଥିଲା ବେଳେ ମନ୍ଦିର ଅଗ୍ରଭାଗରେ ଥିବା ୫ ଫୁଟ ଉଚ୍ଚର ନୀଳଚକ୍ରକୁ “ବ୍ରହ୍ମନୀଳଚକ୍ର” ବୋଲି କୁହାଯାଇଥାଏ । ଏହି କ୍ଷେତ୍ରକୁ ତୁଳସୀ କ୍ଷେତ୍ର,ଗୁପ୍ତକ୍ଷେତ୍ର ,ଗୁପ୍ତ ବୃନ୍ଦାବନ,ଶ୍ରୀ ବଳଦେବଙ୍କ କ୍ଷେତ୍ର ଓ ମଣିବିଗ୍ରହ କ୍ଷେତ୍ର ବୋଲି କୁହାଯାଏ । ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ମନ୍ଦିର ଭିତରେ ଥିବା ଅନ୍ୟ ମୂର୍ତ୍ତୀମାନେ ହେଲେ, ଶ୍ରୀ ଗୋବିନ୍ଦ ଜୀଉ, ମହାଲକ୍ଷ୍ମୀ, ଶ୍ରୀ ସୁଦର୍ଶନ, ଶ୍ରୀ ବାଳଗୋପାଳ ଓ ଶାଳଗ୍ରାମ । ମୁଖ୍ୟ ମନ୍ଦିର ଠାରୁ ମଝି ମନ୍ଦିରଟି ଟିକେ ସାନ ଯାହା ପଞ୍ଚ-ପାବଚ୍ଛୀ ନିର୍ମାଣ ଶୈଳୀରେ ଗଠିତ । ଗରୁଡ଼ ସ୍ତମ୍ଭଟି ଜଗମୋହନରେ ରହିଛି। ମନ୍ଦିରର ମୁଖ୍ୟ ଦ୍ୱାରସାମନାରେ ଦୁଇ ପାଖରେ ଗଜକୁ ସିଂହମାଡ଼ିବସିଥିବାର ଦୁଇ ବିଶାଳ ମୂର୍ତ୍ତି ରହିଛି । ଏହା ପରେ ସାତଟି ପବିତ୍ର ପାହାଚକୁ ଅତିକ୍ରମ କଲେ ମୁଖଶାଳାକୁ ପ୍ରବେଶ କରିହୁଏ । ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି। ଏଇ ପବିତ୍ର ସାତଟି ପାହାଚ ଅତିକ୍ରମ କରି ସାମନାକୁ ଦେଖିଲେ ସେଠାରେ ଉପବିଷ୍ଟା ତୁଳସୀ ଦେବୀଙ୍କର ଏକ ସୁନ୍ଦର ମୂର୍ତ୍ତୀ ରହିଛି ।
ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର। ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି। ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ବେଢା ଭିତରେ ଆନନ୍ଦ ବଜାର ରହିଛି।ଏହି କ୍ଷେତ୍ରରେ ରୀତିନୀତି ଓ ପଦ୍ଧତି ଏବଂ ପୂଜାର୍ଚ୍ଚନା ଅନ୍ୟ କ୍ଷେତ୍ରଠାରୁ ସଂପୂର୍ଣ୍ଣ ଭିନ୍ନ । ଏହା ସମ୍ପୃକ୍ତ ବୈଷ୍ଣବ କ୍ଷେତ୍ର,ଏଠାରେ ବଳଦେବ ପରମ ବୈଷ୍ଣବ ମାତ୍ର ଭୈରବ ନୂହନ୍ତି କିମ୍ବା ଏହି କ୍ଷେତ୍ରରେ କୌଣସି ତାନ୍ତ୍ରିକ ପୂଜା ପଦ୍ଧତି ପ୍ରଚଳିତ ହୁଏ ନାହିଁ । ଶ୍ରୀ ବଳଦେବ ଜୀଉ ମୁଖ୍ୟ ବିଗ୍ରହ ହେଲେ ମଧ୍ୟ ସାନୁଜ ଶ୍ରୀ ଜଗନ୍ନାଥ ,ଭଗ୍ନୀ ସୁଭଦ୍ରା ଓ ଆୟୁଧ ସୁଦର୍ଶନଙ୍କ ସହିତ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ଶ୍ରୀ ବଳଦେବ ଦାରୁ ମୂର୍ତ୍ତୀ ନୁହନ୍ତି,ସେ ସ୍ଵୟଂ ମଣିବିଗ୍ରହ,ଏଠାରେ ନବକଳେବର ହୁଏନାହିଁ । ମହାପ୍ରଭୁଙ୍କ ପ୍ରସାଦ ‘ମହାପ୍ରସାଦ’ ହେଲେ ମଧ୍ୟ ଅଃଣନୈବେଦ୍ୟ ଏଠାରେ ମହାପ୍ରଭୁଙ୍କୁ ସମର୍ପିତ ହୁଏ ନାହିଁ । ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଏ ବିଶ୍ଵରେ ଏକମାତ୍ର ମନ୍ଦିର ଯେଉଁ ମନ୍ଦିରରୁ ଭକ୍ତ ହିନ୍ଦୁ ହୋଇଥିଲେ ନିଜ ଇଚ୍ଛା ମୁତାବକ ନିଃଶଙ୍କୁଡି ଭୋଗ ସଙ୍ଗେ ସଙ୍ଗେ ଅମଣିଆ ଦୋକାନରୁ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ ପୂର୍ବକ ନିଜେ ଗୃହରେ ବା ମନ୍ଦିରରେ ସେବନ କରି ପାରିବେ । ଇଚ୍ଛାମୁତାବକ ଶଙ୍କୁଡି ନୈବେଦ୍ୟ ନିଜ ପଣ୍ଡାଙ୍କ ଜରିଆରେ ତିଆରି କରି ମହାପ୍ରଭୁଙ୍କୁ ସମର୍ପଣ କରିପାରିବେ । ଯଦିଚ ଯାତ୍ରୀ,ଦର୍ଶନୀ ମାନଙ୍କ ପାଇଁ ପୂର୍ବରୁ ତିଆରି ବା ପ୍ରସ୍ତୁତ ଭୋଗ ସାମଗ୍ରୀ ଏହି ମନ୍ଦିରରେ ସେବନ ପାଇଁ ମିଳିଥାଏ ,ତଥାପି ଭକ୍ତ ବା ଯାତ୍ରୀ ଚାହିଁଲେ ପୂର୍ବ ବର୍ଣ୍ଣିତ ଅନୁସାରେ ତାହା କରିପାରିବେ,ତେଣୁ ଶ୍ରୀ ବଳଦେବ ମନ୍ଦିର ପୃଥିବୀର ସବୁ ମନ୍ଦିର ଠାରୁ ଏକ ବ୍ୟତିକ୍ରମ ।
ଏଇ ମନ୍ଦିରରେ ଦିଅଁମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି।
ସକାଳ ଧୂପ: ୯ଟାରୁ ୧୦ଟା
ମଧ୍ୟାହ୍ନ ଧୂପ: ୧୧ଟାରୁ ୧୨ଟା
ଦ୍ୱିପହର ଧୂପ/ଅନ୍ନ ଧୂପ: ୨ଟା ୩୦ରୁ ୩ଟା ୩୦
ସନ୍ଧ୍ୟା ଧୂପ: ୬ଟାରୁ ୭ଟା
ବଡ଼ ସିଂହାର ଧୂପ: ୯ଟା ୩୦ରୁ ୧୦ଟା
କେନ୍ଦ୍ରାପଡ଼ା ଅଞ୍ଚଳ ରସାବଳି ପାଇଁ ପ୍ରସିଦ୍ଧ। ତେଣୁ ଏଇ ମନ୍ଦିରରେ ରସାବଳି ପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଏହାଛଡ଼ା, ବଉଳ ଘଣ୍ଟିଆ, ଚଉରାଶୀ ବ୍ୟଞ୍ଜନ, ମକର ଚାଉଳ, ପୁର କାକରା, ପୋଟଳୀ ପିଠା, ଚିପା କାକରା, କରଞ୍ଜି, ଖଜା, ଲଡୁ, ଖୁଡୁମା, ଛେନା କାକରା ଇତ୍ୟାଦି ପ୍ରସାଦ ଚଢ଼ାଯାଏ।
ଶ୍ରୀକ୍ଷେତ୍ର ପରି ଏ ମନ୍ଦିରରେ ୧୨ ମାସରେ ୧୩ ଯାତ୍ରା ପାଳିତ ହୁଏ । ଚନ୍ଦନ ପାଇଁ ରହିଛି ମହାପ୍ରଭୁଙ୍କର ବିରାଟ ଚନ୍ଦନ ପୁଷ୍କରିଣୀ । ଏଠାରେ ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ଯାଏଁ ମହାପ୍ରଭୁ ଚାପ ଖେଳନ୍ତି । ଠାକୁରଙ୍କର ରହିଛି ଏକ କିଲୋମିଟର ବ୍ୟାପୀ ବିରାଟ ନିଜସ୍ଵ ବଡ଼ଦାଣ୍ଡ,ଯାହାର ପ୍ରସ୍ଥ ୬୦ ମିଟର ରୁ ୮୦ ମିଟର । ଏଠାରେ ଦୁଇ ଦିନ ଧରି ଗୁଣ୍ଡିଚା ଓ ବାହୁଡା ଯାତ୍ରା ପାଳିତ ହୁଏ ।
ବ୍ରହ୍ମ ତାଳଧ୍ୱଜ
ଦ୍ୱାପର ଯୁଗରେ ତାଳବଣ ମଧ୍ୟରେ ଧେନୁକା ନାମକ ଦୁର୍ଦାନ୍ତ ରାକ୍ଷସକୁ ବିନାଶ କରିବାପାଇଁ ଦେବତା ମାନେ ବଳଦେବଙ୍କୁ ଯେଊଁ ରଥ ପ୍ରଦାନ କରିଥିଲେ ସେହି ରଥର ଧ୍ୱଜାରେ ତାଳ ଚିହ୍ନ ଥିବାରୁ ଏହାର ନାମ ତାଳଧ୍ୱଜ ରଥ ବୋଲି କୁହାଯାଏ । ତେବେ ତୁଳସୀ କ୍ଷେତ୍ରର ଅଧିପତି ଶ୍ରୀ ବଳଦେବ ଦାରୂଦେବତା ବା ଦାରୂବ୍ରହ୍ମ ନ ହୋଇ ତାଙ୍କର ସମସ୍ତ କଳେବର ମଣି ବିଗ୍ରହ ବ୍ରହ୍ମ ହୋଇଥିବାରୁ ତାଙ୍କ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ ଏବଂ ନିବାସ ସ୍ଥଳୀକୁ ବ୍ରହ୍ମ କ୍ଷେତ୍ର ବୋଲି କୁହାଯାଏ । ଶ୍ରୀ ବଳଦେବ ଜୀଉଙ୍କ ରଥ ପୃଥିବୀରେ ସର୍ବୋଚ୍ଚ ଓ ସର୍ବ ବୃହତ ରଥ । ରଥର ନାମ ବ୍ରହ୍ମ ତାଳଧ୍ଵଜ ରଥ । ଏଠାରେ ଗୋଟିଏ ରଥରେ ଚାରି ଦିଅଁ ଏକତ୍ର ଘୋସ ଯାତ୍ରା କରନ୍ତି। ମହାପ୍ରଭୁ ବଳଦେବ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ପରି ପହଣ୍ଡି ନ ହୋଇ ବାସୁକି ନାଗ ପରି ରହି ରହି ପହଣ୍ଡି ହୋଇଥାଆନ୍ତି । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାରେ ନିର୍ମିତ ୩ ରଥକୁ ଶ୍ରୀ ଜଗନ୍ନାଥ , ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏକା ସଙ୍ଗରେ ରତ୍ନସିଂହାସନ ଛାଡି ପହଁଣ୍ଡି ହୋଇ ୩ ରଥକୁ ଆସିଥାନ୍ତି । କିନ୍ତୁ ତୁଳସୀକ୍ଷେତ୍ରରେ ୩ ଠାକୁର ଜଣେ ପରେ ଜଣେ ବ୍ରହ୍ମ ତାଳଧ୍ୱଜ ରଥକୁ ପହଁଣ୍ଡି ହୋଇ ଆସିଥାନ୍ତି ।