ଗାଆଁମୁଣ୍ଡର ଏଇ ବରଗଛ ମୂଳେ ଠିଆହୋଇ ଡାହାଣକୁ ଦେଖିଲେ ଯେଉଁ ଅଙ୍କାବଙ୍କା ଧୂଳିଧୂସରିଆ ସଡକଟା ଦିଶେ ସେଇଟା ଗାଁଆଡକୁ ଯାଏ, ଏଇଠି ଠିଆ ହୋଇ ଡାକିଲେ, ଗାଆଁ ମୁଣ୍ଡରେ ଥିବା ଶିବ ଘରୁ କେହି ନା କେହି ଓ’କରି ଜବାବ ଦେବ । ଗାଆଁରେ ପୁନିଅଁ ପର୍ବରେ ମେଳା ମଉତ୍ସବ ସମୟର ଗହଳି ଚହଳି ଏ ଯାଏ ଶୁଭେ । କାହା ଘରେ ଝଗଡା ହେଉଥିଲେ ଏଇଠି ବସି କହିହେବ କାହା ସାଙ୍ଗରେ କାହାର ଝଗଡା ହେଉଛି । ଖମାର ସାହିର ସେଇ ପ୍ରଧାନ ଘର ବାଡିରେ କାହା ଗାଈ ପଶିଗଲେ ସେ ରଡିଛାଡି ଯୋଗଣୀଖିଆ, ରଇଜଳା କହି ଯେତେକ ଗାଳିକରେ, ସବୁ ଏଇଠି ବସିକି ସ୍ପଷ୍ଟ ବୁଝିହୁଏ । ଲାଉଡସ୍ପିକର ପରି ପାଟିଖଣ୍ଡେ ତାର ।
ସବୁ ଦିନ ଅନେକ ବିତିଗଲା ଦିନର ସବୁ କାହାଣୀ ଏଇ ବରଗଛ ଦେଖିଛି, ସବୁ ଘଟଣାର ମୂକସାକ୍ଷୀ ଏଇ ବୁଢା ବରଗଛଟା । ଆଗରୁ ତା ମୂଳର ଏଇ ଚବୁତରା ପାଖରେ କତେ ଯେ ଭିଡ ହେଉଥିଲା, ସକାଳେ ଦି’ପହରେ ସଂଜରେ ବି । ଏଇଠି ବସି ଗାଆଁର ଭେଣ୍ଡିଆ ସବୁ ତାସ ଲୁଡୁପାଲି, ପିଲାଏ ସାପ ନିଶୁଣୀ ଖେଳ ଖେଳୁଥିଲେ, ବୁଢାଏ ବସି ପଶାପାଲି ଜମଉଥିଲେ । ଦିନେ ଦିନେ ତ ଜାଗା ପାଇଁ ଟୋକା ଆଉ ବୁଢାମାନଙ୍କ ଭିତରେ ଝଗଡା ବି ହୋଇଯାଏ । ଏଇଟା ଆମର ଜାଗା ତମେ କଣ ଜାଣିନ, ଏଇଠି ବସିଗଲ ଖେଳିବାକୁ ? ସତରେ ଯେମିତି ସମସ୍ତଙ୍କ ପାଇଁ ବସିବାକୁ ଅଲଗା ଅଲଗା ପଟ୍ଟା କବଲା ମିଳି ଯାଇଛି । ଗାଆଁରେ ଏମିତି ହୁଏ, ଯେମିତି ସହରରେ ହାଟ ବଜାରରେ ଠେଲା ବାଲାଙ୍କର ଠିଆ, ଯିଏ ଯେଉଁଠି ଠିଆହୁଏ, ସେ ଯାଗା ତାଙ୍କ ପାଇଁ ରିଜର୍ଭ, ଆଉ ସେଇଠି ଅନ୍ୟ କେହି ଠିଆହେବାଟା ସତରେ ବେଆଇନ ହେବ । ହେଲେ ସେଇଦିନ ଆଉ ନାହିଁ । ପାଠ ଶାଠ ପଢି ଗାଆଁର ଯୁବକ ଯେତେକ ଚାକିରୀ ବାକିରୀ ପାଇଁ ସହର ଚାଲିଗଲେ ଯେ ଆଉ ଗାଆଁକୁ ଫେରିଲେନି, ଫେରିବାକୁ ମନ ବି ବଳାନ୍ତି ନାହିଁ । ସହରରେ ଘରଦୁଆର କରି ସହରୀଆ ବାବୁ ହୋଇଗଲେ । କହନ୍ତି ଧୂଳି ମାଟିଭରା ଅସନା ଗାଆଁ ଅପେକ୍ଷା ସହର କେତେ ଭଲ । ଗାଁ କୁ ଗଲେ ଆମେ କଳା ପଡିଯିବୁ ସେଥି ପାଇଁ ଗାଁ କୁ ଯିବା ନାହିଁ , ଆଉ ଘର ମା ହାତ ରନ୍ଧା ଖାଇବା ବଢିଚୁରା , ଶାଗ ଭଜା , ଚୁନାମାଛ ରାଇ , ପୋଇ ଆଳୁ ସୋରିଷ , ବାଇଗଣ ଭଜା , ସଜନା ଛୁଇଁ ଭଜା , କଇଥ ଚଟଣି , ଦହି , ଛତୁ ପୋଡା , ଟମାଟୋ ଆଳୁ ପୋଡା ଭରତା , ଗୋଟା ପୋଟଳ , ଗୋଟା କଲରା , ବାଦାମ ରସୁଣ ଛେଚା ଚଟଣି , କଖାରୁ ଫୁଲ ଭଜା , ତେନ୍ତୁଳି ପାଗ, ପାମ୍ପଡ଼ , ନଡ଼ିଆ ଟିକେ, କଖାରୁ ଫୁଲ , କଦଳୀ ମଞ୍ଜା , ଭଣ୍ଡା ରାଇ , ସଜନା ଶାଗ , ପୋଟଳ ଗୋଟା , କଲରା ସୋରିଷ ଦିଆ , ଆଳୁ ଚକଟା/ଭରତା, ବାଇଗଣ ପୋଡା , ବଡ଼ିଚୁରା , ସଜନା ଛୁଇଁ ଆଳୁ ଭଜା ସୋରିଷ ଦିଆ , କୋଷିଳା ଶାଗ, ପାଳଙ୍ଗ ମୁଗଜାଈ ଡାଲମା , ଦହି ବାଇଗଣ , ବିଲାତି ଖଟା, ଆମ୍ବୁଲରାଇ ଏସବୁ ଭଲ ଲାଗେନି ସହରୀ ରେ ରହି ଆସିଥିବା ପୁଅକୁ । ଭଲ ଲାଗୁନି ଗାଁ ,ଏଠି ତ Zomato ନାହିଁ କି ବୁଲିବା ପାଇଁ Uber ବୂକିଙ୍ଗ ର ସୁବିଧା ନାହିଁ ଅନେକ ଲୋକ ଆଉ ପିଲାଙ୍କ ମୁହଁରୁ ମୁଁ ଶୁଣିଛି । ଗାଁର ବୁଢା ବୁଢି ଆଜି ଭାରି ଖୁସି ବହୁ ଦିନ ପରେ ପୁଅ ଆଜି ଗାଁକୁ ଆସୁଛି। ବହୁ କଷ୍ଟରେ ପୁଅକୁ ପାଠ ପଢାଈ ଥିଲେ। ପୁଅ ବଡ ଚାକିରୀ କରିଛି, ସହରୀ ଝିଅକୁ ବାହା ହେଇଛି। ବୋହୁ ଗାଁରେ ପଶୁପଶୁ କହିଲା ଛି କି ଗନ୍ଧ, ମୁଁ ଯିବିନି ତମେ ଯିବ ଯଦି ଯାଅ। ପୁଅ ଗାଁ ମୁଣ୍ଡରୁ ଫେରିଗଲା । ଦି ଜଣ ଯାକ ପୁଅ ପୁଅ ହେଇ ଦୌଡିଲେ କିନ୍ତୁ ଶେଷ ଥର ପାଇଁ । ନିଜକୁ ଶେଷରେ ବୁଝାଇବା