ରଥଯାତ୍ରା ପରଦିନ ଜଗନ୍ନାଥ ମହାପ୍ରଭୁ ଓ ସୁଭଦ୍ରା ବଳଦେବଜୀଉଙ୍କ ନିକଟକୁ ଆସି ବ୍ରହ୍ମ ତାଳଧ୍ଵଜରେ ସୂର୍ଯ୍ୟ ଅସ୍ତ ପୂର୍ବରୁ ଅବସ୍ଥାନ କରନ୍ତି ସେଥିପାଇଁ ଗୁଣ୍ଡିଚା ପରଦିନ ଅପରାହ୍ନ ସମୟରେ ହିଁ ବଳଦେବଜୀଉଙ୍କ ରଥଯାତ୍ରା ହୁଏ। ଏହା ହିଁ ହେଉଛି ତୁଳସୀ କ୍ଷେତ୍ରାଧିପତି ବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରମ୍ପରା । ଚଉଦ ବ୍ରହ୍ମାଣ୍ଡର ଅଧିପତି ଭାବେ ରଥର ଚକ ସଂଖ୍ୟା ୧୪ । ଚକ ଗୁଡିକର ଉଚ୍ଚତା ୬ ଫୁଟ୍ ଅଧେ ଚକ ଗୁଡିକର ଅର ସଂଯୁକ୍ତରେ ନିର୍ମାଣ ନ ହୋଇ ୭ ଇଂଚ ମୋଟା ବିଶିଷ୍ଟ ତିନି ଖଣ୍ଡ ନିଦା ଶାଳ କାଠରେ ତିଆରି ହୋଇଥାଏ । ଏହି ରଥ ୧୨୧୦ ଖଣ୍ଡ କାଠରେ ନିର୍ମିତ ଓ ଭୂମି ଠାରୁ ରଥର ଉଚ୍ଚତା ୪୩ ହାତ ୯ ଆଙ୍ଗୁଳି ବା ୭୫ ଫୁଟ । ଭୂମି ଠାରୁ ରଥ ସ୍ଥିତ ସିଂହାସନର ଉଚ୍ଚତା ୧୨ଫୁଟ ଅଧେ । ସମଗ୍ର ବିଶ୍ୱରେ ଏହା ହେଉଛି ସବୋର୍ଚ୍ଚ ଓ ସର୍ବୋ ବୃହତମ ରଥ । ସାରଥିର ନାମ ପ୍ରଦୁ୍ୟମ୍ନ । ୭ ଗୋଟି ଅଖ ସପ୍ତତତ୍ୱର ପରିୟକ । ୯ ବରାନ୍ଦ ନବଗ୍ରହର ପ୍ରତୀକ । ରଥରେ ଦୁଇଟି ଧଳା ଦୁଇଟି କଳା ଘୋଡା ବନ୍ଧା ହୋଇଥାନ୍ତି । ଏମାନେ ହେଲେ ତିବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାମ । ରଥ ରଜୁର ନାମ ବାସୁକି । ରଥର ଆବରଣ ନାମ ସପ୍ତରଙ୍ଗ, ଦଉଡି ୭ଟି ପ୍ରତିଟି ୪୦ଫୁଟ ଲମ୍ବ ନେତର ନାମ ଉର୍ଣ୍ଣନୀ, ରଥ ସମ୍ମୁଖରେ ଗରୁଡ ଓ ହନୁମାନ , ଦ୍ୱାରପାଳ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରଦେଶରେ ରୁଦ୍ର , ରଥର ରକ୍ଷକ ସ୍ୱୟଂ ବାସୁଦେବ ଶଙ୍କର୍ଷଣ, ପାଶ୍ୱ ଦେବତା ହେଲେ ହରିହର , ତ୍ରିପୁରାରୀ, ଲକ୍ଷ୍ମଣ ସିଦ୍ଧ, ବିନାୟକ ନୃସିଂହ, ବାସୁଦେବ, •ମୁଣ୍ଡା, ଭଦ୍ରକାଳୀ, ମଙ୍ଗଳା ଆଦି ଋଷିପଟ୍ଟାରେ ଅଙ୍ଗିରା, ପୌଲ୍ୟସ୍ତ, ପୁଲଃ, ଅଗସ୍ଥି, ଆତ୍ରେୟ ଓ କାଷ୍ୟପ, ରଥ କୁମ୍ଭର ନାମ ଭୁବନ,ବିଶ୍ୱ, ପୃଥିବୀ, ରକ୍ଷା କର୍ତା ନନ୍ଦ ଓ ସୁନନ୍ଦ । କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ନିର୍ମାଣରେ ୪୦ ଜଣ ମହାରଣା ସେବକ ଓ ୮ ଜଣ କମାର ସେବକ ନିଧାରିତ ସମୟରେ ରଥ କାମରେ ଲାଗିଥାନ୍ତି । ଶ୍ରୀକ୍ଷେତ୍ର ପରି ଏହି ରଥ ପ୍ରତିବର୍ଷ ନୂଆଭାବେ ତିଆରି ନହେଲେ ମଧ୍ୟ ପ୍ରତିବର୍ଷ ଦୁଇ ଚକ ,ଗୋଟିଏ ଅଖ,ଦୁଇଟି ଦଉଡି ଓ ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ଅଂଶ ପରିବର୍ତ୍ତନ କରାଯାଇଥାଏ । ଏହି ରଥରେ ଆଦୌ ଫାଶୀକାଠ ବ୍ୟବହୃତ ହୋଇନଥାଏ । ମୁଖ୍ୟତଃ ରଥର ନିର୍ମାଣ କାର୍ଯ୍ୟ ଶାଳ କାଠରେ ନିର୍ମାଣ କରାଯାଏ । ରଥ ବଡ ଦାଣ୍ଡରେ ଚାଲିଲା ବେଳେ ଏକ ଚଳନ୍ତି ମନ୍ଦିରର ଭ୍ରମ ସୃଷ୍ଟି କରିଥାଏ । ତୁଳସୀକ୍ଷେତ୍ର ଅଧିପତି ଶ୍ରୀ ବଳଦେବଜୀଉ ରତ୍ନସିଂହାସନ ତ୍ୟାଗ କରି ଘୋଷଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବର୍ଷକରେ ଥରେ ଶ୍ରୀ ଗୁଣ୍ଡିଚାରେ ମାନବ ସମାଜକୁ ଶାନ୍ତି , ମୈତ୍ରୀ ତଥା ଭାତୃଭାବରେ ବାନ୍ଧି ରଖିବା ନିମନ୍ତେ ମହାପ୍ରଭୁ ଏହି ବ୍ରହ୍ମତାଳଧ୍ୱଜ ରଥରେ ରଥାରୁଢ ହୋଇଥାନ୍ତି । ଆଷାଢ ମାସରେ ରଥରେ ବସି ଗୁଣ୍ଡିଚା ଘରକୁ ଯାତ୍ରା କରିବା ପରମ୍ପରା ରହିଛି । ଏହି ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ରାପଡାବାସୀ ଗର୍ବ କରୁଥିବା ବେଳେ ପୃଥିବୀର ବିଭିନ୍ନ କୋଣରୁ ଧର୍ମାବଲମ୍ବୀମାନେ ମଧ୍ୟ ଉତ୍କଳୀୟ ସଂସ୍କୃତି ଉପରେ ବିଶ୍ୱାସ ରଖିଥାନ୍ତି ।
ରଥର ବିଶେଷତ୍ତ୍ୱ ...
ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ଵଜ ଆଜ୍ଞାମାଳ ନ ପାଇଲା ଯାକେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େନାଇଁ।
No comments:
Post a Comment