ପାଇଁ , ସହରୀ ଝିଅଟି ମୋ ଗାଁ କୁ ଏମିତି କହିବନି ବା କାଇ ଆମେ ବା ଗାଁର ମୁଖ୍ୟରାସ୍ତାରେ ଝାଡା ଫେରୁଛୁ କେବେ କାହା ନଜର କୁ ଆସେନି କି ଗ୍ରାମ ସଭାରେ ପଡେନି ଖାଲି ଯାହା ଦୋଳ ପୂର୍ଣ୍ଣିମା,ନନ୍ଦ ଉତ୍ସବ ଦିନ ହରିତାଳ (ସମସ୍ତେ ଉପସ୍ଥିତ ସମୟ) କରି ସଫା କରାଯାଏ । ଆଜି ସେ ବୁଢା ବୁଢ଼ୀ ପୁଅ ଛାଡିନି ଖୁବଶୀଘ୍ର ଏ ଆମ ଘର ମାନଙ୍କରେ ହେବ , କାରଣ ଲୋକ କଥା ଅଛି ପରା ଗାଁ ପରିବେଶ ଧୋବା ତୁଠ ରୁ ବନ୍ଧୁର ବନ୍ଧୁତ୍ୱ ଅଧା ବାଟରୁ । ଗାଆଁରେ କେବଳ ବୁଢା ବୁଢା ଲୋକେ ଘରଦୁଆର, ଜମିବାଡିର ଚୌକିଦାରୀ କରିବାକୁ ଯାହା ରହି ଯାଇଛନ୍ତି, ଦୋଳ ପୂର୍ଣ୍ଣିମା ପର୍ବରେ ପିଲାଏ ଗାଆଁକୁ ଦି ଚାରିଦିନ ଛୁଟି ମନେଇବାକୁ ଆସନ୍ତି, ଗାଆଁ ଟିକେ ଗହଳ ଚହଳ ହୁଏ ପୁଣି ଦୁଇଦିନ ପରେ ଶୁନସାନ ନିଶ୍ଚଳ ହେଇଯାଏ । ସ୍ୱର୍ଗ ପରି ଗାଆଁ ଆଉ ଗାଆଁ ପରି ଲାଗେନି, ଘର ଦୁଆର ଗାଆଁ ରାସ୍ତା ଖାଁ ଖାଁ କରି ଗୋଡାଏ । ବର୍ତ୍ତମାନ ଗାଁର ବୟସ୍କ ଲୋକ ଏବେ କାଳୀ ପୂଜାଟି ଧୁମଧାମରେ କରୁଛନ୍ତି ଡ୍ରାମା ମଧ୍ୟ ହେଉଛି । ଗୋଟେ ମାସ ଗାଁ ରେ ଗହଳି ଲାଗିରହୁଛି ଗାଁର ଯୁବକ ଫୁଣି ଫେରି ଆସୁଛନ୍ତି ତାର ନିଜ ଜନ୍ମ ମାଟିକୁ ଦୁଇ ଚାରି ଦିନ ପାଇଁ ଛୁଟି ନେଇ ।
ଏଇ ଗାଆଁକୁ ବାହାହେବାକୁ ଆସୁଥିବା ବରଯାତ୍ରୀଏ ଏଇଠି ଏକାଠି ହୁଅନ୍ତି, ଯେତେ ଯାକ ଗଛବାଣ ଏଇଠି ଏଇ ପଡିଆରେ ଫୁଟାନ୍ତି, ଗାଆଁ ଭିତରେ ଛଣ ଛପର ଘର ସବୁ, କାଳେ ବାଣରୁ ନିଆଁ ଲାଗିଯିବ ତେଣୁ ଗାଆଁ ଭିତରେ ବାଣଫୁଟା ମନା ଥିଲା ଗାଁ କମିଟି ତରଫରୁ । ଏବେକା କଥା କିନ୍ତୁ ବଦଳି ଗଲାଣି, ଗାଆଁରେ ଏବେ ଛଣଛପର ଘର ଆଉ ଦିଶୁନି । ଇଲେକ୍ସନ ସମୟରେ ଏଇ ଗଛତଳେ କେତେ ମାମଲତ ହୁଏ, ସାହି ସାହି ଭିତରେ କେତେ ହିସାବ କିତାବ, କାହା କ୍ଲବ ପାଇଁ କେତେ ଟଙ୍କା, କେଉଁ ସାହି ଭାଗବତ ଘରକୁ କେତେ ଟଙ୍କା କି କୋଉ ଠାକୁରଘର ପାଇଁ କେତେ ତାର ହିସାବ ଏଇଠି ହୁଏ । କିନ୍ତୁ ଗାଁର ଗୋଟେ ପାଠଶାଳା ଯାହା ବର୍ତ୍ତମାନ ଭଗ୍ନକାୟ ଅବସ୍ଥା ସେଥି ପ୍ରତି ନା କୌଣସି ଗାଁର ଯୁବକ ନା କୌଣସି ରାଜନୈତିକ କରୁଥିବା ବ୍ୟକ୍ତିଙ୍କର ଲକ୍ଷ୍ୟ କାରଣ ଗାଁର କିଛି ଲୋକମାନେ ନିଷ୍ପତ୍ତି ନେଇଛନ୍ତି ପରା ଆଗକୁ ଆମ ଗାଁର ପ୍ରେତ୍ୟକ ପରିବାର ଜଣେ ଲେଖା ରାଜନେତାଙ୍କର ପୋଷ୍ଟର ମାରିବାରେ ନିୟୋଜିତ ହେବ, ତା ହେଲେ କଣ ପାଇଁ ଦରକାର ପାଠଶାଳା କଣ ମିଳିବ ସେ ଶିକ୍ଷାରୁ ଛାଡ଼ ଯେତେ ଚିତ୍କାର କଲେ ବି କୌଣସି ବ୍ୟକ୍ତି ଶୁଣିବା ପାଇଁ ଆଗ୍ରହ ନାହିଁ କହିବା ବି ବେକାର । ଦିଆନିଆ ତ ରାତି ଅନ୍ଧାରରେ ହୁଏ । ପଇସା ନେଇ ଲୋକେ ଭୋଟ ବିକନ୍ତି ଆଉ ନେତାଏ କିଣନ୍ତି, ପୁଣି ଜିତି ଗଲା ପରେ ଜନତାଙ୍କୁ ଭୁଲି ଯାଆନ୍ତି, ମନେ କାହିଁକି ରଖିବେ ଯେ, ପଇସା ଦେଇ ତ ଭୋଟ କିଣିଛନ୍ତି ! ପଇସାଦେଇ ଯେଉଁଠି ଭୋଟ କିଣାବିକା ହୁଏ, ସେଇଠି ଜନସେବା କିମ୍ବା ଜନତାର କଥା ଭାବିବାର ପ୍ରଶ୍ନ କେଉଠି ଆସିଲା ? ଲୋକେ ଆଜି ପର୍ଯ୍ୟନ୍ତ ନିଜର ଅଧିକାର କିମ୍ବା ଭୋଟର ଶକ୍ତିକୁ ବୁଝିପାରିଲେନି । କେତେଟା ଟଙ୍କା କି ବୋତଲେ ମଦ ବଦଳରେ ନିଜର ଅଧିକାର ଏବ ଶକ୍ତିକୁ ବିକିଦିଅନ୍ତି । ଗୁଣ୍ଡା, ମଦ୍ୟପ ଏବଂ ଅଯୋଗ୍ୟ ନେତାଙ୍କ ହାତରେ ଶାସନ ସମ୍ପିଦିଅନ୍ତି ।
ଏଇ ବରଗଛ କେତେ ଯୁଗରୁ ଏଇଠି ଏମିତି ଠିଆ ହୋଇ ସବୁ ଦେଖିଛି, କେଉଁ ଦିନ କେଉଁ ଘରକୁ ନୁଆବୋହୁ ହୋଇ କିଏ ଆସିଥିଲା, ଗାଆଁ ଛାଡି ସହରକୁ କିଏ କିଏ କେବେ କେବେ ଚାଲିଗଲେ, ସବୁ ହିସାବ ତାରି ପାଖରୁ ମିଳିବ, କହି ପାରୁଥିଲେ ଆଜି ସେ କହି ଥାନ୍ତା ମୋତେ ମୋ ଏ ଛୋଟ ଗାଆଁଟି ର ଇତିହାସ । ଜମିଦାର ଝୁମ୍ପାଣି ସିଂ ମୋ ଗାଁ ର ଲେକେ ଏଇ ଗଛତଳେ କେମିତି ଖଜଣା ଅସୁଲ କରୁଥିଲେ, ଇଂଗ୍ରଜୀ ସିପାହୀ ଏଇ ଗଛରେ ବାନ୍ଧି କେମିତି ମୋ ଗାଁର ସେଇ ନିରୀହ ଯୁବକଙ୍କୁ ନିସ୍ତୁକ ପିଟିଥିଲେ, ଅପରାଧ ଏତିକିଥିଲା, ସେ ସ୍କୁଲ ପିଲାଙ୍କୁ ଗାନ୍ଧୀ ନେହେରୁଙ୍କ ସତ୍ୟାଗ୍ରହ ଆନ୍ଦୋଳନ କଥା କହି ଅଂଗ୍ରେଜୀ ସରକାରଙ୍କ ବିରୁଦ୍ଧରେ ମତେଇ ଥିଲେ । ସେଇ ମାଡ ପରେ ଗାଁର ଯୁବକ ଚାକିରୀ ଛାଡି କଂଗ୍ରେସୀ ହୋଇଗଲେ, ଗାଆଁ ଗାଆଁ ବୁଲି ଲୋକଙ୍କୁ ସତ୍ୟାଗ୍ରହ ପାଇଁ ଏକାଠି କରୁଥିଲେ । କେତେଥର ଜେଲ ଗଲେ ତାର ହିସାବ ନାହିଁ । (ସେ ତ ଆଉ ଏକ କହାଣୀ କେବେ ପରେ ଶୁଣିବେ) । ନିଶ୍ଚୟ କହିବି ।
ଏଇ ଗଛ ପାଖ ପଡିଆଟାରେ ପିଲାଏ ଦି’ପହରୁ ସଂଧ୍ୟା ଯାଏ କବାଡି, ଗୁଲିଦଣ୍ଡା ଖେଳନ୍ତି ବର୍ଷ ସାରା, ଏବେ ସେସବୁ ଖେଳ ହୁଏନା ଏଇଠି, ପଞ୍ଝାଏ କ୍ରୀକେଟ ଖେଳନ୍ତି, ଆଉ ପଞ୍ଝାଏ ଖେଳଦେଖି ହୋହଲ୍ଲା କରନ୍ତି । ଏଇଟା ନାଆଁ ବଡ଼ ଦଣ୍ଡା ପଡିଆ, ପଡିଆଟା ଏମିତି ସାରାବର୍ଷ ଖାଲି ପଡିଥାଏ । ଧାନ ଅମଳ ସମୟରେ ଏହା ଅନେକ ଧାନ ଗଦା ହୁଏ । ଇଲେକ୍ସନ ବେଳେ ନେତାଏ ଏଇଠି ପେଣ୍ଡାଲ ବାନ୍ଧନ୍ତି, ଜିତେଇ ଦେଲେ ଗାଆଁ ପାଇଁ କଣ କରିବେ ଏଇଠି ଠିଆହୋଇ ମାଇକ୍ ରେ କୁହନ୍ତି । ଏଇ ଗାଆଁ ରାସ୍ତାଟାକୁ ପକ୍କାରାସ୍ତା କରିଦେବେବେ ବୋଲି ପିଲାଟି ଦିନରୁ ଶୁଣୁଛି, କେତେ ସରକାର ବଦଳି ଗଲେଣି, ହେଲେ ଏଇ ରାସ୍ତା ଏବେ ବି ବର୍ଷାଦିନେ କାଦୁଅ ପଚ୍ ପଚ୍ ହୋଇଯାଏ ଆଉ ଖରାଦିନେ ଧୂଳି ଉଡାଏ । ଏଇ ଠାକୁରାଣୀ ଦାଣ୍ଡରେ ରେ ଖାଲି ଦୋଳ ସମୟରେ ହପ୍ତାଏ ପାଇଁ ଭିଡହୁଏ । ଗାଁର ଲୋକ ସାମୁହିକ ଭାବେ ମିଶି ପଡିଆଟାକୁ ସଫାସୁତୁରା କରାନ୍ତି । ମେଲଣ ପାଇଁ ଭଲ ମେଳାଟିଏ ଲାଗେ ଏଇଠି, ମେଳା ସମୟରେ ଦୋକାନ ବଜାରପାଇଁ ମନ୍ଦିର ପାଖରେ ଥିବା ପଡିଆ ଗୋଟେ ପାଖକୁ ଛୋଟ ଛୋଟ ଦୋକାନ ଜାଗାରେ ବାଣ୍ଟି ଦିଆଯାଏ, ଦୋକାନୀ ମାନେ ସେଇ ଜାଗା ଖଣ୍ଡ ଖଣ୍ଡକ ପାଇଁ ଗାଁ କମିଟିକୁ ଟିକସ ମଧ୍ୟ ଦିଅନ୍ତି ନାହିଁ । ଏଇଠି ଅନ୍ୟ ବେପାରୀ ଆସନ୍ତି ଦୋକାନ ବଜାର ଲାଗେ, ଗୁଡିଆ ବରା ପିଆଜି ଗୁଲଗୁଲା ଛାଣେ, ଗୁଗୁନି ବି ମିଳେ, ପିଲାଙ୍କ ବେଲୁନ, ଚକିରି ଠାରୁ ଆରମ୍ଭ କରି ମାଇପି ଲୋକଙ୍କ ସ୍ନୋ ପାଉଡର, ଚୁଡି ଟିକିଲି ଯାଏ ସବୁ ମିଳେ । ରାତିରେ ଅପେରା ହୁଏ, ଦିନରେ ଖୁବ୍ ଜମେ । ଏଇଠି ଜମା ହୁଅନ୍ତି ଚାରି ସାହି ଭାଇ ଗାଆଁର ଲୋକେ, ପୁରୁଖା ଲୋକଙ୍କ ଠାରୁ ଶୁଣିଛି ଗାଁରେ ମୋର ଗୋଟେ ସମ୍ପ୍ରଦାୟର (ଜାତି) ଗଉଡ଼ ,ଗୋପାଳ , ଯାଦବ ବିଭିନ୍ନ ନା ରେ ଜାଣନ୍ତି । ଅନ୍ୟ ସମ୍ପ୍ରଦାୟର ଲୋକ ଗାଁ କୁ ମୋର କୌଣସି ସାମଗ୍ରୀ ବିକିବା ପାଇଁ ଆସିଲେ ଗୋଟେ ହାତ ରେ ପାଦ ଆଡେ ଆଉ ଗୋଟେ ହାତରେ ତାଙ୍କ ଜିନିଷ ଧରି ଗାଁ ଏ ପାଖରୁ ସେ ପାଖ ବୁଲି ଆସନ୍ତି କାରଣ ଆଖ ପାଖ ମୌଜା ରେ ମୋ ଗାଁ ଏମିତି କିଛି ନିୟମ ଥିଲା ସେ ସମୟରେ , କାରଣ ଦିନେ ଏଇ ମାଟିର ପୁଅ ମାନେ ନିଜ ଜାତିର ନାଁ ପାଇଁ ସେ ସମୟରେ ଗାଁର ପୁରୁଖା ମାନେ ଛତିଶ ପାଟ ଲୋକଙ୍କୁ ହରାଇ କୁଜଙ୍ଗ ରାଜ୍ୟରେ ସୃଷ୍ଟି କରିଥିଲେ ଦ୍ୱିତୀୟ ଏକ ମହାଭାରତ ଗଉଡ଼ ସମ୍ପ୍ରଦାୟର ପାଇଁ.......
କିନ୍ତୁ ଏବେ ଆଉ ଗାଁ ମୋର ଗାଁ ହୋଇ ନାହିଁ
ସେ ତ ଆଉ ଏକ କାହାଣୀ ନିଶ୍ଚିତ ପରେ କହିବି ......
କୌଣସି ବ୍ୟକ୍ତିଙ୍କୁ ଉର୍ଦେଶ ରେ ଏହା ଲେଖା ଯାଇନାହିଁ ବାସ୍ତବ ଘଟଣା କୁ ନେଇ ଲେଖା ଯାଇଛି 🙏
No comments:
Post a Comment